Unknown

 

 

 

 

 

 

 

 

 

 

 

ଚିଡ଼ିପାନ ଟୀକା

ଶ୍ରୀ ରମେଶ ଚନ୍ଦ୍ର ମିଶ୍ର

 

 

 

 

 

 

 

 

 

 

 

 

ମୋ ରାଧିନାନୀ ହାତରେ

 

ଏଇ ଲେଖକଙ୍କର ଆଉ କେତୋଟି ବହି

 

୧.

ମାନସମାୟା–(ଉପନ୍ୟାସ)

୨.

ମାଟି ମନ୍ଦିର–(କ୍ଷୁଦ୍ରଗଳ୍ପ)

୩.

ସ୍ୱପ୍ନଜଗତରେ ତିନିରାତି–(କ୍ଷୁଦ୍ରଗଳ୍ପ)

୪.

କଥା କମଳ–(କ୍ଷୁଦ୍ରଗଳ୍ପ)

Image

 

ସୂଚୀପତ୍ର

 

୧.

ଚିଡ଼ିପାନ ଟୀକା

୨.

ଜାଲ୍‌ ଗୁମାସ୍ତା

୩.

ପାଞ୍ଚ ନମ୍ୱର ବିପ୍ଳବୀ

୪.

ପ୍ରତିହିଂସା

୫.

ବେଗର ଟ୍ରେଡ଼ର

୬.

ଅପରାଧୀ କିଏ ?

୭.

କଳାକୋଠି

Image

 

ଚିଡ଼ିପାନ ଟୀକା

 

ମୁଣ୍ଡ ଉପରେ ପରୀକ୍ଷା ।

 

ଦିନ ରାତି ଧରି ପଢ଼ାପଢ଼ି ଲାଗିଚି । ନୀରଦ ଯେତେ ପରିଶ୍ରମ କରୁଚି, ଅବଶ୍ୟ ଅନ୍ୟମାନେ ସେତେଟା ପରିଶ୍ରମ କରନ୍ତିନି । ରାତି ଅନିଦ୍ରା ହୋଇ ଏତେ ସମୟ ପଢ଼ାପଢ଼ି କରିବାକୁ ବନ୍ଧୁଛାତ୍ରମାନେ ମନା କରନ୍ତି, ହେଲେ–ନୀରଦ ସେ ସବୁ ଶୁଣେନି ।

 

ସେଦିନ ପ୍ରାୟ ରାତି ଗୋଟାଏ ପର୍ଯ୍ୟନ୍ତ ପଢ଼ିବା ପରେ ନୀରଦକୁ ଭୀଷଣ ଗରମ ଜଣାଗଲା । ସେ ଭାବିଲା, ବାହାରେ ଟିକିଏ ବୁଲି ଆସି ପୁଣି ପଢ଼ାପଢ଼ିରେ ମନ ଦେବ ।

 

ଚପଲ ଦୁଇଟା ଗୋଡ଼ରେ ଗଳାଇ ସେ ବାହାରକୁ ଚାଲି ଆସିଲା । ରାସ୍ତା ଉପରେ ବୁଲୁବୁଲୁ ମେସ୍‌ଠାରୁ ଖଣ୍ଡେ ଦୂର ଆଗେଇ ଗଲା । ମେସ୍‌ଆଡ଼କୁ ସେ ଯେତେବେଳେ ଫେରେ–ଦେଖିଲା, ଖଣ୍ଡେ କଳାରଙ୍ଗର ‘ଡଜ୍‌’ ଗାଡ଼ି ଦ୍ରୁତଗତିରେ ତା ଆଡ଼କୁ ଆଗେଇ ଆସୁଚି ।

 

ନୀରଦ ଭାବିଲା ଗାଡ଼ିଟା ବୋଧହୁଏ ଷ୍ଟେସନ ଯିବ ।

 

କିନ୍ତୁ ଆଶ୍ଚର୍ଯ୍ୟ ! ଗାଡ଼ି ଖଣ୍ଡିକ ତା’ରି ପାଖରେ ଆସି ଠିଆହେଲା । ଦୁଇଜଣ ଖୁବ୍‌ ଭଦ୍ରଲୋକ ଗାଡ଼ି ଭିତରୁ ଓହ୍ଲାଇ ପଡ଼ିଲେ ।

 

ଜଣେ ଭଦ୍ରଲୋକ ନୀରଦ ଆଡ଼େ ଚାହିଁ କହିଲେ, ‘‘ଏଆଡ଼େ ଟିକିଏ ଶୁଣିଲେ ।’’

 

ନୀରଦ ପାଖକୁ ଯିବାରୁ ସେ ପୁଣି ପଚାରିଲେ, ‘‘ଏଠାରେ ଶିବ ପ୍ରସାଦ ମହାନ୍ତିଙ୍କର ବସାଟା କେଉଁଠି କହି ପାରିବେ ?’’

 

–‘‘ଶିବ ପ୍ରସାଦ ମହାନ୍ତି ? ସେପରି ନାମଧାରୀ କୌଣସି ଲୋକ ତ ଏ ଅଞ୍ଚଳରେ ନାହାନ୍ତି, ଯିଏ ଅଛନ୍ତି, ସେ ଆଡ଼ଭୋକେଟ୍‌ ଶିବ ପ୍ରସନ୍ନ ଦାସ ।’’

 

–‘‘ନା ନା, ସେ ଆଡ଼୍‌ଭୋକେଟ ନୁହନ୍ତି । ନାମଟା ଠିକ୍‌ ଶିବ ପ୍ରସାଦ ମହାନ୍ତି । ଏଇଠି କେଉଁଠି ରହନ୍ତି ।’’

 

ସେମିତି କେହି ଲୋକ ଅଛି କି ନାହିଁ ଭାବୁ ଭାବୁ ନୀରଦ ଟିକିଏ ଅନ୍ୟମନସ୍କ ହୋଇପଡ଼ିଲା, ସେଇ ସୁଯୋଗରେ ପ୍ରଶ୍ନ କରୁଥିବା ଲୋକଟି ତାର ନାକ ଉପରେ ଗୋଟାଏ ରୁମାଲ ଜୋର୍‌ରେ ଚାପି ଧରିଲା ।

 

ତାଉପରେ ହଠାତ୍‌ ଏମିତି ଆକ୍ରମଣ ହେବ ବୋଲି ସେ ଆଦୌ ପ୍ରସ୍ତୁତ ନ ଥିଲା । ରୁମାଲ ଚାପି ଧରିଥିବା ଲୋକଟାର କବଳରୁ ନୀରଦ ମୁକ୍ତିଲାଭର ଉଦ୍ୟମ କରିବା ଆଗରୁ ଅନୁଭବ କଲା, ତା’ର ସମସ୍ତ ଶକ୍ତି ଯେମିତି ଅବଶ ହୋଇ ପଡ଼ିଚି । ତାପରେ ସେ ଧିରେ ଧିରେ ଅଜ୍ଞାନ ହୋଇ ରାସ୍ତା ଉପରେ ଢଳି ପଡ଼ିଲା । ମୋଟର ଆରୋହୀ ଦୁହିଁଙ୍କ ମୁହଁରେ ସାଫଲ୍ୟର ହସ ଖେଳିଗଲା । ତା ପରେ ସେମାନେ ନୀରଦକୁ ଟେକି ନେଇ ଗାଡ଼ି ଭିତରେ ଶୁଆଇ ଦେଲେ, ଗାଡ଼ିର ମୁହଁ ପଛକୁ ଫେରିଲା, ଯେଉଁ ଦିଗରୁ ଆସିଥିଲା ପୁଣି ସେଇ ଦିଗରେ ଆଗେଇ ଗଲା ।

 

ତେଲେଙ୍ଗା ସାହି ସେପଟର ଅନ୍ଧାରିଆ ଗଳିରେ ଥିବା ହଳଦିଆ ଏକମହଲା କୋଠାର ମାଲିକ ହେଉଛନ୍ତି ଶୋଭନା ଦେବୀ ।

 

ସମୟ ଥିଲାବେଳେ ଶୋଭନା ଦେବୀ ରାସ୍ତା କଡ଼ରୁ ବିସ୍ତର ଟଙ୍କା ସାଉଁଟି ପାରିଥିଲେ, ହେଲେ ସେ ସବୁ ଆଜି ନାହିଁ; ତଥାପି ବର୍ତ୍ତମାନ ସେ ଏକପ୍ରକାର ଚଳୁଚନ୍ତି । ଯୌବନ ଦୀପର ତେଲ ନିଃଶେଷ ହୋଇ ଆସିବା ଆଗରୁ ସେ ଗୋଟିଏ ସାଧାରଣ ଲୋକର ପାଣିଗ୍ରହଣ କରି ନିଜକୁ କୂଳରେ ଲଗେଇଛନ୍ତି । ମଦନ ମୋହନ ଉପଯୁକ୍ତ ସ୍ୱାମୀ । ସ୍ତ୍ରୀଙ୍କର ଆଜିକାର ବ୍ୟବସାୟରେ ସେ ଖୁବ୍‌ମଧ୍ୟସ୍ଥତା ଗ୍ରହଣ କରି ପାରନ୍ତି ।

 

ମଧ୍ୟସ୍ଥତା ଆଉ କିଛି ନୁହେଁ, କୌଣସି ପ୍ରକାର ଯୁବତୀ ଝିଅମାନଙ୍କୁ ଅଳ୍ପ ଦାମରେ କିଣି ଆଣି ସ୍ତ୍ରୀଙ୍କୁ ଯୋଗାଇ ଦିଅନ୍ତି । ଶୋଭନା ଦେବୀ ସେମାନଙ୍କ ଦ୍ୱାରା ନିଜର ବ୍ୟବସାୟୀମାନଙ୍କୁ ଖୁସି କରି ବେଶ୍‌ ମୋଟା ଲାଭ ଉଠେଇ ଥାଆନ୍ତି ।

 

ହଠାତ୍‌ଏ ବ୍ୟବସାୟରେ ଦିନେ ବ୍ୟତିକ୍ରମ ଦେଖାଗଲା । ସେଦିନ ବିମଳା ବୋଲି ଯେଉଁ ଝିଅଟାକୁ ମଦନ ମୋହନ ଆଣିଲେ, ସେଥିରେ ବ୍ୟବସାୟ କ୍ଷତିଗ୍ରସ୍ତ ହେବାର ଢେର୍‌ ସମ୍ଭାବନା ଥିଲା ।

 

ମାତୃହୀନା ବିମଳା ବିବାହ କରି ସାରିଥିଲା । ଚୁକ୍ତି ହୋଇଥିଲା, ସ୍ୱାମୀ ଆଉ ଟିକିଏ ବଡ଼ ହୋଇ ଚାକିରୀ ବାକିରୀ କଲେ ବିମଳା ତାର ଶାଶୁଘରକୁ ଯିବ ।

 

ଏହା ମଧ୍ୟରେ ଗୋଟାଏ ବିପର୍ଯ୍ୟୟ ଘଟିଲା ।

 

ଆକସ୍ମିକ ଭାବରେ ବିମଳାର ବାପ ମରିଗଲେ, ତେଣୁ ସେ ତାର ଏକମାତ୍ର ଦାଦି ପାଖରେ ଆଶ୍ରୟ ନେଲା ।

 

ଦାଦି କିଛି ସହଜ ଜନ୍ତୁ ନୁହନ୍ତି । ସେ ବିମଳାର ଶାଶୁଘରକୁ ଖବର ଦେଲେ ଯେ, ‘ବିମଳା ହଇଜାରେ ମରିଗଲା ।’ ଆଉ ଗୁପ୍ତରେ ଶୋଭନା ଦେବୀଙ୍କ ସ୍ୱାମୀ ମଦନ ମୋହନଙ୍କୁ ତିନିଶ’ ଟଙ୍କାରେ ବିମଳାକୁ ବିକ୍ରୀ କରିଦେଲେ ।

 

ବିମଳାକୁ ଶାଶୁଘରେ ଛାଡ଼ିବାର ବାହାନା କରି ମଦନ ମୋହନ ତାକୁ ନିଜ ଘରକୁ ନେଇ ଆସିଲେ ।

 

ପ୍ରକୃତ ଉଦ୍ଦେଶ୍ୟ ଜାଣିପାରି ବିମଳା ସ୍ପଷ୍ଟଭାବରେ ଜଣେଇ ଦେଲା ଯେ, ତାଉପରେ ଯେତେ ଅତ୍ୟାଚାର ହଲେ ବି ସେ କେବେ ହେଲେ ଅତ୍ୟାଚାର ପାଖେ ଆତ୍ମସମର୍ପଣ କରିବନି ! ତାକୁ ଯଦି ତାର ଶାଶୁଘରକୁ ପଠାଇ ଦିଆଯାଏ ତ ଭଲ, ନହେଲେ ବାଧ୍ୟହୋଇ ସେ ତାର ସତୀତ୍ୱ ରକ୍ଷା ପାଇଁ କାନ୍ଥରେ ମୁଣ୍ଡ ପିଟିଦେବ !

 

ଶୋଭନା ଦେବୀ ଆଗରୁ ବିମଳା ବିଷୟରେ କିଛି ଜାଣି ନଥିଲେ । ଯେତେବେଳେ ସବୁ ବିଷୟ ଜାଣିପାରିଲେ, ସେତେବେଳେ ବ୍ୟସ୍ତ ହୋଇ ପଡ଼ିଲେ । ସେ ଜାଣନ୍ତି, ଏ ଧରଣର ବିବାହିତା ସ୍ୱାମୀପ୍ରାଣ ଝିଅମାନଙ୍କୁ ହାତ ମୁଠାକୁ ଆଣିବା ପ୍ରାୟ ଅସମ୍ଭବ । ଏତିକିବେଳେ ମଦନ ମୋହନ ଆସି ଖବର ଦେଲେ ଯେ, ଜଣେ ଯୁବକ ଜମିଦାର ବର୍ତ୍ତମାନ ମଜଲିସ୍‌ରେ ସମ୍ପତ୍ତି ଉଡ଼ୋଉଛି । ନୂଆ ନୂଆ ଝିଅ ପାଇଲେ ଯଥେଷ୍ଟ ଦାମ୍‌ରେ କିଣି ନେବାକୁ ରାଜି ଅଛି । ବିମଳା ସମ୍ବନ୍ଧରେ ମୁଁ ତା ସହିତ କଥାବାର୍ତ୍ତା କରି ଆସିଚି, ତୁମେ ସେଠାକୁ ଏହାକୁ ନେଇଗଲେ ବିସ୍ତର ଲାଭ ହେବାର ସମ୍ଭାବନା ରହିଚି ।

 

ଶୋଭନା ଦେବୀଙ୍କ ପିଣ୍ଡରେ ପ୍ରାଣ ପଶିଲା । ସେ ମନେ ମନେ ଭାବିଲେ, କୌଣସି ପ୍ରକାର କିଛି ଟଙ୍କା ପାଇ ଏ ଗ୍ରହଟାକୁ କରଛଡ଼ା କରିଦେଲେ ହିଁ ରକ୍ଷା ।

 

ପରଦିନ ବିମଳାକୁ ଆଦର କରି ଶୋଭନା ଦେବୀ କହିଲେ, ‘‘ତୁମ ଉପରେ କେହି କୌଣସି ଅତ୍ୟାଚାର କରିବେନି । ଚାଲ ଆଜି ଟିକିଏ ବୁଲି ଆସିବା । କାଲି ତୁମକୁ ତୁମର ଶାଶୁଘରକୁ ପଠାଇ ଦେବି ।’’

 

ବିମଳା ଖୁସିରେ ଶୋଭନା ଦେବୀଙ୍କ ସଙ୍ଗେ ବୁଲି ଯିବାକୁ ରାଜି ହୋଇଗଲା । ତା ପରେ ସେମାନେ ଯୁବକ ଜମିଦାର ମିତ୍ରସିଂହଙ୍କ କୋଠିରେ ପହଞ୍ଚିଲେ । କୋଠି ସମ୍ମୁଖସ୍ଥ ବଗିଚା ଦେଖି ବିମଳାର ମନ ଖୁସି ହୋଇଗଲା; କିନ୍ତୁ ସେ ଜାଣେନି ଯେ, ଏଇ ସୁଦୃଶ୍ୟ ବଗିଚାକୁ ଲାଗି ଯେଉଁ ବିରାଟ କୋଠିଟା ମୁଣ୍ଡ ଟେକି ଠିଆହେଇଚି–ତା ଭିତରେ ଗୋଟାଏ ଭୟଙ୍କର ବିଭତ୍ସତା ଲୁଚିରହିଚି ।

 

ଶୋଭନା ଦେବୀ ତାକୁ ଗୋଟିଏ ସୁସଜ୍ଜିତ କୋଠରିରେ ବସାଇ ନିଜେ ପାଖ କୋଠରିରେ ଯାଇ ମିତ୍ର ସିଂହ ଓ ତାଙ୍କର କୁସଙ୍ଗୀ ନରେନ୍ଦ୍ର ବରାଳଙ୍କ ପାଖରେ ବସିଲେ । ସେଠାରେ ତାଙ୍କ ସହିତ କଣ କଥାବାର୍ତ୍ତା ଚାଲିଲା ବିମଳା ସେ କଥା ଜାଣେନି; କିନ୍ତୁ ତାର ଫଳାଫଳ ଘଣ୍ଟାକ ପରେ ଜାଣିଲା । ହଠାତ୍‌ ଘର ଭିତରକୁ ମାତାଲ ହୋଇ ମିତ୍ର ସିଂହ ପଶିଆସି ଭିତରପଟୁ ଦ୍ୱାର ବନ୍ଦ କରିଦେଲେ ।

 

ବିମଳା ମୌଖିକ ଆପତ୍ତି କଲା । ତାପରେ କଡ଼ା କଡ଼ା କଥା ବି ଶୁଣେଇଲା, ଶେଷକୁ ପାଖ ଟେବୁଲ ଉପରୁ ବଡ଼ ଫୁଲଦାନି ଉଠାଇ ଆଣି ରାଗରେ ଫଁ ଫଁ ହୋଇ କହିଲା, ‘‘ଆଉ ଯଦି ପାଦେ ଆଗକୁ ଆସିବ ତାହେଲେ ଏ ଫୁଲଦାନିରେ ତାକୁ ଫଟେଇ ଦେବି ।’’

 

ମିତ୍ର ସିଂହ ଜୀବନରେ ଅନେକ ନାରୀଙ୍କ ସଂସ୍ପର୍ଶରେ ଆସିଚନ୍ତି–କିନ୍ତୁ ଆଜି ଏଇ ମଫସଲି ଝିଅଟାର ଦମ୍ଭ ତାଙ୍କୁ ବିକଳିତ କରି ପକେଇଲା । ଅଗତ୍ୟା ସେ ଶୋଭନା ଦେବୀଙ୍କ ପାଖକୁ ଫେରି ଆସିଲେ । ତାଙ୍କୁ ଚାହିଁ କହିଲେ, ‘‘ତୁମେ କଣ ମୋତେ ଠକିବାକୁ ଆସିଚ ? ମୁଁ ଦେଖୁଚି ଝିଅଟାକୁ ତୁମେ ଯାହା ବିଶ୍ଳେଷଣ କରୁଥିଲ ସେ ଠିକ୍‌ ତାର ଓଲଟା ।’’

 

ଶୋଭନା ଦେବୀ ମଧ୍ୟ ବ୍ରାଣ୍ଡି ଗ୍ଲାସରେ ଚୁମ୍ବନ ଦେଇଥିଲେ । ସେ କହିଲେ, ‘‘ଯଦି ସାମାନ୍ୟ ଝିଅଟାକୁ ନିଜ ଆୟତ୍ତକୁ ଆଣି ପାରୁନ, ତାହାଲେ ଏ ରାସ୍ତାରେ ଗୋଡ଼ ଦେଇଚ କାହିଁକି-?’’

 

କ୍ରମେ ଯୁକ୍ତିତର୍କ ବଢ଼ି ଚାଲିଲା । ଗୋଟାଏ ନାରୀର ଏଭଳି ଯୁକ୍ତି ମିତ୍ର ସିଂହ ବରଦାସ୍ତ କରି ପାରିଲେନି, ଟେବୁଲ ଡ଼୍ର ମଧ୍ୟରୁ ଛୁରି କାଢ଼ି ଶୋଭନା ଦେବୀଙ୍କ ବକ୍ଷରେ ଲାଗଲାଗ ତିନି ଥର ଭୁଷି ଦେଲେ । ଦେଖୁ ଦେଖୁ ଚଟାଣ ସାରା ସଦ୍ୟ ରକ୍ତର ଜୁଆର ଖେଳାଇ, ଶୋଭନା ଦେବୀଙ୍କର ପ୍ରାଣହୀନ ଦେହଟା ତଳେ ଗଡ଼ିପଡ଼ିଲା । ନରେନ୍ଦ୍ର ବରାଳ ହଠାତ୍‌ କହି ଉଠିଲେ, ‘‘କି ସର୍ବନାଶ କଲ ! ଚଞ୍ଚଳ ଦ୍ୱାରଟାକୁ ବନ୍ଦ କରି ପଳାଇ ଆସ, ନହେଲେ ମାରାତ୍ମକ ବିପଦରେ ପଡ଼ିବ; ଖୁଣ୍‌ ତଦନ୍ତ କରିବାକୁ ଆସି ପୋଲିସ୍‌ ତୁମକୁ ନିଶ୍ଚୟ ଗିରଫ୍‌ କରିବ । ବିଚାରରେ ତୁମକୁ ଯେ ଫାଶି ଦଣ୍ଡ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।

 

ମିତ୍ର ସିଂହ ଦ୍ରୁତଗତିରେ ନରେନ୍ଦ୍ର ବରାଳଙ୍କ ସହିତ ସେ ଘର ଛାଡ଼ି ଚାଲିଗଲେ । ବାହାର ପଟୁ ଦୁଆରେ ତାଲା ବନ୍ଦ କରି ଦିଆଗଲା ।

 

ନୀରଦର ଜ୍ଞାନ ଫେରିବାମାତ୍ରେ ସେ ଚାରିଆଡ଼େ ଭଲଭାବରେ ଚାହିଁ ଦେଖିଲା, ନା, ଏଇଟା କୌଣସି ପରିଚିତ ସ୍ଥାନ ନୁହେଁ । ଗୋଟି ଗୋଟି ପୂର୍ବ କଥା ତାର ମନେ ପଡ଼ିଲା । ସେଇ ଅଜ୍ଞାତ ଆତତାୟୀମାନେ ଅଜ୍ଞାନ ଅବସ୍ଥାରେ ନିଶ୍ଚୟ ଏଠାକୁ ନେଇ ଆସିଚନ୍ତି ।

 

ହଠାତ୍‌ ତାକୁ ଏଭଳି ଆକ୍ରମଣ କରି ଏଠାରେ ଆଣି ବନ୍ଦୀ କରି ରଖିବାରେ ତାଙ୍କର କି ସ୍ୱାର୍ଥ ଅଛି ? ନୀରଦ ମୁଣ୍ଡରେ ନାନାପ୍ରକାରର ଚିନ୍ତା ଖେଳିବାକୁ ଲାଗିଲା ।

 

ଭାବୁ ଭାବୁ ପାଖରେ ପଡ଼ିଥିବା ଖଟ ଉପରେ ତାର ଦୃଷ୍ଟି ପଡ଼ିଲା । ଏକଣ, ଖଟଉପରେ ଶୋଇଥିବା ତରୁଣୀଟି କିଏ ? ଏଭଳି ଭାବରେ ଶୋଇ ରହିଚନ୍ତି କାହିଁକି ?

 

ନୀରଦ ଶୋଇବାଠାରୁ ଉଠି ଭଲ ଭାବରେ ଚାହିଁ ଦେଖିଲା ଯେ, ତରୁଣୀଟି ନିଦ୍ରିତା ନୁହେଁ, ମୃତ; ବିଛଣା ସାରା ରକ୍ତରେ ଜୁଡ଼ୁବୁଡ଼ୁ । ବକ୍ଷର ଠିକ୍‌ ବାମ ପାଖରେ ଗୋଟାଏ ସୁତୀକ୍ଷ୍‍ଣ ଛୁରି ଲାଗି ରହିଚି ।

 

ନୀରଦ ମୁଣ୍ଡ ଭିତରେ ଯେମିତି ବିଦ୍ୟୁତ୍‌ର ଝଲକ ଖେଳିଗଲା ।

 

ବର୍ତ୍ତମାନ ତାର ଏକମାତ୍ର ଚିନ୍ତା–ପଳାଇ ଯାଇ ଆତ୍ମରକ୍ଷା କରିବା । ପୋଲିସ ଆସି ଯଦି ତାକୁ ଏଭଳି ଅବସ୍ଥାରେ ଦେଖେ, ତେବେ ନିଶ୍ଚୟ ଗିରଫ୍‌ କରିବ, କେବଳ ଗିରଫ୍‌ ନୁହେଁ–ବିଚାରରେ ଦୋଷୀ ସାବ୍ୟସ୍ତ ହେଲେ ତାକୁ ଫାଶି ବି ହୋଇପାରେ । ଯେତେ ଯାହା କହିଲେ ବି ସେ ପୋଲିସକୁ ବିଶ୍ୱାସ କରେଇ ପାରିବନି । ତା ବ୍ୟତୀତ ଯେଉଁମାନେ ତାକୁ ଏଭଳି ଅବସ୍ଥାରେ ରଖି ଯାଇଚନ୍ତି ସେମାନେ କୌଣସି ବିଶେଷ ଉଦ୍ଦେଶ୍ୟରେ ଏ କାମ କରିଚନ୍ତି ଏବଂ ତାକୁ ବିପଦରେ ପକେଇବାକୁ ଭାବିଛନ୍ତି, ଖୁଣ୍‌ ଅପରାଧରେ ଯେପରି ତାକୁ ଫାଶି ହୁଏ ତାହାହିଁ ସେମାନଙ୍କର ଉଦ୍ଦେଶ୍ୟ । ବୋଧହୁଏ ସେମାନେ ପୋଲିସ୍‌ ଡ଼ାକି ଆଣିବା ପାଇଁ ଯାଇଚନ୍ତି !

ନୀରଦ ଦ୍ୱାର ଆଡ଼େ ଧାଇଁଗଲା ।

କିନ୍ତୁ ଦ୍ୱାର ବାହାର ପଟୁ ବନ୍ଦ । ବାରମ୍ବାର ଟଣା ଟଣି କଲେ ମଧ୍ୟ ଦ୍ୱାର ଖୋଲୁନି । ନିରାଶ ହୋଇ ସେ ତଳେ ବସି ପଡ଼ିଲା । ପ୍ରବଳ ଉତ୍ତେଜନା ଏବଂ ଉତ୍କଣ୍ଠାରେ ତାର ସମଗ୍ର ଶରୀର ସେତେବେଳକୁ କଦଳୀପତ୍ର ପରି ଥରୁଥାଏ ।

ଧୀରେ ଧୀରେ କିଏ ଯେମିତି ପଛଆଡ଼ୁ ନୀରଦ କାନ୍ଧରେ ହାତ ରଖିଲା ।

–‘‘କିଏ ?’’

ଚମକିପଡ଼ି ନୀରଦ ପଛରୁ ଚାହିଁ ଦେଖିଲା, ଠିକ୍‌ ତା’ର ପଛପାଖେ ଗୋଟିଏ ସୁନ୍ଦରୀ ଝିଅ ଠିଆ ହୋଇଚି । ସେ ଝିଅଟିକୁ ପଚାରିଲା, ଆପଣ କିଏ ?

–‘‘ମୋ ନାମ ବିମଳା ।’’

–‘‘ଆପଣ କଣ ଏକୁ ଖୁଣ୍‌ କରିଚନ୍ତି ?’’

–‘‘ନା ।’’

–‘‘ତାହାଲେ କିଏ ଖୁଣ୍‌ କରିଚି ?’’

–‘‘ଯେଉଁ ଲୋକ ଏହାକୁ ଖୁଣ୍‌ କରିଚି ସେ ମୋଟଉପରେ ଅତ୍ୟାଚାର କରିବାକୁ ଆସିଥିଲା; କିନ୍ତୁ ତା ନହୋଇ ପାରିବାରୁ ଏହି ସ୍ତ୍ରୀଲୋକ ସଙ୍ଗେ ତାର ଗଣ୍ଡଗୋଳ ହେଲା । ଶେଷକୁ ସେ ଲୋକଟା ରାଗରେ ଏକୁ ଖୁଣ୍‌ କରିଚି । ବର୍ତ୍ତମାନ ଆପଣ ଯଦି ନପଳାନ୍ତି ତାହେଲେ ଆପଣଙ୍କୁହିଁ ଏ ଖୁଣ୍‌ ଅପରାଧରେ ପଡ଼ିବାକୁ ହେବ ।’’

–‘‘ତେବେ ବର୍ତ୍ତମାନ ଉପାୟ ?’’

ବିମଳା ନୀରଦକୁ ପାଖ ଘରକୁ ନେଇ ଯାଇ ତାର ଲୁଗାପଟା ସବୁ ପାଲଟି ଦେବାକୁ କହିଲା । ସେଠାରେ ଗୋଟିଏ ଆଲମାରିରେ କେତେକ ପ୍ୟାଣ୍ଟ ସାର୍ଟ ଥିଲା । ନୀରଦ ସେଥିରୁ ଦୁଇଖଣ୍ଡ ଆଣି ପିନ୍ଧିଲା ।

ବିମଳା କହିଲା, ‘‘ଏ ଆଲମାରିଟା ଏଠାରୁ ଘୁଞ୍ଚେଇବାକୁ ପଡ଼ିବ ।’’

ନୀରଦ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘‘କାହିଁକି ?’’

–‘‘ଏହା ପଛରେ ଗୋଟାଏ ରାସ୍ତା ଅଛି, ସେବାଟେ ଆମକୁ ଚାଲି ଯିବାକୁ ହେବ । ତାଛଡ଼ା ବାହାରକୁ ଯିବାପାଇଁ ଅନ୍ୟ କୌଣସି ବାଟ ଆଉ ନାହିଁ ।’’

 

ନୀରଦ ଓ ବିମଳା ଧରାଧରି କରି ଆଲମାରିଟାକୁ ଗୋଟାଏ ପାଖକୁ ଘୁଞ୍ଚେଇ ଦେଲେ-। ଦେଖାଗଲା ତାପଛରେ ଗୋଟାଏ ଚୋରା ରାସ୍ତା ରହିଚି ।

 

ବିମଳାକୁ ନୀରଦ ପଚାରିଲା, ‘‘ଏଠାରେ ଯେ ଗୋଟାଏ ରାସ୍ତା ଅଛି, ସେକଥା ଆପଣ କେମିତି ଜାଣିଲେ ?’’

 

–ଯେଉଁ ଲୋକଦୁଇଟା ଆପଣଙ୍କୁ ଧରି ଆଣିଥିଲେ ସେମାନେ ଟିକିଏ ଆଗରୁ ଏଇ ରାସ୍ତା ଦେଇ ଚାଲି ଯାଇଛନ୍ତି । ସେପଟ ଦ୍ୱାରରେ ତାଲା ବନ୍ଦ ଅଛି । ବୋଧହୁଏ ସେଇ ଦ୍ୱାରବାଟେ ସେମାନେ ପୋଲିସ ଧରି ଆସିବେ । ଆଉ ଡେରି କରିବା ଅନାବଶ୍ୟକ, ଆସନ୍ତୁ–ସେମାନେ ନହେଲେ ଆସିଯିବେ ।

 

ଧୀରେ ଧୀରେ ଚୋରା ରାସ୍ତାଧରି ନୀରଦ ଓ ବିମଳା ଗଭୀର ଅନ୍ଧାରରେ ଅଦୃଶ୍ୟ ହୋଇଗଲେ ।

 

ପୋଲିସର ଅନୁରୋଧରେ ବିଖ୍ୟାତ ପ୍ରାଇଭେଟ ଡିଟେକ୍‌ଟିଭ ଅମୂଲ୍ୟ ମହାନ୍ତି ଶୋଭନାଦେବୀଙ୍କ ହତ୍ୟା ତଦନ୍ତ ଭାର ଗ୍ରହଣ କରିଚନ୍ତି । ଘଟଣା ସ୍ଥଳକୁ ଯାଇ ହାତଗୋଡ଼ର ଚିହ୍ନଥିଲା ସେଗୁଡ଼ିକ ରେକର୍ଡ଼ କରିଛନ୍ତି । ତା ଛଡ଼ା ଯେଉଁ ହଳେ ଚପଲ ଏବଂ ରକ୍ତଲଗା ଲୁଗା ଖଣ୍ଡକ ମିଳିଲା ସେ ବିଷୟରେ ମଧ୍ୟ ସେ ଅନୁସନ୍ଧାନ କରିଛନ୍ତି ।

 

ମିତ୍ରସିଂହ ଏବଂ ନରେନ୍ଦ୍ର ବରାଳଙ୍କ ସଙ୍ଗେ ଏ ଘଟଣାର ଯେ ଘନିଷ୍ଠ ଯୋଗାଯୋଗ ରହିଚି ଏକଥା ସେ ସ୍ପଷ୍ଟ ଭାବରେ ବୁଝି ପାରିଚନ୍ତି; କିନ୍ତୁ ସେମାନଙ୍କର ଅସ୍ତିତ୍ୱ କିମ୍ବା ସେମାନଙ୍କର ବର୍ତ୍ତମାନ ଠିକଣା ସେ ଯେତେ ଚେଷ୍ଟା କଲେ ମଧ୍ୟ ଆବିଷ୍କାର କରି ପାରି ନାହାନ୍ତି ।

 

ଦିନେ ସକାଳୁ ପୋଲିସ ଷ୍ଟେସନରେ ବସି କଥାବାର୍ତ୍ତା କରୁଚନ୍ତି, ସେତିକିବେଳେ ସେଠାରେ ଗୋଟିଏ ନୂଆ ଘଟଣା ଇନ୍‌ଫର୍ମ କରାଗଲା । ଆକସ୍ମିକ ଭାବରେ ଜଣେ ଯୁବକ ଅନ୍ତର୍ଦ୍ଧାନ ହୋଇଚି ।

 

ଆଉ ଗୋଟାଏ ଯୋଗାଯୋଗରେ ସେ ଆଶ୍ଚର୍ଯ୍ୟ ହେଲେ । ଠିକ୍‌ ଯେଉଁଦିନ ରାତିରେ ଶୋଭନାଦେବୀ ନିହତ ହୋଇଥିଲେ, ସେହିଦିନ ରାତିରେ ଯୁବକଟି ଅନ୍ତର୍ଦ୍ଧାନ ହୋଇଚି ।

 

ଅମୂଲ୍ୟବାବୁଙ୍କ ଚିନ୍ତାଧାରା ବଢ଼ିଗଲା । ଶୋଭନାଦେବୀଙ୍କ ମୃତଦେହର ଠିକ୍‌ ପାଖ କୋଠରିରେ ଯେଉଁ ଅପରିଚିତ ଲୋକର ରକ୍ତଲଗା ଲୁଗା ମିଳିଚି ତାହା ଯେ ମିତ୍ରସିଂହ ବା ନରେନ୍ଦ୍ର ବରାଳଙ୍କର ନୁହେଁ, ଏକଥା ଧୋବାଘରୁ ଅନୁସନ୍ଧାନ କରି ସେ ଜାଣି ପାରିଚନ୍ତି ।

 

ଚିନ୍ତିତ ମନରେ ଅମୂଲ୍ୟବାବୁ ପୋଲିସ ଷ୍ଟେସନରୁ ବାହାରି ନୀରଦ ରହୁଥିବା ମେସ୍‌ଆଡ଼େ ଆଗେଇ ଗଲେ ।

 

ମେସ୍‌ରୁ ସେଭଳି କିଛି ମିଳିଲାନି । ତେବେ ଶୋଭନାଦେବୀଙ୍କୁ ହତ୍ୟା କରାଯାଇଥିବା କୋଠିରୁ ଯେଉଁ ଲୁଗା ମିଳିଚି, ତାହା ଯେ ନୀରଦର–ଏ କଥା ସେ ଅଞ୍ଚଳର ଧୋବାଠାରୁ ପ୍ରମାଣ ମିଳିଲା । ଏଥିରୁ ପ୍ରମାଣ ମିଳୁଚି ଯେ ନୀରଦ ସେଦିନ ରାତିରେ ମିତ୍ର ସିଂହଙ୍କ କୋଠିରେ ଉପସ୍ଥିତ ଥିଲା–ଅଥବା ତାକୁ ଉପସ୍ଥିତ କରାଯାଇଥିଲା । ତାକୁ ଉପସ୍ଥିତ କରା ଯାଇଥିଲା’–ଉପରେ ଅମୂଲ୍ୟବାବୁଙ୍କ ଧାରଣା ଦୃଢ଼ ହେବାକୁ ଲାଗିଲା । ସେମାନେ ମନେ ମନେ ଭାବିବାକୁ ଲାଗିଲେ, କିଏ ତାକୁ ସେଠାକୁ ନେଲା ? ଆଉ ତା ଲୁଗାରେ ରକ୍ତ ଲାଗିଲା କେମିତି ? ତାପରେ ଏଭଳି ଲୁଗା ଛାଡ଼ି ଦେଇ କେଉଁ ଦିଗରେ ବା ପଳାଇଗଲା ?

 

ତା ସଙ୍ଗେ ସଙ୍ଗେ ସେ ଆଉ ଗୋଟାଏ କଥା ବି ଚିନ୍ତା କରୁଥିଲେ । ମିତ୍ରସିଂହଙ୍କ କୋଠିରେ ଶୋଭନାଦେବୀଙ୍କ ଖୁଣ୍‌ କରାଯାଇଥିବା କଥା ପୋଲିସ ଗୋଟାଏ ଅଜଣା ଜାଗାରୁ ସମ୍ବାଦ ପାଇଥିଲା । କାରଣ, ସେ କୋଠିରେ ଫୋନ୍‍ର ବ୍ୟବସ୍ଥା ନାହିଁ ।

 

କୌଣସି ଜଣେ ଅଜ୍ଞାତ ବ୍ୟକ୍ତି ସ୍ୱେଚ୍ଛାରେ କିମ୍ବା କୌଣସି ବିଶେଷ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ଫୋନ୍ କରି ପୋଲିସକୁ ଜଣେଇ ଥିଲା । ସେଇ ଲୋକଟି ଅଥବା ସେମାନଙ୍କର କାହାରି କିଛି ସନ୍ଧାନ ଏ ପର୍ଯ୍ୟନ୍ତ ମିଳିନି, କେଉଁଠୁ ସେମାନେ ଏଭଳି ଫୋନ୍‌ କରିଥିଲେ ଜଣା ପଡ଼ିନି ।

 

ମେସ୍‌ ଛାଡ଼ି ଅମୂଲ୍ୟବାବୁ ଫୋନ୍‌ ଏକ୍‌ସଚେଞ୍ଜରେ ଯାଇ ନିଜର ପରିଚୟ ପତ୍ର ଦେଖାଇ ଯେଉଁ ବ୍ୟକ୍ତି ସେଦିନ ଅପରେଟ କରୁଥିଲେ ତାଙ୍କ ସଙ୍ଗେ ଦେଖାକଲେ । ଅପରେଟରଙ୍କୁ ପଚାରିବାରୁ ସେ କହିଲେ, ‘‘ସେଦିନ ରାତିରେ ବିଶେଷ କଲ୍‌ ନଥିଲା । ହଠାତ୍‌ ଏନ୍ ବି ୭୦୪୭ ରୁ କିଏ ଯେପରି ଫୋନ୍‌ କଲା ପୋଲିସ ଷ୍ଟେସନ ସଙ୍ଗେ ସଂଯୋଗ କରିଦେବାକୁ ।’’

 

ଅମୂଲ୍ୟବାବୁ ନମ୍ବରଟା ଟିପିନେଇ, ଧନ୍ୟବାଦ ଜଣାଇ ବାହାରି ପଡ଼ିଲେ ।

 

ଏନ୍ ବି ୭୦୪୭ ନମ୍ବର ସମ୍ବନ୍ଧରେ ଅନୁସନ୍ଧାନ ନେଇ ଅମୂଲ୍ୟବାବୁ ଜାଣିଲେ ସେଇଟା ଗୋଟାଏ ମୋଟର ଗ୍ୟାରେଜର ନମ୍ବର । ଗ୍ୟାରେଜଟି ଅବଶ୍ୟ ଖୁବ୍‌ ବଡ଼; କିନ୍ତୁ ମୋଟର ଗ୍ୟାରେଜରେ ଫୋନ୍‌ର ଅସ୍ତିତ୍ୱ ସାଧାରଣ ମଣିଷର କଳ୍ପନାର ବାହାରେ । ସେ ଚିନ୍ତିତ ହୋଇ ପଡ଼ିଲେ, ନିଶ୍ଚୟ ଏହାମଧ୍ୟରେ କୌଣସି ରହସ୍ୟ ରହିଚି ।

 

ଅନୁସନ୍ଧାନ କରିବାରେ ଜଣାଗଲା ମୋଟର ଗ୍ୟାରେଜଟିର ମାଲିକ ହେଉଚନ୍ତି ଜଣେ ଶିଖ ଭଦ୍ରଲୋକ । ତାଙ୍କର ନାମ ସର୍ଦ୍ଦାର ଲଛମନ୍‌ ସିଂହ । ସି. ଆଇ. ଡ଼ି. ବିଭାଗରୁ ଖବର ମିଳିଲା, ଲଛମନ୍‌ ସିଂହ କେତେକ ବିଭାଗ ସହିତ ସଂପୃକ୍ତ–ମଦ–ଜୁଆ, ଏଇସବୁ ବିଶେଷ ବିଭାଗରେ । ରାତି ଏଗାରଟା ପରେ ସହରତଳିରେ ଥିବା ଇଉନାଇଟେଡ଼୍‌ ଜେଣ୍ଟସ୍‌ ହୋଟେଲରେ ସେ ପ୍ରାୟ ପ୍ରତିଦିନ ଯୋଗ ଦିଅନ୍ତି । ତେବେ ତାଙ୍କ ବିରୁଦ୍ଧରେ କୌଣସି ନିର୍ଭର ଯୋଗ୍ୟ ପ୍ରମାଣ ନ ଥିବାରୁ କାର୍ଯ୍ୟାନୁଷ୍ଠାନ କରିବା ସମ୍ଭବପର ନୁହେଁ ।

 

ଖବରଟା ପାଇବା ମାତ୍ରେ ଅମୂଲ୍ୟବାବୁଙ୍କ ମୁହଁରେ ଉଜ୍ଜ୍ୱଳତା ଦେଖାଗଲା । କାରଣ, ଏଇ ଇଉନାଇଟେଡ଼୍‌ ଜେଣ୍ଟସ୍‌ ହୋଟେଲର ମାଲିକ କୃପାନିଧି ସାହୁ ତାଙ୍କର ପରିଚିତ । ତେଣୁ ସେଠାରେ ଲଛମନ ସିଂହଙ୍କ ବିଷୟରେ ଅନୁସନ୍ଧାନ କରିବାରେ ବିଶେଷ କିଛି କଷ୍ଟ ହେବନି, ଗ୍ୟାରେଜ ଛାଡ଼ି ଅମୂଲ୍ୟବାବୁ ବସାକୁ ଫେରିଲେ ।

 

ସେଦିନ ରାତି ଏଗାରଟା ବେଳେ ଦେଖାଗଲା ଇଉନାଇଟେଡ଼୍‌ ଜେଣ୍ଟସ୍‌ ହୋଟେଲର ମାଲିକ କୃପାନିଧି ସାହୁ ସାଙ୍ଗରେ ଜଣେ ମୁସଲମାନ ଯୁବକ କଣ କଥାବାର୍ତ୍ତା ହେଉଚି । କଥାବାର୍ତ୍ତାରୁ କିଛି ବୁଝିହେଉ ନଥିଲେ ମଧ୍ୟ ବେଶ୍‌ ଜଣା ପଡ଼ୁଚି ସେମାନେ ଯେମିତି କାହା ଅପେକ୍ଷାରେ ରହିଚନ୍ତି । ମୁସଲମାନ ଯୁବକଟି ବାରମ୍ବାର ତାର ହାତ ଘଡ଼ି ଦେଖିବାକୁ ଲାଗିଚି ।

 

ଠିକ୍‌ ଅଧଘଣ୍ଟାଏ ପରେ ଗୋଟାଏ କଳା ରଙ୍ଗର ‘ଡଜ୍‍’ ଗାଡ଼ି ଆସି ହୋଟେଲ ଆଗରେ ଠିଆ ହେଲା । ଗାଡ଼ି ଭିତରୁ ଓହ୍ଲାଇ ଆସିଲେ ଜଣେ ଦୀର୍ଘଦେହୀ ଶିଖ ଭଦ୍ରଲୋକ । କୃପାନିଧି ସାହୁଙ୍କୁ ଚାହିଁ ଶିଖ୍‌ ଭଦ୍ରଲୋକ ପଚାରିଲେ, ‘‘ଆଜି ସେମିତି କେହି ଜୁଟିଚି ?’’

 

କୃପାନିଧି ସାହୁ ନୀରବରେ ମୁସଲମାନ ଯୁବକଟି ଆଡ଼େ ଦେଖାଇ ଦେଲା ।

 

ତାପରେ ଶିଖ ଭଦ୍ରଲୋକ ଆଗେଇ ଗଲେ ହୋଟେଲ ପଛରେ ଥିବା କୋଠରିଆଡ଼େ । କୋଠରି ମଝିରେ ଖଣ୍ଡେ ଟେବୁଲ ଚାରିପାଖେ ଘେରିରହିଚି କେତେ ଖଣ୍ଡି ଚେୟାର । ଟେବୁଲ ଉପରେ ବ୍ଲାକଏଣ୍ଡହ୍ୱାଇଟର ଗୋଟାଏ ହୁଇସ୍କିବୋତଲ, ଦୁଇଟି କାଚ ଗ୍ଲାସ ଆଉ ମୁଠାଏ ତାସ ଥୁଆ ହୋଇଚି, ଶିଖ ଭଦ୍ରଲୋକ ଜଣକ ହୁଇସ୍କି ବୋତଲ ଉପରେ ଲୋଲୁପ ଦୃଷ୍ଟି ନିକ୍ଷେପ କରି, ଗୋଟାଏ ଚେୟାର ଦଖଲ କରି ନେଉ ନେଉ କୋଟ ପକେଟରୁ ତାଡ଼ାଏ ଦଶଟଙ୍କିଆ ନୋଟ ବାହାର କରି ଟେବୁଲ ଉପରେ ରଖିଲେ ।

 

ମୁସଲମାନ ଯୁବକଟି ନିଜ କମରରୁ ତାଡ଼ାଏ ନୋଟ କାଢ଼ି ଟେବୁଲ ଉପରେ ରଖିଲା । ତାପରେ ହୁଇସ୍କି ବୋତଲ ଫିଟାଇ ଗୋଟାଏ ଗ୍ଲାସ ହୁଇସ୍କି ଢାଳି ଶିଖ ଭଦ୍ରଲୋକଙ୍କ ଆଡ଼େ ବଢ଼େଇ ଦେଲା ।

 

ଗ୍ଲାସ ଶେଷ ହେଲା ବେଳକୁ ତାସ ମୁଠାଟା ଫିଟାଇ ଗୋଟାଏ ଚିଡ଼ିପାନଟିକା ଶିଖ୍‌ ଭଦ୍ରଲୋକଙ୍କ ଆଡ଼େ ବଢ଼ାଇଦେଇ ମୁସଲମାନ୍‌ ଯୁବକଟି କହିଲା, ‘‘ଦେଖନ୍ତୁ ଆଜ୍ଞା, କାର୍ଡ଼ଟା କେଡ଼େ ଫାଇନ୍‌ ଅଛି ।’’

 

ଭଦ୍ରଲୋକ ତାସ୍‌ଖଣ୍ଡକ ଉପରେ ଥରେ ହାତ ବୁଲାଇ ଆଣି ମୁସଲମାନ ଯୁବକଆଡ଼େ ଦେଇ କହିଲେ, ‘‘ଠିକ୍‌ଅଛି–ଆରମ୍ଭ ହେଉ, ପ୍ଲିଜ୍‌ ଟେକ୍‌ ଇୟୁ ହୁଇସ୍କି ।’’

 

ନୀରବରେ ମୁସଲମାନ ଯୁବକ ମୁଠା ମଧ୍ୟରେ ଅନ୍ୟ ଗ୍ଲାସଟି ଧରି ହୁଇସ୍କି ବୋତଲର ମୁହଁ ତା ଉପରେ ଟେକି ଧରିଲା । ଭୁଲ୍‌ରେ ବି ଶିଖ୍‌ ଭଦ୍ରଲୋକ ଜାଣିପାରିଲେନି ଯେ ବୋତଲ ମଧ୍ୟରୁ କୌଣସି ତରଳ ପଦାର୍ଥ ଗ୍ଲାସ ମଧ୍ୟରେ ପ୍ରବେଶ କରୁନି । ତାପରେ ମୁସଲମାନ ଯୁବକ ଗ୍ଲାସଟି ମୁହଁ ପାଖରୁ ଫେରାଇ ଆଣିବା ପରେ ଦେଖାଗଲା, ଉତ୍କଟ ଗ୍ୟାସରେ ଯେମିତି ତାର ମୁହଁ ବିବୃତ ହୋଇ ପଡ଼ିଚି ।

 

ତାପରେ ଖେଳ ଆରମ୍ଭ ହୋଇଗଲା । ବେଶ୍‌ ଜମାଣିଆ ଖେଳ–ଏତେଦିନ ପରେ ଭଦ୍ରଲୋକ ଜଣକ ଖେଳିଲା ପରି ଖେଳାଳି ଜଣେ ପାଇଚନ୍ତି । ଗ୍ଲାସ ପରେ ଗ୍ଲାସ ହୁଇସ୍କି ନିଗିଡ଼ି ନିଗିଡ଼ି ବୋତଲ ଖାଲି ହୋଇଗଲା । ରାତି ଗୋଟାଏ...ଭଦ୍ରଲୋକ ଉଠିଲେ, ସେଦିନର ଖେଳ ପ୍ରାୟ ହାର୍‌ ଜିତ୍‌ କିଛି ନ ହୋଇ ସମାନ ରହିଲା ।

 

ଖେଳ ଚାଲିଥିବା କୋଠରି ପାଖକୁ ଲାଗି ଆଉ ଗୋଟିଏ ଛୋଟ କୋଠରି ରହିଚି, ଶିଖ ଭଦ୍ରଲୋକ ଟଳଟଳ ଚରଣରେ ତାରି ଭିତରକୁ ଚାଲିଗଲେ । କୋଠରିଟିରେ କଣ ଅଛି ସେ କଥା ମୁସଲମାନ ଯୁବକଟି ଜାଣେନି । କିଛି ସମୟ ପରେ ସେ ଘର ଭିତରେ କେହି ବାନ୍ତି କରୁଥିବାର ଜଣାପଡ଼ିଲା । ବୋଧହୁଏ ଶିଖ ଭଦ୍ରଲୋକ ହୁଇସ୍କିର ଉତ୍କଟତା ସମ୍ବରଣ କରି ନପାରି ବାନ୍ତି କରି ପକେଇଲେ ।

 

ମୁସଲମାନ ଯୁବକଟି ଆଉ ଅପେକ୍ଷା ନକରି ତାସମୁଠାରେ ଥିବା କେବଳ ଚିଡ଼ିପାନଟୀକା ଖଣ୍ଡକ ନେଇ ଦ୍ରୁତଗତିରେ ବାହାରକୁ ଚାଲିଗଲା । କିଛି ସମୟ ପରେ କୃପାନିଧି ସାହୁ ଆସି ଶିଖ ଭଦ୍ରଲୋକଙ୍କୁ ନିଜର ଚାକରମାନଙ୍କ ଦ୍ୱାରା ପ୍ରକୃସ୍ଥିତ କରେଇଲା । କପେ କଡ଼ା କଫି ପିଇ ଭଦ୍ରଲୋକ କହିଲେ, ‘‘ସେ ମୁସଲମାନ୍‌ ଯୁବକ କୁଆଡ଼େ ଗଲେ ?’’

 

–‘‘ସେ ତାଙ୍କ ବସାକୁ ଚାଲି ଗଲେଣି । ବୋଧହୁଏ କାଲି ଆସି ପାରନ୍ତି ।’’

 

–‘‘ଆସିଲେ ମୋତେ ଅପେକ୍ଷା କରିବାକୁ କହିବ । ଖୁବ୍‌ଭଲ ଖେଳାଳି ।’’

 

ଏହାକହି ଶିଖ ଭଦ୍ରଲୋକ ତାଙ୍କ କାର୍‌ରେ ବସି ଚାଲିଗଲେ । ଅସଂଖ୍ୟ ଗଳି କନ୍ଦି ଦେଇ ଗାଡ଼ିଖଣ୍ଡିକ ଆସି ଗୋଟିଏ ଭଙ୍ଗା କୋଠା ଆଗରେ ରହିଲା । ବାହାରୁ ଦେଖିଲେ ଜଣାପଡ଼େ ସେ କୋଠା ଯେମିତି ଜନମାନବ ପରିତ୍ୟକ୍ତ । ଇଟା ଗୁଡ଼ାକରୁ ବାଲିଚୂନ କୋଉ କାଳରୁ ଖସି ଗଲାଣି । ଖାବରା ଖଣ୍ଡିଆ ଇଟାଖଣ୍ଡମାନଙ୍କରେ ଶିଉଳି ବାନ୍ଧି କଳା ପଡ଼ିଯାଇଚି ।

 

ଗାଡ଼ି ସେ କୋଠା ଆଗରେ ରହିବା ମାତ୍ରେ କୋଠା ମଧ୍ୟରୁ ଜଣେ ଯୁବକ ବାହାରି ଆସି କାର୍‌ ପାଖରେ ଠିଆ ହେଲା । ଗାଡ଼ି ଭିତରେ ଥାଇ ଶିଖ ଭଦ୍ରଲୋକ ଜଣକ ପଚାରିଲା, ‘‘ଆଉ, ଗ୍ୟାରେଜ ଖବର କଣ, ତମେ ଆଜି ଖେଳିବାକୁ ଗଲନି ଯେ ? ଚୋସ୍ତ ଖେଳାଳି ଜଣେ ଆଜି ଜୁଟିଥିଲା ।’’

 

ଯୁବକଟି ଉତ୍ତର ଦେଲା, ‘‘ଜାଣିକରି ଗଲିନି ।’’

 

–‘‘ମାନେ ?’’

 

–‘‘ଆମପଛରେ ପ୍ରାଇଭେଟ୍‌ ଡ଼ିଟେକ୍‌ଟିଭ ଅମୂଲ୍ୟ ମହାନ୍ତି ଲାଗିଚି ।’’

 

–‘‘ଆମପଛରେ ମାନେ ?’’

 

–‘‘ଆଜି ସେ ଗ୍ୟାରେଜ୍‌ ପାଖରେ ଲଙ୍ଗରପଙ୍ଗର ହେଉଥିଲା, ନିଶ୍ଚୟ କିଛି ଖିଅ ପାଇଚି-।’’

 

ହୋ–ହୋ ହୋଇ ହସିଉଠି ଶିଖ ଭଦ୍ରଲୋକ ଗାଡ଼ି ଭିତରୁ ବାହାରି ଆସି କହିଲା, ‘‘ଡରୁଚ କି ? ଦେଖିବ ସେ ଆମର କିଛି କରିପାରିବନି । ଆଜିଠାରୁ ଗାଡ଼ି ଆଉ ଗ୍ୟାରେଜ୍‌କୁ ଯିବନି । ତମେ କାଲି ସେଠାରେ ଥିବା ଫୋନ୍‍ଟା ଉଠେଇ ଆଣ–ଚାଲ, ଭିତରକୁ ଚାଲ–ଏ ବିଷୟରେ ମୁଁ ତମକୁ ସବୁ କଥା କହିବି ।’’

 

କଥାବାର୍ତ୍ତା ହୋଇ ସେ ଦୁହେଁ କୋଠା ଭିତରକୁ ଚାଲିଗଲେ । ଏଣେ ଗାଡ଼ିର ପଛଦ୍ୱାର ଖୋଲିଗଲା, ହୋଟେଲରେ ଖେଳୁଥିବା ମୁସଲମାନ ଯୁବକଟି ଖୁବ୍‌ ସାବଧାନରେ ଓହ୍ଲାଇପଡ଼ି ଯେଉଁ ଦିଗରୁ ଗାଡ଼ିଟି ଆସିଥିଲା ସେଇ ରାସ୍ତା ଧରି ଆଗେଇ ଗଲା ।

 

ଅନ୍ଧାରିଆ ରାସ୍ତାରେ ନୀରଦ ଆଉ ବିମଳା କିଛିଦୂର ଆସିବା ପରେ ନୀରଦ ବିମଳାଠାରୁ ସବୁ କଥା ଶୁଣି ପଚାରିଲା, ‘‘ଆପଣ ବୋଧହୁଏ ଆଉ ଆପଣଙ୍କର ଗୁଣମନ୍ତ ଦାଦିଙ୍କ ପାଖକୁ ଫେରିଯିବାକୁ ଇଚ୍ଛା କରୁ ନାହାନ୍ତି । ଆପଣଙ୍କ ସ୍ୱାମୀଙ୍କ ନାଆଁ, ଆଉ ରହିବା ଜାଗା କହନ୍ତୁ, ମୁଁ ଆପଣଙ୍କୁ ନେଇ ସେଇ ସ୍ଥାନରେ ପହଞ୍ଚେଇ ଦେବି ।’’

 

ବିମଳା କହିଲା, ‘‘ଆପଣ ମତେ ଆପଣ ଆପଣ କହି ବେଶି କଷ୍ଟ ଦିଅନ୍ତୁନି । ଆପଣ ଆଜିଠାରୁ ମୋର ବଡ଼ ଭାଇ, ଏଣିକି ନାଁଆ ଧରି ଡ଼ାକିଲେ ଚଳିବ ।’’’

 

–‘‘ଆଚ୍ଛା ହେଲା ବିମଳା ! ତୋ ଶାଶୁଘର କେଉଁଠି କହ, ତୋ ସ୍ୱାମୀଙ୍କ ନାଆଁ କଣ ?’’

 

ବିମଳାର ମୁହଁ ଲାଲ୍‌ ହୋଇଗଲା । ବୋଧହୁଏ ସ୍ୱାମୀର ନାଆଁ ଧରିବାକୁ ସେ କୁଣ୍ଠାବୋଧ କରୁଥିଲା, ତାର ବିବାହ ବେଳେ ସ୍ୱାମୀର ନାମ ଲେଖା ହୋଇଥିବା ସୁନା ମୁଦିଟିଏ ତାର ଶ୍ୱଶୁର ତା ହାତରେ ପିନ୍ଧାଇ ଦେଇଥିଲେ । ସେଇ ମୁଦିଟି ଦେଖାଇ କହିଲା, ‘‘ଏଇଥିରେ ତାଙ୍କ ନାଆଁ ଲେଖା ହୋଇଚି, ନାଆଁ ପଛରେ ସାଙ୍ଗିଆ ହେଉଚି ରାଉତରାଏ । ଘର ଦିହୁଡ଼ିମାଳ ।’’

 

ନୀରଦ ଚମକି ଉଠିଲା, ଦିହୁଡ଼ିମାଳ ତାଙ୍କ ନିଜ ଘରଠାରୁ ମାତ୍ର ପାଞ୍ଚମାଇଲ ଦୂର । ନୀରଦଙ୍କର ଅନେକ ଜମି ଦିହୁଡ଼ିମାଳରେ ଅଛି । ରୟତମାନଙ୍କ ଠାରୁ ଧାନ ଆଦାୟ କରିବାକୁ ସେ କେତେଥର ସେଠାକୁ ଯାଇଚି । ଅନେକ ଲୋକେ ତାକୁ ଚିହ୍ନନ୍ତି । ସେ ବିମଳାକୁ ଗୋଟାଏ ବତୀଖୁଣ୍ଟ ପାଖକୁ ନେଇ ତା ହାତର ମୁଦିଟି ଉଠାଇ ଦେଖିଲା ମିନା ଉପରେ ଲେଖା ହେଇଚି ‘ଶଙ୍କର’ । ‘ହଠାତ୍‍ ନୀରଦ କହିପକାଇଲା, ‘‘ଖମାରୀ ଖଲି ରାଉତରାଏଙ୍କ ପୁଅ ଶଙ୍କର କି ?’’

 

ବିମଳ ଛୋଟ ‘ହଁ ଟିଏ କଲା ।’

 

–‘‘ଆରେ, ସେ ତ ଆମର ଦିହୁଡ଼ିମାଳର ଖମାରୀ, ତୋ ବାହାଘର ତାହେଲେ ଶଙ୍କର ସାଙ୍ଗରେ ହେଇଚି, ଭଲ ହେଲା–ଚାଲ ମୁଁ ତାଙ୍କ ଘରେ ତତେ ଛାଡ଼ି ଦେଇ ଆସିବି ।’’

 

ବିମଳା ଯେମିତି ଅକୂଳ ସାଗରରେ କୂଳ ପାଇଲା । ହଠାତ୍ ଏମିତି ଜଣେ ଅଚିହ୍ନା ଯୁବକ ସାଙ୍ଗରେ ଦେଖି ତାର ଶ୍ୱଶୁର ଘରର ଲୋକେ ନିଶ୍ଚୟ ଅନ୍ୟ କିଛି ଧାରଣା କରି ପାରିଥାଆନ୍ତେ । ମାତ୍ର ତାର ଶ୍ୱଶୁର ନୀରଦଙ୍କର ଖମାରୀ–ସେ ନିଶ୍ଚିୟ ନୀରଦକୁ ବିଶ୍ୱାସ କରିବେ-। ନିଶ୍ଚିନ୍ତରେ ବିମଳା ନୀରଦ ସାଙ୍ଗେ ଚାଲିଚି ।

 

ସକାଳୁ ହଠାତ୍‍ ଖମାରୀ ଖଲି ରାଉତରାଏ ଦୁଆର ଆଗରେ ନୀରଦ ସାଙ୍ଗେ ଗୋଟିଏ ଯୁବତୀ ଝିଅକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ନିଜକୁ ସମ୍ଭାଳି ଦଣ୍ଡବତଟାଏ କରି କହିଲା, ‘‘ଏଡ଼େ ସକାଳୁ ସାନବାବୁ ଏଣେ କୁଆଡ଼େ ବିଜେ ହୋଇ ପଡ଼ିଲେ ?’’

 

ଘରଭିତରୁ ଖଣ୍ଡେ ଦଉଡ଼ିଆ ଖଟ ଆଣି ଦ୍ୱାର ଆଗରେ ପକେଇ ଦେଇ ନୀରଦକୁ ବସିବା ପାଇଁ ଖଲି ରାଉତରାଏ ଅନୁରୋଧ କଲା ।

 

ଖଟ ଉପରେ ବସି ନୀରଦ ପଚାରିଲା, ‘‘ଆଛା, ରାଉତରାଏ, ଶଙ୍କରକୁ ତୁମେ କୋଉଠି ବିବାହ ଦେଇଥିଲ ?’’

 

–‘‘ମଧୂପୁରରେ ବାବୁ ।’’

 

–‘‘ବୋହୂକୁ ଘରକୁ ଆଣିଥିଲ ?’’

 

–‘‘ନାଁ ବାବୁ, ହଇଜାରେ ସେ ପିଲାଟି ମରିଗଲା ।’’

 

–‘‘ସେ ଖବରଟା ନିଶ୍ଚୟ ସେ ଝିଅର ଦାଦି ତୁମକୁ ଜଣେଇ ଥିଲା ?’’

 

–‘‘ଆପଣ କେମିତି ଜାଣିଲେ ବାବୁ ?’’

 

–‘‘ଝିଅଟିର ନାଆଁ ବିମଳା ନିଶ୍ଚୟ ?’’

 

–‘‘ହଁ ବାବୁ ।’’

 

–‘‘ଆଶା ଥିଲା, ଶଙ୍କର ଆଉ ଟିକିଏ ବଡ଼ ହୋଇ ଚାକିରୀ ବାକିରୀ କଲେ ବୋହୁ ତୁମ ଘରକୁ ଆସିବ–ନୁହେଁ ?’’

 

–‘‘ଆପଣ ଏସବୁ ଖବର କୋଉଠୁ ପାଇଲେ ବାବୁ ?’’

 

–‘‘ମତେ ନ ପଚାରି, ମୁଁ ଯାହା ପଚାରୁଚି ସେ କଥାର ଉତ୍ତର ଦେଲେ ଖୁସିହେବି । ହଁ, ଝିଅର ବାପ ମରିଯିବା ପରେ ତୁମେ ତୁମ ବୋହୂକୁ ଘରକୁ ଆଣିବା ବ୍ୟବସ୍ଥା କଲ ନି ?’’

 

–‘‘ସେ କଣ ମୋ ଘରକୁ ଆସିବା ବରାଦରେ ଥିଲା ! ତା କପାଳରେ ତ ଥିଲା ବାଡ଼ିରେ ଯିବ ବୋଲି ।’’

 

–‘‘ତୁମେ ବି ଦାଦିଙ୍କ ଚାଲ୍‍କୁ ବୁଝିପାରିଲନି ରାଉତରାଏ ! ବୋହୂଟା ତୁମର ଚାଲିଗଲା ଆଉ ତୁମେ ସେ ଦୁଆରେ ଯାଇ ଟିକିଏ ଠିଆ ହୋଇ ପାରିଲନି ?’’

 

–‘‘ମୋ କୂଳର ଲକ୍ଷ୍ମୀ ତ ଗଲା...........’’

 

‘‘କୁଆଡ଼େ ଗଲା ? ଏସବୁ ଦାଦି ବାବୁଙ୍କର ଫକର, ତୁମ ପାଖକୁ ଗୋଟାଏ ମିଛଖବର ପଠେଇ ଦେଇ ଝିଅକୁ ଅନ୍ୟ ଜାଗାରେ ବିକ୍ରି କରାଯାଇଥିଲା । ତୁମେ ବିବାହ ବେଳେ ବିମଳା ହାତରେ ଶଙ୍କରର ନାଆଁ ଲେଖାଥିବା ସୁନାମୁଦିଟିଏ ପିନ୍ଧେଇ ଦେଇଥିଲ ତ ! ସେ ବିମଳା ଅଛି ଆଉ ତମର ସେ ମୁଦି ବି ଏବେ ତା ହାତରେ ଅଛି ।’’

 

ଏହା କହି ନୀରଦ ବିମଳାର ହାତଟା ଭିଡ଼ି ଆଣି ଖଲି ରାଉତରାଏଙ୍କ ଆଙ୍ଗୁଠିରେ ଥିବା ମୁଦିଟା ଦେଖାଇଲା । ତାପରେ ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ କଥା କହିଗଲା । ବିମଳା ଶ୍ୱଶୁର ଗୋଡ଼ତଳେ ମୁଣ୍ଡିଆ ମାରିଲା, ଖାଲି ରାଉତରାଏ ବୋହୂକୁ ଘରଭିତରକୁ ନେଇଗଲା ।

 

ଟିକକ ପରେ ଆସି ନୀରଦକୁ କହିଲା, ‘‘ସାନବାବୁ, ବାପ କିଏ–ଦାଦି କିଏ ? କି କଥା ନକଲା ବାବୁ ! ମୁଁ କଣ ତାକୁ ସହଜେ ଛାଡ଼ିବି ବାବୁ–ଦିଆନ ଫାଟକ ଦେଖେଇବି, ତାହେଲେ ଯାଇ ମୋ ମନ ଶାନ୍ତି ।’’

 

ନୀରଦ କହିଲା, ‘‘ଦେଖ ରାଉତରାଏ, ବେଶି ଘଣ୍ଟାଚକଟା କଲେ ଆମର ଘରର ବଦନାମ୍‍ ବଢ଼ିବ । ବିମଳା ମୋର ସାନ ଭଉଣୀ ! ତା ନାମରେ ଅଯଥା ବଦ୍‍ନାମ ବଢ଼େଇବାକୁ ମୁ ଭଲ ମନେ କରୁନି । କୋର୍ଟ କଚେରୀରେ ଯାଇ ରାଉତରାଏ ଘରର ବୋହୂ ଠିଆହେବ, ଏଇଟା ମୁଁ ପସନ୍ଦ କରେନି ।’’

 

–‘‘ଦରକାର ପଡ଼ିଲେ ବୋହୂକୁ ଧରି ମୁଁ କଚେରୀ ଦୁଆରେ ଠିଆ ହେବାକୁ ପଛେଇବିନି ବାବୁ । ଆପଣ କହୁଚନ୍ତି ଯେତେବେଳେ.......’’

 

–‘‘ଚୁପ୍‍ ରହିଯିବା ଭଲ । ହଉ, ତୁମେ ଥାଅ–ମୁଁ ଘରକୁ ଯାଉଚି ।’’

 

–‘‘ଜଳଖିଆ ଟିକିଏ ସାରନ୍ତୁ ବାବୁ, ମୁଁ ଶଗଡ଼ ଠିକ୍‍ କରୁଚି ।’’

 

–‘‘କିଛି ଦରକାର ନାହିଁ, କେବଳ ଚା’ ଟିକିଏ କର,ଶଗଡ଼ କଣ ହେବ ? ମୁଁ ଚାଲିଯିବି-।’’

 

–‘‘ନହେଲେ ଆମ ଶଙ୍କରା ସାଇକେଲଟା ନେଇଯାନ୍ତୁ ବାବୁ, ସେ ଯାଇ ନେଇ ଆସିବ-।’’

 

–‘‘ଆଚ୍ଛା ହଉ ।’’

 

ବିମଳା ଚା’ କରିଦେଲା । ନୀରଦ ଚା’ ଖାଇ ସାଇକେଲ ଧରି ବାହାରି ପଡ଼ିଲା । ଦିନ ଏଗାରଟାବେଳେ ଯେତେବେଳେ ସେ ତାଙ୍କ ଘରଠି ଯାଇ ପହଞ୍ଚିଲା, ସେତେବେଳେ ଟାଉନ୍‍ ପୋଲିସ ତାଙ୍କୁ ଶୋଭନାଦେବୀଙ୍କ ହତ୍ୟା ଅପରାଧରେ ଗିରଫ କଲେ ।

 

ନୀରଦର ବାପା ସନ୍ତୋଷ ବାବୁ ଭଲଭାବରେ ପୁଅକୁ ଜାଣନ୍ତି । ତେଣୁ ପୁଅକୁ ଏ ମିଛ ଅପରାଧରୁ ଖସେଇବା ପାଇଁ ସିଧା ପୋଲିସ ଅଫିସରଙ୍କ ପାଖକୁ ଧାଇଁଲେ । କିଛି ସମୟ ଆଳାପ ହେବାପରେ ପୋଲିସ ଅଫିସର କହିଲେ, ‘‘ଘଟଣାସ୍ଥଳରୁ ଆପଣଙ୍କ ପୁଅଙ୍କର ଲୁଗା ଆଉ ଚପଲ ମିଳିଚି; ତେଣୁ ଅନ୍ୟ ପ୍ରମାଣ ନ ପାଇବା ପର୍ଯ୍ୟନ୍ତ ଅପରାଧ ତାଙ୍କରି ଉପରେ ଲାଗୁ କରାଯିବ । ତେବେ ଆପଣଙ୍କ ପୁଅ ଅପରାଧୀ କି ନୁହନ୍ତି ଆମେ ତାର ବଳିଷ୍ଠ ତଦନ୍ତ କରୁଚ । ଏ ବିଷୟରେ ବିଶେଷ କିଛି ଯଦି ଜାଣିବାକୁ ଚାହୁଚନ୍ତି–ତାହାଲେ ପ୍ରାଇଭେଟ୍ ଡିଟେକ୍‍ଟିଭ ଅମୂଲ୍ୟ କୁମାର ମହାନ୍ତିଙ୍କ ସଙ୍ଗେ ଦେଖାକରିପାରନ୍ତି ।’’ ଦୀର୍ଘଶ୍ୱାସ ପକେଇ ସନ୍ତୋଷ ବାବୁ ଉଠିଲେ ।

 

ଅମୂଲ୍ୟବାବୁଙ୍କର ବୈଠକ ଘର । ଟେବୁଲ ଉପରେ ଶୋଭନାଦେବୀଙ୍କୁ ଖୁଣ୍‍ କରାଯାଇଥିବା ଛୁରୀ, ଖଣ୍ଡେ ତାସ୍ ‘ଚିଡ଼ିପାନଟିକା’ ପଡ଼ିଚି । ଅମୂଲ୍ୟବାବୁ ଗୋଟାଏ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ତାସ୍‍ ଖଣ୍ଡକ ଆଉ ଛୁରୀ ଖଣ୍ଡକ ବାରମ୍ୱାର ଦେଖିବାକୁ ଲାଗିଚନ୍ତି । କିଛି ସମୟ ଦେଖିବା ପରେ ତାଙ୍କ ମୁହଁ ଆନନ୍ଦରେ ଉଜ୍ୱଳ ହୋଇ ଉଠିଲା । ତାସ୍‍ ଖଣ୍ଡିକ ଉପରେ ଆଉ ଛୁରୀ ବେଣ୍ଟ ଉପରେ କିଛି ଗୁଣ୍ଡ ପକେଇ ଦେଇ ଗୋଟାଏ କ୍ୟାମେରା ସାହାଯ୍ୟରେ ତାର କେତେକ ଅଂଶ ଫଟୋ ଉଠାଇ ନେଲେ । ଫଟୋ ଉଠାଇବା କାମ ଶେଷ ହେଲାବେଳକୁ ଚାକର ଟୋକା ଖଣ୍ଡିଏ କାଗଜ ଆଣିଦେଲା । ଅମୂଲ୍ୟବାବୁ କହିଲେ, ‘‘ଡ଼ାକି ଆଣ ।’’ ଟିକିଏ ପରେ ସନ୍ତୋଷ ବାବୁ ଆସି ବୈଠକଘରେ ଦେଖା କଲେ ।

 

–‘‘ନମସ୍କାର ସନ୍ତୋଷ ବାବୁ ! କହନ୍ତୁ–ଆପଣଙ୍କର କି ଉପକାରରେ ଆସିବି !’’

 

ପ୍ରତିନମସ୍କାର ଜଣେଇ ସନ୍ତୋଷ ବାବୁ କହିଲେ, ‘‘ଆପଣଙ୍କ ଉପରେ ମୋର ଅଗାଧ ବିଶ୍ୱାସ ଅଛି ଅମୂଲ୍ୟବାବୁ ! ଆପଣ ନିଶ୍ଚୟ ଜାଣିଥିବେ ଏସବୁ କେସ୍‍ ରେ ନୀରଦର କୌଣସି ହାତ ନାହିଁ ।’’

 

–‘‘ମୁଁ ମଧ୍ୟ ମନକୁ ସେଇ ରିପୋର୍ଟ ଦେଇ ସାରିଚି ସନ୍ତୋଷ ବାବୁ ! କିନ୍ତୁ ଆଇନ୍‍ ପାଇଁ ଯାହା ପ୍ରମାଣ ଦରକାର ସେତକରୁ ବର୍ତ୍ତମାନ ପାଇଁ ଏକଥା କୁହାଯାଇ ପାରେ ଯେ, ନୀରଦ ବାବୁହିଁ, ହତ୍ୟାକାଣ୍ଡ ପଛରେ ଅଛନ୍ତି ।’’

 

–‘‘ଏଇଟା ହେଇପାରେ ନା, ସେ ସମ୍ୱନ୍ଧରେ ଆପଣମାନଙ୍କ ପରି ବିଜ୍ଞ ଲୋକମାନେ କଣ ବିଶ୍ୱାସ କରି ପାରିବେନି ?’’

 

–‘‘ବିଶ୍ୱାସ ଅବିଶ୍ୱାସ ଆଇନ ବୁଝେ ନି ସନ୍ତୋଷ ବାବୁ ! ସେ ଚାହେ ବଳିଷ୍ଠ ପ୍ରମାଣ, ଅବଶ୍ୟ ସେ ଦିଗରେ ମୁ କିଛିଟା ଆଗେଇ ସାରିଚି । ନୀରଦ ବାବୁଙ୍କୁ ଯେ ଜବରଦସ୍ତ ଏ ଘଟଣା ଭିତରକୁ ଅଣାଯାଇଚି ତାର ପ୍ରାୟ କେତେକ ପ୍ରମାଣ ମୁଁ ପାଇସାରିଚି । ତେବେ ଗୋଟାଏ ଦ୍ୱନ୍ଦ୍ୱର ସମାଧାନକୁ ଆସି ପାରି ନଥିବାରୁ ମୁଁ ମୋର ରିପୋର୍ଟ ଦେଇ ପାରୁ ନି ।’’

 

–‘‘ବୋଧହୁଏ ସେ ଦ୍ୱନ୍ଦ୍ୱ ବିଷୟଟା ଆପଣ ମୋତେ କହିବେ ନି !’’

 

–‘‘ନା–ନା, ସେମିତି କିଛି ନୁହେଁ । ତେବେ ଖୁଣ୍‍ ସ୍ଥଳରେ ମୁ ଯାହା ଅନୁମାନ କରିଚି, ତିନିଜଣ ପୁରୁଷ ଏବଂ ଦୁଇଜଣ ସ୍ତ୍ରୀଲୋକ ଥିଲେ । ପୁରୁଷ ତିନିଜଣଙ୍କ ମଧ୍ୟରେ ଯେ ହତ୍ୟାକାରୀ ସେ ଖୁବ୍‍ ନିକଟରେ ଧରାପଡ଼ୁଚି ବୋଲି ମୋର ଆଶା । ସ୍ତ୍ରୀଲୋକ ମଧ୍ୟରେ ଜଣେ ହେଉଚନ୍ତି ଶୋଭନାଦେବୀ ! ଯେ କି ଘଟଣା ସ୍ଥଳରେ ଖୁଣ୍‍ ହେଇଚନ୍ତି । ଅନ୍ୟ ସ୍ତ୍ରୀଲୋକଟିଏ କିଏ ଜାଣିଲେ ମୁଁ ଏ ଦିଗରେ ପୂର୍ଣ୍ଣ ସଫଳତା ଲାଭ କରିବି । ଏଥିରେ କୌଣସି ସନ୍ଦେହ ନାହିଁ ।’’

 

–‘‘ଆପଣଙ୍କ ଉପରେ ମୁଁ ଭରସା ରଖୁଚି ଅମୂଲ୍ୟବାବୁ । ନୀରଦକୁ ଆପଣ ଠିକ୍‍ ବୁଝିବେ । ଆପଣଙ୍କ ଉପକାର ଶୁଝିବାକୁ ମୁଁ ଅକ୍ଷମ–ତେବେ...’’

 

ସନ୍ତୋଷ ବାବୁ ପକେଟରୁ ଦୁଇ ହଜାର ଟଙ୍କାର ଦଶଟଙ୍କିଆ ନୋଟ ବିଡ଼ା ବାହାର କରି ଟେବୁଲ୍ ଉପରେ ରଖିଲେ । ଅମୂଲ୍ୟବାବୁ ସାମାନ୍ୟ ହସି କହିଲେ, ‘‘ଧନ୍ୟବାଦ ! କାହାରିଠାରୁ କୌଣସି ପାରିଶ୍ରମିକ ମୁଁ ରଖେ ନି । ଦୟାକରି ଆପଣ ଟଙ୍କାତକ ଶୀଘ୍ର ଫେରାଇ ନିଅନ୍ତୁ ।’’

 

ଅଗତ୍ୟା ସନ୍ତୋଷ ବାବୁ ନୋଟତକ ପକେଟସ୍ଥ କରି କହିଲେ, ‘‘ମୁଁ ତାହାହେଲେ ଆପଣଙ୍କ ଉପରେ ଭରସା ରଖି ଉଠୁଚି ଅମୂଲ୍ୟବାବୁ ।’’

 

–‘‘ରଖି ପାରନ୍ତି !’’

 

ଧନ୍ୟବାଦ ଜଣେଇ ସନ୍ତୋଷବାବୁ ଚାଲିଗଲେ ।

 

ଅମୂଲ୍ୟବାବୁ ଫୋନ୍ ଉଠେଇ ପୋଲିସ ଅଫିସରଙ୍କ ସହିତ ଯୋଗାଯୋଗ ସ୍ଥାପନ କଲେ ।

 

–‘‘ହ୍ୟାଲୋ, କିଏ ?’’

 

–‘‘ମୂଁ ଅମୂଲ୍ୟ ମହାନ୍ତି କହୁଚି–’’

 

–‘‘କଣ କହୁଚନ୍ତି ?’’

 

–‘‘ଚଢେଇପୋଲ ସେପଟେ ଥିବା ଗଦାଧରପୁର ଜମିଦାରଙ୍କର ଯେଉଁ ପୁରୁଣା କୋଠାଟା ଅଛି ସେଠାରେ ମୁଁ ଆପଣଙ୍କୁ ସଶସ୍ତ୍ର ପୋଲିସ ବାହିନୀ ଧରି ପହଞ୍ଚିବାକୁ ଅନୁରୋଧ କରୁଚି । ମୁଁ ବର୍ତ୍ତମାନ ସେଠାକୁ ଚାଲିଲି ।’’

 

–‘‘ଘଟଣାଟା କଣ କହନ୍ତୁ ତ ?’’

 

–‘‘ଶୋଭାନାଦେବୀଙ୍କ ହତ୍ୟାକାରୀ ସେଇ କୋଠାରେ ଅଛି ।’’

 

–‘‘ଆଚ୍ଛା, ବର୍ତ୍ତମାନ ଆମେମାନେ ଯାଇ ପହଞ୍ଚି ଯାଉଚୁ ।’’

 

ପୁରୁଣା କୋଠାଟା ସର୍ଚ୍ଚ କରାଯାଇ ଲଛମନ୍‍ ସିଂହ ଓରଫ ମିତ୍ର ସିଂହ ଆଉ ନରେନ୍ଦ୍ର ବରାଳ ପ୍ରଭୃତିଙ୍କୁ ଗିରଫ କରାଗଲା ।

 

ସେଇଦିନ ସନ୍ଧ୍ୟା ।

 

ଅମୂଲ୍ୟବାବୁ ହାଜତ୍‍କୁ ଯାଇ ନୀରଦକୁ କହିଲେ, ‘‘ଦେଖନ୍ତୁ ନୀରଦବାବୁ, ବିଗତ ଘଟଣାଗୁଡ଼ାକ ବିଷୟରେ ଆଲୋଚନା କରି ମୁଁ ଆପଣଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁନି । ମୁଁ କେବଳ, ଏତିକି ପଚାରୁଚି ଯେ ଆପଣ ସେ ଝିଅଟିକୁ ଏ କେଶ୍‍ର ଦୂରରେ ରଖିଚନ୍ତି କାହିଁକି ?’’

 

ନୀରଦ କହିଲା, କୋଉ ଝିଅ ? ବିମଳା ?’’

 

–‘‘ନାଆଁ ମୁଁ ଜାଣିନି ସତ–ତେବେ ଗୋଟିଏ ଝିଅ କଥା ଜାଣେ, ଯାହାକୁ କି ଆପଣ ସେଦିନ ଘଟଣା ସ୍ଥଳରୁ ରକ୍ଷା କରିଥିଲେ ।’’

 

ନୀରଦ ଗୋଟାଏ ଦୀର୍ଘ ଶ୍ୱାସ ପକେଇ କହିଲା, ତାକୁ ଆଉ ଏ ଘଟଣା ଭିତରକୁ ଆଣିବାକୁ ମୁଁ ଇଚ୍ଛା କରୁନି ।’’

 

–‘‘କାହିଁକି ?’’

 

–‘‘ତା ଶାଶୁଘରେ ବର୍ତ୍ତମାନ ସେ ବେଶ୍‍ ସୁଖରେ ଅଛି । ମିଛରେ ତାକୁ ଆଉ ଏ କେଶ୍‍ ଭିତରକୁ ଟାଣିବେ କାହିଁକି ?’’

 

–‘‘ବୁଝିଲି । ତେବେ ତାର ଶ୍ୱଶୁରଘର କେଉଁଠି ସେ କଥା କହିବା ପାଇଁ ନିଶ୍ଚୟ ଆପଣଙ୍କର କିଛି ଆପତ୍ତି ନାହିଁ !’’

 

–‘‘ଦିହୁଡ଼ିମାଳର ଖଲି ରାଉତରାଏ.........’’

 

–‘‘ମୁଁ ଆସିଚି ସାନବାବୁ ! ବୋହୂକୁ ବି ସାଙ୍ଗରେ ଆଣିଚି–ସେ ହାକିମମାନଙ୍କ ଆଗରେ ସବୁ ସତକଥା କହିବ ।’’ ଖଲି ଖମାରୀ ବିମଳାକୁ ଧରି ହାଜତ ବାରଣ୍ଡା ଉପରକୁ ଉଠି ଆସୁ ଆସୁ ଏତକ କହିଲା ।

 

ବିମଳା ସହିତ କେତେକ କଥାବାର୍ତ୍ତା ହେବାପରେ ଅମୂଲ୍ୟବାବୁ କହିଲେ, ‘‘କାଲି ସବୁ ପ୍ରମାଣ କୋର୍ଟ ଆଗରେ ଯଥାସମୟରେ ମୁଁ ଉପସ୍ଥାପିତ କରିବି । ସାକ୍ଷୀରେ ମୁଁ ବିମଳା ଦେଈଙ୍କୁ ଠିଆ କରିବାକୁ ଭାବୁଚି ।’’

 

ଖଲି ଖମାରୀ କହିଲା, ‘‘ସେଇୟା ହେଉ ବାବୁ ।’’

 

ତା’ ପର ଦିନ ।

 

ପ୍ରଥମେ କୋର୍ଟରେ ଅମୂଲ୍ୟବାବୁ କେଶ୍‍ର ଆମୂଳଚୂଳ କହିଗଲେ ଏବଂ ପ୍ରକାଶ୍ୟ ଭାବରେ ଗୋଟି ଗୋଟି ପ୍ରମାଣ ଦାଖଲ କଲେ ।

 

ମିତ୍ରସିଂହ ଜଣେ ବଡ଼ଧରଣର ଜମିଦାରଙ୍କର ଏକମାତ୍ର ସନ୍ତାନ । ପିତାଙ୍କର ମୃତ୍ୟୁ ପରେ ତାଙ୍କ ଚରିତ୍ରର ଅଧଃପତନ ଆରମ୍ଭ ହୁଏ । ଏହି ସମୟରେ ନରେନ୍ଦ୍ର ବରାଳ ଏବଂ ସେ ଧରଣର କେତେଜଣ ବନ୍ଧୁବାନ୍ଧବ ସେଥିରେ ଇନ୍ଧନ ଯୋଗାନ୍ତି । ଏମାନେ ପ୍ରତିଦିନ ସହରତଳି ଇଉନାଇଟେଡ଼୍ ଜେଣ୍ଟସ ହୋଟେଲରେ ଜୁଆ ଖେଳିବାକୁ ଯାଆନ୍ତି । ଯେଉଁଠାରେ ଶୋଭନାଦେବୀଙ୍କୁ ଖୁଣ୍ କରାଯାଇଥିଲା ଏବଂ ଯେଉଁ ଗ୍ୟାରେଜରୁ ପୋଲିସକୁ ଫୋନ୍ କରାଯାଇଥିଲା ଆଉ ଯେଉଁଠାରୁ ଅପରାଧୀମାନଙ୍କୁ ଗିରଫ କରାଯାଇଚି ସେସବୁ ଜାଗା ନରେନ୍ଦ୍ର ବରାଳଙ୍କ ପରାମର୍ଶରେ କିଣାଯାଇଥିଲା ।

 

ବିମଳାକୁ ତା ଦାଦି ପାଖରୁ କିପରି ହସ୍ତଗତ କରାହୋଇଥିଲା ଏବଂ କିଭଳି ଭାବରେ ଶୋଭନାଦେବୀଙ୍କୁ ଖୁଣ୍ କରାଗଲା ସେସବୁ ଅମୂଲ୍ୟବାବୁ ଗୋଟି ଗୋଟି କରି ବର୍ଣ୍ଣନା କଲେ ।

 

ପ୍ରାଣ ଭୟରେ ଯେତେବେଳେ ମିତ୍ର ସିଂହ ପ୍ରଭୃତି ଗାଡ଼ିରେ ଏପଟ ସେପଟ ହେଉଥିଲେ, ସେତେବେଳେ ନୀରଦ ବାବୁଙ୍କ ସଙ୍ଗେ ସେମାନଙ୍କର ଦେଖାହେଲା । ଏତେ ରାତିରେ ଏକୁଟିଆଦେଖି ନରେନ୍ଦ୍ର ବରାଳ ତାଙ୍କୁ ଅଜ୍ଞାନ କରି ପକେଇଲେ । ତାପରେ ଟେକାଟେକି କରି ଗାଡ଼ିକୁ ଉଠାଇ ସିଧା ଶୋଭନାଦେବୀଙ୍କୁ ହତ୍ୟା କରାଯାଇଥିବା ଘରକୁ ନେଇଯାଇ ଦେହ ମୁଣ୍ଡରେ ରକ୍ତ ଲଗେଇ ଦେଇ ଶୁଆଇ ଦେଲେ । କାମ ଶେଷ କରି ଗ୍ୟାରେଜରେ ଥିବା ଫୋନ୍ ରେ ପୋଲିସକୁ ଘଟଣାଟା ଜଣାଇ ଦେଇଥିଲେ ।

 

ଏହାପରର ଘଟଣାଗୁଡ଼ିକ ଆପଣ ବିମଳା ଦେଈଙ୍କଠାରୁ ଶୁଣି ପାରିବେ ।

 

ବିମଳା ନିର୍ଭୟରେ ସମସ୍ତ ଘଟଣା କହିଗଲା, ବିଚାରପତି ଶେଷରେ ମିତ୍ର ସିଂହଙ୍କୁ ଯାବଜ୍ଜୀବନ ଏବଂ ନରେନ୍ଦ୍ର ବରାଳକୁ ପନ୍ଦର ବର୍ଷ କାରାଦଣ୍ଡ ହେବାର ରାୟ ଶୁଣେଇ ଦେଲେ ।

 

ନୀରଦକୁ ସସମ୍ମାନରେ ମୁକ୍ତି ଦିଆଗଲା ।

 

ପୋଲିସ ଅଫିସର ଅମୂଲ୍ୟବାବୁଙ୍କ ସହିତ କରମର୍ବ୍ଦନ କରି ପଚାରିଲେ, ‘‘ମି:ମହାନ୍ତି, ଆପଣ ଏ କେଶ୍ ଅନୁସନ୍ଧାନରେ କେଉଁ ଜିନିଷର ବିଶେଷ ସାହାଯ୍ୟ ନେଇଥିଲେ ?’

 

ସାମାନ୍ୟ ହସି ଅମୁଲ୍ୟବାବୁ କହିଲେ, ‘‘ଖଣ୍ଡେ ଚିଡ଼ିପାନ ଟୀକା ।’’

Image

 

ଜାଲ୍ ଗୁମାସ୍ତା

 

କେନାଲ ପାଖ ଆଡ଼୍ଡ଼ାରେ ବୈଠକ ଜମି ଉଠିଚି ।

 

ଜୁଆ ଖେଳ ଆଉ ମଦଗନ୍ଧରେ ଆଡ଼୍ଡ଼ା ଭରପୂର । ମଝିରେ ମଝିରେ ଖେଳରୁ ବାହାରେ ଗଣ୍ଡଗୋଳ । ଖାଲି ଗଣ୍ଡଗୋଳ ନୁହେଁ, ଛୁରୀ ବି ଉଠେ । ତେବେ ବି ପ୍ରତିଦିନ ବୈଠକ ବସେ ।

 

ତିନିପତିଆ ପରିବର୍ତ୍ତେ ଆଜି ତଳ ବଜାରର ଗୁଣ୍ଡା ନସିମ ମିଆଁ ନୂଆ ଧରଣ ଖେଳ ଆରମ୍ଭ କରି ଦେଇଚି । ଖେଳ ବେଶ୍‍ ଜମି ଉଠିଚି । ଗ୍ଲାସ ପରେ ଗ୍ଲାସ ଫେନୀଳ ସୁରାର ଆରାଧନା ବି ଚାଲିଚି । ଦଳେ ବେଶ୍‍ ମୋଟା ଟଙ୍କା ଜିତି ଗଲା ବେଳକୁ ଆଉ ଦଳେ ବାରମ୍ୱାର ହାରି ଯାଇ ମନକୁ ଖଟା କରି ବସି ଥାଆନ୍ତି ।

 

ଠିକ୍ ଏତିକି ବେଳକୁ କବାଟ ଖୋଲିଗଲା ।

 

ଘର ଭିତରକୁ ଗୋଟିଏ ଦୀର୍ଘକାୟ ମୂର୍ତ୍ତି ପ୍ରବେଶ କଲା । ଦାମୀ ସୁଟ୍, ଦାମୀଜୋତା, ଆଉ ମୁହଁରେ ଦାମୀକା ସିଗାରେଟ ।

 

ମୁହୂର୍ତ୍ତକ ମଧ୍ୟରେ ଘରସାରା ଯେମିତି ନୀରବତା ଘନେଇ ଆସିଲା । ଚାରିଆଡ଼ ନିସୀମ ଚୁପ୍‍ଚାପ । ପ୍ରତ୍ୟେକେ ସାମାନ୍ୟ ଶବ୍ଦ କରିବାକୁ ଭୁଲି ଯାଇଚନ୍ତି ଯେମିତି ।

 

ଲୋକଟିକୁ ଦେଖି ସମସ୍ତେ ନୀରବରେ ଆସନ ଛାଡ଼ି ଠିଆ ହୋଇ ପଡ଼ିଲେ । ଅବଶ୍ୟ ଏକଥା ସେମାନଙ୍କୁ ଶିଖାଇ ଦିଆଯାଇନି । ଗଭୀର ଶ୍ରଦ୍ଧାରେ ଅଥବା ଭୟରେ ସେମାନେ ଏପରି ସମ୍ମାନ ଦେଖାଇ ଥାଆନ୍ତି । ଏ ଲୋକଟା ହେଉଚି ସହରର ଦକ୍ଷିଣାଞ୍ଚଳର ବିଖ୍ୟାତ ଖୁଣୀ ସଦାନନ୍ଦ ପାଟଶାଣୀ ।

 

ଅଦ୍ଭୁତ ଲୋକ ଏଇ ସଦାନନ୍ଦ । ତା ଜୀବନ ତେତିଶଟି ବର୍ଷ ଭିତରେ ସେ ଷୋଳଟି ନରହତ୍ୟା ନିଜ ହାତରେ କରିଚି । କେବଳ ହତ୍ୟା କରି ସେ ଶାନ୍ତି ପାଏନି, ଶବଟାର ପ୍ରତ୍ୟେକ ଅଂଶ କାଟି ସେ ଟୁକୁରା ଟୁକୁରା କରିଦିଏ ।

 

ଖୁବ୍ କମ୍ କଥା କହେ । ଭୟ ବୋଲି ଦୁନିଆରେ କଣ ଗୋଟାଏ ଜିନିଷ ଅଛି ତାହା ସେ ଜାଣେନି, ମଝିରେ ମଝିରେ ଏମିତି କାମ କରି ବସେ ଯାହାର ଅର୍ଥ ଖୋଜିଲେ ମିଳେନି । ପୋଲିସ ଖାତାରେ ଖୁବ୍‍ ବଡ଼ ବଡ଼ ଅକ୍ଷରରେ ସଦାନନ୍ଦର ନାଆଁ ଅଛି; କିନ୍ତୁ ଆଜିଯାଏ ଧରାପଡ଼ିନି, କୈାଣସି ଦିନ ତାକୁ ଧରାଯିବ ଏ ଆଶା ପୋଲିସ ମହଲରେ କାହାରି ନ ଥିଲା । ତା ବିଷୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କଲାଭଳି ପ୍ରମାଣ ସହ ତାକୁ ଧରେଇଦେବା ପାଇଁ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ପୁରସ୍କାର ଘୋଷଣା କରାଯାଇଥିଲା । କିନ୍ତୁ ଏତେ ଟଙ୍କାର ଲୋଭରେ ବି କେହି ତା ବିଷୟରେ କୈାଣସି ଖବର ପୋଲିସକୁ ଜଣାନ୍ତିନି ।

 

କେବଳ ଜନସାଧାରଣ ନୁହେଁ, ସମଗ୍ର ଦେଶର ଅପରାଧୀମାନେ ଜାଣନ୍ତି ଯେ, ସଦାନନ୍ଦ ସମ୍ୱନ୍ଧରେ କୈାଣସି କଥା ପୋଲିସକୁ ଜଣେଇଲେ ମୃତ୍ୟୁ ଆଗରେ ଠିଆ ହେବାକୁ ପଡ଼ିବ । କ୍ଷମାକଥାଟା ସଦାନନ୍ଦର ଅଭିଧାନରେ କେଉଁଠି ଲେଖା ନାହିଁ । ତାର ପ୍ରଧାନ ଶାସ୍ତି ହେଲା ମୃତ୍ୟୁଦଣ୍ଡ !

 

ଘରଭିତରେ ଦଣ୍ଡାୟମାନ ହୋଇଥିବା ପ୍ରତ୍ୟେକଙ୍କୁ ସଦାନନ୍ଦ ବସିବାକୁ ନିର୍ଦ୍ଦେଶ ଦେଲା-। ତାପରେ ଗମ୍ଭୀର ଭାବରେ ପଚାରିଲା, ଆଜି ଦେଖୁଚି ନୁଆ ଖେଳ ଚାଲିଚି ?

 

––‘‘ହଁ, ଏଇଟା ମୁଁ ଆରମ୍ଭ କରିଚି । ପ୍ରତିଦିନ ତାସ୍‍ ଖେଳ ଖେଳି ଆଉ ଭଲ ଲାଗୁନି । ତେଣୁ ଆଜି ଏ ଖେଳ ଆରମ୍ଭ ହେଇଚି ।’’ ନସିମ୍‍ କହିଲା ।

 

ସଦାନନ୍ଦ ଉତ୍ତର ଦେଲାନି । ଗମ୍ଭୀର ଭାବରେ ଖେଳ ଦେଖିବାକୁ ଲାଗିଲା ।

 

କିଛି ସମୟ ପରେ ନସିମ୍‍ ଗୋଟିଏ ସୁରା ପୂଣ୍ଣ ଗ୍ଲାସ ତା ଆଡ଼େ ଟେକି ଧରିଲା ।

 

ଗ୍ଲାସଟି ଚାହିଁ ସଦାନନ୍ଦ ଯେମିତି ଆତଙ୍କିତ ହୋଇ ଉଠିଲା । ତା ମୁହଁଟା ପାଣ୍ଡୁର ହୋଇଗଲା । ଆଖି ଦୁଇଟାରୁ ଯେମିତି ବିଶ୍ୱର ଘୃଣା ଆଉ କ୍ରୋଧ ଝରି ପଡ଼ୁଚି । ତାର ଭାବ ପରିବର୍ତ୍ତନ ଦେଖି ନସିନ୍ ଗ୍ଲାସଟା ଟେବୁଲ ଉପରେ ରଖିଦେଲା ।

 

ସଦାନନ୍ଦ ମଦ ଗ୍ଳାସ ମଧ୍ୟରେ କାହାକୁ ଯେମିତି ଦେଖିପାରୁଥିଲା । ନିଜକୁ ସେ ଆୟତ୍ତରେ ରଖି ପାରୁ ନ ଥିଲା । ହଠାତ୍ ଗ୍ଲାସ ଉପରେ ତାର ଗୋଟାଏ ବଜ୍ର ମୁଥ ଆସି ପଡ଼ିଲା ।

 

ଝଣ୍‍ ଝଣ୍‍ ହୋଇ ଗ୍ଲାସଟା ତଳେ ପଡ଼ି ଗୁଣ୍ଡ ହୋଇଗଲା ।

 

କେତେଗୁଡ଼ିଏ କାଚ ଟୁକୁରା ସଦାନନ୍ଦ ହାତରେ ପଶିଯିବାରୁ ଝର ଝର ହୋଇ ରକ୍ତ ବାହାରିବାକୁ ଲାଗିଲା । ପକେଟ ଭିତରୁ ରୁମାଲ୍‍ ବାହାର କରି ସେ ହାତଟାକୁ ବାନ୍ଧି ପକେଇଲା ।

 

ନସିମ୍ ମିଆଁ ଅଖଣ୍ଡ ନୀରବତା ଭାଙ୍ଗି ପଚାରିଲା, “ଏମିତି କାହିଁକି କଲେ ଆଜ୍ଞା ? ଏଥିରେ ଆପଣଙ୍କ ହାତ ଜଖମ ହେଲା ଯେ !”

 

କିନ୍ତୁ ସଦାନନ୍ଦ କୌଣସି ଉତ୍ତର ଦେଲାନି ।

 

ହଠାତ୍ ଉଠି ପଡ଼ି ସେ ଘର ଛାଡ଼ି ଚାଲିଗଲା । ତା ପରେ ଘର ସାରା ବିସ୍ମୟର ଗୁଞ୍ଜନ ଆରମ୍ଭ ହୋଇଗଲା ।

 

ଜୁଆଡ଼ିମାନଙ୍କର ଏ କଥା ବୁଝିବାକୁ ଡେରି ହେଲାନି ଯେ, ନିଶ୍ଚୟ କେଉଁଠି କିଛି ଅଘଟଣ ଘଟିଚି । ସଦାନନ୍ଦ ନିଶ୍ଚୟ ମନରେ ଆଘାତ ପାଇଛି; କିନ୍ତୁ ସେଇଟା କଣ ତାହା ସ୍ଥିର କରି ପାରିଲେନି ।

 

କୁହୁଡ଼ି ଘେରା ଶୀତୁଆ ରାତି ।

 

ସାରା ପୃଥିବୀର ଲୋକେ ଢଳି ପଡ଼ନ୍ତି ନିଦ୍ରାର କୋମଳ ଅଙ୍କରେ । ଦୂରରୁ ଗୋଟାଏ ପିଟା ଘଣ୍ଟା ଜଣେଇ ଦେଲା–ରାତି ସେତବେଳକୁ ଦୁଇଟା ।

 

ଧୀରେ ଧୀରେ ଆଗେଇ ଚାଲିଛି ଗୋଟାଏ ଛାୟାମୂର୍ତ୍ତି ।

 

ପଛରେ ଶବ୍ଦ । କିଏ ଯେମିତି କାନ୍ଦୁଚି–ଗୁମୁରି ଗୁମୁରି ! ଅସହ୍ୟ ଯନ୍ତ୍ରଣାର ଅବ୍ୟକ୍ତ ରଡ଼ି ଯେମିତି ଶୁଭୁଚି ! କାହାକୁ ଯେମିତି ଡାକୁଚି !

 

ସଦାନନ୍ଦ ! ସଦାନନ୍ଦ !

 

କିଏ ସଦାନନ୍ଦ ? କେଉଁଠି ସଦାନନ୍ଦ ? ଆଜିର ସଦାନନ୍ଦ ପୋଲିସ ଆଖିରେ ପଳାତକ ଆସାମୀ । ତାକୁ କିଏ ଡାକିବ ?

 

ସଦାନନ୍ଦ ଫେରି ଚାହିଁଲା । ଅସହ୍ୟ ଉତ୍ତେଜନାରେ ତାର ସେ ଦୃଷ୍ଟି ଯେମିତି ଫାଟି ପଡ଼ୁଚି ।

 

କିନ୍ତୁ କାହିଁ, କେହି ନାହିଁ । ନା, ଏ ତେବେ ପ୍ରହେଳିକା । ରାତ୍ରିର ବୀଭତ୍ସ ବିଦ୍ରୂପ । ଏ କାହାର କଣ୍ଠ ସ୍ଵର ? ମରଣ ସାଗର ସେପଟୁ ବହୁଦିନ ପୂର୍ବର କେତେଗୁଡ଼ିଏ ଲୋକର ସ୍ଵର ଯେମିତି ତା ପଛେ ପଛେ ଧାଇଁଚି ।

 

ପୁଣି ନାରୀକଣ୍ଠର ଆହ୍ଵାନ–ସଦାନନ୍ଦ ! ସଦାନନ୍ଦ !

 

କିଏ ଏ ନାରୀ ? ଏ ଯେମିତି ବହୁ ଦିନ ପୂର୍ବେ ମୃତା କଳ୍ପବଲ୍ଲୀର କଣ୍ଠସ୍ଵର ।

 

ସଦାନନ୍ଦର ସାରା ଦେହ ମନରେ ବିପୁଳ ଉତ୍ତେଜନା । ଆଜି ସନ୍ଧ୍ୟାରେ ସେ ଗୋଟାଏ ସୁରାପୂର୍ଣ୍ଣ ପାତ୍ରର ପ୍ରତିଟି ବୁଦ୍‍ବୁଦ୍‍ରେ କଳ୍ପବଲ୍ଲୀର ଛବି ପ୍ରତିଫଳିତ ହେବାର ଦେଖିଚି । କଳ୍ପବଲ୍ଲୀ ଯେମିତି ତାକୁ ବିଦ୍ରୂପ କରିଥିଲା; ସେ ଯେମିତି କହିବାକୁ ଭାବୁଥିଲା–‘କଣ ଦେଖୁଚ ? ମରିବି ମୁଁ, ମରିନି । ମୁଁ ଜୀବନ୍ତ । ମୁଁ ବଞ୍ଚିଚି । ଚିରଦିନ ଏମିତି ବଞ୍ଚିଥିବି । ତୁମର ପ୍ରତି କାମରେ ତୁମର ପଛେ ପଛେ ମୁଁ ଘୁରି ବୁଲିବି । ବହୁଦିନ ଆଗରୁ କଳ୍ପବଲ୍ଲୀର ଅନ୍ତିମ ଦୀର୍ଘ ଶ୍ଵାସ ପବନ ସାଙ୍ଗେ ମିଶି ଯାଇଚି, ସେ କେମିତି ଆଜି ଫେରି ଆସି ତା ଆଗରେ ଠିଆ ହେବ ?

 

ଅନେକ କଷ୍ଟରେ ନିଜ ମନକୁ ଦୃଢ଼ କରି ସଦାନନ୍ଦ ଆଗେଇଲା । ଗତି ତାର ଦ୍ରୁତରୁ ଦ୍ରୁତତର ହୋଇ ଉଠିଲା । ଭାରି ଜୋତାରୁ ଶବ୍ଦ ଶୁଭୁଚି–ଧପ୍‍ ଧପ୍ ।

 

ପୁଣି ସମବେତ କଣ୍ଠସ୍ଵର ।

 

ଏତେଦିନ ଧରି ସେ ଯେଉଁମାନଙ୍କୁ ହତ୍ୟା କରିଚି ସେମାନେ ଆଜି ତାକୁ ଡାକୁଚନ୍ତି । ତାକୁ ବିଦ୍ରୂପ କରୁଚନ୍ତି । ତାକୁ ଅବଜ୍ଞା ଆଉ ଘୃଣା ଜଣାଉଚନ୍ତି ।

 

ସଦାନନ୍ଦ ଦେହର ପ୍ରତିଟି ଅଣୁରେ ହତ୍ୟାକାରୀର ଭୀଷଣତା ରୂପ ଫୁଟି ଉଠିଲା । ମନକୁ ମନ ସେ ଗର୍ଜି ଉଠିଲା ।

 

–“କୌନ୍ ହାୟ ?”

 

ବହୁ ଦୂରରୁ ଆଗତ ଗୋଟିଏ କନେଷ୍ଟବଳର କଣ୍ଠଧ୍ୱନି ଭାସି ଆସିଲା । ନୀରବ ନୈଶ ପ୍ରହରରେ ଏଭଳି ଅଦ୍ଭୁତ ଭୟଙ୍କର ଶବ୍ଦ ତାକୁ ବିଚଳିତ କରିଚି । ସେ ଦ୍ରୁତଗତିରେ ଘଟଣା ସ୍ଥଳ ଆଡ଼େ ଆଗେଇ ଆସିଲା । ସଦାନନ୍ଦକୁ ଦେଖିପାରି ପଚାରିଲା–

 

–“କୌନ୍‍ ହୋ ତୁମ୍ ?”

 

ସଦାନନ୍ଦ କୌଣସି ଉତ୍ତର ଦେଲାନି । କେବଳ ପ୍ରଚଣ୍ଡ ଭାବରେ ହସିଉଠିଲା । ଏ ହସ ଯେମିତି ବୀଭତ୍ସ ପ୍ରେତର, ତାପରେ କନେଷ୍ଟବଳ ଉପରକୁ ଝାମ୍ପି ପଡ଼ିଲା । ସମସ୍ତ ଶକ୍ତି ଖଟେଇ କଣ୍ଠ ନଳୀଟାକୁ ଚାପି ଧରି ତାକୁ ତଳେ ପକେଇ ଦେଲା ।

 

କନେଷ୍ଟବଳଟି ସଦାନନ୍ଦ ହାତରୁ ରକ୍ଷାପାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କଲା; କିନ୍ତୁ ସଦାନନ୍ଦ ଦେହର ଶକ୍ତି ଯେମିତି ଦଶଗୁଣ ବଢ଼ି ଯାଇଚି । ତା ସଙ୍ଗେ ସମକକ୍ଷ ହେଲାପରି କ୍ଷମତା ଯେପରି ବିଶ୍ଵରେ କାହାରି ନାହିଁ । ଧୀରେ ଧୀରେ କନେଷ୍ଟବଳଟିର ଦେହ ଅବଶ ହୋଇ ଆସିଲା । ମୁହଁଟା ରକ୍ତାଭ ହୋଇ କ୍ରମଶଃ ନୀଳ ହୋଇଗଲା ।

 

ମୃତ !

 

କେତୋଟି ମୁହୂର୍ତ୍ତ ମଧ୍ୟରେ ଗୋଟିଏ ନିରପରାଧ ମଣିଷର ଶେଷ ନିଃଶ୍ଵାସ ପବନ ସାଙ୍ଗରେ ମିଶିଗଲା ।

 

ତାପରେ......

 

ଗୋଟାଏ ଦୀର୍ଘ ଛୁରୀରେ ସଦାନନ୍ଦ କନେଷ୍ଟବଳଟିର ଦେହର ପ୍ରତିଟି ଅଂଶ କାଟି ଅଲଗା ଅଲଗା କରି ଦେଲା ।

 

ପୂର୍ବ ଆକାଶରେ ଫୁକିଆ ତାରାଟା ସଦାନନ୍ଦର ଏଇ ଭୟାବହ କାଣ୍ଡର ସାକ୍ଷ ବହନକରି କେବଳ ମିଟ୍‍ ମିଟ୍‍ କରି ଚାହିଁଥିଲା ।

ଦିନ ସାଢ଼େ ନଅଟା ହେବ ।

ଚା’ ଓ ଜଳଖିଆ ପର୍ବ ସାରି ବିଖ୍ୟାତ ପ୍ରାଇଭେଟ ଡିଟେକଟିଭ୍‍ ଅମୂଲ୍ୟ ମହାନ୍ତି ଖବର କାଗଜ ପଢ଼ୁଥିଲେ । ଏତିକିବେଳେ ଟେଲିଫୋନ୍‍ର ସଶବ୍ଦ ଆହ୍ଵାନ ତାଙ୍କୁ ବିଚଳିତ କଲା ।

ରିସିଭରଟା ଟେକି ଅମୂଲ୍ୟବାବୁ ପଚାରିଲେ, “ହ୍ୟାଲୋ, କିଏ କହୁଚନ୍ତି ?”

–“ମୁଁ ପୋଲିସ ଅଫିସର କହୁଚି ।’’

–“ଓ, ଆପଣ ନିଶ୍ଚୟ ସେଇ କନେଷ୍ଟବଳଟିର ହତ୍ୟାକାଣ୍ଡ ନେଇ ମୋତେ ଫୋନ୍ କରୁଚନ୍ତି ।’’

–“ଆଶ୍ଚର୍ଯ୍ୟ ! ଆପଣ କେମିତି ଜାଣିଲେ ?”

–“ତାଛଡ଼ା ସେମିତି କିଛି ମାରାତ୍ମକ ଘଟଣା ଆପଣଙ୍କ ଏରିଆରେ ଘଟିନି ଯାହାପାଇଁ ଆପଣ ମୋର ସାହାଯ୍ୟ ଇଚ୍ଛା କରିବେ ।’’

–“ଠିକ୍‍ ଧରିଚନ୍ତି ଆପଣ । ଅନ୍ଦାଜରେ ଟେକା ମାରିଲେ ବି ସେଇଟା ଚମତ୍କାର ଭାବରେ ଆସି ଲାଗିଯାଇଚି ।’’

–“ମଝିରେ ମଝିରେ କଳ୍ପନା ଶକ୍ତିକୁ ପ୍ରଖର ନକଲେ କୌଣସି ରହସ୍ୟର ସମାଧାନ ଆମ ଦ୍ଵାରା ସମ୍ଭବ ହୁଅନ୍ତାନି ମି:ସାହୁ ।’’

–“ତା’ତ ନିଶ୍ଚୟ; କିନ୍ତୁ କଥା ହେଉଚି, ମୁଁ ଯଦିଓ ଜାଣେ ଯେ ଏକମାତ୍ର ସଦାନନ୍ଦ ଏଭଳି ହତ୍ୟା କାଣ୍ଡରେ ଅଭ୍ୟସ୍ତ । ତଥାପି ମନରେ କେମିତି ଖଟକା ଲାଗୁଚି ।’’

–“କାହିଁକି ?”

–“ସଦାନନ୍ଦ ପ୍ରକାଶ୍ୟ ଭାବରେ କେବେ ଏଭଳି ହତ୍ୟାକାଣ୍ଡ କରିଚି ବୋଲି ମୋର ମନେ ହୁଏନି । ସେ ଏମିତି ହତ୍ୟାକାଣ୍ଡ କରେ ଯେଉଁଥିରେ କି ସାଧାରଣ ମଣିଷଙ୍କର ମୌନ ସମ୍ମତି ଥାଏ ।’’

–“ଆଚ୍ଛା, ଏ ଲୋକଟାର ହତ୍ୟା ସମ୍ବନ୍ଧୀୟ ଉତ୍ତେଜନା କିଛି ଅଛି କି ?”

–“ଠିକ୍‍ ଜାଣେନି, ତେବେ ମନେହୁଏ, କୌଣସି ଗୋଟାଏ ପୁରୁଣା ଇତିହାସ ତା ସହିତ ଜଡ଼ିତ ଅଛି ।’’

–“ତାର ଏ ପରିବର୍ତ୍ତନ ପୂର୍ବରୁ କୌଣସି ପ୍ରାଥମିକ ଇତିହାସ ଅଛି କି ?”

–“ସେ ଦୀର୍ଘ ଛଅବର୍ଷ ଆଗର କଥା । କଳ୍ପବଲ୍ଲୀ ନାମକ କୌଣସି ଗୋଟିଏ ଝିଅକୁ ସେ ଖୁଣ୍‍ କରିଥିଲା । ତାକୁ ଖୁଣ୍‍ କରିବା ପରେ ଦେହର ପ୍ରତିଟି ଅଂଶ ଟୁକୁରା ଟୁକୁରା କରି କାଟି ମାଟିରେ ପୋତିଥିଲା, ଠିକ୍‍ ତା’ରି ପରଠାରୁ ତା ମନର ଏ ପରିବର୍ତ୍ତନ ।’’

–“କିନ୍ତୁ ଆଜି ବି ସେ ସେମିତି ଅଛି ?”

–“ହଁ, ଜୀବନରେ ସର୍ବମୋଟ ଷୋହଳଟି ନରହତ୍ୟା ସେ କରିଚି । ଯାହା ବିରୁଦ୍ଧରେ ତା ମନରେ ବିତରାଗ ସଞ୍ଚାର ହୁଏ–ତାକୁ ସେ ମାରି ପକାଏ । ଏହତ୍ୟା କାଣ୍ଡଟା ହେଲେ ବୋଧହୁଏ ସତର ହେବ । ଅଥଚ ଏମିତି ଦିନ ଥିଲା–ଯେତେବେଳେ ସେ ଥିଲା ବିଦ୍ଵାନ୍, ଅର୍ଥବାନ ସମାଜର ଗୋଟାଏ ଖୁବ୍ ଉଚ୍ଚ ସ୍ଥାନରେ ତାର ଆସନ ଥିଲା ।’’

–“କିନ୍ତୁ ଏହା ସହିତ ଆପଣ ଅନ୍ୟ କୌଣସି ଗୋଟାଏ ବ୍ୟାପାରକୁ ଟାଣି ଆଣୁଚନ୍ତି କାହିଁକି ? ଟୁକୁରା ଟୁକୁରା କରି କାଟିବା ତ ଆଉ ସଦାନନ୍ଦ ସମ୍ବନ୍ଧରେ ନିଃସନ୍ଦେହ ହେବାର କୌଣସି ପ୍ରମାଣ କରୁନି !”

–“ତା ସତ !”

–“ଆପଣ ନିରପେକ୍ଷ ମନଧରି ତଦନ୍ତ କରନ୍ତୁ, ତାହେଲେ ମୋର ସାହାଯ୍ୟ ଅନ୍ୟ ଭାବରେ ପାଇବେ । ପ୍ରତ୍ୟକ୍ଷ ଭାବେ ନୁହେଁ–ପରୋକ୍ଷରେ ।’’

–“କଥାଟା ଠିକ୍‍ ବୁଝି ପାରିନି ।’’

–“ଏଇଟା ଗୋଟାଏ ଜଟିଳ କେଶ୍; ତେଣୁ ସାଧାରଣ ଭାବରେ ତଦନ୍ତ କରି ପ୍ରକୃତ ଅପରାଧୀକୁ ବାହାର କରିବା କଷ୍ଟ ସାଧ୍ୟ । ଆଗକୁ ମନୋବିଶ୍ଳେଷଣ ପୂର୍ଣ୍ଣ ମନୋଭାବ ଦରକାର ।’’

ପୋଲିସ ଅଫିସର ରିସିଭରଟା ରଖିବାର ଶବ୍ଦ ଶୁଣାଗଲା ।

ଗୋଟିଏ ବିରାଟ ଦୋମହଲା କୋଠାର ବୈଠକ ଘରେ ବସିଚି ସଦାନନ୍ଦ । ବର୍ତ୍ତମାନ ସଦାନନ୍ଦକୁ ଦେଖିଲେ ପୂର୍ବ ରାତିର ସେଇ ଲୋକ ବୋଲି ବିନ୍ଦୁମାତ୍ର ଚିହ୍ନିବାର ଉପାୟ ନାହିଁ ।

ଏ ସଦାନନ୍ଦ ଭିନ୍ନ ସମ୍ପୁର୍ଣ୍ଣ ପୃଥକ । ଶାନ୍ତି, ସୌମ୍ୟ, ସୁଦର୍ଶନ ଗୋଟିଏ ମଣିଷ । ରୂପରେ କେମିତି ମୋଟା କରୁଣତା; ବ୍ୟବହାର ଅତିଭଦ୍ର, ତେବେ ଟିକିଏ ଗମ୍ଭୀର ପ୍ରକୃତିର ।

କିନ୍ତୁ ସଦାନନ୍ଦ ନିଜେ ବି ଜାଣେନି, ରାତି ଦଶଟା ପରେ କାହିଁକି ସେ ଏମିତି ଅନ୍ୟ ଗୋଟିଏ ମଣିଷରେ ରୂପାନ୍ତରିତ ହୁଏ । ସେ ମଣିଷ ଏ ସଦାନନ୍ଦଠାରୁ ଗୋଟିଏ ପୃଥକ୍‍ ମଣିଷ । ବୀଭତ୍ସ, ଭୟାବହ ତାର ରୂପ । ସେତେବେଳେ ମୁହୂର୍ତ୍ତକ ପାଇଁ ସେ ଘରେ ବସି ପାରେନି । କ୍ରୁଦ୍ଧ ପଦ ବିକ୍ଷେପରେ ସେ ଘର ଛାଡ଼ି ଗୁଣ୍ଡାମାନଙ୍କର ଗୋପନ ଆଡ଼ଡ଼ା ଆଡ଼େ ଆଗେଇ ଯାଏ, ଯେଉଁଠି ମଦ ଗନ୍ଧରେ ପବନ ଭାରି ହୋଇ ଉଠେ ।

ସେଠାରେ ଟଙ୍କାର ବଡ଼ ବଡ଼ ନୋଟଗୁଡ଼ାକ ପକ୍ଷ ମେଲି ହାଲୁକା ଚଢ଼େଇ ପରି ଉଡ଼େ-। ଆଉ ନୋଟକୁ କେନ୍ଦ୍ରକରି ମଝିରେ ମଝିରେ ଝଲକି ଉଠେ ଚକ୍‍ଚକିଆ ଶାଣିତ ଛୁରୀର ଇସ୍ପାତ-। ମଣିଷ ବକ୍ଷର ତାଜା ରକ୍ତରେ ଦାମୀ ନୋଟ୍‍ଗୁଡ଼ାକ ବେଳେ ବେଳେ ଓଦା ହୋଇ ଉଠେ ମଣିଷବକ୍ଷର ରକ୍ତ !

ହୋ ହୋ ହୋଇ ସଦାନନ୍ଦ ହସି ଉଠେ । ତାର ସେ ହସ ଭୟାବହ ପ୍ରେତର ପୈଶାଚିକ–ଅଟ୍ଟହାସ ପରି ଶୁଣାଯାଏ । ଦୀର୍ଘ ଛଅବର୍ଷ ଆଗର ଘଟଣାଗୁଡ଼ିକ ତା ମନରେ ଆସନ ବାନ୍ଧେ–

ରାତି ସେତେବେଳକୁ ଦଶଟା ।

 

ଘଣ୍ଟାର ଠନ୍‍ ଠନ୍‍ ଶବ୍ଦକୁ ସ୍ତବ୍‍ଧ କରି ଶୁଣାଯାଇଥିଲା ଆଉ ଗୋଟିଏ ଶବ୍ଦ । ଗୋଟିଏ ନାରୀ କଣ୍ଠର କରୁଣ ଅନ୍ତିମ ଚିତ୍କାର, ଶେଷ ଦୀର୍ଘ ଶ୍ଵାସ ।

 

ସେ ହେଉଛି କଳ୍ପବଲ୍ଲୀ । ସଦାନନ୍ଦ ନିଜ ହାତରେ ତାକୁ ଖୁଣ୍‍ କରିଥିଲା; କିନ୍ତୁ କଳ୍ପବଲ୍ଲୀକୁ ସେ ଦିନେ ଭଲ ପାଉଥିଲା । କଳ୍ପବଲ୍ଲୀ ନାଆଁରେ ଦିନେ ତା ଦେହରେ ଶିହରଣ ଲାଗୁଥିଲା; କିନ୍ତୁ କାହିଁକି ସେ ତାକୁ ଖୁଣ୍‍ କଲା ?

 

ଅତୀତର ସେ ଘଟଣା ଗୁଡ଼ାକ ସଦାନନ୍ଦର ମନେପଡ଼େ । ସାମାନ୍ୟ କାରଣରେ ସେ କଳ୍ପବଲ୍ଲୀକୁ ଭୁଲ ବୁଝିଥିଲା । ଯୁବକକୁ ସେ ଦିନେ କଳ୍ପବଲ୍ଲୀ ସାଙ୍ଗରେ ଦେଖିଲା । ଏ ଯୁବକଟିକୁ ସେ କେବେ ତା ସହିତ ଦେଖି ନ ଥିଲା ।

 

ସେଇଦିନ ସେଇ ମୁହୂର୍ତ୍ତରେ ସଦାନନ୍ଦ ମନରେ ଭୁଲ ଧାରଣା ଦେଖା ଦେଇଥିଲା । ତା ପରଦିନ ଠିକ୍‍ ରାତି ଦଶଟା ବେଳେ କଳ୍ପବଲ୍ଲୀକୁ ନିଜ ହାତରେ ଖୁଣ୍‍ କଲା ।

 

କିନ୍ତୁ କଳ୍ପବଲ୍ଲୀ ?

 

ନା ସେ ଏତେଟିକିଏ ବି ପ୍ରତିବାଦ କରିନି । ସଦାନନ୍ଦ ହାତରେ ପ୍ରାଣ ବିସର୍ଜନ ଦେବାକୁ ସେ ବିନ୍ଦୁମାତ୍ର କୁଣ୍ଠିତ ନଥିଲା ।

 

କିନ୍ତୁ ସଦାନନ୍ଦ ସେ ଦିନ ନିଷ୍ଠୁର । କଳ୍ପବଲ୍ଲୀକୁ ଖୁଣ୍‍ କରି ସେ କ୍ଷାନ୍ତ ହେଇନି । ନିଜ ହାତରେ ତାକୁ ଟିକ୍‍ ଟିକ୍‍ କରି କାଟି ମାଟିରେ ପୋତିଥିଲା । ସ୍ଵହସ୍ତରେ ସଦାନନ୍ଦର ପ୍ରଥମ ନରହତ୍ୟା ! ତା ପରେ ?

 

ତାପରେ ସେଦିନ ଜାଣି ପାରିଲା ଯେ, ଯୁବକଟି କଳ୍ପବଲ୍ଲୀର ନିଜ ଭାଇ । ଦୀର୍ଘଦିନ ବିଦେଶରେ ରହିବା ପରେ ଘରକୁ ଫେରିଥିଲା । ନିଜର ଭୁଲ ବୁଝିପାରି କ୍ଷୋଭ ଆଉ ଅନୁତାପରେ ମନକୁ କ୍ଷତ ବିକ୍ଷତ କରି ପକେଇବାକୁ ଲାଗିଲା ।

 

ଦିନପରେ ଦିନ କଟେ । ପୁରୁଣା ଗ୍ଳାନି ତା ମନରୁ ଯାଏନି । ସେ ଦେଖେ ପ୍ରତି କ୍ଷେତ୍ରରେ କଳ୍ପବଲ୍ଲୀ ତାକୁ ଅନୁସରଣ କରୁଚି । ଦିନକୁ ଦିନ ସଦାନନ୍ଦ ଯେତିକି ଅବାଟରେ ଯାଏ ସେତିକି ମନେହୁଏ କଳ୍ପବଲ୍ଲୀର ଆତ୍ମା ତାକୁ ବାଧା ଦେବାକୁ ଆସୁଚି । ତାକୁ ନିରସ୍ତ କରିବାର ଚେଷ୍ଟା କରୁଚି । କିନ୍ତୁ ନପାରି ଗଭୀର ବ୍ୟଥାରେ ଗୁମୁରି ଗୁମୁରି କାନ୍ଦୁଚି ।

 

ତାପରଠାରୁ ସଦାନନ୍ଦ ଖୁଣୀ ଆସାମୀ । ଠିକ୍‍ ରାତି ଦଶଟା ବାଜିବା ମାତ୍ରେ ଯେମିତି ଅଭିଶପ୍ତ ଆତ୍ମା ଆସି ତାକୁ ଘେରିଯାଏ । ଯେତେ ସେ ଖୁଣ୍‍ କରେ ସେତିକି ଉନ୍ମାଦନା ବଢ଼ିଚାଲେ-। ଆଉସେଇ ଉନ୍ମାଦନା ବେଳେ ଯାହାକୁ ମନପ୍ରାଣ ଦେଇ ଘୃଣା କରେ ତାକୁଇ ଖୁଣ୍ କରି ବସେ-

 

କିନ୍ତୁ ଏଇ କନେଷ୍ଟବଳଟି ହେଉଚି ଏକମାତ୍ର ଲୋକ ଯାହାକୁ ସଦାନନ୍ଦ ବିନା ଅପରାଧରେ ଖୁଣ୍‍ କଲା । ଆଉ ସେଇଥି ପାଇଁ ସେ ଆଜି ବେଶି ଅନୁତପ୍ତ, କୌଣସି ପ୍ରକାର ସେ ଶାନ୍ତି ପାଉନି ।

 

ସଦାନନ୍ଦ ଭାବେ, ଯେମିତି ଭାବରେ ହେଉ ଏଇ ଅସହନୀୟ ଅବସ୍ଥାରୁ ତାକୁ ମୁକ୍ତି ପାଇବାକୁ ହେବ ।

 

କିନ୍ତୁ କେମିତି ?

 

ତେବେ କଣ ସେ ଆତ୍ମହତ୍ୟା କରିବ ?

 

ବିଭ୍ରାନ୍ତ ସଦାନନ୍ଦ ପ୍ରବଳ ଉତ୍ତେଜନାରେ ଉଠିପଡ଼େ ।

 

ଉପରବେଳା ପାଞ୍ଚଟା ।

 

ପ୍ରାଇଭେଟ ଡିଟେକ୍‍ଟିଭ ଅମୂଲ୍ୟ କୁମାର ମହାନ୍ତି ତାଙ୍କ ନିଜ ଘରର ବାଲ୍‍କୋନିରେ ବସି ଚିନ୍ତାକରୁଥିଲେ । ହାତରେ ତାଙ୍କର ଖଣ୍ଡେ ଅପରାଧ ବିଜ୍ଞାନ ବହି । ଗୋଟାଏ ପୃଷ୍ଠାରୁ ସେ ପଢ଼ୁଥିଲେ–

 

...ବିଶେଷ କୌଣସି ଗୋଟାଏ ଆଘାତ ବା ସେଭଳି କୌଣସି ଗୋଟାଏ ମାରାତ୍ମକ ଘଟଣା ସୁସ୍ଥ ମଣିଷ ମନରେ ଉତ୍ତେଜନା ଆଣେ । ଗତିର ଧାରା ରକ୍ତପାତ କରିବାକୁ ବି କୁଣ୍ଠା ବୋଧ କରେନି; କିନ୍ତୁ ପରେ ସେ ପୂର୍ବ ଅବସ୍ଥାକୁ ଫେରି ଆସିପାରେ । ପୁଣି ଅନେକ କ୍ଷେତ୍ରରେ ସାରା ଜୀବନ ସେ ଉତ୍ତେଜନା ଅପରିବର୍ତ୍ତନୀୟ ରହେ ।

 

ଅମୂଲ୍ୟବାବୁ ଭାବିଲେ, ସଦାନନ୍ଦ କଣ ୟାରି ଅନ୍ତର୍ଭୁକ୍ତ ? ଜୀବନରେ କୌଣସି ସମୟରେ ଗୋଟିଏ ନାରୀକୁ ସେ ଖୁଣ୍‍ କରିଥିଲା ବୋଲି କଣ ବର୍ତ୍ତମାନ ଏପରି ତାର ମନର ଅବସ୍ଥା ?

 

ହୁଏ ତ ସେଇୟା ।

 

ଏତିକିବେଳେ ଚାକର ଟୋକା ଆସି କହିଲା, “ଜଣେ ସ୍ତ୍ରୀଲୋକ ଆପଣଙ୍କ ସାଙ୍ଗରେ ଦେଖା କରିବା ପାଇଁ ଅପେକ୍ଷା କରିଚନ୍ତି ।’’

 

–‘ସ୍ତ୍ରୀ ଲୋକ ?”

 

–“ହଁ, ତଳ ବୈଠକ ଘରେ ବସେଇ ଦେଇ ଆସିଚି ।’’

 

–“ଆଚ୍ଛା, ତୁଯାଇ ତାଙ୍କ ବସିବାକୁ କହ, ମୁଁ ଯାଉଚି ।’’

 

ତଳକୁ ଆସି ଅମୂଲ୍ୟବାବୁ ଦେଖିଲେ, ଗୋଟିଏ ଝିଅ ପିଲା ଚେୟାର ଉପରେ ବସିଚି । ଅବିବାହିତା । ବୟସ ଅଠର ଖଣ୍ଡେ ହେବ । ଅମୂଲ୍ୟବାବୁଙ୍କୁ ଦେଖି ସେ ଉଠି ଠିଆହେଲା ।

 

–“ନମସ୍କାର, ମି: ମହାନ୍ତି !”

 

–“ନମସ୍କାର ଉମାଦେବୀ ! ଆପଣ ନିଶ୍ଚୟ ଖୁବ୍‍ ଜରୁରୀ ଦରକାରରେ ଏଠାକୁ ଆସିଚନ୍ତି । କଲେଜରୁ ଫେରି ହଠାତ୍ ଏକାବେଳେ ଏଠିକି !”

 

–“ଆଶ୍ଚର୍ଯ୍ୟ ! ଆପଣ ଏତେ କଥା ଜାଣିଲେ କେମିତି ? ମୋ ନାଆଁ ବି......”

 

–“ଏଇ ତ ଆପଣଙ୍କ ହାତରେ ଥିବା କଲେଜ ନୋଟବୁକ୍ ଉପରେ ଆପଣଙ୍କର ନାଆଁ ଲେଖା ହେଇଚି । ସିଧା କଲେଜରୁ ଫେରି ନଆସିଥିଲେ ଆପଣ ସେ ନୋଟବୁକ୍‍ ଖଣ୍ଡକ ନିଶ୍ଚୟ ଘରେ ରଖିଦେଇ ଆସିଥାଆନ୍ତେ ।’’

 

–“ଆପଣଙ୍କର ଉପସ୍ଥିତ ବୁଦ୍ଧି ଖୁବ୍‍ ଚମତ୍କାର ମି: ମହାନ୍ତି !”

 

–‘‘କିନ୍ତୁ ଘଟଣାଟା କଣ ?

 

–‘‘ପଅର ଦିନ ରାତି ଏଗାରଟା ବେଳେ ମୋର ବାପା ରାଧାରମଣ ଦାସ କେନାଲ କୂଳେ ଥିବା ଜଣେ କଣ୍ଟ୍ରାକ୍ଟର ବନ୍ଧୁଙ୍କଠାରୁ ଦଶହଜାର ଟଙ୍କା ଧାର ଆଣିବାକୁ ଯାଇଥିଲେ । ପଅରଦିନ ଗଲା–କାଲିଗଲା–ଆଜି ଏତେବେଳେ ଯାଏ ତାଙ୍କର ଦେଖା ମିଳିଲାନି । ଆଜି ଏଗାରଟାବେଳେ ଖବର ବୁଝିବା ପାଇଁ ଗୁମାସ୍ତାଙ୍କୁ ସେଠିକି ପଠେଇ ଥିଲି । ମୁଁ କଲେଜରୁ ଫେରିବାମାତ୍ରେ ଗୁମାସ୍ତା କହିଲେ, “ବାପା ସେଠାରୁ ଟଙ୍କା ଆଣି ସାଙ୍ଗେ ସାଙ୍ଗେ ଫେରି ଆସିଚନ୍ତି-।’’

 

–“ଆପଣଙ୍କ ବାପା କିଛି ଜରୁରୀ କାମରେ ବାହାରକୁ ଯାଇ ନାହାନ୍ତି ତ ?”

 

–‘‘ନା, ମୋତେ ନ ଜଣାଇ ସେ କେବେ କୁଆଡ଼େ ଯାଆନ୍ତିନି । ଏପରିକି ମିନିଟକ ପାଇଁ ସେ ଘର ଛାଡ଼ିଲେ ବି ମୋତେ କହି ଯାଆନ୍ତି ।’’

 

–“ସେ କଣ୍ଟ୍ରାକ୍ଟର କେମିତି ଲୋକ ?”

 

–‘‘ଖୁବ୍‍ ଧନବାନ, ଭଦ୍ର । ଏହା ଆଗରୁ ଅନେକଥର ବାପାଙ୍କ ସାଙ୍ଗରେ ତାଙ୍କର ଦିଆନିଆ ହେଇଚି ।’’

 

–‘‘ଏ ଦିଆ ନିଆ କଥା କୌଣସି ଲୋକ ଜାଣନ୍ତି ?”

 

–‘‘ହଁ, ଆମର ଗୁମାସ୍ତା ଆଉ ବାପଙ୍କର ଜଣେ ବ୍ୟବସାୟୀସାଙ୍ଗ ନୀଳମଣି ପାତ୍ର ଏକଥା ଜାଣନ୍ତି ।’’

 

–‘‘ଆପଣଙ୍କ ବାପା ଗଲାବେଳେ କେଉଁଥିରେ ଯାଇଥିଲେ ?’’

 

–‘‘ଆମ ନିଜ ମୋଟରରେ । ନିଜେ ଡ୍ରାଇଭ୍‍ କରି ଯାଇଥିଲେ ।’’

 

–“ଦେଖନ୍ତୁ ଉମାଦେବୀ ଅଲଗା ଓ ଗୋପନ ଭାବରେ ମୁଁ ତଦନ୍ତ ଭାରଟା ଗ୍ରହଣ କରୁଚି । ସାଧାରଣ ଲୋକଙ୍କୁ ମୁଁ ଏଇଟା ଜଣେଇବାକୁ ଚାହୁଁନି । ତେବେ ଏମିତି ସାଂଘାତିକ ଘଟଣାଟା ପୋଲିସିର ଡାୟେରୀରେ ରହିବା ନିହାତି ଦରକାର ।’’

 

–“ତାହାଲେ ମୁଁ ଗୁମାସ୍ତାଙ୍କୁ ପଠେଇ ପୋଲିସରେ ଇନ୍‍ଫର୍ମ କରିବାର ବ୍ୟବସ୍ଥା କରିବି-।’’

 

–‘‘ହଁ ଆଉ ଆପଣଙ୍କର ଠିକଣା ଏବଂ ଆପଣଙ୍କର ମୋଟରର ନମ୍ବର କହିଯାଆନ୍ତୁ ।’’

 

‘‘ଘର ଠିକଣା ହେଉଚି ଅମଲାପଡ଼ା ଛକରେ ଥିବା ନାଲିରଙ୍ଗର ଦୋମହଲା କୋଠାଟା, ଗେଟ୍ଆଗରେ ମାର୍ବଲ ପ୍ଲେଟରେ, ‘ବସନ୍ତ ନିବାସ’ ବୋଲି ଲେଖା ଅଛି । ମୋଟରର ନମ୍ବର ହେଲା ଓ:ଆର:ସି: ୧୪୬୩୦ ।’’

 

–‘‘ଧନ୍ୟବାଦ । ଅନ୍ୟ କିଛି ଜାଣିବା ଦରକାର ହେଲେ ପରେ ପୁଣି ଆପଣଙ୍କର ସାହାଯ୍ୟ ନେବି ।’’

 

ଉମା ଦେବୀ ଅମୂଲ୍ୟବାବୁଙ୍କୁ ନମସ୍କାର ଜଣେଇ ଧୀରେଧୀରେ ରାସ୍ତାଉପରକୁ ଉଠିଗଲେ ।

 

ସେଦିନ ପୋଲିସ ଷ୍ଟେସନରେ ପୋଲିସ ଅଫିସର କାଶୀନାଥ ସାହୁ ଏବଂ ଡିଟେକ୍‍ଟିଭ ଅମୂଲ୍ୟ କୁମାର ମହାନ୍ତି ବସି ଗୋଟିଏ ରକ୍ତବୋଳା ଛୁରୀକୁ ପରୀକ୍ଷା କରୁଥିଲେ । ଛୁରୀ ଖଣ୍ଡକ କନେଷ୍ଟବଳଟି ଯେଉଁଠି ଖୁଣ୍‍ ହୋଇଥିଲା ତା’ରିପାଖ ନାଳିରୁ ମିଳିଥିଲା । ଛୁରୀ ବେଣ୍ଟରେ କେତୋଟି ଆଙ୍ଗୁଠି ଛାପଥିଲା । ଅମୂଲ୍ୟବାବୁ ପଚାରିଲେ, ‘‘ଏଦାଗ ଗୁଡ଼ିକ କଣ ସଦାନନ୍ଦ ହାତର ଛାପ ?’’

 

ପୋଲିସି ଅଫିସର ମି. ସାହୁ କହିଲେ, ‘‘ନା, ‘‘ଏସବୁ ତା’ ହାତର ଛାପ ନୁହେଁ ।’’

 

–‘‘କେମିତି ଜାଣିଲେ ?’’

 

–‘‘ତାର ଅନ୍ୟ ହତ୍ୟାକାଣ୍ଡ ଗୁଡ଼ିକରୁ ମିଳିଥିବା ହାତଛାପ ସଙ୍ଗେ ଏହାର କୌଣସି ମେଳନାହଁ, ସେଥିପାଇଁ ତ ସନ୍ଦେହରେ ପଡ଼ି ଯାଇଛି ।’’

 

–‘‘ଆଚ୍ଛା, ଏଇଟା ରଖନ୍ତୁ । ଏ ବିଷୟରେ ବର୍ତ୍ତମାନ ମୁଁ କୌଣସି ସିଦ୍ଧାନ୍ତ ଉପରକୁ ଆସି ପାରୁନି । ହଁ, ଆଉ ଖବର କଣ ?’’

 

–‘‘ରାଧାରମଣଦାସ ନାମକ ଜଣେ ବ୍ୟବସାୟୀ ଗତ ତିନି ଦିନ ହେଲା ଅନ୍ତର୍ଦ୍ଧାନ ହୋଇଥିବା ଖବର ତାଙ୍କର ଜଣେ ଗୁମାସ୍ତା ଇନ୍‍ଫର୍ମ କରି ଯାଇଚି ।’’

 

–‘‘ଏଇଟା କିନ୍ତୁ ସଦାନନ୍ଦ କୃତ୍ୟ ନୁହେଁ ।’’

 

ଅମୂଲ୍ୟବାବୁଙ୍କ କଥା ବୁଝି ନପାରି ମି: ସାହୁ ତାଙ୍କ ମୁହଁକୁ ଚାହିଁରହିଲେ । ଏତିକିବେଳେ ଜଣେ ସୁଦର୍ଶନ ଭଦ୍ରବ୍ୟକ୍ତି ଆସି ମି: ମହାନ୍ତିଙ୍କୁ ନମସ୍କାର ଜଣେଇଲେ ।

 

ଅମୂଲ୍ୟବାବୁ ପ୍ରତି ନମସ୍କାର ଜଣାଇ କହିଲେ, ‘‘ଆପଣଙ୍କ ନାମ ?

 

‘‘ସଦାନନ୍ଦ ପାଟଶାଣୀ’’

 

–‘‘ଓ ଆପଣଙ୍କ ପାଇଁ ପୋଲିସ ଏତେ ଚଞ୍ଚଳ ?’’

 

–‘‘ହେଇପାରେ । ଅବଶ୍ୟ ମୁଁ, ଏତେଟା ଖବର ରଖିବାର ଅବକାଶ ପାଇନି ।’’

 

–‘‘ଭଲ କଥା । ବସନ୍ତୁ ଚେୟାରରେ ।’’

 

ମି: ସାହୁ ସଦାନନ୍ଦକୁ ଗିରଫ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ, କିନ୍ତୁ ଅମୂଲ୍ୟବାବୁ ଅବସ୍ଥାଟା ଜାଣିପାରି ଇଙ୍ଗିତରେ ବାରଣ ଦେଲେ ଏବଂ ପକେଟ ଭିତରୁ ସିଗାରେଟ ଟିଣ ବାହାର କରି ଖଣ୍ଡେ ସଦାନନ୍ଦ ଆଉଖଣ୍ଡେ ମି: ସାହୁଙ୍କୁ ଦେଇ ନିଜେ ଖଣ୍ଡେ ଧରିଲେ । ତାପରେ ସଦାନନ୍ଦକୁ ଚାହିଁ କହିଲେ–

 

–‘‘ଦେଖନ୍ତୁ ସଦାନନ୍ଦ ବାବୁ ଅପଣଙ୍କ ଅବସ୍ଥା ଦେଖିଲେ ମନେହୁଏ ଆପଣ ଏଠିକି ଆତ୍ମସମର୍ପଣ କରିବାକୁ ଆସିଚନ୍ତି । ମୁଁ ଜାଣେ, ଅପଣଙ୍କ ଭିତରେ ଗୋଟିଏ ବିପୁଳ ଅନ୍ତର୍ଦ୍ଵନ୍ଦ୍ୱ ଆରମ୍ଭ ହେଇଚି । ବିଗତଦିନର ସ୍ମୃତିଗୁଡ଼ିକ ଆପଣଙ୍କ ପଛରେ ଘୂରି ବୁଲୁଚି । ସେ ସବୁର ବୀଭତ୍ସତା ଆପଣ ଆଉ ସହ୍ୟକରିପାରୁ ନାହାନ୍ତି । ଅଯଥାରେ ଆପଣ ଆଉ ଉତ୍ତେଜିତ ନହୋଇ ଧୀରେ ସୁସ୍ଥେ ସବୁ କଥା ଖୋଲି କହନ୍ତୁ ?

 

–‘‘ନା, ମି: ମହାନ୍ତି, ମୁଁ ତା ପାରିବିନି–ମୋଟେ ନୁହେଁ...’’

 

–‘‘ନିଶ୍ଚୟ ପାରିବେ । ମନକୁ ଦୃଢ଼ କରନ୍ତୁ । ସବଳ କରନ୍ତୁ ।’’

 

କିଛି ସମୟ ନୀରବ ରହିବା ପରେ ସଦାନନ୍ଦ ସିଧାଭାବରେ ବସି ଆରମ୍ଭ କଲା–

 

–ବେଶ୍, ଏଥର ମୋର ପୁରୁଣା ଇତିହାସ ଶୁଣନ୍ତୁ । ଠିକ୍ ଛଅବର୍ଷ ଆଗେ କଳ୍ପବଲ୍ଲୀ ନାମକ ଗୋଟିଏ ଝିଅ ସାଙ୍ଗେ ମୋର ପରିଚୟ ହୁଏ । ଧୀରେ ଧୀରେ ସେ ପରିଚୟ ପରିବର୍ତ୍ତିତ ହୋଇଯାଏ ନିବିଡ଼ ଭଲ ପାଇବାରେ । ମୁଁ ଥିଲି କଲେଜର ଜଣେ କୃତୀ ଛାତ୍ର । ଧନୀ ଘରର ପିଲା-। ତା’ଛଡ଼ା ମୋର ଦୈହିକ ସୌନ୍ଦର୍ଯ୍ୟ ସେତେବେଳେ ଅସୀମ ଥିଲା । ତେଣୁ ସେ ମୋପ୍ରତି ଆକୃଷ୍ଟ ହୋଇ ମୋତେ ଭଲ ପାଇ ଥିଲା ।

 

କିନ୍ତୁ ତାପରଠାରୁ ଯେମିତି ବିୟୋଗାନ୍ତକ ନାଟକ ଆରମ୍ଭ ହେଲା । ନିଷ୍କରୁଣ ବିଧାତା ଯେମିତି ମୋ ଜୀବନକୁ ନେଇ କଠୋର ଖେଳ ଖେଳିବାକୁ ଆରମ୍ଭ କଲା । ଦିନେ.....

 

କଥା ଶେଷ ହେଲାନି ।

 

ଗୁଡ଼ୁମ୍ ! ଗୁଡ଼ୁମ୍ !

 

ପ୍ରଚଣ୍ଡ ଶବ୍ଦ ।

 

ପିସ୍ତଲର ଗୁଳି । ଧୂଆଁ ।

 

ସଦାନନ୍ଦ ଚେୟାର ଉପରୁ ଚଟାଣ ଉପରେ ଲୋଟି ପଡ଼ିଲା । ଛଟପଟ ହୋଇ ସେ ଜ୍ଞାନଶୂନ୍ୟ ହୋଇଗଲା ।

 

ଅମୂଲ୍ୟବାବୁ ଆଉ ମି: ସାହୁ ତା’ଆଡ଼େ ଆଗେଇ ଆସିଲେ । ଝରକାସେପଟୁ ଗୁଳିକରି ସଦାନନ୍ଦକୁ ଆହତ କରାଯାଇଚି ।

ସମସ୍ତେ ବାହାରକୁ ଛୁଟି ଆସିଲେ ।

ଗୋଟିଏ ଦ୍ରୁତଗାମୀ ଆବୃତ୍ତ କଳାରଙ୍ଗର ମୋଟର ଚାଲିଯାଉଥିବାର ଦେଖାଗଲା ।

ବ୍ୟସ୍ତ ହୋଇ ମି: ସାହୁ ଚିତ୍କାର କରି ଉଠିଲେ, ‘‘ସେମାନଙ୍କୁ ଅନୁସରଣ କରନ୍ତୁ ମି: ମହାନ୍ତି ! ବର୍ତ୍ତମାନ ଗାଡ଼ି ପ୍ରସ୍ତୁତ ହେବାକୁ କୁହନ୍ତୁ ।’’

ଅମୂଲ୍ୟବାବୁ ହସି ହସି କହିଲେ, ‘‘ସେଥିପାଇଁ ଏତେବ୍ୟସ୍ତ ହେବା କିଛିଦରକାର ନାହିଁ ମି:ସାହୁ ! ସେମାନେ କେଉଁଠି ମିଳିବେ ସେ କଥା ମୋତେ ଜଣାଅଛି । ଚାଲନ୍ତୁ ଭିତରକୁ ଯିବା ।

X X X X

ସନ୍ଧ୍ୟା ହୋଇ ଯାଇଚି ।

ଅମୂଲ୍ୟବାବୁ ଆଉ ମି:ସାହୁ ସହରର ଦକ୍ଷିଣାଞ୍ଚାଳର ନିର୍ଜନ ଅଂଶରେ ଥିବା ଗୋଟାଏ ଘର ଆଗରେ ଚଲା ବୁଲା କରୁଥିବାର ଦେଖାଗଲା ।

ଅମୂଲ୍ୟବାବୁ ମି:ସାହୁଙ୍କୁ କହିଲେ, ‘‘ଆପଣ ଏଇଠି ଅପେକ୍ଷା କରି ଥାଆନ୍ତୁ । ମୁଁ ଘରଭିତରକୁ ଯାଉଚି ।’’

–‘‘କିନ୍ତୁ ହଠାତ୍ ଆପଣ ଏତେବଡ଼ ବିପଦ ମୁଣ୍ଡକୁ କାହିଁକି ଯେ ନେଉଚନ୍ତି, ସେକଥା ମୁଁ ବୁଝି ପାରୁନି ମି: ମହାନ୍ତି ?’’

–‘‘ଆପଣଙ୍କର ବୋଧହୁଏ ମନେଥିବ ଯେ, ମୁଁ କହିଥିଲି ସେମାନେ କେଉଁଠାରେ ମିଳିବେ ମୋତେ ଜଣାଅଛି; ସେଇ ସୂତ୍ର ଟିକକ ବାହାର କରିବା ପାଇଁ ବର୍ତ୍ତମାନ ଏଠାକୁ ଆସିବାକୁ ହୋଇଚି । ଆପଣ ଅପେକ୍ଷା କରନ୍ତୁ, ମୁଁ ଆସୁଚି ।’’

ଏହା କହି ଅମୂଲ୍ୟବାବୁ ଦ୍ରୁତଗତିରେ ଘରର ପାଣି ପାଇପ୍ ଧରି ଉଠିଗଲେ ।

ଦୋମହଲାର ଝରକା ।

ଅମୂଲ୍ୟବାବୁ ଭିତରକୁ ନ ଯାଇ ଝରକା ଆଗରେ ଠିଆହୋଇ ଭିତରକୁ ଦୃଷ୍ଟି ପକେଇବାକୁ ଲାଗିଲେ ।

ଘର ଭିତରେ ଗୋଟିଏ ଟେବୁଲର ଦୁଇ ପାଖରେ ଦୁଇ ଜଣ ଲୋକ ବସି କଥାବାର୍ତ୍ତା ହେଉଥିଲେ । ଜଣେ କହିଲା, ‘‘ମୋ କଥାର ଉତ୍ତର ବର୍ତ୍ତମାନ ପାଇଲି ନି !’’

–‘‘ମୋର ଉତ୍ତର ଦେବାର କିଛି ନାହିଁ, ଘଟଣାର ମୂଳ କେନ୍ଦ୍ର ହେଉଚି କେନାଲ ପାଖରେ ଘଟିଥିବା ଘଟଣା ଉପରେ, ଅନ୍ୟ ଲୋକଟି କହିଲା ।

–‘‘ତାର ମାନେ ?’’

–‘‘କେବେ ତାଠାରୁ ଉତ୍ତର ପାଇବି ପଚାରିପାରେକି ?’’

–‘‘ନିଶ୍ଚୟ, ଯେତେ ଚଞ୍ଚଳ ସମ୍ଭବ ଚେଷ୍ଟା କରୁଚି, ମନେହୁଏ ଦିନେ ଦି ଦିନ ମଧ୍ୟରେ...’’

–ମୁଁ କେବଳ ଉପଲକ୍ଷ ମାତ୍ର; ଏ ଘଟଣାରେ ମୋର କିଛି କରିବାର ନାହିଁ । ତା’ ପାଖରୁ ଉତ୍ତର ନପାଇଲେ....’’

କଥା ଶେଷ ହେଲାନି ।

ଅମୂଲ୍ୟବାବୁ ପ୍ରବଳ ବେଗରେ ଛିଙ୍କିଦେଲେ, ବହୁ ଚେଷ୍ଟାକରିବି ସେ ଛିଙ୍କଟାକୁ କୌଣସି ପ୍ରକାର ରୋକି ପାରିଲେନି ।

–‘‘କିଏ ?’’ ଭିତରର ଲୋକ ଦୁଇଟା ଉଠି ଠିଆ ହେଲେ ।

ତରତର ହୋଇ ଅମୂଲ୍ୟବାବୁ ପୁଣି ପାଣି ପାଇପ ଧରି ଓହ୍ଲାଇ ଆସିଲେ ।

ମି: ସାହୁ ଉପରର ଅବସ୍ଥା ବୁଝିପାରି ସେତେବେଳକୁ ଜିପ୍ ଖଣ୍ଡକ ଷ୍ଟାର୍ଟ କରି ରଖି ଥାଆନ୍ତି । ଅମୂଲ୍ୟବାବୁ ଆସିବା ମାତ୍ରେ ତାଙ୍କୁ ଜିପ୍‍ରେ ବସାଇ ସେଠାରୁ ଚାଲି ଆସିଲେ ।

ପଛରେ ଚିତ୍କାର ଶୁଭୁଥିଲା–ଚୋର ! ଚୋର !

ଘନ ଘନ କୁକୁରର ଚିତ୍କାର ।

ହଠାତ୍ ଅମଲାପଡ଼ା ଛକରେ ଥିବା ବସନ୍ତ–ନିବାସ ଆଗରେ ସେଦିନ ଦିନ ନଅଟାବେଳେ ଡିଟେକ୍‍ଟିଭ୍ ଅମୂଲ୍ୟ ମହାନ୍ତିଙ୍କ ଗାଡ଼ି ଖଣ୍ଡିକ ଠିଆହେଲା ।

କବାଟ୍ ଖଡ଼୍‍ ଖଡ଼୍‍ ଶୁଣି ଗୋଟିଏ ଚାକରାଣୀ ବାହାରି ଆସି ପଚାରିଲା, ‘‘କାହାକୁ ଖୋଜୁଚନ୍ତି ?’’

–‘‘ଉମାଦେବୀଙ୍କୁ ।’’

–‘‘ନା, ସେ ସକାଳୁ ଘରେ ନାହାଁନ୍ତି ।’’

–‘‘କୁଆଡ଼େ ଯାଇଚନ୍ତି କହିପାରିବ ?’’

–‘‘ନା ସେ କିଛି କହି ନାହାଁନ୍ତି ।’’

–‘‘ଆଶ୍ଚର୍ଯ୍ୟ ! ଗୁମାସ୍ତା ବାବୁ ଘରେ ଅଛନ୍ତି ?’’

–‘‘ସକାଳୁ ସେ କୁଆଡ଼େ ବାହାରକୁ ଯାଇଚନ୍ତି ।’’

ଅମୂଲ୍ୟବାବୁ ନିଜର ପରିଚୟ ଦେଇ ବସନ୍ତ ନିବାସ ପରୀକ୍ଷା କରିବାକୁ ଲାଗିଲେ । ରାଧାରମଣ ବାବୁଙ୍କ ଶୟନ କକ୍ଷ ପରୀକ୍ଷା କରି ଦେଖିଲେ, ସେଭଳି କିଛି ସୂତ୍ର ପାଇବାଭଳି ଜିନିଷ ନାହିଁ ।

ଟେବୁଲ ଡ୍ରୟରଟା ଭିଡ଼ିଦେବା ମାତ୍ରେ ତା ଭିତରେ ରହିଥିବା ଖଣ୍ଡେ ଚିଠିଉପରେ ନଜର ପଡ଼ିଲା, ସେ ଖଣ୍ଡିକ ଉଠାଇ ଆଣି ଅମୂଲ୍ୟବାବୁ ପଢ଼ିବାକୁ ଲାଗିଲେ ।

ସେଥିରେ ଲେଖା ଥିଲା–

ଶ୍ରଦ୍ଧେୟା ଉମାଦେବୀ,

 

କେତେକ କାରଣରୁ ତୁମ ସଙ୍ଗେ ଦେଖା କରିବା ମୋର ଜରୁରୀ ଦରକାର ପଡ଼ୁଚି । ଏମିତି କେତେ ଗୁଡ଼ିଏ କଥା ଆଜି ତୁମକୁ ଜଣେଇବି ଯେଉଁଥିରେ ତୁମେ ବାପାଙ୍କର ଏଇ ଅନ୍ତର୍ଦ୍ଧାନ ବିଷୟରେ ସଠିକ୍ ଧାରଣା ପାଇ ପାରିବ । ଏ ଚିଠି ପାଇ ଏଠାକୁ ଆସିଲେ ସମସ୍ତ ବିଷୟ ଜାଣିବ-। ଖୁବ୍ ସାବଧାନରେ ଆସିବ । ଯେତେ ଶୀଘ୍ର ଆସିବ ସେତେ ଭଲ । ମନେ ରଖିବ ଶତ୍ରୁର ଚକ୍ରାନ୍ତରେ ମୋର ଜୀବନ ବି ବିପନ୍ନ ।

 

ଏ ଚିଠି କଥା କାହାରିକୁ ଜଣେଇବନି । ଏକଥା ଗୋପନ ନରଖିଲେ ମୋର ଓ ତୁମର ଜୀବନ ବିପନ୍ନ ହୋଇ ପାରେ । ସାବଧାନ ! କାହାରି କୌଣସି କଥା ବିଶ୍ୱାସ କରିବନି । ଇତି–

 

ତୁମର ଶୁଭାନୁଧ୍ୟାୟୀ

ନୀଳମଣି ପାତ୍ର

 

ଚିଠି ଖଣ୍ଡିକ ପଢ଼ି ଅମୂଲ୍ୟବାବୁଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ତାହେଲେ ଏଇ ଚିଠିଖଣ୍ଡକ ପଢ଼ି ଉମାଦେବୀ ସକାଳୁ ବାହାରି ଯାଇଚନ୍ତି । ବୋଧହୁଏ କୌଣସି ବିପଦରେ ପଡ଼ିଯାଇଚନ୍ତି ।

 

ନୀଳମଣି ପାତ୍ରଙ୍କ ନାମ ସେ ଆଗରୁ ରମାଦେବୀଙ୍କ ମୁହଁରୁ ଶୁଣିଥିଲେ । ଚିଠିର ଉପର ଅଂଶ ଉପରେ ନଜର ପଡ଼ିବାରୁ ଜାଣିପାରିଲେ ତାହା ନିକଟସ୍ଥ ଅଞ୍ଚଳରୁ ଆସିଚି ।

 

କାଳ ବିଳମ୍ୱ ନକରି ଅମୂଲ୍ୟବାବୁ ଚିଠି ଖଣ୍ଡିକ ଧରି ନୀଳମଣି ପାତ୍ରଙ୍କ ସହିତ ସାକ୍ଷାତ କରିବା ପାଇଁ ଚାଲିଲେ ।

 

ଘରଟା ଖୋଜିବା ପାଇଁ ବେଶି ପରିଶ୍ରମ କରିବାକୁ ପଡ଼ିଲାନି । ସାଙ୍ଗେ ସାଙ୍ଗେ ନୀଳମଣି ପାତ୍ରଙ୍କ ଦେଖା ମଧ୍ୟ ମିଳିଗଲା । ଅମୂଲ୍ୟବାବୁଙ୍କୁ ଫାଟକ ପାର ହୋଇ ଆସୁଥିବାର ଦେଖି ସେ ପଚାରିଲେ, ‘‘ମୋ ପାଖରେ ଆପଣଙ୍କର କଣ କିଛି କାମ ଅଛି ?’’

 

ଅମୂଲ୍ୟବାବୁ ନିଜର ପରିଚୟ ଦେଇ କହିଲେ, ‘‘ଆଜି ସକାଳେ ଆପଣଙ୍କର ଖଣ୍ଡେ ଚିଠି ପାଇ ରାଧାରମଣ ବାବୁଙ୍କ ଝିଅ ଉମାଦେବୀ ଆପଣଙ୍କ ସାଙ୍ଗେ ଦେଖା କରିବାକୁ ଆସିଥିଲେ; କିନ୍ତୁ ଏପର୍ଯ୍ୟନ୍ତ ସେ ଘରକୁ ଫେରି ନାହାନ୍ତି ।’’

 

–‘‘ମୋର ଚିଠି ?’’

 

–‘‘ହଁ, ଏଇ ଦେଖନ୍ତୁ ।’’ ଅମୂଲ୍ୟବାବୁ ପକେଟ ମଧ୍ୟରୁ ଚିଠି ଖଣ୍ଡିକ କାଢ଼ି ଦେଖାଇଲେ ।

 

–‘‘ଆଶ୍ଚର୍ଯ୍ୟ ! ଏ ଚିଠି ତ ମୋ ଲେଖା ନୁହେଁ, ତେବେ ଦେଖୁଚି ମୋ ହାତ ଅକ୍ଷରକୁ ଅବିକଳ ନକଲ କରାଯାଇଚି ।’’

 

ଅମୂଲ୍ୟବାବୁ ଭ୍ରୂକୁଞ୍ଚନ କରି କହିଲେ, ‘‘ତାହେଲେ ଆପଣ ସ୍ୱୀକାର କରୁଚନ୍ତି ଯେ, ଚିଠିଟା ଜାଲ୍ ?’’

 

–‘‘ନିଶ୍ଚୟ ।’’

 

–‘‘ତାହେଲେ ଆପଣଙ୍କ ହାତର ଲେଖା ସେ ପାଇଲା କେମିତି ?’’

 

–‘‘ସେ କଥା ତ ମୁଁ କହି ପାରିବିନି ଅମୂଲ୍ୟବାବୁ ! ବିଶ୍ୱାସ କରନ୍ତୁ, ମୁଁ ଏସବୁ ବିଷୟରେ କିଛି ଜାଣେନି ।’’

 

ସାମାନ୍ୟ ହସି ଅମୂଲ୍ୟବାବୁ କହିଲେ, ମୁଁ ମଧ୍ୟ ଏଇୟା ଭାବୁଥିଲି । ଉମାଦେବୀଙ୍କୁ ଫାନ୍ଦରେ ପକେଇବା ପାଇଁ କେହି ଚିଠିଟା ଦେଇଚି । ଆଚ୍ଛା–ଯାଉଚି, ମିଛରେ ଆସି ଆପଣଙ୍କୁ ବିରକ୍ତ କଲି ।’’

 

–‘‘ନା ନା ବରଂ ମୁଁ ଖୁସି ହେଲି ଯେ, ଆପଣ ଏ କେଶ୍ ହାତକୁ ନେଇଚନ୍ତି । ଏ ଦିଗରେ ଆପଣ ମୋଠାରୁ ସବୁପ୍ରକାରର ସାହାଯ୍ୟ ଆଶା କରି ପାରନ୍ତି ।’’

 

ଧନ୍ୟବାଦ ଜଣାଇ ଅମୂଲ୍ୟବାବୁ ସେଠାରୁ ଫେରି ଆସି ସେଲ୍‍ଫ୍ ଉପରେ ଗୋଡ଼ ଥୋଇ ଗାଡ଼ି ଷ୍ଟାର୍ଟ କରିବାର ଉଦ୍ୟମ କଲେ ।

 

ଗାଡ଼ି ଷ୍ଟାର୍ଟ ଧରିଲାବେଳକୁ ଗୋଟାଏ ଉତ୍କଟ ଗନ୍ଧ ଆସି ଅମୂଲ୍ୟବାବୁଙ୍କ ନାକରେ ବାଜିଲା । ପକେଟ ଭିତରୁ ରୁମାଲ କାଢ଼ିଲାବେଳକୁ ତାଙ୍କର ଅବଶ ମୁଣ୍ଡଟା ଢଳି ପଡ଼ିଲା ଷ୍ଟିଅରିଂ ଉପରେ ।

 

ଅମୂଲ୍ୟବାବୁଙ୍କ ଜ୍ଞାନ ଫେରି ଆସିବାରୁ ସେ ଧୀରେ ଧୀରେ ଆଖି ଖୋଲି ଚାହିଁଲେ; କିନ୍ତୁ ଚାରିଆଡ଼ କେବଳ ଅନ୍ଧାର । ରାତି କି ଦିନ କିଛି ଜଣାପଡ଼ୁ ନଥାଏ ।

 

ଅନେକ କଷ୍ଟରେ ସେ ଉଠି ବସିଲେ; କିନ୍ତୁ ମୁଣ୍ଡ ଭିତରଟା ତାଙ୍କର ସେତେବେଳେ ଝିମ୍‍ଝିମ୍ କରୁଥିଲା । ହାତ ଦୁଇଟାକୁ ଟାଣିବାରୁ ଜଣା ପଡ଼ିଲା ତାହା ଟାଣ ଦଉଡ଼ିରେ ବନ୍ଧା ଯାଇଚି-

 

ହଠାତ୍‍ ଘରର ଗୋଟାଏ କୋଣରେ ନଜର ପଡ଼ିବାରୁ ଅମୂଲ୍ୟବାବୁ ଚମକି ଉଠିଲେ । ସେଠାରେ ଆଉ ଗୋଟିଏ ମଣିଷ ବନ୍ଦୀ ଅବସ୍ଥାରେ ଚୁପ୍ ଚାପ୍ ଶୋଇଥିଲା । ତାର ବି ହାତ ଗୋଡ଼ ବନ୍ଧା ହେଲାପରି ମନେ ହେଉଥିଲା ।

 

ଅନେକ କଷ୍ଟରେ ଅମୂଲ୍ୟବାବୁ ଆଗେଇ ଗଲେ । ଗୋଟିଏ ବନ୍ଦିନୀ ନାରୀ । ଅମୂଲ୍ୟବାବୁ ତାକୁ ପଚାରିଲେ, ‘‘ଆପଣ କଣ ସୁସ୍ଥ ଅଛନ୍ତି ?’’

 

ଝିଅଟି ଚମକି ଉଠିଲା । ତାପରେ ଅମୂଲ୍ୟବାବୁଙ୍କ ଆଡ଼େ ଚାହିଁ କହିଲା, ‘‘ଆପଣଙ୍କର ତାହେଲେ ଜ୍ଞାନ ଫେରିଲାଣି ?’’

 

ଅମୂଲ୍ୟବାବୁ ବୁଝି ପାରିଲେ ଏ ହେଉଚି ରାଧାରମଣବାବୁଙ୍କ ଝିଅ ଉମା ! ସେ ନିଜର ପରିଚୟ ଦେଉ ଦେଉ ଧୀରେ ଧୀରେ ଉମାହାତରେ ବନ୍ଧା ହୋଇଥିବା ଦଉଡ଼ିଟା ଫିଟାଇବାରେ ଲାଗିଲେ । ଅନେକ କଷ୍ଟ ଓ ଚେଷ୍ଟାପରେ ଉମା ହାତର ଦଉଡ଼ି ଫିଟିଗଲା । ତା ପରେ ସେ ନିଜ ହାତ ଦୁଇଟା ଉମା ଆଗରେ ଟେକି ଧରିଲେ ।

 

ଉମା ଅମୂଲ୍ୟବାବୁଙ୍କ ହାତରେ ବନ୍ଧା ହୋଇଥିବା ଦଉଡ଼ି ଫିଟାଇ ଦେଲା ।

 

ଏତିକିବେଳେ ବାହାରେ ପାଦଶବ୍ଦ ଶୁଣାଗଲା । ଦୁଇଜଣ ଲୋକ ଘରଭିତରକୁ ଆସିଲେ । ଜଣଙ୍କର ଗୋଟିଏ ହାତରେ ଟର୍ଚ୍ଚ ଅନ୍ୟ ହାତରେ ଖାଦ୍ୟପୂର୍ଣ୍ଣ ଦୁଇଟି ଥାଳି । ଅନ୍ୟଜଣଙ୍କ ହାତରେ ଗୋଟାଏ ପିସ୍ତଲ ରହିଚି ।

 

–‘‘ଏଇତ ଜ୍ଞାନ ଫେରି ଆସିଲାଣି ।’’

 

ଅମୂଲ୍ୟବାବୁ ଏପରି ଭାବରେ ଚୁପ୍‍ ହୋଇ ଶୋଇଥିଲେ ଯେ, ସେମାନେ ଜାଣିପାରିଲେନି ତାଙ୍କର ହାତ ଦୁଇଟା ମୁକ୍ତ ହୋଇଚି ବୋଲି ।

 

ଆକସ୍ମିକ ଭାବରେ ସେ ପିସ୍ତଲ ଧାରୀ ଲୋକଟାର ହାତଉପରକୁ ବାଘ ପରି ଝାମ୍ପି ପଡ଼ିଲେ । ସାଙ୍ଗେ ସାଙ୍ଗେ ସେ ଲୋକଟିର ହାତରୁ ପିସ୍ତଲଟା ତଳେ ଖସି ପଡ଼ିଲା । ଅମୂଲ୍ୟବାବୁ ଖୁବ୍ ଶୀଘ୍ର ସେଇଟା ଉଠେଇ ନେଇ ବଜ୍ରକଣ୍ଠରେ କହିଉଠିଲେ, ‘‘ମୁଣ୍ଡଉପରକୁ ହାତ ଉଠାଅ, ନହେଲେ ତୁମକୁ କୁକୁର ପରି ଗୁଳି କରି ମାରିବି ।’’

 

ଲୋକଦୁଇଟି ହାତରେ ଧରିଥିବା ଜିନିଷଗୁଡ଼ିକ ପକେଇ ଦେଇ ଦୁଇହାତ ଉପରକୁ ଉଠାଇ ଠିଆ ହେଲେ ।

 

ଅମୂଲ୍ୟବାବୁ ଉମାକୁ ଚାହିଁ କହିଲେ, ‘‘ତୁମେ ସେ ଦୁହିଁଙ୍କୁ ତଳେ ପଡ଼ିଥିବା ଦଉଡ଼ି ଗୁଡ଼ାକରେ ବାନ୍ଧି ପକାଅ । ଟିକିଏ ବାଧାଦେଲେ ମୁଁ ସେମାନଙ୍କୁ ଗୁଳି କରିବି ।

 

ଉମା ଖୁବ୍ ଶୀଘ୍ର ଲୋକ ଦୁଇଟାଙ୍କୁ ଭଲ ଭାବରେ ବାନ୍ଧି ପକାଇଲା । ତାପରେ ଦୁହେଁ ଯାକ ସେଲୋକ ଦୁଇଟି ପିନ୍ଧିଥିବା ପୋଷାକ ନିଜେ ପିନ୍ଧି ପକାଇଲେ । ନିଜର ପୋଷାକଗୁଡ଼ିକ ଲୋକ ଦୁଇଟାଙ୍କୁ ପିନ୍ଧାଇ ଦେଲେ ।

 

ବାହାରୁ କବାଟ ବନ୍ଦ କରି ଦୁହେଁ ଦ୍ରୁତ ଗତିରେ ଆଗେଇ ଗଲେ ।

 

X X X X

 

... କ୍ରିଂ…କ୍ରିଂ….କ୍ରିଂ….

 

–‘‘ହ୍ୟା ଲୋ ?’’

 

ପୋଲିସ ଅଫିସର ମି: ସାହୁ ଫୋନ୍ ଉଠେଇଲେ ।

 

–‘‘ମୁଁ ଅମୂଲ୍ୟ ମହାନ୍ତି କହୁଚି ।’’

 

–‘‘ଓ ମି: ମହାନ୍ତି ! ଖବର କଣ ?’’

 

–‘‘ସଦାନନ୍ଦ କେସ୍‍ଟାର ଯଦି ସମାଧାନ କରିବାକୁ ଚାହୁଁଥାଆନ୍ତି, ତାହେଲେ ସଦଳବଳେ ଶୀଘ୍ର ଅମଲାପଡ଼ା ଛକରେ ଥିବା ବସନ୍ତ ନିବାସକୁ ଆସନ୍ତୁ । ଟିକିଏ ଡେରି କଲେ ଆସାମୀ ଚମ୍ପଟ୍‍ ଚଢ଼େଇବାର ଯଥେଷ୍ଟ ସମ୍ଭାବନା ଅଛି ।’’

 

–‘‘ଆପଣ ବର୍ତ୍ତମାନ କେଉଁଠି ?’’

 

–ବସନ୍ତ ନିବାସର ଖୁବ୍ ନିକଟରେ ଅଛି । ଘଟଣା ଉପରକୁ ଯିବା ଆଗରୁ ମୋର ଦେଖା ପାଇବେ । ଖୁବ୍ ଶୀଘ୍ର ।

 

–‘‘ଏଇ ବାହାରିଲି ।’’

 

ଆଗରେ ଗୋଟିଏ ପୋଲିସ ଜିପ୍ ଆଉ ପଛରେ ପୋଲିସ ଭ୍ୟାନ୍ ଅମଲାପଡ଼ା ଆଡ଼େ ଛୁଟିଥିବାର ଦେଖାଗଲା । ବାଟରେ ଗାଡ଼ି ଅଟକାଇ ଅମୂଲ୍ୟବାବୁ ମି: ସାହୁଙ୍କ କାନରେ କଣ କହିଲେ ଏବଂ ଜିପ୍‍ର ପଛ ସିଟ୍‍ ରେ ଉଠି ବସିଲେ ।

 

ସକାଳ ହେବାକୁ ଡେରି ଅଛି । ବସନ୍ତ ନିବାସ ଆଗରେ ପୋଲିସ ଗାଡ଼ି ଦୁଇଟି ଆସି ଠିଆହେଲା । ମି: ସାହୁ କବାଟ ଖଡ଼୍ ଖଡ଼୍ କରିବାରୁ ରାଧାରମଣ ବାବୁଙ୍କ ଗୁମାସ୍ତା ଆସି କବାଟ ଫିଟାଇ ପଚାରିଲେ, ‘‘ଆପଣ କାହାକୁ ଖୋଜୁଚନ୍ତି ?’’

 

–‘‘ତୁମକୁ ।’’

 

–‘‘ମତେ ! କଣ ଦରକାର ?’’

 

ମି: ସାହୁ ତାଙ୍କ ହାତରେ ହାତକଡ଼ି ଦେଉ ଦେଉ କହିଲେ, ‘‘ତୁମ ବିରୁଦ୍ଧରେ ନରହତ୍ୟା, ଚୋରି ଏବଂ ଜାଲିଆତି ଅଭିଯୋଗ ପ୍ରମାଣିତ ହୋଇଚି; ସେଥିପାଇଁ ତୁମକୁ ଗିରଫ୍ କରିବାକୁ ବାଧ୍ୟ ହେଲି ।’’

 

ଗୁମାସ୍ତା ରାଗରେ ଗର୍ଜିଉଠି କହିଲେ, ‘‘କୋଉ ପ୍ରମାଣ ବଳରେ ଆପଣ ମୋହାତରେ ହାତକଡ଼ି ଦେଉଚନ୍ତି ?’’

 

ଜିପ୍‍ରୁ ଓହ୍ଲାଇ ପଡ଼ି ଅମୂଲ୍ୟବାବୁ କହିଲେ, ‘‘ରାଧାରମଣ ବାବୁ ଯେ ଜଣେ କଣ୍ଟ୍ରାକ୍ଟର ବନ୍ଧୁଙ୍କ ଠାରୁ ଦଶହଜାର ଟଙ୍କା ଧାର ଆଣିବା ପାଇଁ ଯାଇଥିଲେ ତୁମେ ଏକଥା ଜାଣ । ତେଣୁ ତୁମେ ସଦଳବଳ ଧରି ତାଙ୍କୁ ଫେରିବାବାଟରେ ମାରି ପକାଇଲ । ସେଠାରୁ ଗୋଟାଏ ଛୁରି ମିଳିଚି, ଯେଉଁଥିରେକି ତୁମ ହାତର ଛାପାରହିଚି । ଏଣେ ସଦାନନ୍ଦ ସେଇଦିନ ରାତିରେ ଗୋଟିଏ କନେଷ୍ଟବଳକୁ ଖୁଣ୍ କରିଥିଲା । ତୁମେ ସେଇଠି ରାଧାରମଣବାବୁଙ୍କ ଶବ କ୍ଷତ ବିକ୍ଷତ ଅବସ୍ଥାରେ ରଖି କନେଷ୍ଟବଳର ଛିନ୍ନ ଦେହ କେନାଲରେ ଭସେଇ ଦେଇଥିଲ ।

 

ସଦାନନ୍ଦ ଯେତେବେଳେ ପ୍ରକୃତ ଘଟଣା କହିବାକୁ ଯାଉଥିଲା ସେତେବେଳେ ତୁମେ ଓ ତୁମଦଳର ଲୋକ ତାକୁ ଗୁଳି କରିଥିଲା । ସଦାନନ୍ଦ ଯାହାକୁ ଖୁଣ୍ କରିଥିଲା ତାର ମୁହଁ ଅକ୍ଷତ ଥିଲା ।

 

କେହି ଯେମିତି ଚିହ୍ନିପାରିବେନି, ଏହି ଉଦ୍ଦେଶ୍ୟରେ ତୁମେ ରାଧାରମଣ ବାବୁଙ୍କ ମୁହଁଟାକୁ କ୍ଷତବିକ୍ଷତ କରିଦେଇଥିଲ ।

 

ତାପରେ ତୁମେ ଉମାଦେବୀଙ୍କ ପାଖକୁ ନୀଳମଣୀ ପାତ୍ର ନାମରେ ଖଣ୍ଡେ ଜାଲ୍‍ଚିଠି ଦେଇଥିଲ ତାର–ଅର୍ଥ ହେଉଚି ଉମା ଦେବୀଙ୍କୁ ଫାନ୍ଦରେ ପକାଇ ଦୋଷଟା ନୀଳମଣି ପାତ୍ର ମୁଣ୍ଡରେ ଲଦିଦେବା । ରାଧାରମଣବାବୁଙ୍କ ପାଖକୁ ନୀଳମଣି ପାତ୍ର ଚିଠିପତ୍ର ଦିଅନ୍ତି, ତେଣୁ ସେ ଚିଠି ଅବିକଳ ନକଲ କରିବାକୁ ତୁମକୁ କଷ୍ଟ ପଡ଼ିନଥିଲା; କିନ୍ତୁ ତୁମର ସେ ଉଦ୍ଦେଶ୍ୟ ସିଦ୍ଧ ହୋଇ ପାରିଲାନି । ମୋତେ ଜବତ୍ କରିବାକୁ ଯାଇ ତୁମେ ମସ୍ତଭୁଲ କଲ ।

 

ଗୁମାସ୍ତା ମହାଶୟ ! ସଦାନନ୍ଦ ମରିନି, ସାମାନ୍ୟ ଆଘାତ ମାତ୍ର ପାଇଥିଲା । ତୁମର ସ୍ୱରୂପ ସେ ଜାଣେ । ତୁମେ ଯେ ତଳବଜାରର ପ୍ରସିଦ୍ଧ ଗୁଣ୍ଡା ନସିମ୍ ମିଆଁ ଏଥିରେ କୌଣସି ସନ୍ଦେହ ନାହିଁ ।

 

ଗୁମାସ୍ତା ଓରଫ୍ ନସିମ୍ ମିଆଁ ସେତେବେଳକୁ ନିର୍ବାକ । କେତେବେଳେ ଯାଇ ସେ ତାର ଦଳବଳସହିତ ପୋଲିସ ଲରିରେ ଉଠିଚି ସେ କଥା ତାର ସ୍ମରଣ ନାହିଁ ।

Image

 

Unknown

ପାଞ୍ଚନମ୍ବର ବିପ୍ଳବୀ

 

ବିଖ୍ୟାତ ପ୍ରାଇଭେଟ ଡିଟେକ୍‍ଟିଭ ଅମୂଲ୍ୟ ମହାନ୍ତିଙ୍କ ବସାଠାରୁ ଅଳ୍ପ ଦୂରରେ ଗୋଟିଏ ବୃହତ ପାର୍କ ଅଛି । ପୋଲିସ ଅଫିସର କାଶୀନାଥ ସାହୁ ପ୍ରତିଦିନ ପ୍ରାତଃ ଭ୍ରମଣରେ ସେଠାକୁ ଆସନ୍ତି । ସେଦିନ ଡିଟେକ୍‍ଟିଭ ମି: ମହାନ୍ତି ଆଉ ତାଙ୍କର ବନ୍ଧୁ ଓ ସହକାରୀଜୀବନ ଦାସ ବସି ଚା ଖାଉଚନ୍ତି; ହଠାତ୍ ପୋଲିସ ଅଫିସର ମି: ସାହୁ ପ୍ରାତଃଭ୍ରମଣ ପୋଷାକରେ ଘରଭିତରକୁ ପଶି ଆସିଲେ । ଅମୂଲ୍ୟବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିଛି ଜରୁରୀ ସମ୍ବାଦ ଧରି ଆପଣ ଏତେସକାଳୁ ନିଶ୍ଚୟ ଆସିଚନ୍ତି ।’’

 

ମି: ସାହୁ ଗୋଟାଏ ଚେୟାର ଉପରେ ବସୁ ବସୁ କହିଲେ ‘‘ହଁ, ମି:ମହାନ୍ତି । ଆଜିକି ଦୁର୍ଯୋଗରେ ରାତି ପାହିଥିଲା କେଜାଣି ! ସକାଳଟାରୁ ମଣିଷ ଗୋଟାଏ ମୁର୍ଦ୍ଦାର ମୁହଁ ଦେଖିଲା ।’’

 

ହସି ହସି ଅମୂଲ୍ୟବାବୁ ପଚାରିଲେ, ‘‘ଏତେ ସକାଳୁ କେଉଁଠି ଏମିତି ମୁର୍ଦ୍ଦାର ଦର୍ଶନ ଆପଣ ପାଇଲେ ?’’

 

–‘‘ସକାଳୁ ବୁଲିବାକୁ ଆସି ଦେଖେତ ଗୋଟାଏ ଲୋକ ପାର୍କ ଭିତରେ ମୁହଁ ମାଡ଼ି ଶୋଇଚି, ଡାକିଲେ ବି କୌଣସି ଜବାବ୍‍ ମିଳିଲାନି, ଦେହରେ ହାତ ଦେଇ ଦେଖିଲି କେତେବେଳୁ ମରିଯାଇଚି ।’’

 

–‘‘ଆଶ୍ଚର୍ଯ୍ୟ ! ପାର୍କ ଭିତରେ ମୃତଦେହ ! ଆଉ ପ୍ରଥମ ଆବିଷ୍କାରକ ସ୍ୱୟଂ ପୋଲିସ ଅଫିସର ! ଦେଖୁଚି ଏତ ଅଦ୍ଭୁତ ଯୋଗାଯୋଗ !’’

 

–‘‘ଅବିଶ୍ଵାସ କରିବାର କିଛି ନାହିଁ, ଚାଲନ୍ତୁ ଦେଖିବେ ।’’

 

–‘‘ଚାଲନ୍ତୁ ଦେଖିବା । ଏତେବଡ଼ ଗୋଟାଏ ମଜାର ଘଟଣା । ବାସ୍ତବିକ ଆଜି ଗୋଟାଏ ସ୍ମରଣୀୟ ଦିନ ।’’

 

–‘‘ଆପଣଙ୍କ ପାଖେ ସ୍ମରଣୀୟ ହୋଇପାରେ, କିନ୍ତୁ ମୋ ପାଖରେ ଏଇଟା ବଡ଼ ଜଞ୍ଜାଳ ବ୍ୟତୀତ ଆଉ କିଛି ନୁହେଁ ।’’

 

–ଚାଲନ୍ତୁ ଆଗେ ଦେଖିବା ଘଟଣାଟା କଣ !’’

 

ସମସ୍ତେ ପାର୍କଆଡ଼େ ଆଗେଇ ଆସିଲେ ।

 

ପାର୍କର ଠିକ୍‍ ଗେଟ୍‍ ପାଖରୁ ଦଶ କୋଡ଼ିଏ ପାହୁଣ୍ଡ ଆଗେଇ ଆସି ଅଟକି ଗଲେ, ଗୋଟାଏ ଲୋକ ମୁହଁ ମାଡ଼ି ପଡ଼ିଚି । ଦେହର ଜାଗାଏ ଜାଗାଏ କାଦୁଅ ଲାଗିଚି । ଗଲା ରାତିରେ ବର୍ଷା ହୋଇଥିଲା, ତେଣୁ ମଝିରେ ସ୍ଥାନେ ସ୍ଥାନେ ପାଣି କାଦୁଅ ରହିଚି ।

 

ଅମୂଲ୍ୟବାବୁ ମୃତ ଦେହଟା ଆଡ଼େ ମନୋଯୋଗ ନଦେଇ ମାଟିଉପରେ ଠୁଙ୍କାହୋଇ ବସି ପଡ଼ିଲେ । ତାପରେ ମାଟି ଉପରେ କଣ ଯେମିତି ମନୋଯୋଗ ଦେଇ ଲକ୍ଷ୍ୟ କରୁଥାଆନ୍ତି ।

 

ମି: ସାହୁ କହିଲେ, ‘‘ମୃତ ଦେହଟାକୁ ନଦେଖି ସେଆଡ଼େ କଣ ଦେଖୁଚନ୍ତି । ଶେଷକୁ ଆପଣଙ୍କର ମୁଣ୍ଡ ଖରାପ ହେଲାନା କଣ ?’’

 

ଅମୂଲ୍ୟବାବୁ ହସି ହସି କହିଲେ, ‘ନା’ ମୃତ ଦେହଟା ପୋଷ୍ଟମର୍ଟମ ବିଭାଗ ଦେଖିବ, ମୁଁ ଦେଖିବି ଏଇ ମାଟି ଉପରେ ପଡ଼ିଥିବା ପାଦ ଚିହ୍ନଗୁଡ଼ାକୁ, ଦେଖୁନାହାଁନ୍ତି; ଓଦା ମାଟି ଉପରେ କେତେଗୁଡ଼ିଏ ପାଦଚିହ୍ନ ସ୍ପଷ୍ଟଭାବରେ ଦେଖାଯାଉଚି ।’’

 

–‘‘ତା’ତ ଦେଖୁଚି ।’’

 

–‘‘ଏଗୁଡ଼ାକ ହେଲା ଆପଣଙ୍କ ସ୍ଳିପର ଦାଗ । ଆପଣ ଏହା ପୂର୍ବରୁ ଥରେ ଆସିଥିଲେ, ଆଉ ଏ ଯେଉଁ ପାଦ ଚିହ୍ନ ଅଛି, ଏହା ଅନ୍ୟ ଦୁଇଜଣଙ୍କର । ଜଣେ ଏହା ମଧ୍ୟରୁ ଖୁବ୍‍ ଲମ୍ବାଚଉଡ଼ା ବୋଲି ମନେହୁଏ, ଦେହର ଓଜନ ବି ଯଥେଷ୍ଟ, ଅନ୍ୟଜଣକ ଟିକିଏ ଗେଡ଼ାଳିଆ । ଆଉ ଗୋଟାଏ ପାଦ ବୋଧହୁଏ ଟିକିଏ ଛୋଟ, ତେଣୁ ଛୋଟେଇ ଛୋଟେଇ ଚାଲେ ।’’

 

–‘‘ଆଶ୍ଚର୍ଯ୍ୟ, ଏତେ କଥା ଆପଣ ଜାଣିଲେ କେମିତି ?’’

 

–‘‘ଆପଣ ଦେଖୁନାହାଁନ୍ତି । ଲମ୍ବା ଚଉଡ଼ା ଲୋକଟିର ପାଦ ମାଟି ମଧ୍ୟରେ ଗଭୀର ଭାବରେ ପଶି ଯାଇଛି । ଆଉ ଏ ଲୋକଟାର ତାହା ହେଇନି । କିନ୍ତୁ ଏହାର ଗୋଟାଏ ପାଦର ଛାପ ଟିକିଏ ବେଶି ହେଲେବି ଅନ୍ୟଟା ତାହାନୁହେଁ । ତେବେ ଦୁହେଁଯାକ ଯେ ଏ ମୃତ ଦେହଟା ଧରାଧରି କରି ଏଠାରେ ଆଣି ପକେଇ ଦେଇ ଯାଇଛନ୍ତି ସେ କଥା ଜଣାପଡ଼ୁଚି ।’’

 

–‘‘କେମିତିଭାବେ ଜଣାପଡ଼ୁଚି ?’’

 

–‘‘ଗୋଟାଏ ମଣିଷକୁ ଧରି ନେଇ ଆସିଲେ ତାର ଓଜନରେ ପାଦର ଚାପା ଟିକିଏ ବେଶି ଗଭୀର ହୁଏ । ଦେଖନ୍ତୁ ଦୁହିଙ୍କର ପାଦଚିହ୍ନ ଆମ ପାଦ ଚିହ୍ନ ଅପେକ୍ଷା ଗଭୀରତାରେ ଅଧିକ ଅଛି ।’’

 

–‘‘କିନ୍ତୁ ଏକଥା ଜାଣି ଲାଭ କଣ ହେଲା ?’’

 

–‘‘ଲାଭ ହେଲା ଏଇୟା ଯେ, ଆମେମାନେ ବୁଝିପାରିଚେ ଖୁଣ୍‍ଟା ଏଠାରେ ହୋଇନି । ଅନ୍ୟ କେଉଁଠି ଖୁଣ୍‍ କରି ଏକୁ ଆଣି ଏଠାରେ ପକେଇ ଦିଆଯାଇଚି । ବର୍ତ୍ତମାନ ଆମକୁ ଜାଣିବାକୁ ହେବ–କେଉଁଠୁ ଏମାନେ ଆସିଥିଲେ, ବା ମୃତ ବ୍ୟକ୍ତିଟି କିଏ ?’’

 

କଥା ଶେଷକରି ଅମୂଲ୍ୟବାବୁ ପାଦର ଛାପଗୁଡ଼ିକ ଅନୁସରଣ କରି ଧୀର ପାଦରେ ଆଗେଇବାକୁ ଲାଗିଲେ । ଓଦାମାଟି ଉପରେ ପାଦ ଛାପଗୁଡ଼ିକ ଅନେକ ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ଦେଖାଯାଉଛି ।

 

ଠିକ୍‍ ଯେଉଁଠି ଦାଗଗୁଡ଼ିକ ଶେଷ ହୋଇଚି ସେଠାରେ ଦେଖାଗଲା ଗୋଟିଏ ମୋଟର ଚକର ଚିହ୍ନ ପଡ଼ିଚି । ଚକ ଚିହ୍ନ ପ୍ରଧାନ ରାସ୍ତାଆଡ଼େ ଆଗେଇ ଯାଇଚି ।

 

ଅମୂଲ୍ୟବାବୁ କହିଲେ, ‘‘ତାହେଲେ ଏବେ ଜଣାପଡ଼ିଲା, ଗାଡ଼ିକରି ଲୋକଟିକୁ ଆଣି ଧରାଧରି କରି ଏଠାରେ ପକେଇ ଦେଇ ଯାଇଚନ୍ତି । ଛାଡ଼, ଆମଦ୍ଵାରା ଯେତେଟା ସମ୍ଭବ ସାହାଯ୍ୟ କଲୁ; ମି: ସାହୁ, ଏଥର ଲାସ୍‍ଟାକୁ ପୋଷ୍ଟମର୍ଟମକୁ ପଠେଇ ଦିଅନ୍ତୁ । ଆଉ ଲାସ୍‍ର ଗୋଟାଏ ଫଟୋ ଉଠେଇ ଖବର କାଗଜରେ ଚିହ୍ନଟ ପାଇଁ ଛପେଇ ଦିଅନ୍ତୁ । ଆମେମାନେ ଯାଉଚୁ ।’’

 

ଏହା କହି ଅମୂଲ୍ୟବାବୁ ଆଉ ଜୀବନ ବସାକୁ ଫେରି ଆସିଲେ ।

 

ପୋଲିସ ଅଫିସର ମି: ସାହୁ ଜଣେ କନେଷ୍ଟବଳକୁ ଡାକି ତା ଜିମାରେ ଲାସ୍‍ଟିକୁ ଦେଇ ଥାନାଆଡ଼େ ଅଗ୍ରସର ହେଲେ ।

 

ସେଇଦିନ ଦିନ ଏଗାରଟା ।

 

ଅମୂଲ୍ୟବାବୁଙ୍କ ବସା ଆଗରେ ପୋଲିସ ଜିପ୍‍ଟା ଆସି ଠିଆହେଲା, ଜିପ୍‍ମଧ୍ୟରୁ ପୋଲିସ ସାହେବ ମି: ସାହୁ ଓହ୍ଲାଇ ଦ୍ରୁତ ପଦକ୍ଷେପରେ ଭିତରକୁ ଆଗେଇ ଆସିଲେ ।

 

ପୋଲିସ ସାହେବଙ୍କୁ ଦେଖି ଅମୂଲ୍ୟବାବୁ କହିଲେ, ‘‘ଏ ଅସମୟରେ ?’’

 

–‘‘ସେଇ ପର୍ବତ ପରି ବିପଦ ଭିତରେ ମତେ ପକେଇ ଦେଇ ଆପଣ ଚାଲିଆସିଲେ-?’’

 

–‘‘ଆପଣଙ୍କୁ ସେ ବିପଦରୁ ଉଦ୍ଧାର କରିବା ପାଇଁ ଆମେ ଚାଲି ଆସିଲୁ, ଆଉ ଆପଣ ନିଶ୍ଚୟ କିଛି ଖବର ନେଇ ଆସିଚନ୍ତି !’’

 

–‘‘ସେକଥା କେମିତି ଜାଣିଲେ ?’’

 

–‘‘କିଛି ଖବର ନଥିଲେ ଆପଣଙ୍କ ପାଦଧୂଳି ଏ ଘରେ ପଡ଼େନି । ଛାଡ଼ନ୍ତୁ, କି ଖବର ଧରି ଆସିଚନ୍ତି ଏଥର କହନ୍ତୁ ।’’

–‘‘ଖବର ହେଲା, ନିହତ ଲୋକଟି ପ୍ରଥମ ଜୀବନରେ ଗୋଟିଏ ଗୁପ୍ତ ରାଜନୈତିକ ଦଳ ସାଙ୍ଗେ ଯୁକ୍ତ ଥିଲେ, ତାଙ୍କର ନାମ ଦେବେନ୍ଦ୍ରକୁମାର ବେହେରା । ଘର ଚାରିମୁହାଣ ପାଖରେ କେଉଁଠି ।’’

–‘‘ତାଙ୍କୁ ଚିହ୍ନଟ କଲା କିଏ ?’’

–‘‘ତାଙ୍କ ସ୍ତ୍ରୀ ।’’

–‘‘ସେ କେମିତି ଥାନାକୁ ଆସିଲେ ? ଏତେ ଚଞ୍ଚଳ ଖବର ପାଇବା ଅବଶ୍ୟ ସମ୍ଭବ ନୁହେଁ ।’’

–‘‘ନା, ସେ ଲୋକଟି ଦୁଇଦିନ ହେଲା ଆଉ ଘରକୁ ଫେରି ନଥିଲା । ବାଧ୍ୟ ହୋଇ ତାଙ୍କର ସ୍ତ୍ରୀ ଥାନାକୁ ଆସି ଏ ଖବର–’’

–‘‘ବୁଝିଲି ତାଙ୍କ ଘରର ଠିକଣା କଣ ?’’

–‘‘ଚାରିମୁହାଣ ଛକ ଆଡ଼କୁ ଗୋଟାଏ ଅମୁହାଁ ଦେଉଳର ଉତ୍ତରପଟେ ଥିବା ଏକମହଲା ହଳଦିଆ କୋଠା, ଧୂସର ରଙ୍ଗର କବାଟ ଉପରେ ଧଳା ବାର୍ନିସ ରଙ୍ଗରେ D. K. Behera, M.A. ବୋଲି ଲେଖାଅଛି ।’’

ଠିକଣାଟାକୁ ଟିପିନେଇ ଅମୂଲ୍ୟବାବୁ କହିଲେ, ‘‘ଆଉ ପୋଷ୍ଟମର୍ଟମ ବ୍ୟବସ୍ଥା କେଉଁଯାଏ କଣ ହେଲା ?’’

–‘‘ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାପାଇଁ ଫୋନ କରିଚି । ଆସୁଚି ତାହେଲେ ।’’

–‘‘ଧନ୍ୟବାଦ୍‍ ! ଆସନ୍ତୁ ।’’

ସେଦଦିନ ସନ୍ଧ୍ୟାବେଳେ ଅମୂଲ୍ୟବାବୁ ବସି ଚା’ ଖାଉଛନ୍ତି, ହଠାତ ଟେଲିଫୋନ ଶବ୍ଦରେ ଆକୃଷ୍ଟ ହୋଇ ରିସିଭରଟା ଉଠାଇ ପଚାରିଲେ, ‘‘ହ୍ୟାଲୋ, କିଏ କହୁଚନ୍ତି ?’’

–‘‘ମୁଁ ପୋଲିସ ସାହେବ କହୁଚି ।’’

–‘‘ଓ, ପୋଷ୍ଟମର୍ଟମ ରିପୋର୍ଟ ନିଶ୍ଚୟ ?’’

–‘‘ହଁ ଶ୍ଵାସରୋଧ ହୋଇ ଦେବେନ୍ଦ୍ରକୁମାର ବେହେରାଙ୍କର ମୃତ୍ୟୁ ହୋଇଚି । ଦଉଡ଼ି ଭଳି କୌଣସି ଶକ୍ତ ଜିନିଷଦ୍ଵାରା ଶ୍ଵାସରୋଧ କରି ହତ୍ୟା କରାହୋଇଚି । ଆଉ ଏ ହତ୍ୟା ସହିତ ଏକାଧିକ ଲୋକେ ଜଡ଼ିତ ଥିଲେ ବୋଲି ରିପୋର୍ଟ ମିଳିଚି ।’’

–‘‘ବୁଝିଲି, ଆଚ୍ଛା ଆଉ ଗୋଟାଏ କଥା । ମୃତ୍ୟୁପୂର୍ବରୁ ନିହତ ବ୍ୟକ୍ତି କଣ ହତ୍ୟାକାରୀକୁ ବାଧା ଦେଇ ନଥିଲା ?’’

–‘‘ଓହୋ, ସେ କଥାଟା ବି କହିବାକୁ ଭୁଲିଯାଇଚି । କ୍ଳୋରଫର୍ମ ସାହାଯ୍ୟରେ ଅଜ୍ଞାନ କରା ହୋଇଥିବାର ପ୍ରମାଣ ମିଳିଚି । ମନେହୁଏ ଅଜ୍ଞାନ ଅବସ୍ଥାରେ ଶ୍ଵାସ ରୋଧକରି...

 

–‘‘ଏକଥା କେମିତି ଜଣାପଡ଼ିଲା ।’’

 

‘‘ସେମିତି ଧସ୍ତାଧସ୍ତିର କୌଣସି ଲକ୍ଷଣ ଜଣାପଡ଼ିନି, ତା ଛଡ଼ା ନାକ ଆଉ ମୁହଁରୁ କ୍ଳୋରଫର୍ମ ଗନ୍ଧ ଜଣାପଡ଼ିଚି ।’’

 

–‘‘ଠିକ୍‍ ଅଛି, ଆଉ କିଛି ଜାଣିବା ମୋର ଦରକାର ନାହିଁ, ମି: ସାହୁ ଏପଟର ଘଟଣାଟା ମୋ ପାଖରେ ପରିଷ୍କାର ହୋଇ ଉଠୁଚି, ତେବେ ବାକିଟା–’’

 

ଅମୂଲ୍ୟବାବୁ ସଂଯୋଗ ଛାଡ଼ିଦେଲେ ।

 

ପରଦିନ ସନ୍ଧ୍ୟା ପୂର୍ବରୁ ଦେଖାଗଲା ଅମୂଲ୍ୟବାବୁଙ୍କ କାର୍‍ଖଣ୍ଡିକ ଚାରି ମୁହାଣ ରାସ୍ତା ଧରି ଆଗେଇ ଚାଲିଚି । ସ୍ପିଡ଼୍‍ମିଟର ଥରିଉଠୁଚି ଉପରକୁ, ସେଆଡ଼େ ଅମୂଲ୍ୟବାବୁଙ୍କର ନଜର ନାହିଁ ।

 

ଗୋଟିଏ ଏକମହଲା ଧୂସର କବାଟଲଗା ହଳଦିଆ କୋଠା ଆଗରେ ଅମୂଲ୍ୟବାବୁଙ୍କ କାର ବ୍ରେକ୍‍ ଧରିଲା । ପାଖ ଲାଇଟରେ କୋଠାର ସର୍ବାଙ୍ଗ ଆଲୋକିତ ହୋଇ ଉଠିଚି; ମାତ୍ର କୋଠା ଭିତରୁ କୌଣସି ସ୍ଵର ଶବ୍ଦ ମିଳୁ ନି । ପ୍ରଥେମ ଦେଖିଲେ ଘରଟା କେମିତି ରହସ୍ୟମୟ ବୋଧ ହୁଏ ।

 

ଅମୂଲ୍ୟବାବୁ ଜୋର୍‍ ରେ ଜଞ୍ଜିର ଖଟ ଖଟ କଲେ ।

 

ଟିକିଏ ପରେ ଘର ଭିତରେ ଆଲୁଅ ଜଳିବାର ଜଣାଗଲା । ଗୋଟିଏ ପିଲା ଦ୍ଵାର ଖୋଲି ଆଗରେ ଆସି ଠିଆହେଲା । ବୟସ ସତର ଅଠରରୁ ବେଶି ହେବନି ।

–‘‘କାହାକୁ ଖୋଜୁଚନ୍ତି ସାର୍ ?’’

–‘‘ଦେବ ବାବୁଙ୍କ ସ୍ତ୍ରୀ ଘରେ ଅଛନ୍ତି ?’’

–‘‘ହଁ, ମାଆ ଭିତରେ ଅଛି । ଅପଣ କୋଉଠୁ ଆସିଚନ୍ତି ?’’

–‘‘ମୁଁ ଏଇଠାର ଲୋକ । ମୋ ନାମ ଅମୂଲ୍ୟ କୁମାର ମହାନ୍ତି, ଡିଟେକ୍‍ଟିଭ୍ । ତୁମର ମାଆଙ୍କୁ ଯାଇ କୁହ, ତୁମ ବାପାଙ୍କର ମୃତ୍ୟୁର ତଦନ୍ତପାଇଁ ତାଙ୍କୁ କେତେକ କଥା ପଚାରି ବୁଝିବାକୁ ଆସିଚି ।’’

ପିଲାଟି ଆଉ କିଛି ନ କହି ଘର ଭିତରେ ଅଦୃଶ୍ୟ ହୋଇଗଲା । ଠିକ୍‍ ତିନି ମିନିଟ ପରେ ଫେରି ଆସି କହିଲା, ‘‘ଆସନ୍ତୁ । ମାଆ ଆପଣଙ୍କ ସଙ୍ଗେ ଦେଖା କରିବାକୁ ରାଜି ଅଛି ।’’

ପିଲାଟିକୁ ଅନୁସରଣ କରି ଅମୂଲ୍ୟବାବୁ ଘର ଭିତରକୁ ଗଲେ । ମଧ୍ୟମ ଧରଣର ଦୁଇ ବଖରା ଘର; ଆଗରେ ବେଶ୍‍ ଚଉଡ଼ା ବାରଣ୍ଡା ।

ଅମୂଲ୍ୟବାବୁଙ୍କୁ ବସିବାକୁ କହି ଦେବବାବୁଙ୍କ ସ୍ତ୍ରୀ କହିଲେ, ‘‘ଆପଣ ଯେ ମୋର ସ୍ଵାମୀଙ୍କ ହତ୍ୟା ତଦନ୍ତରେ ହାତ ଦେଇଚନ୍ତି ଏଥିପାଇଁ ମୁ ବିଶେଷ କୃତଜ୍ଞ । ଆପଣଙ୍କ ପରି ଖ୍ୟାତନାମା ଡିଟେକ୍‍ଟିଭ୍‍–’’

ବାଧାଦେଇ ଅମୂଲ୍ୟବାବୁ କହିଲେ, ‘‘କିନ୍ତୁ ସଫଳତା ପାଇଁ ଆପଣମାନଙ୍କର ସାହାଯ୍ୟ ମୋ ପକ୍ଷେ ଅପରିହାର୍ଯ୍ୟ ।’’

 

–‘‘ସେକଥା ଜାଣେ, ଯେତେଟା ସମ୍ଭବ ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ । ଆପଣ କଣ ଜାଣିବାକୁ ଚାହାନ୍ତି କହନ୍ତୁ ।’’

 

ଅମୂଲ୍ୟବାବୁ ଆଶ୍ଚର୍ଯ୍ୟ ହୋଇଗଲେ । କେମିତି ଗୋଟାଏ ପରସ୍ପର ବିରୋଧୀଚିନ୍ତା ଆସି ତାଙ୍କ ମନରେ ଦେଖାଗଲା ।

 

ଦେବବାବୁଙ୍କ ସ୍ତ୍ରୀଙ୍କୁ ଦେଖିଲେ ସେ ଦୁଃଖିତ ବୋଲି ବୁଝି ହେଉନି । ଯେଉଁ ଟିକକ ଦୁଶ୍ଚିନ୍ତାର ଛାୟା ଦେଖା ଯାଉଚି, ତା ମଧ୍ୟରେ ଶୋକର ପ୍ରବଳତା ନାହିଁ । କିନ୍ତୁ କାହିଁକି ? ତେବେ କଣ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ସଦ୍ଭାବ ନଥିଲା ? କିମ୍ବା ସେ ଏତେ ଧୈର୍ଯ୍ୟବାନ୍‍ ଯେ ତାଙ୍କର ମନଭାବଟା ମୁହଁରେ ପ୍ରତିଫଳିତ ହେଉନି ?

 

ଅମୂଲ୍ୟବାବୁ କହିଲେ, ‘‘ଯେତେ ଦୂର ମନେହୁଏ, ଦେବ ବାବୁଙ୍କର ଏଇ ଅଭାବନୀୟମୃତ୍ୟୁ ଠିକ୍‍ କାଲିକାର ଘଟଣା ନୁହେଁ । ଏହା ପଛରେ ଗୋଟାଏ ଜଟିଳ ଚକ୍ରାନ୍ତ–’’

 

–‘‘ଚକ୍ରାନ୍ତ ?’’

 

ଦେବବାବୁଙ୍କ ସ୍ତ୍ରୀ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଅମୂଲ୍ୟବାବୁ କହିଲେ, ‘‘ହଁ, କିନ୍ତୁ ସେକଥା ଥାଉ । ଗତ କେତେ ମାସ ହେଲା ଦେବବାବୁ କିଭଳି ମନୋଭାବ ନେଇ ଦିନ କଟାଉଥିଲେ, ଆପଣ ଜାଣନ୍ତି ?’’

 

–‘‘ସବୁ ଦିଗରୁ ସାଧାରଣ । ତେବେ ମଝିରେ ମଝିରେ ତାଙ୍କୁ କେମିତି ଦୁଶ୍ଚିନ୍ତାଗ୍ରସ୍ତପରି ମନେ ହେଉଥିଲା ।’’

 

–‘‘ଆଉ କିଛି ?’’

 

–‘‘ଦୁଶ୍ଚିନ୍ତାର ସେମିତି କିଛି କାରଣ ନଥିଲା । ତେଣୁ ମୁଁ ମଝିରେ ମଝିରେ କେତେ ଥର ତାଙ୍କୁ ଏକଥା ପଚାରିଥିଲି ।’’

 

–‘‘ସେ ଆପଣଙ୍କୁ କିଛି କହିଥିଲେ ?

 

‘‘କେବଳ କହିଥିଲେ, ମୁଁ ଯଦି ମରିଯାଏ ତାହେଲେ ପୁଅକୁ ଧରି ଅବଶିଷ୍ଟ ଦିନଗୁଡ଼ାକ କଟେଇ ପାରିବ ତ ।’’ ମୁଁ ସେକଥା ଉପରେ ସେତେଟା ଧ୍ୟାନ ଦେଇ ନଥିଲି ।’’

 

–‘‘ଆଚ୍ଛା, ସେ ଯେଉଁଦିନ ଆକସ୍ମିକ ଭାବରେ ନିରୁଦ୍ଦିଷ୍ଟ ହେଲେ, ତା ଆଗରୁ କଣ କିଛି କହିଯାଇଥିଲେ ? କିମ୍ବା ଏମିତି କୌଣସି ସମ୍ଭାବନା ତାଙ୍କ କଥାରୁ–’’

 

–‘‘କିଛି ନାହିଁ ।’’

 

–‘‘ଠିକ୍ ଅଛି । ମୋର ଆଉ କିଛି ଜାଣିବାର ନାହିଁ । ମୁ କେବଳ ଗୋପନରେ ଥରେ ଦେବବାବୁଙ୍କ ଚଳପ୍ରଚଳ ଘରଟା ଭଲ କରି ଦେଖି ନେବାକୁ ଚାହୁଁଚି । ଆପଣ କେହି ସେ ସ୍ଥାନରେ ରହିବା ଉଚିତ ନୁହେଁ । ଆଶାକରେ ଆପଣ ଏକମତ ହେବେ ।’’

 

–‘‘କୌଣସି ଆପତ୍ତି ନାହିଁ, ଆପଣ ଆର ପାଖ ଘର ଏକା ଦେଖି ପାରନ୍ତି ।’’

 

ଦେବବାବୁ ଯେଉଁ ବଖରାରେ ଚଳପ୍ରଚଳ ହେଉଥିଲେ ଅମୂଲ୍ୟବାବୁ ସେଇ ବଖରାର ପ୍ରତ୍ୟେକ ଜିନିଷ ଗୋଟି ଗୋଟି କରି ପରୀକ୍ଷା କରିବାକୁ ଲାଗିଲେ । ପାଖରେ ଗୋଟିଏ ଆଲମାରୀରେ ଗୁଡ଼ାଏ ବହି ଥୁଆ ହୋଇଚି । ସେଥିରୁ ଖଣ୍ଡେ ବହି ଟାଣି ଆଣିବା ମାତ୍ରେ ଦେଖାଗଲା ତା ପଛରେ ଗୋଟିଏ ଛୋଟ ଟିଣ ଡବା ରହିଚି । ଅମୂଲ୍ୟବାବୁ କୌତୂହଳୀ ହୋଇ ସେଇଟି ଆଣି ଖୋଲିଲେ । ତା ଭିତରେ ଖଣ୍ଡିଏ ସବୁଜ ରଙ୍ଗର ରୁମାଲ । ରୁମାଲ ମଝିରେ ଧଳାରଙ୍ଗରେ ଲେଖା ହୋଇଛି ‘ନଂ ୧୧’.....

 

ରୁମାଲ ଖଣ୍ଡିକ ମଇଳା ହୋଇଯାଇଚି । ରଙ୍ଗ ବି ଅନେକ ମ୍ଳାନ ହୋଇ ଯାଇଚି । ଅନ୍ତତଃ ଆଠ ଦଶ ବର୍ଷ ଧରି ସେ ଖଣ୍ଡିକ ସେଠାରେ ଥିଲାପରି ମନେହୁଏ । ଡବା ଭିତରୁ ଖଣ୍ଡେ ଚିରା କାଗଜ ମଧ୍ୟ ମିଳିଲା । ସାଙ୍କେତିକ ଭାଷାରେ ସେ କାଗଜରେ କଣ ଲେଖା ହୋଇଚି କିଛି ବୁଝି ହେଉ ନଥାଏ ।

 

ଅମୂଲ୍ୟବାବୁ ସେତକ ପକେଟସ୍ଥ କରି ଚାଲି ଆସିଲେ । ଆସିଲାବେଳେ ଦେବବାବୁଙ୍କ ସ୍ତ୍ରୀଙ୍କୁ କହି ଆସିଲେ, ‘‘ଧନ୍ୟବାଦ ! ଯାହା ଆଶା କରିଥିଲି ତାର କିଛି ସୂତ୍ର ପାଇଲିନି । ଆବଶ୍ୟକ ହେଲେ ଆପଣଙ୍କ ସଙ୍ଗେ ଦେଖା କରିବି ।’’

 

ପରଦିନର ପ୍ରଭାତ ।

 

ଡିଟେକ୍‍ଟିଭ ଅମୂଲ୍ୟବାବୁ ଆଉ ସହକାରୀ ଜୀବନ ଦାସ ବସି ରୁମାଲ ଚିରାକାଗଜ ଖଣ୍ଡିକ ଉପରେ ଆଲୋଚନା ଚଳାଇଚନ୍ତି, ଏତିକି ବେଳେ ଟେବୁଲ ଉପରେ ଥିବା ଫୋନ୍‍ଟା ଝନ୍‍ ଝନ୍‍ କରି ଉଠିଲା ।

 

ଅମୂଲ୍ୟବାବୁ ପଚାରିଲେ, ‘‘ହ୍ୟାଲୋ, କିଏ କହୁଚନ୍ତି ?’’

 

–‘‘ମୁଁ ପୋଲିସ ଅଫିସର କହୁଚି ।’’

 

–‘‘ସୁପ୍ରଭାତ ! ତା ପରେ ଘଟଣା କଣ ମି: ସାହୁ ! ଏତେ ଭୋର୍‍ରୁ ଯେତେବେଳେ ଆହ୍ଵାନ କରୁଚନ୍ତି ସେତେବେଳେ ନିଶ୍ଚୟ କିଛି ସମ୍ବାଦ ଥିବ ।’’

 

–‘‘ଠିକ୍‍ ଜାଣିଚନ୍ତି । ଆଉ ଗୋଟିଏ ହତ୍ୟାକାଣ୍ଡର ସମ୍ବାଦ ଆପଣଙ୍କୁ ଜଣାଉଚି । କାଲି ସନ୍ଧ୍ୟାରେ ବାମଦେବ ଗଡ଼ନାୟକଙ୍କୁ ତାଙ୍କ ଘରେ ମୃତ ଅବସ୍ଥାରେ ଦେଖା ଯାଇଚି । ମୃତ୍ୟୁର କାରଣ ଏପର୍ଯନ୍ତ ଜଣାପଡ଼ିନି–ତେବେ ବିଷ ପ୍ରୟୋଗ ଫଳରେ ସେ ତାଙ୍କର ମୃତ୍ୟୁ ହୋଇଚି ସେ ସମ୍ବନ୍ଧରେ ଆମେ ନିଶ୍ଚିତ । ତେବେ କି ବିଷ କିଭଳି ଭାବରେ ପ୍ରୟୋଗ କରି ତାଙ୍କୁ ହତ୍ୟା କରାଯାଇଚି ସେକଥା ଜଣାନାହିଁ, ଲାସ୍‍ଟା ପୋଷ୍ଟ ମର୍ଟମକୁ ପଠାଯାଇଚି ।’’

 

–‘‘ବୁଝିଲି, କିନ୍ତୁ ତା ଭିତରକୁ ମୋତେ କହିଁକି–’’

 

–‘‘ନା ନା, ଆପଣଙ୍କୁ ସେଠାକୁ ଯିବାକୁ ହେବ । ମୁଁ କୌଣସି ଆପତ୍ତି ଶୁଣିବିନି ।’’

 

–‘‘ତାହେଲେ ବର୍ତ୍ତମାନ ବାହାରିବା ଦରକାର ।’’

 

–‘‘ସେଇ କଥାତ କହୁଚି । ମୁଁ ବି ବର୍ତ୍ତମାନ ସେଠାକୁ ଯାଉଛି । ଭୁବନ ରୋଡ଼ର ପଚିଶିନମ୍ବର କୋଠିଟା ବାମଦେବ ବାବୁଙ୍କ ଘର ।’’

 

–‘‘ଆଚ୍ଛା ଆମେ ବାହାରିଲୁ, ଆପଣ ଆସନ୍ତୁ ।’’

 

ଅଳ୍ପ ସମୟ ପରେ ଅମୂଲ୍ୟବାବୁ ପ୍ରଭୃତି ପ୍ରସ୍ତୁତ ହୋଇ କାର୍‍ ଛୁଟେଇ ଦେଲେ ।

 

ଭୁବନ ରୋଡ଼ରେ ବିରାଟ ଦୋମହଲା କୋଠାଟିଏ ଠିଆହେଇଚି; ପାରାପେଟି ତଳକୁ ଲେଖା ହୋଇଛି ‘ଗଡ଼ନାୟକ ଭବନ’ ଏଇଗୋଟାକ ପଚିଶ ନମ୍ବର କୋଠି ।

 

ସମ୍ମୁଖରେ ଏକଫାଳି ଫୁଲ ବଗିଚା । ରଙ୍ଗବେରଙ୍ଗର ନାନାପ୍ରକାର ଦେଶୀ ବିଦେଶୀ ଫୁଲଗଛ ଆଖି ଝଲସେଇଦେଉଚି । ବାମଦେବ ଗଡ଼ନାୟକ ଯେ ସୌଖୀନ ଲୋକ ଥିଲେ ସେ କଥା ସ୍ପଷ୍ଟ ଜଣା ପଡ଼ୁଥାଏ ।

 

ଅମୂଲ୍ୟବାବୁ ଆଉ ଜୀବନ ଧୀରେ ଧୀରେ ଫାଟକ ପାର ହୋଇ ଭିତରକୁ ଆଗେଇଲେ-। ସରୁ ଗୋଡ଼ି ବିଛା ହେଇଥିବା ରାସ୍ତା, ତାରି ଦୁଇ କଡରେ ଧାଡ଼ି ଧାଡ଼ି ଫୁଲଗଛ । ସମ୍ମୁଖରେ ବିରାଟ କୋଠିଟା । ସୌଖୀନ ଓ ଆଧୁନିକ ଧରଣର ତିଆରି ଘର ଖଣ୍ଡି ମଧ୍ୟରେ ଯଥେଷ୍ଟ ରୁଚିର ପରିଚୟ ମିଳେ ।

 

ଅମୂଲ୍ୟବାବୁ ଆଉ ଜୀବନ୍‍ ଆସି ବାରଣ୍ଡା ପାଖରେ ପହଞ୍ଚିବା ମାତ୍ରେ ଜଣେ ଭଦ୍ରଲୋକ ଆଗେଇ ଆସି ପଚାରିଲେ, ‘‘ଆପଣମାନେ ବୋଧହୁଏ ଦାରୁଗା ବାବୁଙ୍କ ପାଖରୁ ଖବର ପାଇ ଏଠିକି ଆସିଚନ୍ତି ?’’

 

ଧୀରେ ଭାବରେ ଅମୂଲ୍ୟବାବୁ କହିଲେ, ‘‘ହଁ’’

 

–‘‘ସେ ବି ବୋଧହୁଏ ଆସିବେ, ସେଇୟାନା ?

 

–‘‘ହୁଏତ ଆସି ପାରନ୍ତି । ସେ ଆସିଲେ ନିଶ୍ଚୟ ଅଳ୍ପ ସମୟ ଭିତରେ ଆସିବେ; କିନ୍ତୁ ଆପଣଙ୍କ ପରିଚୟ ତ ମିଳିଲାନି ।’’

 

–‘‘ମୋ ନାଆଁ ବୋଧହୁଏ ଶୁଣିଚନ୍ତି । ଦାରୁଗାବାବୁ ବୋଧହୁଏ–’’

 

–ଦାରୁଗା ବାବୁ ନୁହଁ, ସେ ହେଉଚନ୍ତି ପୋଲିସ ଅଫିସର ମି: ସାହୁ, ତାଙ୍କ ପାଖରୁ ଆପଣଙ୍କ ସମ୍ବନ୍ଧରେ କୌଣସି ଖବର ପାଇନୁ ।’’

 

–‘‘ମୋ ନାଆଁ ଇନ୍ଦ୍ରମଣି ସାମନ୍ତରାୟ । ବୋଧହୁଏ–’’

 

ବାଧାଦେଇ ଅମୂଲ୍ୟବାବୁ କହିଲେ, ଆପଣ କଣ ଏ କୋଠିରେ ଚାକିରି କରନ୍ତି ?’’

 

–‘‘ଠିକ୍‍ ଜାଣିଚନ୍ତି ତ ! ବୋଧହୁଏ ଅନ୍ଦାଜ କରୁଥିଲେ ?’’

 

–‘‘ତା’ ନ କରିବାଟା କଠିନ ନୁହେଁ କି ? ଆପଣଙ୍କ ଭଳି ଲୋକ ଏ ଘରେ ଚାକିରି କରୁଥିଲେ ବାମଦେବ ବାବୁ ନିହତ ହୁଅନ୍ତେ କାହିଁକି ?’’

 

–‘‘ତାରମାନେ ଆପଣ ବୋଧହୁଏ ମୋତେ ଅପମାନ ଦେଉଛନ୍ତି । ସାମନ୍ତରାୟଙ୍କ କଣ୍ଠ ଉଗ୍ରପରି ମନେ ହେଉଥିଲା ।’’

 

ଅମୂଲ୍ୟବାବୁ ହସି ହସି କହିଲେ, ଆପଣଙ୍କର ଏଇ ବୋଧହୁଏ, ଆଘାତରେ ମୁଁ ଅସ୍ଥିର ହୋଇ ଉଠୁଛି ମି:ସାମନ୍ତରାୟ, ଏଥର ଦୟା କରି ଯେଉଁ ଘରେ ମି: ଗଡ଼ନାୟକ ଖୁଣ୍‍ ହୋଇଥିଲେ ସେ ଘରକୁ ଆମକୁ ନେଇ ଚାଲନ୍ତୁ ।

 

–‘‘ନେବାରେ ଆପତ୍ତି ନାହିଁ, କିନ୍ତୁ ଆପଣ ବୋଧହୁଏ ଜାଣି ନାହାନ୍ତି ଯେ ପୋଲିସ ଅଫିସର ନିର୍ଦ୍ଦେଶ ଦେଇ ଯାଇଚନ୍ତି ସେ ହୁକୁମ ନଦେଲେ କେହି ସେ ଘରେ ପଶି ପାରିବେନି । ଆପଣ ଟିକିଏ ଅପେକ୍ଷା କରନ୍ତୁ । ସେ ବୋଧହୁଏ ଅଳ୍ପ ସମୟ ମଧ୍ୟରେ–

 

କଥା ଶେଷ ନହେବା ଆଗରୁ ଗେଟପାଖରେ ଶବ୍ଦ ଶୁଣାଗଲା । ଜିପରୁ ଓହ୍ଲାଇ ଗେଟ୍‍ ଭିତରୁ ପଶି ଆସିଲେ ପୋଲିସ ଅଫିସର ମି: ସାହୁ ।

 

–‘‘ଆସନ୍ତୁ ଆଜ୍ଞା, ନମସ୍କାର ! ଆପଣ ବୋଧହୁଏ ଏମାନଙ୍କୁ ଏଠାକୁ ଆସିବା ପାଇଁ କହିଥିଲେ ?

 

–‘‘ହଁ ଏ କେସ୍‍ ରେ ମୁଁ ଏମାନଙ୍କ ସାହାଯ୍ୟ ନେବାକୁ ଭାବିଚି ।’’

 

–‘‘କିନ୍ତୁ ଆଜ୍ଞା, ଏମାନେ ସେତେ ଭଲ ଲୋକ ନୁହନ୍ତି । ଆପଣ ବୋଧହୁଏ ଏ କଥା ଜାଣନ୍ତି । ପ୍ରଥମରୁ ଆସି କହୁଚନ୍ତି–ମୋ’ରି ପାଇଁ କୋଉଠି ବାବୁ ନିହତ ହେଇଚନ୍ତି ।’’

 

–‘‘ସେଇୟା ନା କଣ ମି: ମହାନ୍ତି ?’’

 

–‘‘ହ, ସେ କଥା ତ ମୁଁ ସେମିତି କହିନି । ମୁଁ କହୁଥିଲି ଯେ ଏହାଙ୍କର ମସ୍ତିଷ୍କର କ୍ଷମତାଟା ସେମିତି କିଛି ବେଶି ନୁହେଁ ବୋଲି ଅପରାଧୀମାନେ ହୁଏତ ବାମଦେବ ବାବୁଙ୍କ ଉପରେ ଏଭଳି ଆକ୍ରମଣ କରି ସଫଳ ହୋଇ ପାରିଚନ୍ତି । ଏ ଧରଣର ସ୍ୱଳ୍ପ କ୍ଷମତାଯୁକ୍ତ ମସ୍ତିଷ୍କର ଲୋକ ଯେଉଁଠି ଚାକିରି କରନ୍ତି–’’

 

ବାଧାଦେଇ ଇନ୍ଦ୍ରମଣି ସାମନ୍ତରାୟ କହିଲେ, ‘‘ଆପଣ ଥରକୁ ଥର ମୋତେ ଏମିତିକା ଅପମାନିଆ କଥା କହିଲେ–’’

 

–‘‘ଏ ଆକ୍ରମଣଟା ସ୍ଵେଚ୍ଛାରେ ନୁହେଁ ସାମନ୍ତରାୟବାବୁ, ଆପଣ ଆପଣଙ୍କର କଥା ଆଉ ବ୍ୟବହାର ମଧ୍ୟ ଦେଇ ନିଜକୁ ହିଁ ଏ ଆକ୍ରମଣର ଶିକାର କରୁଚନ୍ତି, ତେଣୁ–’’

 

–‘‘ଛାଡ଼ନ୍ତୁ, ଚାଲନ୍ତୁ ସାମନ୍ତରାୟ, ବର୍ତ୍ତମାନ ଏସବୁ ଯୁକ୍ତିତର୍କ ବନ୍ଦକରି ଥରେ ମି: ମହାନ୍ତିଙ୍କୁ ଘଟଣାସ୍ଥଳଟା ଦେଖେଇ ଦେବା ।

 

ଦୋତାଲାର କଣରେ ଛୋଟ ଲାଇବ୍ରେରୀ ଘର । ଏଇ ଘର ଭିତରେ ମୃତ ଅବସ୍ଥାରେ ବାମଦେବ ଗଡ଼ନାୟକଙ୍କୁ ଦେଖାଯାଇଥିଲା ।

 

ଅମୂଲ୍ୟବାବୁ ମି: ସାହୁଙ୍କୁ ଚାହିଁ ପଚାରିଲେ, ‘‘ସର୍ବପ୍ରଥମେ ବାମଦେବବାବୁଙ୍କୁ ମୃତ ଅବସ୍ଥାରେ ଆବିଷ୍କାର କରିଥିଲେ ?’’

 

ମି: ସାହୁ କହିଲେ, ‘‘ଘରର କବାଟ ବନ୍ଦ ଥିବାର ଦେଖି ତାଙ୍କର ଝିଅ ମିନାକ୍ଷୀ ଆସି କବାଟକୁ ଠକ୍‍ ଠକ୍‍ କରିଥିଲେ । କିନ୍ତୁ କୌଣସି ଜବାବ ନପାଇ ବାଧ୍ୟହୋଇ ତାଙ୍କର ମାଆଙ୍କୁ ଡାକି ଆଣିଥିଲେ । ସାମନ୍ତରାୟବାବୁଙ୍କୁ ବି ଡକା ଯାଇଥିଲା । ଘରର ଅନ୍ୟ ଲୋକମାନେ ଆସି ଜମାହେଲେ, ଶେଷକୁ ସମସ୍ତେ ମିଶି କବାଟ ଭାଙ୍ଗିଲେ ।’’

 

–‘‘ଆଚ୍ଛା ସାମନ୍ତରାୟବାବୁ, ମୃତ୍ୟୁପରେ ବାମଦେବବାବୁ କେମିତି ଅବସ୍ଥାରେ ଥିଲେ-?’’

 

–‘‘ଏଇ ଚେୟାରଟା ଉପରେ ଥିଲେ । ଦେହଟା ଚଉକି ଉପରେ ଆଉଜି ପଡ଼ିଥିଲା । ଖଣ୍ଡେ ବହି ହାତରେ ଧରିଥିଲେ ।’’

 

–‘‘କି ବହି ?’’

 

–‘‘ବହିଖଣ୍ଡକ ଜମାଦିଆ ଯାଇଚି ।’’ ମି: ସାହୁ କହିଲେ ।

 

–‘‘ଘରର ଦ୍ଵାର ଝରକା ସବୁ ବନ୍ଦଥିଲା ?’’

 

–‘‘ହଁ, ଦ୍ଵାର ପ୍ରଥମେ ଆମେମାନେ ଖୋଲିଲୁଁ ।’’ ସାମନ୍ତରାୟ କହିଲେ ।

 

ଅମୂଲ୍ୟବାବୁ ଭଲ କରି ଘରର ଚାରିଆଡ଼େ ଚାହିଁଲେ । ଖୁବ୍‍ ମନଯୋଗଦେଇ ସେ ସବୁକିଛି ପରୀକ୍ଷା କରି ଶେଷକୁ ଆଲମାରୀ ଆଡ଼େ ଆଗେଇ ଗଲେ । ଖଣ୍ଡେ ମୋଟାବହି ଭିଡ଼ି ବାହାର କଲେ । ବହିର ଗୋଟାଏ କଣରୁ ସାମାନ୍ୟ ଉଇଲାଗି ଯାଇଚି ।

 

ଅମୂଲ୍ୟବାବୁ ସେଇଟାକୁ ଭଲଭାବରେ ଦେଖୁ ଦେଖୁ କହିଲେ, ‘‘ବାମଦେବବାବୁଙ୍କୁ କୌଣସି ଗୋଟାଏ ଧରଣର ବିଷାକ୍ତ ଗ୍ୟାସ୍‍ ଦେଇ ହତ୍ୟା କଲାପରି ମୋର ମନେ ହେଉଚି ।’’

 

ସାମନ୍ତରାୟ ବିଦ୍ରୂପ କଲାଭଳି କହିଲେ, 'ଆପଣ କଣ ଅନ୍ତର୍ଯ୍ୟାମୀ ? କେମିତି ଅନୁମାନ କଲେ ଯେ ଗ୍ୟାସ ଦେଇ–’’

 

–‘‘ତାର ପ୍ରମାଣ ପାଇଚି ସାମନ୍ତରାୟବାବୁ । ଅଯଥାରେ ଆପଣ ଉତ୍ତେଜିତ ହୋଇ ଉଠୁଚନ୍ତି ।’’

 

–‘‘କି ପ୍ରମାଣ ?’’

 

–‘‘ଏଇ ଦେଖନ୍ତୁ, ଟେବୁଲ ଉପରେ ଗୋଟାଏ ମୃତ ଝିଟିପିଟି ପଡ଼ିଚି–ଏପଟେ କେତେଟା ମାଙ୍କଡ଼ସା ବି ମରି ପଡ଼ିଚନ୍ତି । ବହି ଭିତରେ ଦେଖିଲି ଦଶବାରଟା ଉଈ ମରି ଯାଇଚନ୍ତି-। ତାର ମାନେ ସାରା ଘରର ବାୟୁକୁ ବିଷାକ୍ତ କରାଯାଇଥିଲା । ସେଇ ସୂତ୍ରଧରି ଭାବିଲେ ଜଣାଯାଏ ସମସ୍ତଙ୍କର ଅଲକ୍ଷ୍ୟରେ ରୁଦ୍ଧ ଲାଇବ୍ରେରୀ ଘର ଭିତରେ ବିଷାକ୍ତ ଗ୍ୟାସ ଦେଇ କେହି ବାମଦେବବାବୁଙ୍କୁ ହତ୍ୟା କରିଛି । ସେ ଜାଣିପାରି ନାହାନ୍ତି କି ବୁଝି ପାରି ନାହାନ୍ତି କି ଭାବରେ ଆତତାୟୀ ତାଙ୍କୁ ତିଳେ ତିଳେ ହତ୍ୟା କରୁଚି । ଧୀରେ ଧୀରେ ସେ ଅନନ୍ତ ନିଦ୍ରା କୋଳରେ ଢଳି ପଡ଼ିଚନ୍ତି ।’’

 

–‘‘ଆପଣ ଠିକ୍‍ କହିଚନ୍ତି, ମି:ମହାନ୍ତି । ମୁଁ ବି ଏଇ ଧାରଣା କରିଥିଲି ଯେ ମୋ ବାପାଙ୍କୁ ନିଶ୍ଚୟ କେହି ଏପରି ଭାବରେ ହତ୍ୟା କରିଛି ।’’

 

ପଛପାଖରୁ ନାରୀଗଳାର କଥା ଶୁଣି ସମସ୍ତେ ପଛକୁ ଫେରି ଚାହିଁଲେ । ବାମଦେବ ବାବୁଙ୍କ ଝିଅ ମିଆକ୍ଷୀ କେତେବେଳୁ ଆସି ଠିଆ ହୋଇଚି । ମୁହଁଟା ଅସମ୍ଭବ ଧରଣର ଗମ୍ଭୀର, ସୌନ୍ଦର୍ଯ୍ୟ ଆଉ ଲାବଣ୍ୟ ସଙ୍ଗେ ଗୋଟିଏ ଦୃଢ଼ ସଂକଳ୍ପ ଯେମିତି ମିଶି ରହିଚି ।

 

–ଅମୂଲ୍ୟବାବୁ କହିଲେ, ‘‘ତେଣୁ ମୁଁ ଆକାଶରେ ଆପଣ ଆପଣଙ୍କର ବାପାଙ୍କ ହତ୍ୟା ବିଷୟରେ ଯାହା ଜାଣନ୍ତି–ସେ ସବୁ କହି ମୋତେ ସାହାଯ୍ୟ କରିବେ ।’’

 

–‘‘ମୁଁ ଆପଣଙ୍କୁ କିଛି କହିବି । ଗୋଟାଏ ସାମାନ୍ୟ ବିଷୟର ସୂଚନା ମୁଁ ଦେବି; କିନ୍ତୁ ସବୁ ବିଷୟ କହି ପାରୁନି । ଆପଣ ରହସ୍ୟାନୁସନ୍ଧୀ, ଆଶା କରେ ସାମାନ୍ୟ ଆଲୋକପାତ କରିଲେ ସମସ୍ତେ ତଥ୍ୟ ଖୋଜି ବାହାର କରି ପାରିବେ ।’’

 

–‘‘ହେଲା, କଣ ଜାଣନ୍ତି କୁହନ୍ତୁ ।’’

 

‘‘ଆଜିଠାରୁ ଠିକ୍‍ ଦଶଟି ବର୍ଷ ଆଗରୁ ଓଡ଼ିଶାର ବିପ୍ଳବୀ ପିଲା ଦେଶକୁ ସ୍ଵାଧୀନ କରିବାର ଶପଥ ନେଇ ଗୋଟିଏ ବିପ୍ଳବୀ ସଂଘ ଗଠନ କରିଥିଲେ । ଏମାନଙ୍କର ଏକତ୍ର ପ୍ରଚେଷ୍ଟାରେ ସେତେବେଳେ ଦେଶରେ ଅନେକ ଗୁଡ଼ିଏ ବିପ୍ଳବ ପୂର୍ଣ୍ଣ କାର୍ଯ୍ୟ ସଂଘଟିତ ହୋଇଥିଲା-

 

‘‘କିନ୍ତୁ ସେମାନେ ପରସ୍ପରକୁ ଚିହ୍ନି ପକାଇଲେ ଯଦି ଜଣେ ପୁଲିସ ହାତରେ ଧରା ପଡ଼େ ତେବେ ଅନ୍ୟ ସମସ୍ତେ ବି ଧରାପଡ଼ିବାର ଆଶଙ୍କା ଥାଏ–ଏଥିପାଇଁ କେବଳ ଦଳପତି ଭିନ୍ନ କେହି କାହାକୁ ଚିହ୍ନନ୍ତିନି । ଦଳପତିର ସାହସ, ଉଦାରତା ଓ ଦୃଢ଼ଚିତ୍ତତା ଅସମ୍ଭବ ଥିଲା । ସେ ନିଜର ଚେଷ୍ଟାରେ ପ୍ରତିଟି ଉପଯୁକ୍ତ ପିଲା ଯୋଗାଡ଼ କରି ସେମାନକୁ ନେଇ ଏକ ବିପ୍ଳବୀସଂଘ ଗଢ଼ିଥିଲା-।’’

 

ଅମୂଲ୍ୟବାବୁ ପଚାରିଲେ, ‘‘କିନ୍ତୁ ସେମାନେ କଣ କେବେହେଲେ ଏକାଠି ହୁଅନ୍ତିନି ?’’

 

–‘‘ହଁ, ହୁଅନ୍ତି; କିନ୍ତୁ ସେତେବେଳେ ସେମାନେ ଖଣ୍ଡେ ଖଣ୍ଡେ ରୁମାଲରେ ନିଜର ମୁହଁ ଆବୃତ ରଖି ଥାଆନ୍ତି । ପ୍ରତ୍ୟେକର ରୁମାଲରେ କ୍ରମାନୁସାରେ ଏକଠାରୁ କୋଡ଼ିଏ ପର୍ଯ୍ୟନ୍ତ ନମ୍ବର ଲେଖା ହୋଇଥାଏ; କିନ୍ତୁ ଦଳପତିର କୌଣସି ନମ୍ବର ନଥିଲା । କେବେଳ ଗୋଟିଏ କଳାରୁମାଲ ତା ମୁହଁରେ ବନ୍ଧା ହୋଇଥାଏ । ଏଇ ବିପ୍ଳବୀମାନଙ୍କ ମଧ୍ୟରେ ଜଣେ ନାରୀ ବିପ୍ଳବୀ ଥିଲା । ତା’ ରୁମାଲର ନମ୍ବର ଥିଲା, ‘ପନ୍ଦର’ ।

 

ଏମିତି ଭାବରେ କାମ ଆଗେଇ ଚାଲିଥିଲା; କିନ୍ତୁ ବିଧାତାର ବିଚାର ଅନ୍ୟ ପ୍ରକାର । ଦିନେ ମିଳିତ ବୈଠକବେଳେ ପୋଲିସ ଏମାନଙ୍କୁ ଆକ୍ରମଣ କଲା । ସେ ଆକ୍ରମଣର ଶିକାର କେତେଜଣ ଯେ ହୋଇଥିଲେ ତାହା ଜଣା ନାହିଁ । କିନ୍ତୁ ଦଳପତି ଆଉ ଏଗାର, ପନ୍ଦର ଓ ଉଣେଇଶି ନମ୍ବର ବିପ୍ଳବୀ ଯେ ମରିନାହାନ୍ତି ଏକଥା ସୁନିଶ୍ଚିତ ।

 

ଏସବୁ କଥା ଗତ ତିନିମାସ ତଳେ ବାପା ମୋତେ କହୁଥିଲେ । କାହାକୁ କହିବା ପାଇଁ ମତେ ମନା କରିଥିଲେ । ଆଜି ବାଧ୍ୟ ହୋଇ ଆପଣଙ୍କୁ କହୁଚି ।

 

–‘‘ଧନ୍ୟବାଦ ! ଆପଣଙ୍କ ବକ୍ତବ୍ୟ ନିଶ୍ଚୟ ମୋତେ ସାହାଯ୍ୟ କରିବ ।’’ କହି ଅମୂଲ୍ୟବାବୁ ଉଠିଲେ ।

 

ଫେରିବା ବାଟରେ ମି: ସାହୁ ପଚାରିଲେ, ‘‘ଆଚ୍ଛା ମି: ମହାନ୍ତି, ମିନାକ୍ଷୀଙ୍କ କଥାରୁ ଆପଣ କଣ କିଛି ସୂତ୍ର ପାଉଚନ୍ତି ।’’

 

ମୋଡ଼ ଉପରେ ଗାଡ଼ିଟାକୁ ବୁଲାଇ ନେଉ ନେଉ ଅମୂଲ୍ୟବାବୁ କହିଲେ, ‘‘ବର୍ତ୍ତମାନ କିଛି କହି ପାରୁନି, ତେବେ ମୁଁ ଆଶା କରୁଚି ଶୀଘ୍ର ଆମେ ସଫଳତା ଲାଭ କରିବା ।’’

 

ପରଦିନ ଉପରବେଳା ମୃତ ଦେବବାବୁଙ୍କ ଘରେ ଅମୂଲ୍ୟବାବୁଙ୍କୁ ଦେଖାଗଲା । ସେତେବେଳେ ସେ ଦେବବାବୁଙ୍କ ସ୍ତ୍ରୀ ସାଙ୍ଗରେ କେତେଗୁଡ଼ିଏ ବିଷୟରେ ଆଲୋଚନା କରିବାରେ ଲାଗିଥିଲେ ।

 

ଅପର ଦିନ ଅପେକ୍ଷା ଦେବବାବୁଙ୍କ ସ୍ତ୍ରୀ ଅନେକଟା ସୁସ୍ଥ ଓ ସ୍ଵାଭାବିକ ଥିଲେ ବୋଲି ଜଣା ପଡ଼ୁଥିଲା । ଅମୂଲ୍ୟବାବୁ ଆସିଚନ୍ତି ଶୁଣିପାରି ସେ ଆଗ୍ରହାନ୍ଵିତ ହୋଇ ଦେଖା କରିବାକୁ ଆସିଲେ ।

 

–‘‘ନମସ୍କାର ମି: ମହାନ୍ତି !’’

 

ନମସ୍କାର ଆଜ୍ଞା ! ମୁଁ କେତେ ଜରୁରୀ ବିଷୟରେ ଆପଣଙ୍କ ସାଙ୍ଗେ କଥାବାର୍ତ୍ତା କରିବାକୁ ଭାବିଚି । ଆଶା କରେ ସେତେବେଳେ ବିରକ୍ତ କରିବା ପାଇଁ କେହି ଯେପରି ଏଘର ଭିତରକୁ ନ ଆସନ୍ତି ।’’

 

–‘‘ନା, ସେ କଥା ମୁଁ ଘରର ସମସ୍ତଙ୍କୁ ଜଣେଇଦେଇ ଆସୁଚି ।’’

 

ସେ ଘରୁ ବାହାରି ଗଲେ । ଦୁଇ ମିନିଟ୍‍ ପରେ ଧୀର ପଦରେ ପୁଣି ଫେରି ଆସିଲେ । ଗୋଟାଏ ଆରାମ ଚଉକି ଉପରେ ବସିପଡ଼ି କହିଲେ, ‘‘ଏଥର ଆପଣ କଣ କହିବାକୁ ଚାହୁଚନ୍ତି କହିପାରନ୍ତି ମି: ମହାନ୍ତି ।’’

 

ଅମୂଲ୍ୟବାବୁ ଭଲଭାବରେ ଦେବବାବୁଙ୍କ ସ୍ତ୍ରୀଙ୍କ ଆଡ଼େ ଚାହିଁଲେ । ତାଙ୍କର ବୟସ ପଇଁତ୍ରିଶ ପାଖାପାଖି । ବାର୍ଦ୍ଧକ୍ୟର ଛାପ ତାଙ୍କ ଦେହ ଉପରେ ଛାୟା ପକେଇଥିଲେ ମଧ୍ୟ ଏବେବି ଜଣାପଡ଼େ ଯୌବନବେଳେ ସେ ସୁନ୍ଦରୀ ଥିଲେ । ତାଙ୍କର ରୂପ ଉପରେ ଘେରି ରହିଚି ଗୋଟାଏ ସୁକଠୋର ବ୍ୟକ୍ତିତ୍ଵ । ଅନମନୀୟ ଦୃଢ଼ତା ।

 

–‘‘ପ୍ରଶ୍ନଗୁଡ଼ିକ ମୋ ପକ୍ଷରୁ ନ କରିଲେ ବି ଚଳନ୍ତା, ଯଦି ସବୁ କିଛି, ମାନେ ଯାହା କିଛି ଆପଣ ଜାଣନ୍ତି ସବୁ ଯଦି ଖୋଲା ଖୋଲି କହନ୍ତି ।’’ ଅମୂଲ୍ୟବାବୁଙ୍କ ସ୍ଵରଟା ଗମ୍ଭୀର ।

 

ଦେବବାବୁଙ୍କ ସ୍ତ୍ରୀ ସିଧା ହୋଇ ବସିଲେ । ମୁହୂର୍ତ୍ତେ କଣ ଯେମିତି ଚିନ୍ତା କରି କହିଲେ, ‘‘ମୁଁ ସେମିତି କିଛି ଜାଣିନି ଯେ ସେ ବିଷୟରେ ଆପଣଙ୍କର ଏତେଗୁଡ଼ାଏ ସମୟ ନଷ୍ଟ କରିବି ?

 

–‘‘ମୋ ପାଖରେ ଯାହା ପରମ ମୂଲ୍ୟବାନ, ଆପଣକ ପାଖରେ ତାହା ମୂଲ୍ୟହୀନ ହୋଇପାରେ, ପୁଣି ମୋ ପାଖରେ ଯାହାର ଯଥେଷ୍ଟ ଆଦର, ଆପଣ ତାହା ହେଳାରେ ତୁଚ୍ଛ କରିପାରନ୍ତି । ତେବେ ଏଇଟା ଠିକ୍, ଆପଣଙ୍କ କଥାରୁ ପ୍ରମାଣ ହେଉଚି, ଆପଣ ପ୍ରଥମଦିନ ମୋତେ ମିଛ କଥା କହିଥିଲେ !’’

 

–‘‘ମିଛ କଥା !’’

 

–‘‘ହଁ, ସେଦିନ ଆପଣ କହିଥିଲେ ଯେ ଆପଣଙ୍କ ସ୍ଵାମୀଙ୍କର ଏ ହତ୍ୟା ସମ୍ବନ୍ଧରେ ବିଶେଷ କୌଣସି କାରଣ ଆପଣଙ୍କୁ ଜଣାନାହିଁ । କିନ୍ତୁ ମୁଁ ଜାଣେ, ଖୁବ୍‍ ଭଲଭାବରେ ଜାଣେ, ଆପଣ ଜାଣନ୍ତି କାହିଁକି ଆପଣଙ୍କର ସ୍ଵାମୀ ନିହତ ହୋଇଚନ୍ତି ! କିନ୍ତୁ ଆପଣ କାହାକୁ ଜଣେ ବଞ୍ଚେଇବାକୁ ଯାଇ ସତ କଥା ଲୁଚେଇଚନ୍ତି–ଆଉ–’’

 

ବାଧାଦେଇ ଦେବବାବୁଙ୍କ ସ୍ତ୍ରୀ କହିଲେ, ‘‘ବେଶ୍, ତାହେଲେ କହୁଚି ଶୁଣନ୍ତୁ । ସେତେବେଳେ ମୁଁ କଲେଜରେ ପଢ଼ୁଥାଏ । ମୁଁ ସେକେଣ୍ଡଇଅର ଛାତ୍ରୀ, ମୋ ଅପେକ୍ଷା ଦୁଇବର୍ଷ ସିନିଅର ଜଣେ ଛାତ୍ରକୁ ମୁଁ ମନ ପ୍ରାଣ ଦେଇ ଭଲ ପାଉଥିଲି । ଆଉ ସେ ଭଲପାଇବାଟା ସ୍ଵୀକାର କରିବାକୁ ବି ମୋର କିଛି ଦ୍ୱିଧା ନାହିଁ, କାରଣ ଯାହାକୁ ମୁଁ ଭଲ ପାଉଥିଲି ସେଇ ମୋର ସ୍ଵାମୀ ମି: ବେହେରା !

 

ଦିନପରେ ଦିନ ଆମର ଭଲ ପାଇବା ନିବିଡ଼ ହୋଇ ଉଠିଥିଲା । ଦିନେ ଆମମାନଙ୍କର ଏ ଭଲପାଇବାକୁ ଚିରସାଥୀତ୍ଵର ବନ୍ଧନରେ ଆବଦ୍ଧ କରିବୁ ଏଇ ଥିଲା ଆମର ସ୍ଵପ୍ନ । କେତେ କଳ୍ପନାର ଜାଲ ବୁଣିଥିଲୁ ! କେତେ କଣ ଆଶା–ଆକାଂକ୍ଷା ସେତେବେଳେ ହୃଦୟରେ ଚେର ଲମ୍ବେଇ ଥିଲା ।

 

ତାପରେ ଦିନେ ଦେଖାଗଲା ଦୁର୍ଦ୍ଦିନର ଝଡ଼ । ସେଦିନ ସେଇଟା ଠିକ୍‍ ବୁଝିନପାରି ଥିଲେ ବି ଆଜି ସେଇଟା ବୁଝିଚି । ଜାଣିଲି କି ଦୁର୍ଯୋଗ ବେଳାରେ ସେ ଘଟଣା ଗୁଡ଼ିକ ଘଟିଥିଲା ।

 

ଦିନେ କଲେଜରୁ ଫେରିଲା ବେଳେ ଖଣ୍ଡେ ବହି ଆଣିବା ପାଇଁ ଲାଇବ୍ରେରୀକୁ ଗଲି । ବହି ଆଣିବା ସମୟରେ ମୋର ବହିଗୁଡ଼ାକ ରିଡ଼ିଂ ରୁମ୍‍ ରେ ରଖିଦେଇ ଆସିଥିଲି । କିନ୍ତୁ ସେତେବେଳେ ଜାଣିନଥିଲି ଯେ ମୋର ବହିଗୁଡ଼ିକ ମଧ୍ୟରେ ଗୋଟାଏ ବାର୍ତ୍ତା ଖୁବ୍‍ ଗୋପନରେ ରହିଚି ବୋଲି ।

 

ରାତିରେ ମୋର ବହିଗୁଡ଼ିକ ଫିଟେଇ ଯେତେବେଳେ ପଢ଼ାପଢ଼ି କରିବାକୁ ବସିଲି । ସେତେବେଳେ ଦେଖିପାରିଲି ତାଭିତରେ ଖଣ୍ଡେ ଚିଠି ଗୋପନରେ ରଖାଯାଇଚି । ମୁଁ ଯେତେବେଳେ ଲାଇବ୍ରେରୀକୁ ଯାଇଥିଲି, ସେତିକିବେଳେ ରିଡ଼ିଂ ରୁମ୍‍ ରେ ମୋର ବହି ଭିତରେ କିଏ ସେ ଚିଠି ଖଣ୍ଡକ ରଖିଯାଇଚି । ମୁଁ କୌତୂହଳ ଭାବରେ ଚିଠିଟା ଖୋଲି ପକେଇଲି । ସେଥିରେ ଲେଖା ଥିଲା :–

 

ସ୍ନେହର ଭଉଣୀ,

 

ଆମମାନଙ୍କର ଜନନୀ ଜନ୍ମଭୂମି ଇଂରେଜର କଳାଶାସନର ନାଗଫାଶରେ ଆବଦ୍ଧ ରହିଚି । ମାଆର କରୁଣ କାନ୍ଦଣା ଆଜି ପ୍ରତିଟି ଭାରତବାସୀଙ୍କ ବକ୍ଷ ପଞ୍ଜରାକୁ କିପରି ଗୋଟାଏ ଅପରିସୀମ ବ୍ୟଥା–ବେଦନାରେ ଦୋହଲାଇ ଦେଉଚି । ତୁମେ ବି ନିଶ୍ଚୟ ଏଇଟା ଅନ୍ୟ କାହା ଅପେକ୍ଷା କିଛି କମ୍ ଅନୁଭବ କରୁନଥିବ !

 

ତୁମେ ଶିକ୍ଷିତା–ବୁଦ୍ଧିମତୀ । ତୁମ ପାଖକୁ ଏ ବିଷୟରେ ବେଶି କିଛି ଲେଖି ବୁଝାଇବାର ଧୃଷ୍ଟତା ମୋର ନାହିଁ । ବିଳାସ–ଅଥବା ଅଳସ କଳ୍ପନାରେ ନଷ୍ଟକଲା ଭଳି ସମୟ ଆମର ନାହିଁ । ଆମେ ଚାହୁଁ ଯଥାଶୀଘ୍ର ଏଦୁଃଖର ଅବସାନ ହେଉ । ଏ ଲୌହ ଶୃଙ୍ଖଳରୁ ମୁକ୍ତହୋଇ ଜନନୀ ଜନ୍ମଭୂମି ଶାନ୍ତିର ନିଃଶ୍ଵାସ ମାରୁ । ଉନ୍ନତି ଓ ସମୃଦ୍ଧି ପଥରେ ଦେଶ ଆଗେଇ ଯାଉ ।

 

କିନ୍ତୁ ଏ ଦାୟିତ୍ଵ ଓଡ଼ିଶାର ପ୍ରତିଟି ଯୁବକ ଯୁବତୀଙ୍କର, ଏ ଉଦ୍ଦେଶ୍ୟରେ ଅନେକେ ପ୍ରତିଜ୍ଞାବଦ୍ଧ ହୋଇଚନ୍ତି । ତୁମେ ଯଦି ଆମଦଳରେ ଯୋଗ ଦେଇ ଏ ବିପ୍ଳବ–ଆନ୍ଦୋଳନକୁ ସଫଳ କରିବାକୁ ଇଚ୍ଛା କର ତେବେ ଆମ ସାଙ୍ଗରେ ଏକତ୍ର ହୁଅ । ତୁମର ଯଦି ରାଜିଥାଏ ତାହେଲେ କାଲି ସବୁଜ ରଙ୍ଗର ଶାଢ଼ି ପିନ୍ଧି କଲେଜକୁ ଆସିବ । ସେ ଇଙ୍ଗିତରୁ ଆମେ ଜାଣିପାରିବୁ ତୁମେ ଆମ ଦଳରେ ଯୋଗ ଦେବାକୁ ଇଚ୍ଛା କରୁଚ ।

 

ଅବଶ୍ୟ ଯଦି ତୁମେ ରାଜି ନହୁଅ, ତାହାଲେ ଅନ୍ୟ କୌଣସି କର୍ମୀ ଆମେମାନେ ବାଛିନେବୁ, ସେଥିପାଇଁ ତୁମର କିଛି ଅସୁବିଧା ହେବନି । ଇତି ।

 

ଦଳପତି, ‘ଆଜାଦ ଭାରତ ସଂଘ’

 

ଏ ଧରଣର ଚିଠି କୌଣସି ଲୋକର ମନରେ କି ପରିବର୍ତ୍ତନ ଆଣନ୍ତା ଜାଣେନି, ତେବେ ମୁଁ ଚିଠି ଖଣ୍ଡକ ପାଇଁ ସାରା ଦେହ ମନରେ ଗୋଟାଏ ନୂଆ ଧରଣର ଉନ୍ମାଦନା ଅନୁଭବ କଲି । ପରଦିନ ନିର୍ଦ୍ଦେଶମତେ ସବୁଜ ରଙ୍ଗର ଶାଢ଼ି ପିନ୍ଧି କଲେଜକୁ ଗଲି ।

 

କିନ୍ତୁ ସେ ପକ୍ଷରୁ ଆଉ କୌଣସି ସ୍ଵର ଶବ୍ଦ ପାଇଲିନି । ଏପରିଭାବରେ ପ୍ରାୟ ସପ୍ତାହେଖଣ୍ଡେ କଟିଗଲା ।

 

ତା’ପରଦିନ ସନ୍ଧ୍ୟା ବେଳେ ଟିକିଏ ବୁଲାବୁଲି କରି ଘରକୁ ଫେରୁଚି, ଏମିତି ବେଳେ ଆମର ଗେଟ୍‍ ଆଗରେ କିଏ ଜଣେ ଆସି ମୋ ଆଗରେ ଠିଆ ହେଲା । ତା ମୁହଁରେ କଳାକନାର ଆବରଣ ଥାଏ । ଦୀର୍ଘ ପେଶୀ ବହୁଳ ଦେହ । ମୁଁ ତାକୁ ଦେଖି ଚିତ୍କାର କରିବାକୁ ଉଦ୍ୟତ ହେଲି, ସେ ଇଙ୍ଗିତରେ ମୋତେ ନିରସ୍ତ କରି ବଗିଚା ଭିତରକୁ ଡାକି ନେଲା । ସଂକ୍ଷେପରେ ଜଣେଇଲା, ମୋର ଏଇ ଯୋଗଦାନରେ ସେ ଖୁବ୍‍ ଖୁସି ହେଇଚି । ସେ ନିଜେ ଆଜାଦ ଭାରତ ସଂଘର ଦଳପତି । ଗୋଟାଏ ରୁମାଲ ଆଉ ଗୋଟାଏ ପିସ୍ତଲ ମୋହାତରେ ଦେଇ କହିଲା, ‘‘ତୁମଭଳି ଦୃଢ଼–ଚେତାଝିଅ ଦେଶମାତାର ଗୌରବ । ତୁମର ନମ୍ବର ହେଲା ପନ୍ଦର ନମ୍ବର । କୋଡ଼ିଏ ଜଣଙ୍କୁ ନେଇ ଆମମାନଙ୍କର ଏ ସଂଘ ପ୍ରତିଷ୍ଠା ହେବ । ଯେତେବେଳେ ଦରକାର, ଡାକରା ପାଇଲେ ତୁମେ ଯେପରି ଯୋଗଦିଅ । ଆଉ ସଂଘର ବୈଠକ ବେଳେ ତୁମେ ପୁରୁଷ ପୋଷାକ ପିନ୍ଧିଥିବ ।’’ ତାପରେ ନିଜହାତ ଆଙ୍ଗୁଠିରେ ମୋ କପାଳରେ ଗୋଟାଏ ରକ୍ତର ଟିପା ପିନ୍ଧାଇ ଦେଇ ସେ ଚାଲିଗଲା ।

 

ଏହା ପରଠାରୁ ମୋ ଜୀବନରେ ପରିବର୍ତ୍ତନ ଆରମ୍ଭ ହେଲା । ସଦାବେଳେ ମୁଁ ମନେ ପ୍ରାଣେ ଅନୁଭବ କରିବାକୁ ଲାଗିଲି, ମୁଁ ଗୋଟାଏ ସାଧାରଣ ଝିଅ ନୁହେଁ । ମୋ ମଧ୍ୟରେ ଗୋଟାଏ ବିରାଟ ସତ୍ତା ରହିଚି । ସାଧାରଣ ଝିଅମାନଙ୍କ ପରି ଗୃହସଂସାର କରିବା ପାଇଁ ମୁଁ ଜନ୍ମଗ୍ରହଣ କରିନି ।

 

ମୋର ଏ ପରିବର୍ତ୍ତନ ମି: ବେହେରା ଲକ୍ଷ୍ୟ କରିଥିଲେ । ଦିନରାତି ମୋତେ ଆନମନା ଦେଖି ସେ ଦିନେ ପଚାରିଲେ, ‘‘ତୁମଠାରେ ଯେମିତି ଗୋଟାଏ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରୁଚି–କିନ୍ତୁ ଜାଣେନି କାହିଁକି ଏ ପରିବର୍ତ୍ତନ ।’’

 

କିଛିଦିନ ଧରି ମୁଁ ବି ତାଙ୍କ ମଧ୍ୟରେ ଗୋଟାଏ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି । କିନ୍ତୁ ସେକଥା କହି ପାରୁନଥିଲି । କେବେ କିଛି ପଚାରିବା ପାଇଁ ମୋର ସାହସ ନଥିଲା ।

 

ଆଜି ସୁବିଧା ପାଇ ତାଙ୍କୁ ପଚାରିଲି, ‘‘ମୁଁ ତୁମ ମଧ୍ୟରେ ଯେମିତି କିଛିଦିନ ହେଲା ଗୋଟାଏ ପରିବର୍ତ୍ତନ ଲକ୍ଷ୍ୟ କରୁଚି ।

 

ସେ କହିଲେ, ‘‘ହଁ, ମୁଁ ଜାଣେ ସେଇଟା ତୁମେ ଲକ୍ଷ୍ୟ କରିବ । କିନ୍ତୁ ସ୍ପଷ୍ଟ ଭାଷାରେ ସବୁକିଛି ସ୍ଵୀକାର କରିବାଟା ଭଲନୁହେଁ କି ? ମୁଁ ଜଣେ ବିପ୍ଳବୀ କର୍ମୀ । ଆଜି ମୁଁ ଆଉ ସାମାନ୍ୟ ଜଣେ କେହି ନୁହଁ । ତୁମେ ଯଦି ମୋ ସଙ୍ଗେ ମିଳିତ ହେବାକୁ ଇଚ୍ଛା କର, ତେବେ ତାହା ପୂର୍ବାହ୍ନରେ ଜାଣିରଖ । ଯେ କୌଣସି ମୁହୂର୍ତ୍ତରେ ମୋ ଜୀବନ ଧ୍ଵଂସ ହୋଇ ଯାଇପାରେ ! ମୋରମନେହୁଏ ତୁମେ–’’

 

ବାଧା ଦେଇ କହିଲି, ଠିକ୍‍ ଧରିଚ ! ମୁଁ ବି ଜଣେ ବିପ୍ଳବୀ ।’’

 

ଧୀରେ ଧୀରେ କଥାବାର୍ତ୍ତା ଚାଲିଲା । ମୁଁ ସବୁ ଖୋଲି କହିଲି । ସେ ହସିଦେଇ କହିଲେ, ‘‘ଏତ ଖୁବ୍‍ ଭଲ କଥା । ଦୁହେଁଯାକ ଗୋଟାଏ ପଥର ପଥିକ ହେବା ଭଲ ନୁହେଁ କି ? ଯଦି କେହି ବିପଦରେ ପଡ଼େ, ଅନ୍ୟର ଆଉ ଦୁଃଖ କରିବାର କିଛି ନଥିବ ।’’

 

ଏପରି ଭାବରେ ସବୁକିଛି ସୁସ୍ପଷ୍ଟ ହେବାରୁ ଦୁହେଁଯାକ ଅନେକଟା ନିଶ୍ଚିନ୍ତ ହେଲୁଁ । କିନ୍ତୁ ସେଦିନ ମୁଁ ଗୋଟାଏ ଭୁଲ୍ କଲି । ମୁଁ ଭାବିଲି, ସେ ଯେତେବେଳେ ସବୁ କିଛି ପୂର୍ବାହ୍ନରେ କହିଲେ, ସେତେବେଳେ ସେ ସବୁକିଛି ଜାଣନ୍ତି । ତେଣୁ ସେ ଅନ୍ୟ କେହି ନୁହନ୍ତି, ସେଇ ବୋଧହୁଏ କଳା ରୁମାଲ ବନ୍ଧା ଦଳପତି !

 

କିନ୍ତୁ ତାଙ୍କୁ ମୁଁ କୌଣସି ଦିନ ଏ କଥା ପଚାରିନି, ସେ ବି କିଛି କହିନାହାନ୍ତି । ଆମେମାନେ ଭାବିଥିଲୁ ଯେ ଯେକୌଣସି ମୁହୂର୍ତ୍ତରେ ବିବାହ ବନ୍ଧନରେ ଆବଦ୍ଧ ହେବୁ । ଦଳର କାହାରିକୁ ସେ କଥା ଜଣାଇବା ଆବଶ୍ୟକ ନାହିଁ । ତଛଡ଼ା ଦଳର କେହି କାହାରିକୁ ତ ଚିହ୍ନନ୍ତିନି !

 

ବିପ୍ଳବୀ ଦଳର ଦଳପତି ମୋର ଭାବି ସ୍ଵାମୀ । ଏକଥା ଭବିଲାବେଳକୁ ଗର୍ବରେ ମୋର ଅନ୍ତର ପୁରି ଉଠୁଥିଲା । ଦିନକୁ ଦିନ ତାଙ୍କପ୍ରତି ମୋର ଭଲ ପାଇବା ନିବିଡ଼ ହୋଇ ଉଠୁଥାଏ ।

 

କିନ୍ତୁ ସେତେବେଳେ ଜାଣେନି, କି ଭୁଲ ଧାରଣାରେ ଚାଲିଥିଲି–

 

ତାପରେ ଦିନେ ପୋଲିସ ଆକ୍ରମଣରେ ଆମ ଦଳ ଛିନ୍ନଛତ୍ର ହୋଇଗଲା ।

 

ବାଧାଦେଇ ଅମୂଲ୍ୟବାବୁ କହିଲେ, ‘‘ସେ ଖବର ମୁଁ ପାଇଚି; ତାପରଠାରୁ କ’ଣ କିପରି ହେଲା ଜାଣିଥିଲେ କୁହନ୍ତୁ !’’

 

–‘‘ହଁ, ସଂଘର ଯାହା କିଛି ଟଙ୍କା ପଇସା ସବୁ ଥାଏ ମୋର ସ୍ଵାମୀ ଆଉ ବାମଦେବ ଗଡ଼ନାୟକ ପାଖରେ; ଅର୍ଥାତ୍ ଏଗାର ନମ୍ବର ଆଉ ଊଣିଶ ନମ୍ବରଙ୍କ ଜିମାରେ ଥଲା । ଏ ଦୁଇଜଣଙ୍କ ପାଖରେ କେତେଗୁଡ଼ିଏ ସାଙ୍କେତିକ ଲିପି ଥିଲା । ସେଇ ଦୁଇଟା ଲିପି ଏକାଠି ଯୋଡ଼ି ଦେଲେ ଯେଉଁ ନକ୍‍ସାଟା ହେବ ତାହା ହେଉଚି ସେ ଗୁପ୍ତ ସମ୍ପଦର ନିଶାଣ । ଅବଶ୍ୟ ଏସବୁ ସମ୍ପଦ ଡକାୟତି କରି ଆମଦଳର ଲୋକେ ଉପାର୍ଜ୍ଜନ କରିଥିଲେ ।’’

 

–‘‘କିନ୍ତୁ ସେ ଲିପିଗୁଡ଼ିକ ଯେ ଏଦୁହିଙ୍କ ପାଖରେ ଥିଲା, ତା’ କଣ ଅନ୍ୟ କେହି ଜାଣନ୍ତି-?’’

 

–‘‘ହଁ, ସେ ବିଷୟ ଦଳପତି ଆଉ ପାଞ୍ଚ ନମ୍ବର ବିପ୍ଳବୀ ଜାଣନ୍ତି; କିନ୍ତୁ ସେ ପାଞ୍ଚନମ୍ବର ବିପ୍ଳବୀ ଜଣକ କିଏ ତାହା ଆଜି ପର୍ଯ୍ୟନ୍ତ ବି କେହି ଜାଣନ୍ତିନି ।’’

 

–‘‘ତା’ପରେ ବର୍ତ୍ତମାନର ଘଟଣା କହନ୍ତୁ ।’’

 

–‘‘ବିବାଦ ପରେ ଜାଣିପାରିଲି ମୋର ସ୍ଵାମୀ ଥିଲେ ଏଗାର ନମ୍ବର, ସେ ଦଳପତି ନୁହଁନ୍ତି । ସେଥିରେ ମୋ ମନରେ ଆଘାତ ଲାଗିଲା । ମୁଁ ଯାହାକୁ ଦଳପତି ଭାବି ପରମ ଶ୍ରଦ୍ଧାରେ ପୂଜା କରି ଆସିଚି, ସେ ଅନ୍ୟଲୋକ ! ମୋର ସାରା ମନ ଯେମିତି ବିଦ୍ରୋହ ଘୋଷଣା ଲାଗି ଜାଗି ଉଠିଲା; କିନ୍ତୁ ଅନେକ କଷ୍ଟରେ ମନକୁ ଦମନ କରି ସଂସାରଯାତ୍ରା ନିର୍ବାହ କରି ଚାଲିଲି ।’’

 

ଅମୂଲ୍ୟବାବୁ ହସି ହସି କହିଲେ, ‘‘ତା’ପରେ ଯେଉଁଦିନ ଆପଣଙ୍କ ସ୍ଵାମୀ ନିହତ ହେଲେ, ତା’ଆଗରୁ; ଅର୍ଥାତ ସୁଦୀର୍ଘ ଦଶବର୍ଷ ପରେ ଜାଣିପାରିଲେ ପୁଣି ସେଇ ଦଳପତି ଫେରି ଆସିଚି । ଏଇଆତ ?’’

 

–‘‘ଆଶ୍ଚର୍ଯ୍ୟ ! ଆପଣ କେମିତି ଜାଣିଲେ ?’’

 

–‘‘ଦଳପତି ପ୍ରତି ଟିକିଏ ଶ୍ରଦ୍ଧା ଥିଲା ବୋଲି, ଆପଣ ଆଜିବି ସ୍ଵୀକାର କରିପାରୁନାହାଁନ୍ତି ଯେ ସେ ଆପଣଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡରେ ଜଡ଼ିତ ବୋଲି; କିନ୍ତୁ ଆପଣଙ୍କ ମନର ଏଇ ବିରାଟ ଦୁର୍ବଳତା ଗୋଟାଏ ବିପଦକୁ ଡାକି ଆଣୁଚି, ମନେରଖନ୍ତୁ, କଳା ରୁମାଲ ବନ୍ଧା ସେ ଦିନର ଦଳପତିର ଅବତାର ଏକା ଲୋକ ନୁହେଁ !’’

 

–‘‘ତାର ମାନେ ?’’

 

–‘‘ମାନେ ଅତି ସହଜ । ଏ ଦଳପତି ଏମିତି ଜଣେ ଲୋକ ହୋଇପାରେ ଯିଏ ପୁରୁଣା ଦଳପତିକୁ ଖୁବ୍‍ ଭଲଭାବରେ ଚିହ୍ନେ; ତେଣୁ ସୁଯୋଗ ପାଇ ସେଇ ଛଦ୍ମବେଶରେ ସେ ହୁଏତ ଆଜି ଦେଖା ଦେଇଚି ।’’

–‘‘ଏ କଣ ସତ ?’’

 

–‘‘ନିଶ୍ଚୟ ଅସମ୍ଭବ ନୁହେଁ ।’’

 

–‘‘ତେବେ ଏ ଲୋକଟା କିଏ ?’’

 

–‘‘ପରେ ଜାଣିପାରିବେ, ଆଜି ଯାଉଚି ।’’

 

ଦେବାବାବୁଙ୍କ ସ୍ତ୍ରୀଙ୍କୁ ଆଉ କଥା କହିବାର ସୁଯୋଗ ନଦେଇ ଅମୂଲ୍ୟବାବୁ ହଠାତ୍‍ ଘର ଛାଡ଼ି ଚାଲି ଆସିଲେ ।

 

ଦେବବାବୁଙ୍କ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ କେବଳ ଭାବୁଥିଲେ, ‘ଏ ଲୋକଟା ପ୍ରକୃତରେ ମଣିଷ ନା ଗୋଟାଏ ମାୟାବୀ ?’

 

ଅମୂଲ୍ୟବାବୁଙ୍କ ନିର୍ଦ୍ଦେଶମତେ ତାଙ୍କର ସହକାରୀ ‘ଜୀବନ’ ମୋଚିବେଶରେ ବାମଦେବ ଗଡ଼ନାୟକଙ୍କ ଦ୍ଵାର ପାଖରେ ଅପେକ୍ଷା କରିଥାଏ । ମଝିରେ ମଝିରେ ଜଣେ ଦି’ଜଣ ଲୋକ ଆସି ତା’ ଆଡ଼େ ଜୋତା ଦେଖାଇ ଦିଅନ୍ତି । ଜୀବନ ଧୀରେ ଧୀରେ ପାଲିସ ଲଗାଇ ବ୍ରସ୍‍ ମାରୁ ମାରୁ ଆଡ଼ଚାହାଣୀ ଖେଳେଇବାରେ ଲାଗିଥାଏ । ପ୍ରତିଟି ମଣିଷଙ୍କର ଯାତାୟାତ ଖୁବ୍‍ ଭଲଭାବରେ ଲକ୍ଷ୍ୟକରୁଥାଏ ।

 

ବେଳବୁଡ଼ି ଆସିଲା, ସନ୍ଧ୍ୟା ହୋଇଗଲା । ଧୀରେ ଧୀରେ ରାତିର ଅନ୍ଧକାର ଗାଢ଼ତର ହୋଇ ଆସିଲା ।

 

କିନ୍ତୁ ଘର ପାଖରେ ସନ୍ଦେହଜନକ କୌଣସି ଲୋକର ଦେଖା ମିଳିଲାନି ।

 

ରାତି ନଅଟା ବାଜିଗଲା । ଜୀବନ ଉଠିବ କି ନାହିଁ ଭାବୁଚି, ଏତିକିବେଳେ ଗୋଟାଏ ରହସ୍ୟଜନକ ଦୃଶ୍ୟ ତାର ମନୋଯୋଗ ଆକର୍ଷଣ କଲା ।

 

ଘରର ଠିକ୍‍ ସମ୍ମୁଖରେ ଜଣେ ଭିଖାରୀ ଶ୍ରେଣୀର ଛୋଟାଲୋକ ଆସି ଠିଆ ହେବାର ଦେଖାଗଲା । ସେ ଛୋଟା ହାତରେ ଗୋଟାଏ ଟର୍ଚ୍ଚ ଥାଏ । ଗଡ଼ନାୟକ ଭବନର ଦୋମହଲା ବାରଣ୍ଡାକୁ ଲକ୍ଷ୍ୟ କରି ସେ ଦୁଇ ଥର ଟର୍ଚ୍ଚ ଲାଇଟ ପକେଇଲା ।

 

ତା’ପରେ ଏ କଣ ?

 

ଜଣେ ଦୀର୍ଘକାୟ ଲୋକ ଘରୁ ବାହାରି ଆସି ରାସ୍ତା ଉପରକୁ ଉଠିଲା; ଲୋକଟି ମୁହଁରେ ଗୋଟାଏ କଳା ରୁମାଲ ବନ୍ଧା ହୋଇଥାଏ ।

 

ଦୁହେଁଯାକ ଆଗେଇଯାଇ ଗୋଟାଏ ଗାଡ଼ି ଭିତରେ ବସିଲେ । ଏଠାରେ କେତେବେଳେ ଯେ ଗୋଟାଏ ଗାଡ଼ି ଆସି ଥୁଆ ହୋଇଚି ଜୀବନ ତାହା ଜାଣିପାରିନି ।

 

ସବୁ ଜିନିଷପତ୍ର ପକେଇ ଦେଇ ଜୀବନ ବଡ଼ରାସ୍ତା ଉପରେ ମୋଡ଼ ପାଖକୁ ଚାଲିଆସିଲା, ସେଠାରେ ତାର ଗାଡ଼ି ଖଣ୍ଡିକ ଥୁଆହୋଇଥାଏ । କାଳବିଳମ୍ବ ନକରି ସେ ପୂର୍ବ ଗାଡ଼ି ଖଣ୍ଡିକୁ ଖୁବ୍‍ ସାବଧାନରେ ଅନୁସରଣ କରିବାକୁ ଲାଗିଲା ।

 

କିଛି ସମୟ ଏପରି ଗତି କରିବା ପରେ ପ୍ରଥମ ଗାଡ଼ିଟି ଚାରିମୁହାଣର ଯେଉଁ ଘର ଆଗରେ ଆସି ଠିଆହେଲା ସେଇଟା ଜୀବନର ପରିଚିତ । ଏଇଟା ହେଉଚି ଦେବେନ୍ଦ୍ରକୁମାର ବେହେରାଙ୍କର ଘର ।

 

ଜୀବନ ଦୂରରେ ଗାଡ଼ି ଖଣ୍ଡିକ ଠିଆକରି ସିଧା ଗୋଟାଏ ବ୍ୟବସାୟ କେନ୍ଦ୍ରଆଡ଼େ ଆଗେଇ ଗଲା । ସେଠାରେ ଜଣେ ଚପରାସି ଥାଏ, ଜୀବନ ତା’ହାତକୁ ଗୋଟାଏ ଚାରଣି ପକେଇ ଦେଇ କହିଲା, “ଟିକିଏ ଫୋନ୍‍ଟା ଜରୁରୀ ଦରକାର ଥିଲା, ଯଦି କିଛି ଅସୁବିଧା ନଥାଏ–’’

 

–“ନା ନା, ବାବୁମାନେ ତ ନାହାଁନ୍ତି ଆପଣ ନିଶ୍ଚିନ୍ତରେ ଫୋନ୍‍ କରନ୍ତୁ, ସେଥିରେ କିଛି ଅସୁବିଧା ନାହିଁ ।’’

 

ଜୀବନ ସାଙ୍ଗେ ସାଙ୍ଗେ ପୋଲିସ ଷ୍ଟେସନ ସଙ୍ଗେ ସଂଯୋଗ ସ୍ଥାପନ କରି ପୋଲିସ ଅଫିସର ମି: ସାହୁଙ୍କୁ ଆହ୍ୱାନ ଜଣେଇଲା ।

 

ମି: ସାହୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ହ୍ୟାଲୋ, କିଏ କହୁଚନ୍ତି ?”

 

–‘‘ମୁଁ ଜୀବନ ଦାସ କହୁଚି ।’’

 

–‘‘ଆଉ ଘଟଣା କଣ ?’’

 

–‘‘ଯଦି ଅପରାଧିକୁ ଧରିବାକୁ ଇଚ୍ଛା କରୁଥାଆନ୍ତି, ତାହେଲେ ବର୍ତ୍ତମାନ ସଶସ୍ତ୍ର ପୋଲିସ ଧରି ଚାରିମୁହାଁଣ ରାସ୍ତାରେ ଥିବା ଦେବେନ୍ଦ୍ରକୁମାର ବେହେରାଙ୍କ ଘରଠାକୁ ଆସନ୍ତୁ ।

 

–‘‘ଧନ୍ୟବାଦ । ବର୍ତ୍ତମାନ ଯାଉଚୁ ।’’

 

ଜୀବନ ରିସିଭରଟା ରଖିଦେଇ ଖୁବ୍ ସାବଧାନରେ ଘରର ପଛପାଖେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ଦେବବାବୁଙ୍କ ସ୍ତ୍ରୀ ତାଙ୍କର ବୈଠକ ଘରେ ବସି ମନେମନେ କଣ ଗୋଟାଏ ଚିନ୍ତାରେ ବିଭୋର ଥିଲେ, ବିଗତ ଘଟଣାବଳୀ ଗୋଟି ଗୋଟି ଆସି ତାଙ୍କର ମନ ମଧ୍ୟରେ ଗୋଟାଏ ପ୍ରତିକ୍ରିୟା ସୃଷ୍ଟି କରୁଥିଲା । ସେ ଭାବୁଥିଲେ, କିଭଳି ସେଦିନର ବିପ୍ଳବୀଦଳର ସେଇ ଦଳପତି ଆଜି ଜଣେ ନିଷ୍ଠୁର ହତ୍ୟାକାରୀରେ ପରିଣତ ହୋଇପାରେ !

 

ପଛରେ ପାଦଶବ୍ଦ ଶୁଣାଗଲା ।

 

ମୁହଁ ଫେରାଇ ଦେବବାବୁଙ୍କ ସ୍ତ୍ରୀ ଚାହିଁଲେ, ପଛପାଖେ ଦୁଇଜଣ ଲୋକ ଠିଆହୋଇଚନ୍ତି; ଜଣକ ମୁହଁରେ କଳାକନାର ଆବରଣ, ଅନ୍ୟ ଜଣକ ଟିକିଏ ଗେଡ଼ା, ଲୋକଟାର ଗୋଡ଼ ଛୋଟା ।

 

–“କଣ ଦର୍କାର ଏଠାରେ ?” ଦେବବାବୁଙ୍କ ସ୍ତ୍ରୀ ଯେମିତି ଗର୍ଜି ଉଠିଲେ ।

–‘‘ଆସ୍ତେ ମିସେସ୍‍ ବେହେରା, ତୁମର ସ୍ୱାମୀ ସେ ସାଙ୍କେତିକ ଲିପିର ଅଂଶଟା କେଉଁଠି ରଖିଥିଲେ ସେକଥା ଜାଣିବାକୁ ଆସିଚି ।’’

“ସେଇଟା କଣ ? ସେ ବିଷୟ ତ ମୁଁ କିଛି ଜାଣେନି !”

ଆବରଣଧାରୀ ଗର୍ଜିଉଠି କହିଲା, “ମିଛ କଥା ! ତୁମକୁ କହିବାକୁ ହେବ, ଆମେ ତାର ଗୋଟାଏ ଅଂଶ ବାମଦେବ ଗଡ଼ନାୟକ ଘରୁ ପାଇଛୁ; କିନ୍ତୁ ତାର ଅପର ଅଂଶଟା ଏପର୍ଯ୍ୟନ୍ତ ମିଳିନି, ସେଇଟା ଯେ ତୁମ ପାଖରେ ଅଛି ଏଥିରେ କୌଣସି ସନ୍ଦେହ ନାହଁ !”

–“ମୁଁ ଜାଣେନି !”

–“ମିଛଟାରେ ନିଜର ପ୍ରାଣକୁ ବିପନ୍ନ କରୁଚ ! ସ୍ୱେଚ୍ଛାରେ ନକହିଲେ ତୁମର ଗୋଡ଼ ହାତ ବାନ୍ଧି ତୁମର ଦେହ ଉପରେ ଅତ୍ୟାଚାର କରିବାକୁ ବାଧ୍ୟ ହେବି, ସେଥିପାଇଁ ଏ ହଣ୍ଟରଟା ଯଥେଷ୍ଟ–’’

କଥା ଶେଷ ହେଲାନି ।

ପଛରୁ କିଏ ଯେମିତି କହିଉଠିଲା, “ତାର ଆବଶ୍ୟକ ହେବନି, ତୁମେମାନେ ଆଉ ସାମାନ୍ୟ ହଲଚଲ ହେଲେ ବିପଦରେ ପଡ଼ିବ । ତା ଅପେକ୍ଷା ଚୁପ୍‍ହୋଇ ଠିଆହେବ ବୋଲି ଆଶାକରେ !”

ସମସ୍ତେ ଦ୍ୱାରଆଡ଼େ ଚାହିଁଲେ ।

ଦ୍ୱାର ପାଖରେ ଠିଆହୋଇଛନ୍ତି ସ୍ୱୟଂ ଅମୂଲ୍ୟବାବୁ, ତାଙ୍କ ହାତରେ ଚକ୍‍ଚକ୍‍ କରୁଚି ଗୋଟାଏ ରିଭଲଭର, ସେ କହିଉଠିଲେ, ‘‘ତୁମେମାନେ ଯାହା ଖୋଜୁଚ, ତାହା ଅନେକ ଆଗରୁ ମୋର କବଳସ୍ଥ ହୋଇସାରିଚି ବନ୍ଧୁ ! ଦିନେ ଯେ ତୁମେ ଏଠି ଦେଖାଦେବ ତାହା ମଧ୍ୟ ମୁଁ ଜାଣେ, ସେଥିପାଇଁ ବନ୍ଧୁମାନଙ୍କୁ ସମ୍ୱର୍ଦ୍ଧନା ଜଣାଇବାକୁ ମୁଁ ଯେ ଅପେକ୍ଷା କରିଥିଲି, ଦେଖୁଚି ତାହା ବ୍ୟର୍ଥ ହୋଇନି ।

କଳା ଆବରଣଧାରୀ ଧୀରେ ଧୀରେ ପଛେଇ ପଛେଇ ଝରକା ଆଡ଼କୁ ଘୁଞ୍ଚି ଆସୁଥିଲା; କିନ୍ତୁ ଦେଖାଗଲା ଝରକା ବାହାରେ ଜୀବନ ଦାସ ହାତରେ ରିଭଲଭର ଧରି ଠିଆ ହୋଇଚି । ସେ କହିଲା, “ଝରକା ବାଟଦେଇ ପଳାଇ ଯିବାର ଉଦ୍ୟମ ବୃଥା ହେବ ବନ୍ଧୁ !”

ଅମୂଲ୍ୟବାବୁ ଆଗେଇ ଆସି ଦୁହିଁଙ୍କୁ ବାନ୍ଧି ପକାଇଲେ । ଜୀବନ୍‍ ଝରକା ପାର ହୋଇ ଘର ଭିତରକୁ ଆସିବାମାତ୍ରେ ଅମୂଲ୍ୟବାବୁ ପଚାରିଲେ, ‘‘ତୁ ଏଠାରେ ?’’

–‘‘ହଁ, ବନ୍ଧୁମାନଙ୍କୁ ମୁଁ ଭୁବନରୋଡ଼ଠାରୁ ଅନୁସରଣ କରିଆସିଚି । ତା’ପରେ ଏଠାକୁ ଆସି ଦେଖିଲି ଏଘଟଣା । ମି: ସାହୁଙ୍କୁ ଫୋନ୍‍ କରିଚି । ସେ ବୋଧହୁଏ ପହଞ୍ଚୁଚନ୍ତି ।’’

ଟିକିଏପରେ ପୋଲିସ ଅଫିସର ମି: ସାହୁ ଏବଂ ଦେବବାବୁଙ୍କ ପୁଅ ଆସି ପହଞ୍ଚିଲେ ।

ଗୋଟାଏ ଚଉକି ଉପରେ ଆବରଣଧାରୀ ଏବଂ ଅନ୍ୟ ଗୋଟିଏ ଚଉକି ଉପରେ ତାର ଛୋଟା ସହକାରୀକୁ ବସେଇ ରଖାଯାଇଥିଲା । ଅମୂଲ୍ୟବାବୁ ମି: ସାହୁଙ୍କୁ ଚାହିଁ କହିଲେ, ‘‘ସବୁ କିଛି କହି ବନ୍ଧୁଙ୍କର ଆବରଣ ଉନ୍ମୋଚନ କରିବା ଆଗରୁ ଥରେ ମିନାକ୍ଷୀ ଗଡ଼ନାୟକଙ୍କୁ ଫୋନ୍‍ କରନ୍ତୁ ।’’

 

–“କାହିଁକି ?”

 

–“ସେ ଏଙ୍କୁ ଭଲଭାବରେ ଚିହ୍ନିପାରିବେ ।’’

 

–“ତାର ମାନେ ?”

 

–“ଯଥା ସମୟରେ ଜାଣି ପାରିବେ ।’’

 

ମି: ସାହୁ କଥା ଅନୁସାରେ ଉଠିଯାଇ ଟେଲିଫୋନ୍‍ ରେ ସଂଯୋଗ ସ୍ଥାପନ କଲେ ?’’

 

–“ହ୍ୟାଲୋ, କିଏ ?”

 

–“ମୁଁ ପୋଲିସ ଅଫିସର କାଶୀନାଥ ସାହୁ କହୁଚି । ଆପଣ ମିସ୍‍ ଗଡ଼ନାୟକ ତ ?”

 

–“ହଁ ।’’

 

–“ବର୍ତ୍ତମାନ ଚାରିମୁହାଣ ରାସ୍ତାରେ ଥିବା ଦେବେନ୍ଦ୍ର କୁମାର ବେହେରାଙ୍କ ବସାକୁ ଆସନ୍ତୁ । ଆପଣଙ୍କ ବାପାଙ୍କ ହତ୍ୟାକାରୀ ଧରାପଡ଼ିଚି ।’’

 

–“କଣ କହୁଛନ୍ତି ? କିଏ ସେ ଲୋକଟା ?”

 

–“ତାହା ବର୍ତ୍ତମାନ ଜଣା ପଡ଼ିନି । ଅମୂଲ୍ୟବାବୁ ତାକୁ ଗିରଫ କରିଚନ୍ତି । ତା ମୁହଁରେ କଳାକନାର ଆବରଣ ରହିଚି । ଆପଣ ନ ଆସିଲେ ତାହା ଖୋଲା ଯିବନି ।’’

 

–“ତାହେଲେ ମୁଁ ବର୍ତ୍ତମାନ ଯାଇ ପହଞ୍ଚୁଚି ।’’

 

–“ଧନ୍ୟବାଦ !”

 

ଘର ମଧ୍ୟରେ ଅଖଣ୍ଡ ସ୍ତବ୍‍ଧତା ରାଜୁତି କରୁଚି ।

 

ଅମୂଲ୍ୟବାବୁ କହିବାକୁ ଆରମ୍ଭ କଲେ, ଆବରଣ ଉନ୍ମୋଚନ କରିବା ଆଗରୁ ମୁଁ ପୂର୍ବାପର ସମସ୍ତ ଘଟଣା ବିଶ୍ଳେଷଣ କରିବାକୁ ଇଚ୍ଛା କରୁଚି ।

 

ଦୀର୍ଘଦିନ ଆଗରୁ ଯେଉଁ ବିପ୍ଳବୀ ସଂଘ ସହିତ ଏ ଘଟଣାର ନିବିଡ଼ ଯୋଗସୂତ୍ର ରହିଚି ତାହା ଆପଣମାନେ ସମସ୍ତେ ଜାଣନ୍ତି; କିନ୍ତୁ ସେଇ ମହାନ୍‍ତ୍ୟାଗୀ ଦଳପତି ସଙ୍ଗେ ଆଜିକାର ଏଇ ଦଳପତି ନାମଧାରୀ ସଇତାନ୍‍କୁ ଆପଣମାନେ ଏକ ଲୋକ ବୋଲି ଯାହା ଭାବିଥିଲେ ତା ଠିକ୍‍ ନୁହେଁ !

 

ସମସ୍ତେ ବିସ୍ମୟଭରା କଣ୍ଠରେ କହିଉଠିଲେ, “କଣ ହେଲା ?”

 

–“ହଁ, ଠିକ୍‍ ସେଇୟା । ସେଦିନର ବିପ୍ଳବୀ ସଂଘର ଦଳପତି ଆଜି ବଞ୍ଚିଚି କି ନାହିଁ ଜାଣେନି, ତେବେ ଥିଲେବି କୋଉଁଠି ସେ କିଭଳି ଭାବରେ ଅଛି ତାର ଜେର ଟାଣି କାହାଣୀକୁ ଭାରାକ୍ରାନ୍ତ କରିବାକୁ ଇଚ୍ଛା କରୁନି; କିନ୍ତୁ ଏ ସଇତାନ୍‍ ଗୋଟାଏ ବିଭ୍ରାନ୍ତିର ସୃଷ୍ଟି କରି ଅଯଥା ସମସ୍ତ ଘଟଣାଟାକୁ ଗୋଳମାଳିଆ କରି ପକେଇଚି ।

 

ଏଲୋକଟା ବି ସେତେବେଳେ ବିପ୍ଳବୀ ଦଳରେ ଥିଲା । ଏ ହେଉଛି ‘ପାଞ୍ଚନମ୍ବର ବିପ୍ଳବୀ’ । ଦଳପତି ଛଡ଼ା ଏ ଲୋକଟା ବି ଜାଣେ ଯେ ଅନୁଷ୍ଠାନର ସଞ୍ଚିତ ଅର୍ଥ କେଉଁଠି କିଭଳି ଭାବରେ ଅଛି; କିନ୍ତୁ ସୁଯୋଗ ଅଭାବରୁ ସେ ଏ କାମରେ ସଫଳ ହୋଇପାରିନି ।

 

ତାପରେ ବର୍ତ୍ତମାନର ଘଟଣା । ଏତେଦିନ ପରେ କୌଣସି ଗୁପ୍ତ ସ୍ଥାନରୁ ଏ ଫେରି ଆସିଚି । ଆସିବା ପରେ ଦେବବାବୁ ଆଉ ବାମଦେବ ବାବୁଙ୍କଠାରୁ ଲିପିର ଅଂଶଗୁଡ଼ିକ ସଂଗ୍ରହ କରି ସମସ୍ତ ସଞ୍ଚିତ ଗୁପ୍ତଧନର ଅଧୀଶ୍ଵର ହେବାକୁ ଭାବି, ଜଣ ଜଣ କରି ସେମାନଙ୍କୁ ହତ୍ୟାକରିଚି ସେ । ବାମଦେବ ବାବୁଙ୍କ ପାଖରେ ଥିବା ଲିପିର ଅଂଶ ଏ ପାଇ ସାରିଥିଲା, ମାତ୍ର ଅପର ଅଂଶଟା ଏହା ହାତରେ ପଡ଼ିବା ଆଗରୁ ମୁଁ କବଳସ୍ଥ କରିଥିଲି, ତେଣୁ ସେ ସଫଳ ହୋଇ ପାରିଲାନି–ଓଲଟି ପୋଲିସ ହାତରେ ଧରାପଡ଼ିଲା । ଏଥର ମିନାକ୍ଷୀ ଦେବୀ ନିର୍ଭୟରେ ପିତୃହନ୍ତା ମୁହଁରୁ କଳାକନାର ଆବରଣ ଫିଟାଇ ଦେଖନ୍ତୁ !’’

 

ମିନାକ୍ଷୀ ପାଞ୍ଚନମ୍ବର ବିପ୍ଳବୀ ମୁହଁରୁ କଳାକନା ଖଣ୍ଡି ଟାଣି ବାହାର କରିଦେଇ ଚମକିପଡ଼ି କହିଲା, ‘‘ଏଁ–ଏଯେ–

 

ଥଟ୍ଟା କରି ଜୀବନ କହିଲା, ‘‘ସାମନ୍ତରାୟ ବାବୁ ବୋଧହୁଏ ।’’

 

ଆଶ୍ଚର୍ଯ୍ୟ ଆଉ ହସର ଢେଉ ମଧ୍ୟରେ ଅମୂଲ୍ୟବାବୁ କହିଲେ, ‘‘ବୋଧହୁଏ ଙ୍କୁବୋଧ କରିବା ପାଇଁ ମି: ସାହୁ ଏଥର ବ୍ୟବସ୍ଥା କରୁଚନ୍ତି ବୋଧହୁଏ !’’

 

ସମସ୍ତେ ବିଦ୍ରୂପ କରୁଥିଲେବି ଇନ୍ଦ୍ରମଣି ସାମନ୍ତରାୟର ମୁହଁରୁ ଆଉ ଥରକ ପାଇଁ ‘ବୋଧହୁଏ’ ଶବ୍ଦଟା ଉଚ୍ଚାରିତ ହୋଇ ପାରିଲାନି ।

Image

 

ପ୍ରତିହିଂସା

 

ଗୋଟିଏ ମାତ୍ର ନାରୀକୁ ଏମାନେ ଭଲ ପାଆନ୍ତି–ଅର୍ଥାତ କେଦାର ନବୀନ ଆଉ ସଞ୍ଜିବ-

ଆଉ ସେଇ ଜଣେ ନାରୀ ସେ ତିନିଜଣଙ୍କୁ ଭଲ ପାଏ । ସାଧାରଣ ମଣିଷର ବିଚାର ବୁଦ୍ଧିରେ ଯଦି ବିଷୟଟାକୁ ଚିନ୍ତା କରାଯାଏ, ତାହାହେଲେ ମନେ ହେବ ଅଦ୍ଭୁତ । ଗୋଟାଏ–ଖାପଛଡ଼ା ପାଗଳାମି ।

କିନ୍ତୁ ଏମାନେ କେହି ପାଗଳ ନୁହନ୍ତି ।

କେଦାର ରାୟ ଜଣେ ନାମଜାଦା ବାରିଷ୍ଟର । ହାଇକୋର୍ଟରେ ତାଙ୍କର ଅଭ୍ୟାସ ଖୁବ୍‍ ଭଲଭାବେ ଜମିଉଠିଥିଲା । ତରୁଣ, ଅର୍ଥବାନ, ତେବେ ବେଶି ସୁନ୍ଦର ଏକଥା ଅବଶ୍ୟ ତାଙ୍କ ସମ୍ବନ୍ଧରେ କୁହା ଯାଇ ନପାରେ ।

ନବୀନ କିଶୋର ଭଞ୍ଜ ଜଣେ ଡାକ୍ତର । ସହର ମଝିରେ ଗୋଟାଏ ଭଲ ଜାଗାରେ ଚେମ୍ବର କରି ଅଭ୍ୟାସ କରନ୍ତି, ଉପଯୋଗୀ ଔଷଧଦାତା ଏବଂ ବକ୍ଷରୋଗ ବିଶାରଦ । ମୋଟାମୋଟି ସୁଶ୍ରୀରୂପ ବୋଲି କୁହାଯାଇପାରେ ।

ସଞ୍ଜିବ ମହାପାତ୍ର ଜଣେ ସାହିତ୍ୟକ ଓ ଶିଳ୍ପୀ । ଅବଶ୍ୟ ଶିଳ୍ପୀଟା ତାଙ୍କ ଜୀବନ ସାଙ୍ଗେ ସେତେ ଜଡ଼ିତ ନୁହେଁ; ବରଂ ସାହିତ୍ୟ ତାଙ୍କର ଜୀବନ ଓ ଜୀବିକାର ସଙ୍ଗେ ନିବିଡ଼ ଭାବରେ ମିଶି ତାଙ୍କୁ ସେଇ ପଥରେ ଚାଳିତ କରିଥିଲା । ପ୍ରଥମ ଜୀବନରେ ଅବଶ୍ୟ ସେ ଏତେଟା ପ୍ରତିଷ୍ଠା ଲାଭ କରି ନଥିଲେ; ମାତ୍ର କେତେଖଣ୍ଡ ବହି ରାଷ୍ଟ୍ରପତି ପୁରସ୍କାର ପାଇବା ପରଠାରୁ ତାଙ୍କର ସୁଖ୍ୟାତି ବଢ଼ିଯାଇଛି । ଦେଖିବାକୁ ଯେମିତି ରୂପବାନ୍‍ ସେମିତି ସ୍ୱାସ୍ଥ୍ୟବାନ୍ ।

କେତେକ ବିଷୟରେ ପିଲାଦିନୁ ତିନିଜଣଙ୍କର ଜୀବନ ମଧ୍ୟରେ ଗୋଟାଏ ସୁକ୍ଷ୍ମ ମିଳନର ଗ୍ରନ୍ଥି ରଚିତ ହୋଇଥିଲା । ତିନିହେଁ ଯାକ ପ୍ରଥମ ଜୀବନରେ ସହପାଠୀ ଥିଲେ । ସ୍କୁଲଠାରୁ ଆରମ୍ଭ କରି କଲେଜର କେତୋଟି ଧାପ ପର୍ଯ୍ୟନ୍ତ ଏକସଙ୍ଗେ ଅତିକ୍ରମ ହୋଇଚି । ତାପରେ ଅବଶ୍ୟ ପ୍ରତ୍ୟେକ ଚାଲିଯାଇଚନ୍ତି ଆପଣା ଆପଣାର କର୍ମକ୍ଷେତ୍ରକୁ–ବିଭିନ୍ନ ରାସ୍ତାରେ ।

କିନ୍ତୁ କର୍ମକ୍ଷେତ୍ରର ବିଭିନ୍ନତା ସେ ତିନିଜଣଯାକଙ୍କୁ ତିନି ଦିଗରେ ଚାଳିତ କରିଲେ ବି ଦୁଇଟି ବିଷୟରେ ସେମାନଙ୍କ ମଧ୍ୟରେ ଅଦ୍ଭୁତ ମେଳ ଥିଲା ।

ପ୍ରଥମଟା ହେଉଚି, ତିନିଜଣଯାକ ଅବିବାହିତ–ଦ୍ୱିତୀୟ, ତିନିଜଣଯାକଙ୍କର ଅଦ୍ଭୁତ ଭ୍ରମଣ ନିଶା ଥିଲା ।

ଯିଏ ଯେଉଁଠି ଥାଉ ନା କାହଁକି, ଗ୍ରୀଷ୍ମାବକାଶର ଠିକ୍ ଆଠଦିନ ଆଗରୁ, ନିଜନିଜର ବ୍ୟକ୍ତିଗତ କାମପତ୍ର ଛାଡ଼ି ଦେଶ ବିଦେଶ ଭ୍ରମଣ ପାଇଁ ପ୍ରସ୍ତୁତି ହୋଇ ଯାଆନ୍ତି ।

ଏମିତି ଏକ ଭ୍ରମଣ କାଳରେ ପୁରୀରେ ସମୁଦ୍ରକୂଳେ ସେମାନଙ୍କର ଦେଖାହୁଏ–ହେମାଙ୍ଗିନୀ ସହିତ । ଆଶ୍ଚର୍ଯ୍ୟ ଏଇ ହେମାଙ୍ଗିନୀ । ତାର ବି ଭ୍ରମଣ ନିଶା କିଛି କମ୍ ନୁହେଁ । ଗୋଟିଏ ମାଇନର ସ୍କୁଲର ମାଷ୍ଟ୍ରାଣୀ ସେ; କିନ୍ତୁ ତାର କଥାବାର୍ତ୍ତା ତାକୁ ଜଣେ ଉଚ୍ଚ ଶିକ୍ଷିତା ବୋଲି ପରିଚୟ କରାଇଦିଏ ।

ଦୀର୍ଘ ତିନିବର୍ଷ ଧରି କେଦାର, ନବୀନ ଆଉ ସଞ୍ଜିବ ସହିତ ହେମାଙ୍ଗିନୀ ଅନେକଗୁଡ଼ିଏ ଭ୍ରମଣ୍ୟସାଥୀ ହୋଇଚି । ଏହା ମଧ୍ୟରେ କେତେ ଯେ ସ୍ମରଣୀୟ ଅତୀତ କଟିଯାଇଚି ତାର କଳନା ନାହିଁ ।

 

ଏଥରର ଗ୍ରୀଷ୍ମାବକାଶ ପୁରୀରେ କଟାଇବାର ପ୍ରସ୍ତାବ କରି ବନ୍ଧୁ ଓ ବାନ୍ଧବୀ ଆସି ସମୁଦ୍ରକୂଳସ୍ଥ ଗୋଟାଏ ହୋଟେଲରେ ରହିଥିଲେ । ଆସିବାର ପାଞ୍ଚଦିନ ପରେ ହଠାତ୍ ସେଦିନ ଦେଖାଗଲା ଆକସ୍ମିକ ଭାବରେ ସଞ୍ଜିବର ମୃତ୍ୟୁ ହୋଇଯାଇଚି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଚି ଯେ, ଡାକ୍ତର ଡକାଇ ମୃତ ଦେହ ଦେଖାଇବାରୁ ସେ କହିଲେ, ‘ଏଇଟା ସ୍ଵାଭାବିକ ମୃତ୍ୟୁ ନୁହେଁ । ଏହାମଧ୍ୟରେ କୌଣସି ଜଣେ ଲୋକର ଅଦୃଶ୍ୟ ହାତ ରହିଚି, ଏଇଟା ପୋଲିସରେ ଜଣେଇବା ଏକାନ୍ତ ଉଚିତ ।’

 

ଡାକ୍ତରଙ୍କ ଉପଦେଶ ମାନି ନିଜେ କେଦାର ଥାନାରେ ଖବର ଦେବାପାଇଁ ବାହାରିଗଲା-

 

ହେମାଙ୍ଗିନୀର କେତେକଥା ମନେପଡ଼ୁଚି ।

 

ସଞ୍ଜିବକୁ ଘେରି ଯେଉଁ ଗୋଟାଏ ଦୁଇଟା ସ୍ୱପ୍ନ ତା ଜୀବନରେ ଦେଖା ଦେଇଥିଲା, ସେ ସବୁ ସ୍ୱପ୍ନ–କାବ୍ୟର ରଙ୍ଗିନ୍ ଆଲୋକ ଅନ୍ଧାର ତାର ଜୀବନ ମରୁରେ ସେମିତି କ୍ଷଣ–ଚାପଲ୍ୟର ଆନନ୍ଦ ଆଣିଥିଲା ।

 

କିନ୍ତୁ ! ସେ ନିଜେ ଆଣିଥିଲା ତା ଉପରେ ଗୋଟାଏ ନିଷ୍ଠୁର ଆଘାତ । ସେଦିନର ଏମିତି ଗୋଟାଏ କଥା ମନେପଡ଼େ ।

 

ପ୍ରକୃତିର ଅଙ୍ଗନରେ ଥିଲା ବସନ୍ତର ଅଭିସାର ଉତ୍ସବ । ଏମିତି ବାସନ୍ତି ସନ୍ଧ୍ୟାରେ ସେ ଆଉ ସଞ୍ଜିବ ବସିଥିଲେ ଦାର୍ଜିଲିଂ ସହରର ବାର୍ଚହିଲ କଡ଼ରେ, ପ୍ରକୃତିର ଅଖଣ୍ଡ ଶ୍ୟାମଳିମାର ମଝିରେ ମଝିରେ ଦେଖା ଯାଉଥିଲା ରଙ୍ଗିନ୍ ଫୁଲର ସମ୍ଭାର । ସେ ଆଉ ସଞ୍ଜିବ ବସିଥିଲେ ଖୁବ୍ ନିକଟ ଭାବରେ । କେଦାର ଆଉ ନବୀନ ସେତେବେଳକୁ ଅବଜାର ଭେଟାରୀ ହିଲ୍ ଆଡ଼େ ବୁଲିବାକୁ ଯାଇଥିଲେ ।

 

ସଞ୍ଜିବ ଏକ ଦୃଷ୍ଟିରେ ତା ଆଡ଼େ ଚାହିଁ ରହିଥିଲା ।

 

ହେମାଙ୍ଗିନୀ ପଚାରି ଥିଲା, “କଣ ଏମିତି ଦେଖୁଚ ?’’

 

–“ତୁମକୁ !’’

 

–“ଏତ ଆଜି ନୂଆ ନୁହେଁ । ଏମିତିତ ଅନେକ ଥର ଦେଖୁଚ । ସେତିକିରେ କଣ ମନ ତୁମର ବୁଝିନି ?

 

–“ନା’’, ଏ ମନ ବୁଝିବାର ନୁହେଁ ହେମାଙ୍ଗିନୀ । ବୁଝିପାରେନା । କବି ଆଉ ଶିଳ୍ପୀମାନେ ଯୁଗେଯୁଗେ ସେଇଥିପାଇଁ ବୋଧହୁଏ ଜୀବନର ଜୟ ଗାନ କରି ଯାଇଚନ୍ତି ।

 

‘‘–କିନ୍ତୁ....”

 

–“କିନ୍ତୁ ନୁହେଁ ହେମାଙ୍ଗିନୀ ! ଆଜିର ଏଇ ଅବାରିତ ପ୍ରକୃତିର ମଝିରେ, ଅନପେକ୍ଷ ଆକାଶତଳେ ତୁମକୁ ନୂଆକରି ଦେଖୁଚି । ଯୁଗେ ଯୁଗେ ଯେଉଁ ସ୍ଵପ୍ନ–ମାୟା ବୋଳା ଚକ୍ଷୁକୁ ନେଇ ପୁରୁଷ ଦେଖୁଚି ନାରୀକୁ । ଗୋଟାଏ କଥା ହେମାଙ୍ଗିନୀ–

 

“କୁହ ।”

 

‘‘କାହିଁକ ତୁମେ ଦିନପରେ ଦିନ ଧରି ଏଭଳି ନିଜକୁ ବଞ୍ଚନା କରି ଚାଲିଚ ? ଆଉ କେବଳ ନିଜକୁ ନୁହେଁ, ଆମକୁ ବି ତା’ ସାଙ୍ଗରେ ।

 

–‘‘ତୁମମାନଙ୍କୁ ?’’

 

–ନୁହେଁ ତ ଆଉ କଣ ? କାହିଁକି ? ବାରମ୍ବାର କେବଳ ଏଇ ଗୋଟାଏ ପ୍ରଶ୍ନ ଆଜି ମୋର ମନକୁ ଧ୍ୱଂସ କରି ଦେଉଚି ।

 

–“ସଞ୍ଜିବ, ବିବେକର ଅନୁଶାସନ ତୁମେ ମାନ ନି ?’’

 

–‘‘ହଁ, ବିବେକମାନେ; କିନ୍ତୁ ବିବେକ କହେନି ନିଜର ହୃଦୟବୃତ୍ତିକୁ ବଞ୍ଚିତ କରି, ଆଦର୍ଶକୁ ଲଘୁକରି, ବନ୍ଧୁତ୍ଵକୁ ସର୍ବୋଚ୍ଚ ସ୍ଥାନ ଦେବାକୁ । ଆଉ କାହିଁକି ଏ ବନ୍ଧୁତ୍ୱ । ଅହରହ କଣ ଆମେ ପ୍ରତ୍ୟେକେ ଅଫୁରନ୍ତ ପିପାସା ବକ୍ଷରେ ଧରି ତୃଷ୍ଣାରେ...’’

 

ହେମାଙ୍ଗିନୀ ଗର୍ଜିଉଠିଥିଲା, “ବନ୍ଦକର ! ସାହିତ୍ୟକ ବୋଲି ପରିଚୟ ଦେବାକୁ ତୁମକୁ ଲଜ୍ଜା ଲାଗେନି ! ଲଜ୍ଜାଲାଗେନି ଭଦ୍ରତାର ଆବରଣ ଧରି...’’

 

ବାଧାଦେଇ ସଞ୍ଜିବ କହିଥିଲା, “ଆଉ ତୁମକୁ କଣ ଘୃଣାଲାଗେନି ଆମ ତିନିବନ୍ଧୁଙ୍କର ଦୁର୍ବଳତାର ସୁଯୋଗ ନେଇ ଆମମାନଙ୍କୁ ଏମିତି ନଚେଇ ବୁଲେଇବାକୁ ???’’

 

‘‘ସଞ୍ଜିବ !”

 

‘‘ଆଜି ତୁମର କୌଣସି ଧମକ ଶୁଣିବାକୁ ମୁଁ ପ୍ରସ୍ତୁତ ନୁହେଁ, କୌଣସି ଶାସନର ଅନୁଶାସନରେ ମତେ ତୁମେ ବାଧା ଦେଇ ପାରବନି ! ମୁଁ କେବଳ ଜାଣିବାକୁ ଚାହୁଁଚି ଚିରଦିନ ପାଇଁ ତୁମକୁ ନିବିଡ଼ ଭାବେ ପାଇପାରେ କି ନା । ଯଦି ସେଥିରେ ଆପତ୍ତି ଥାଏ, ଚିରଦିନ ପାଇଁ ଦୂରକୁ ଚାଲିଯିବି, ଆଉ କୌଣସିଦିନ ମୁହୂର୍ତ୍ତକ ପାଇଁ ବି ତୁମ ଆଗରେ ଆସି ଠିଆ ହେବିନି, କୁହ, କୁହ ହେମାଙ୍ଗିନୀ କଣ ତୁମର ଇଚ୍ଛା ।’’

 

‘‘ଉଦଗ୍ର ଆବେଗରେ ସଞ୍ଜିବ ତାର ବଳିଷ୍ଠ ହାତରେ ହେମାଙ୍ଗିନୀକୁ ଆଲିଙ୍ଗନ କରିଥିଲା; କିନ୍ତୁ ତାହା ମୁହୂର୍ତ୍ତକପାଇଁ, ଗୋଟାଏ ସଜୋର ଆଘାତ ଆସି ତା ଗାଲରେ ଲାଗିଲା । ଯେମିତି ଗୋଟାଏ ଚାବୁକର ନିର୍ମମତା ମିଶିଥିଲା ସେ ଆଘାତରେ ।

 

ସଞ୍ଜିବ ହେମାଙ୍ଗିନୀକୁ ଛାଡ଼ିଦେଲା ।

 

ତୀକ୍ଷ୍‍ଣକଣ୍ଠରେ ହେମାଙ୍ଗିନୀ କହିଲା, “ବନ୍ଧୁତ୍ୱକୁ କଳଙ୍କିତ କରିବାକୁ ତୁମକୁ ଲଜ୍ଜାଲାଗୁନି ? ଘୃଣା ହେଉନି ? ଏଇ ମୁହୂର୍ତ୍ତରେ ତୁମେ ମୋ ଆଗରୁ ଦୂରକୁ ଚାଲିଯାଅ ।’’

‘‘ସଙ୍ଗେ ସଙ୍ଗେ ସଞ୍ଜିବ ହେମାଙ୍ଗିନୀ ଆଗରୁ ଦ୍ରୁତ ଗତିରେ ପ୍ରସ୍ଥାନ କଲା ।

ଅଧଘଣ୍ଟା ପରେ ହେମାଙ୍ଗିନୀ ଏକା ହୋଟେଲକୁ ଫେରି ଆସି ଶୁଣିବାକୁ ପାଇଲା, ସଞ୍ଜିବ ହୋଟେଲ ଛାଡ଼ି, ଦାର୍ଜିଲିଂ ଛାଡ଼ି ଫେରିଯାଇଚି । ହୋଟେଲର ଚାକର ହାତରେ ଖଣ୍ଡେ ଚିଠି ଗଲାବେଳେ ସେ ଦେଇ ଯାଇଥିଲା । ହେମାଙ୍ଗିନୀ ସେ ଚିଠି ଖଣ୍ଡି ଆଣିପଢ଼ିଲା, ଲେଖାଥିଲା–

ହେମାଙ୍ଗିନୀ,

ମୁହୂର୍ତ୍ତକର ଭୁଲ ପାଇଁ ନିଶ୍ଚୟ ତୁମପାଖରୁ କ୍ଷମା ମିଳିବ, ଅବଶ୍ୟ ସେ ଭୁଲପାଇଁ ମୁ ଏକୁଠିଆ ଦାୟୀନୁହେଁ । ଦାର୍ଜିଲିଂର ପ୍ରକୃତି ଏବଂ ବାସନ୍ତୀ ସନ୍ଧ୍ୟା ଦାୟୀ, ବାର୍ଚହିଲ୍‍ର ପ୍ରତିଗଛର ସବୁଜର ଉତ୍ସ ମଧ୍ୟ ଦାୟୀ ।

ଆଶାକରେ ଏକଥା କେଦାର ଆଉ ନବୀନକୁ କହି ବନ୍ଧୁତ୍ୱରେ ଆଞ୍ଚ ଆଣିବନି ।

ଇତି

ତୁମର ସଞ୍ଜିବ

ହେମାଙ୍ଗିନୀ କୌଣସି ଦିନ ସେକଥା କେଦାର ବା ନବୀନକୁ କହିନି । ଆଉ କହିବ ବା କେମିତି ?

ସେଦିନର ସେଇ ବାସନ୍ତୀ ସନ୍ଧ୍ୟାରେ ବାର୍ଚହିଲ୍‍ର ମନୋମୁଗ୍‍ଧକର ପରିବେଶରେ ଗୋଟିଏ ସୁନ୍ଦର ପୁରୁଷର ନିବିଡ଼ ଆଲିଙ୍ଗନ କଣ ତାର ଜୀବନ ମରୁରେ ବି କ୍ଷଣ ବସନ୍ତର ଜୁଆର ବୁହାଇ ଦେଇ ନଥିଲା ?

ପ୍ରକୃତରେ ଦେଇଥିଲା ।

ଆଉ ସାମୟିକ ଉତ୍ତେଜନାରେ ସଞ୍ଜିବକୁ ନିଷ୍ଠୁର ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ ବି ଗୋଟାଏ ତୀବ୍ରଜ୍ଜାଳା ତାର ସାରାମନକୁ ଯେମିତି ବିପୁଳ ଭାବରେ କଶାଘାତ କରି ଚାଲିଥିଲା ।

ବାରମ୍ବାର ଗୋଟାଏ କଥା ଯେମିତି ଚକର ଖାଇ ତାମନ ମଧ୍ୟରେ ବାଜି ଉଠୁଥିଲା–ତାର ଏଇ ସୁଦୀର୍ଘ ଚବିଶବର୍ଷର ଜୀବନରେ ଉଦ୍ଦେଶ୍ୟ କଣ ? କଣ ସେ ଚାହେଁ ? କାହିଁକି ତା ମନର ଏ ଦୁର୍ବଳତା ?

ତେଣୁ ସେଦିନ ଗଭୀର ରାତିରେ ହୋଟେଲ ରୁମ୍‍ ରେ ଆଲୁଅ ଜଳେଇ ସେ ଚିଠିଲେଖି ବସିଲା:–

ପ୍ରିୟତମେଷୁ,

ସେଦିନର ମୁହୂର୍ତ୍ତକର ଉତ୍ତେଜନାରେ ତୁମକୁ ଯେଭଳି ହଠାତ୍‍ ପ୍ରତ୍ୟାଖ୍ୟାତ କରି ଦେଇଚି ସେଥିପାଇଁ ମୁଁ ଗଭୀର ଦୁଃଖିତ । ସେଦିନ ତୁମର ବଳିଷ୍ଠ, ନିଷ୍ଠୁର ଆବେଦନ ମଧ୍ୟରେ ମୁଁ ଜୀବନର ଆସ୍ୱାଦ ପାଇଥିଲି; ତେଣୁ ମନକୁ ବିଚାର କରି ଦେଖିଲି ସେ ତୁମକୁ ନିବିଡ଼ ଭାବରେ ଚାହେଁ । କିନ୍ତୁ...

କିନ୍ତୁ ହେମାଙ୍ଗିନୀ ଚିଠିଖଣ୍ଡକ ଶେଷକଲାନି ।

ମୁହୂର୍ତ୍ତକ ମଧ୍ୟରେ ତାର ମନଭିତରେ ସବୁକିଛି ଯେମିତି ଗୋଳମାଳିଆ ହୋଇଗଲା । ସେ ଭାବିଲା, ଏକଣ କରି ଚାଲିଚି ? ସାମୟିକ ଉତ୍ତେଜନାବଶରେ ସେ ବନ୍ଧୁତ୍ୱର ମର୍ଯ୍ୟାଦାକୁ ଚିରଦିନ ପାଇଁ ବିସର୍ଜନ ଦେବାକୁ ଯାଉଚି ? ତାପରେ କେଦାର ଆଉ ନବୀନ ପାଖରେ ସେ କି କଇଫିୟତ୍ ଦେବ ? ତାର ଏକାମର କି ଜବାବ ଥାଇପାରେ ?

 

ଚିଠିଟାକୁ ହେମାଙ୍ଗିନୀ ଟିକ୍ ଟିକ୍ କରି ଚିରି ପକାଇଲା ।

 

ଆଉ ଖଣ୍ଡେ କାଗଜ ଆଣି ଲେଖି ବସିଲା–

 

ପ୍ରିୟ ସଞ୍ଜିବ,

 

ତୁମର ସେ ଅନୁଶୋଚନା ଆସିଚି ସେଥିପାଇଁ ମୁଁ ଆନନ୍ଦିତ । ମଣିଷ ମଝିରେ ମଝିରେ ତାର ବିଚାର ବୁଦ୍ଧି ଭୁଲିଯାଇ ଉତ୍ତେଜନାର ଦାସ ହୁଏ । ସେ ଭୁଲିଯାଏ ବିବେକକୁ, ଭୁଲିଯାଏ ସଂସ୍କାରକୁ । କିନ୍ତୁ ଭୁଲ ହିଁ ମନୁଷ୍ୟତ୍ୱର ଲକ୍ଷଣ; ତେଣୁ ତୁମର ଏ ଭୁଲକୁ କ୍ଷମା କଲାଭଳି ମନର ବଳ ମୋର ନିଶ୍ଚୟ ଅଛି ।

 

କେଦାର ବା ନବୀନକୁ ଏ ବିଷୟରେ ମୁ କିଛି କହିନି । କୌଣସି ଦିନ ବି କହିବିନି, ତାଛଡ଼ା ସେମାନେ ଜାଣନ୍ତି ଯେ ତୁମେ କେମିତି ଖାମଖେୟାଲି, ତୁମର ଏ ଖାମଖେୟାଲି ନିଶା ସଙ୍ଗେ ସେମାନେ ପରିଚିତ; ତେଣୁ ତୁମର ଏ ସାମୟିକ ଅନ୍ତର୍ଦ୍ଧାନକୁ ସେମାନେ ନିଶ୍ଚୟ ସାଧାରଣ ଚକ୍ଷୁରେ ଦେଖିବାକୁ ସକ୍ଷମ ହେବେ ।

 

। ଇତି ।

ତୁମର ହେମାଙ୍ଗିନୀ

 

ଚିଠି ଖଣ୍ଡିକ ପଠେଇବା ପରେ ଦୀର୍ଘ ଦୁଇବର୍ଷ କଟିଯାଇଚି । ସଞ୍ଜିବ ପକ୍ଷରୁ ଏଭଳି ସୁଦୃଢ଼ ଆହ୍ୱାନ ଆଉ ଆସିନି । ହେମାଙ୍ଗିନୀ ବି ଆଉ ତାକୁ ସେଭଳି ଦାବି କରିନି । ହେମାଙ୍ଗିନୀର ବକ୍ଷ ଭିତରୁ ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା ।

 

ସେଇ ସଞ୍ଜିବ ଆଜି ମୃତ । ଆଉ ଡ଼ାକ୍ତରଙ୍କ ମତରେ ତାର ସେ ମୃତ୍ୟୁ ସାଧାରଣ ମୃତ୍ୟୁନୁହେଁ । କେହି ଜଣେ ବିଶେଷ ଉବ୍ଦେଶ୍ୟରେ ତାକୁ ହତ୍ୟା କରିଚି । କିନ୍ତୁ କିଏ ? କିଏ ସେଇ ଗୋପନ ହତ୍ୟାକାରୀ ?

 

ପୋଲିସ ସବ୍ଇନ୍‍ସପେକ୍ଟର ମି: ରଣସିଂହ ଭ୍ରୂ କୁଞ୍ଚନକରି କେଦାରକୁ ଚାହିଁ ପଚାରିଲେ, ‘‘କଣ କହିଲେ, ଗୋଟାଏ ମର୍ଡ଼ର କେସ୍ ?’’

 

–ହଁ, ସାର୍ !’’

 

–‘‘ମର୍ଡ଼ର ବୋଲି ଆପଣଙ୍କର କେମିତି ସନ୍ଦେହ ହେଲା ?’’

 

–‘‘ଆମେମାନେ ଏଇଟାକୁ ସାଧାରଣ ମୃତ୍ୟୁ ବୋଲି ମନେ କରିଥିଲୁ । କିନ୍ତୁ ଡକ୍ଟର ସେନାପତି ଆସି ମୃତ୍ୟୁଦେହ ପରୀକ୍ଷା କରି କହିଲେ, ଏଇଟା ହେଉଚି ଅସ୍ୱାଭାବିକ ମୃତ୍ୟୁ !’’

 

–“ବୁଝିଲି । ଏ ବିଷୟରେ କାହାଉପରେ ସନ୍ଦେହ କରୁଛନ୍ତି ?’’

 

–‘‘ସେମିତି କଣ କହିହେବ ! ଆମେ ତିନିବନ୍ଧୁ ଓ ବାନ୍ଧବୀ ଛଡ଼ା ମଧ୍ୟ ହୋଟେଲରେ ଆହୁରି ଅନେକେ ଅଛନ୍ତି, ତାଛଡ଼ା ଚାକର, ପୁଝାରୀ ଏମିତି କେତେ କିଏ ଅଛନ୍ତି !’’

 

–‘‘ଆଚ୍ଛା, ସଞ୍ଜିବ ବାବୁ କଣ ଏକୁଟିଆ ଘରେ ରହିଥିଲେ ?’’

 

–ହଁ, ଆମେମାନେ ତିନୋଟି ବଖରା ଭଡ଼ା ନେଇଥିଲୁ; ଗୋଟାଏ ଛୋଟ ବଖରାରେ ରହୁଥିଲା ସଞ୍ଜିବ, ଗୋଟାଏ ସେଭଳି ବଖରାରେ ହେମାଙ୍ଗିନୀ; ଆଉ ଟିକିଏ ବଡ଼ ହେବ ଗୋଟାଏ ବଖରାରେ ମୁଁ ଆଉ ନବୀନ ରହୁ ।’’

 

ହଠାତ୍ ପାଖଚେୟାରରୁ ଶୁଣାଗଲା, ‘‘ଅପରାଧୀ ଧରିବାକୁ ଯାଇ ତାର ଯଥାର୍ଥ କାରଣ ଏମିତି ବାହାର କରି ହୁଏନି ମି. ରଣ ସିଂହ ! ଆପଣ ଆଉ ଟିକିଏ ତଳକୁ ବୁଡ଼ନ୍ତୁ ।

 

”ଚମକପଡ଼ି ମି: ରଣସିଂହ କହିଲେ, ‘‘ଆରେ–ମୋର ତ ଆଦୌ ମନେ ନାହିଁ, ଜାଣନ୍ତି ତ କେଦାର ବାବୁ ! ଏ ହେଉଚନ୍ତି ଓଡ଼ିଶାର ବିଖ୍ୟାତ ପ୍ରାଇଭେଟ୍ ଡିଟେକ୍‍ଟିଭ ଅମୂଲ୍ୟକୁମାର ମହାନ୍ତି !’’

 

ନମସ୍କାର ଜଣାଇ କେଦାର କହିଲା, ‘‘ଆପଣ ଆମପକ୍ଷରୁ ଟିକିଏ ଅନୁସନ୍ଧାନ କରନ୍ତୁ, ଶୁଣିଚି ଆପଣ ଯେଉଁ କେସରେ ହାତ ଦେଇଚନ୍ତି କୌଣସିଟାରେ ବ୍ୟର୍ଥ ହୋଇ ନାହାଁନ୍ତି ।’’

 

ହସିହସି ଅମୂଲ୍ୟବାବୁ କହିଲେ, ‘‘ଠିକ୍ ଏତେଟା ନହେଲେ ବି ଭାଗ୍ୟଜୋର୍‍ରେ ଅନେକଗୁଡ଼ିଏ ଜଟିଳ କେସରେ ଯେ ସଫଳତା ଲାଭ କରିଚି ଏକଥା ସତ !’’

 

ମି: ରଣସିଂହ କହିଲେ, ‘‘ଦିନକେଇଟା ପାଇଁ ମି: ମହାନ୍ତି ବୁଲି ଆସିଥିଲେ, ଆଉ ସାଙ୍ଗେ ସାଙ୍ଗେ ଏଠାରେ ମର୍ଡ଼ର ଘଟିଲା; ତେଣୁ ଆପଣଙ୍କୁ ବାଧ୍ୟହୋଇ...

 

ସାମାନ୍ୟ ହସି ଅମୂଲ୍ୟବାବୁ କହିଲେ, ‘‘ସେଥିରେ କିଛି ଯାଏ ଆସେନି । ରହସ୍ୟ ଉଦ୍‍ଘାଟନ କରିବାରେ ମୁଁ ଖୁବ୍ ଆନନ୍ଦିତ, ସେଇଟା ମୋର ପେଶା; କିନ୍ତୁ ଗୋଟାଏ ନିୟମ ରହିବ କେଦାର ବାବୁ ।’’

 

–‘‘ବେଶ ସେ ନିୟମ କଣ କହନ୍ତୁ ।’’

 

–‘‘ଯେ କେହି ଅପରାଧୀ ହେଉନା କାହିଁକି, ତାକୁ ଶାସ୍ତିଗ୍ରହଣରୁ ବିରତ କରିବାପାଇଁ ମୋତେ ଅନୁରୋଧ କରି ପାରିବେନି । ସେ ଆପଣଙ୍କର ବନ୍ଧୁ ହେଉ ବା ସମ୍ପର୍କୀୟ ହେଉ !’’

 

“ବେଶ୍, ମୁଁ ଜବାବ୍ ଦେଉଚି....

 

–‘‘ତେବେ ଆଉ ଅପେକ୍ଷାରେ ଲାଭ କଣ ? ବାହାରନ୍ତୁ ମି: ରଣସିଂହ !’’

 

ସମସ୍ତେ ଏକ ସଙ୍ଗେ ଆସନ ଛାଡ଼ିଲେ ।

 

ଅଳ୍ପ ସମୟ ପରେ ପୋଲିସ ଗାଡ଼ି ଆସି ସମୁଦ୍ରକୂଳସ୍ଥ ସେଇ ହୋଟେଲ ଆଗରେ ଠିଆହେଲା । ହୋଟେଲର ମ୍ୟାନେଜର ଉପେନ୍ଦ୍ର ଶତପଥୀ ଆସି ମି: ରଣସିଂହ ଆଉ ଅମୂଲ୍ୟବାବୁଙ୍କୁ ପାଛୋଟି ନେଲେ ।

 

ମି: ରଣସିଂହ କହିଲେ, ‘‘ବହୁଦିନ ହେଲାତ ଆପଣ ହୋଟେଲ ଚଳୋଉଚନ୍ତି ଶତପଥୀ ବାବୁ, ଏମିତି ଘଟଣାତ କୌଣସି ଦିନ ହୋଟେଲ ଇତିହାସରେ ଘଟିନଥିଲା ।’’

 

–‘‘ପ୍ରକୃତରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଉଚି ସାର୍, ଏ ଭଦ୍ରଲୋକମାନେ ଏହା ଆଗରୁ ଥରେ ଦି’ଥର ପୁରୀ ବୁଲିବାକୁ ଆସି ମୋ ହୋଟେଲ୍‍ ରେ ରହିଥିଲେ; କିନ୍ତୁ...’’

 

ଅମୂଲ୍ୟବାବୁ କେଦାରଆଡ଼େ ଚାହିଁ ପଚାରିଲେ, ‘‘ଆପଣମାନେ ବୋଧହୁଏ ବୁଲାବୁଲି କରିବାକୁ ଭଲ ପାଆନ୍ତି ।’’

 

–ଠିକ୍ କହିଚନ୍ତି । ଏଇଟା ଆମର ଗୋଟାଏ ବଡ଼ ନିଶା ।’’

 

–“ଆଚ୍ଛା, ଗୋଟାଏ କଥା କେଦାର ବାବୁ ।’’

 

–“କହନ୍ତୁ, ଇତସ୍ତତଃ ହେବାର କିଛି କାରଣ ନାହିଁ ।’’

 

–‘‘ଆପଣ କହିଲେ, ଏତେଦିନରୁ ହେମାଙ୍ଗିନୀ ଦେବୀଙ୍କ ସହିତ ଆପଣମାନଙ୍କର ବନ୍ଧୁତାର ନିବିଡ଼ତା ରହିଚି, ତେବେ ଆପଣମାନଙ୍କ ମଧ୍ୟରୁ କାହାରି ଜଣକ ସଙ୍ଗେ ତାଙ୍କର ବିବାହଟା କଣ ସ୍ଵାଭାବିକ ନଥିଲା !’’

 

କେଦାର କହିଲା, “ହୁଏତ ଥିଲା, କିନ୍ତୁ ତାହା ହେମାଙ୍ଗିନୀ ଇଚ୍ଛାରେ ହେଇନି, ଆମ ଭିତରୁ କେହି ତାକୁ ଏ ବିଷୟରେ ପଚାରିଲେ ସେ କହେ, ତାର ଯାହା କିଛି ଭଲ ପାଇବା ତାହା ଆମ ତିନିଜଣ ମିଶି ଯେଉଁ ୟୁନିଟ୍ ତାକୁ, ସେଥିରୁ ଯେତେବେଳେ ଯେ କେହି ଜଣେ ପୃଥକ ହୋଇଯିବ, ସେତେବେଳେ ସେ ରଙ୍ଗ ଫିକା ହୋଇଯିବ, ତା ଅପେକ୍ଷା ଆମମାନଙ୍କର ବନ୍ଧୁତ୍ୱ–ଆମମାନଙ୍କର ସାହଚର୍ଯ୍ୟହିଁ ତା ପାଖରେ ବେଶି କାମ୍ୟ ଥିଲା ।

 

–‘‘ବୁଝିଲି, ଚାଲନ୍ତୁ ଏଥର ଯେଉଁଠି ଘଟଣାଟା ଘଟିଚି ସେଠାକୁ ଯିବା ।’’

 

ସମସ୍ତେ ଦୋମହଲା ଆଡ଼େ ଚାଲିଲେ ।

 

ଉପର ମହଲାରେ ଧାଡ଼ି ଧାଡ଼ି ଘର । ଶେଷଆଡ଼କୁ ଥିବା ବଖରାଟିରେ ସଞ୍ଜିବ ରହେ, ସେ ନିଜ ଇଚ୍ଛାରେ ଗୋଟାଏ ଅଲଗା ବଖରା ନେଇଥିଲା, ଅଲଗା ଭାବରେ ରହିଲେ ସାହିତ୍ୟ ସାଧନାରେ ବାଧାପଡ଼ିବନି ବୋଲି ସେ ଏ ବିଚାର କରିଥିଲା ।

 

ସମସ୍ତେ ଯାଇ ସେ ଘର ଭିତରେ ଠିଆହେଲେ,

 

ଘର ଭିତରେ ଝରକା ଆଡ଼କୁ ଖଣ୍ଡେ ଖଟ ପଡ଼ିଛି । ସେଇ ଖଟ ଉପରେ ସଞ୍ଜିବର ମୃତଦେହ ପଡ଼ିଥାଏ ।

ଅମୁଲ୍ୟବାବୁ କେଦାରଆଡ଼େ ଚାହିଁ ପଚାରିଲେ, “ମୃତ ଦେହଟା କଣ ପ୍ରଥମରୁ ଠିକ୍ ଏପରି ଭାବରେ ଥିଲା ?’’

–‘‘ଝରକା କଡ଼ରେ ମୃତଦେହଟା ପଡ଼ିଥିଲା, ସେଠାରୁ ଟେକି ଆଣି ଖଟଉପରେ ଶୁଆଇ ଦିଆଯାଇଚି ।’’

“ଆଚ୍ଛା, ଠିକ୍ ଅଛି, ଗୋଟାଏ ସୂତ୍ର ମିଳିଚି । କିନ୍ତୁ କିଭଳି ଭାବରେ ମୃତ୍ୟୁ ହେଇଚି ତାହା ମେଡ଼ିକାଲ ଏକ୍‍ଜାମିନ ଛଡ଼ା ସଠିକ୍ କହି ହେବନି, ମି: ରଣସିଂହ, ଆପଣ ମୃତ ଦେହଟା କୌଣସି ପ୍ରବୀଣ ଚିକିତ୍ସକଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରନ୍ତୁ । ଦେହରେ ବୋଧହୁଏ କୌଣସିଠାରେ ଆଘାତ ଚିହ୍ନ ନିଶ୍ଚୟ ନଥିବ ?’’

କେଦାର କହିଲା, ‘‘ନା, ସେମିତି କିଛି ନାହିଁ, ସେଥିପାଇଁତ ଆମେ ଭାବିଥିଲୁ ସାଧାରଣ ମୃତ୍ୟୁ ଘଟିଚି । କିନ୍ତୁ...”

–‘‘ବୁଝିଚି, ଦେଖନ୍ତୁତ ମି: ରଣସିଂହ, ଆଉ କୌଣସି ସୁତ୍ର ମିଳୁଚି କି ନାହିଁ ।’’

–‘‘ନା, ଆଉତ ସେମିତି କିଛି ଦେଖୁନି ।’’

–‘‘ଅଛି ମି: ରଣସିଂହ, ନିଶ୍ଚୟ ଅଛି ।’’

‘‘–କେଉଁଠି ? କାଇଁ ଆଉ କଣ ?’’

–‘‘ଝରକା ରେଲିଂ ଗୁଡ଼ା ଦେଖିଚନ୍ତି ?’’

–‘‘ହଁ, କିନ୍ତୁ ସେଥିରେ.....’’

–‘‘ଏଇ ଦେଖନ୍ତୁ–ଝରକା ରେଲିଂ ଦେହରେ ଟିକିଏ ତମ୍ବା ତାର ଲାଗିଚି । ଭଲ ଭାବରେ ଟିକିଏ ଦେଖନ୍ତୁ ।

–‘‘ହଁ, ଦେଖୁଚି ତ ! କିନ୍ତୁ ଏଥିରୁ କି ପ୍ରମାଣ ମିଳିବ ?

–‘‘ଅନେକ କିଛି । ଆପଣ ସେ ତାର ଟିକକ ଖୋଲି ପକେଟରେ ରଖନ୍ତୁ ।’’

“ଆଚ୍ଛା ।”

ବିସ୍ମିତ ହୋଇ ମି: ରଣସିଂହ ତମ୍ବାତାର ଟିକକ ଝରକା ରେଲିଂରୁ ଖୋଲି ପକେଟରେ ରଖିଲେ ।

ଅମୂଲ୍ୟବାବୁ କହିଲେ, ‘‘ଏ ଘରେ ଆଉ ସେମିତି ଅଛି ବିଶେଷ ସୂତ୍ର ନାହିଁ । ଏଥର ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକବାକଙ୍କୁ ପରୀକ୍ଷା କରିବାକୁ ହେବ । ଷ୍ଟେଟମେଣ୍ଟ ଭିତରୁ କାଳେ କୌଣସି ସୂତ୍ର ମିଳିପାରେ ।’’

ମି: ରଣସିଂହ କହିଲେ, “ଏଥର ତାହେଲେ ମୁଁ ସେ ଘରଟା ଜବତ୍ କରି ଦେଉଚି ମି: ମହାନ୍ତି ।’’

–“ହ, ସଞ୍ଜିବ ବାବୁଙ୍କ ମୃତ ଦେହଟା ସର୍ବପ୍ରଥମେ କାହା ଦୃଷ୍ଟିରେ ପଡ଼ିଥିଲା ?’’

କେଦାର କହିଲା, ‘‘ସର୍ବପ୍ରଥମେ ଦେଖିଥିଲା ହେମାଙ୍ଗିନୀ ।’’

–“ତାହେଲେ ତାଙ୍କୁ ଡକାନ୍ତୁ ।’’

ଟିକକପରେ ହେମାଙ୍ଗିନୀ ଆସି ତାର ବକ୍ତବ୍ୟ ଆରମ୍ଭ କଲା–

ସର୍ବପ୍ରଥମେ ମୁଁ ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲି; ମୋର ଦୁର୍ଭାଗ୍ୟ, ଖୁବ୍ ଭୋରରୁ ଉଠି ଚା’ ନେଇ ମୁଁ ପାଖ ଘରକୁ ଯାଇଥିଲି । ସେଠାରେ କେଦାର ଆଉ ନବୀନକୁ ଚା’ ଦେଇ ଏପଟ ଘରକୁ ଆସି ଦେଖିଲି ସଞ୍ଜିବ ଝରକା ପାଖରେ ଶୋଇଚନ୍ତି ।

ମୁଁ ଭାବିଲି, ହୁଏତ ରାତିରେ ଗରମ ହେବାରୁ ନିଦ ହେଲାନି ବୋଲି ଖଟ ଉପରେ ନ ଶୋଇ ଝରକା କଡ଼ରେ ଆସି ଶୋଇଚନ୍ତି; ତେଣୁ ଟେବୁଲ୍ ଉପରେ ଚା’ ରଖିଦେଇ ତାଙ୍କୁ ହଲାଇ ଡାକିଲି ।

କିନ୍ତୁ ଦେହରେ ହାତ ମାରି ଦେଖିଲି–ବରଫ ପରି ଥଣ୍ଡା । ଦେହରେ ସ୍ପନ୍ଦନ ନାହିଁ । କହୁ କହୁ ହେମାଙ୍ଗିନୀର ଦୁଇ ଆଖି ଲୁହରେ ପୂରି ଉଠିଲା ।

ଟିକିଏ ରହି ପୁଣି କହିବାକୁ ଲାଗିଲା–ମୁଁ ଆସି କେଦାର ଆଉ ନବୀନଙ୍କୁ ଡାକିଲି । ସେମାନେ ବି କଥାଟା ଶୁଣି ବିସ୍ମିତ ହୋଇଗଲେ । ଦୁହେଁଯାକ ଏ ଘରକୁ ଧାଇଁ ଆସିଲେ । ଅବସ୍ଥା ସଙ୍ଗେ ସଙ୍ଗେ ମ୍ୟାନେଜରଙ୍କୁ ଜଣାଇବାରୁ ସେ ଡାକ୍ତର ଡାକିବାକୁ ପରାମର୍ଶ ଦେଲେ ।

ଅମୂଲ୍ୟବାବୁ ପଚାରିଲେ, “ଆଚ୍ଛା, ଏ ତିନିବନ୍ଧୁଙ୍କର କେବେ ତୁମ ସହିତ ମନୋମାଳିନ୍ୟ ହୋଇଥିଲା ?’’

–‘‘ନା ।’’

–“ଆଚ୍ଛା, ସଞ୍ଜିବ ବାବୁ କଣ ବିବାହ କରିବା ପାଇଁ ବ୍ୟଗ୍ର ହୋଇଥିଲେ ବୋଲି ଆପଣଙ୍କର ମନେ ହୁଏ ?’’

ଟିକିଏ ରହି ହେମାଙ୍ଗିନୀ କହିଲା, ‘‘ଯଦିଓ ଏଇଟା ବ୍ୟକ୍ତିଗତ କଥା ତଥାପି କହୁଚି ଏ ତିନିଙ୍କର କାହାରି ମୋ ସଙ୍ଗେ ବିବାହ କରିବାକୁ ଆପତ୍ତି ନ ଥିଲା ।’’

ଅମୂଲ୍ୟବାବୁ ସିଗାରେଟରେ ଶେଷଟାଣ ଦେଇ ସେଖଣ୍ଡକ ଆଶଟ୍ରେରେ ପକେଇ ଦେଲେ, ତାପରେ ଟିକଏ ରହି ପଚାରିଲେ, ‘‘ଗୋଟାଏ କଥା ହେମାଙ୍ଗିନୀ ଦେବୀ, ମନରେ ଅନ୍ୟକିଛି ଭାବିବେନି; ଏମାନଙ୍କ ମଧ୍ୟରୁ କାହାରି ପ୍ରତି ଆପଣଙ୍କର କୌଣସି ସ୍ଵତନ୍ତ୍ର ଆକର୍ଷଣ ନ ଥିଲା ?’’

ହେମାଙ୍ଗୀନୀ ସଲଜ୍ଜଭାବରେ କହିଲା, ‘‘ନା ।’’

କିନ୍ତୁ ତାର ମୁହଁର ରେଖା, ରକ୍ତାଭ ମୁହଁର ଭଙ୍ଗିମା ମଧ୍ୟଦେଇ ଅନ୍ୟ କୌଣସି ଗୋଟାଏ କଥା ବାରି ହୋଇ ପଡ଼ୁଥିଲା ।

ଅମୂଲ୍ୟବାବୁ କହିଲେ, ‘‘ଏଥର ଆପଣ ଯାଆନ୍ତୁ ହେମାଙ୍ଗିନୀ ଦେବୀ, ନବୀନବାବୁଙ୍କୁ ଟିକିଏ କହିଦେବେ ।’’

 

ହେମାଙ୍ଗିନୀ ଉଠି ଚାଲିଗଲା ।

 

ତାପରେ ନବୀନ ଆସିବାରୁ ଅମୂଲ୍ୟବାବୁ ତାକୁ ଚାହିଁ ପଚାରିଲେ, “ଆଚ୍ଛା, ଗୋଟାଏ କଥା ଡକ୍ଟର ଭଞ୍ଜ, ଆପଣତ ନିଜେ ଡାକ୍ତର; ତେବେ ମୃତଦେହକୁ ପରୀକ୍ଷା କରିବା ପାଇଁ ଆପଣ ଆଉ ଜଣେ ଡାକ୍ତର ଡକେଇଲେ କାହିଁକି ?’’

 

–‘‘ପ୍ରକୃତରେ ମି: ମହାନ୍ତି, ଏ କଥା ଦେଖି ମୁଁ କେମିତି ଅଥର୍ବ ପାଲଟି ଯାଇଥିଲି ଯେ ଏହାର ପରିଣତି ମୁହୂର୍ତ୍ତକ ପାଇଁ ଚିନ୍ତା କରିପାରିନି; ମୁଣ୍ଡ ଭିତରେ ସବୁ କିଛି ଯେମିତି ଗୋଳମାଳ ହୋଇଗଲା; ତେଣୁ ଜଣେ ଡାକ୍ତର ଡାକି ଆଣିବା ପାଇଁ ମୁଁ କେଦାରକୁ କହିଥିଲି । ତାଛଡ଼ା ସଞ୍ଜିବର ମୃତ୍ୟୁଟା ସ୍ଵାଭାବିକ କି ଅସ୍ଵାଭାବିକ ସେ କଥା ବି ସେତେବେଳେ ଚିନ୍ତା କରିବାର ଅବକାଶ ପାଇନି-।’’

 

–“ଆଚ୍ଛା, କାଲି ରାତିରେ ଅସ୍ୱାଭାବିକ କିଛି ଘଟିଥିଲା ବୋଲି ଆପଣଙ୍କର ମନେ ଅଛି ।

 

–“ନା, କାଲି ରାତିରେ ମୋ ଦେହ ଭଲ ନଥିଲା, ଟିକିଏ ମୁଣ୍ଡ ବଥାଉ ଥିଲା । ରାତିରେ ଗୋଟାଏ ‘ଏନାସିନ୍’ ଖାଇ ଶୋଇ ପଡ଼ିଥିଲି । ସକାଳୁ ନିଦଭାଙ୍ଗିଲା । ରାତିରେ ଯଦି କିଛି ଘଟିଥିବ ତେବେ ମୁଁ ତାହା କହିପାରୁନି ।’’

 

–‘‘ବେଶ୍ ଆପଣ ଟିକିଏ କେଦାର ବାବୁଙ୍କୁ ଏତିକି କହି ଦିଅନ୍ତୁ ।”

 

”ନବୀନ ଯିବାପରେ କେଦାର ଆସିବାରୁ ଅମୂଲ୍ୟବାବୁ କହିଲେ, ‘‘ଦେଖନ୍ତୁ କେଦାରବାବୁ, ମୁଁ ଯଦି କହେ ଆପଣଙ୍କ ଭିତରୁ କେହି ଏ ହତ୍ୟାକାଣ୍ଡ ମୂଳରେ ଅଛି– ?

 

‘‘ଅସମ୍ଭବ, ଏମିତି ମନୋଭାବ ଆମ ଭିତରୁ କାହାରି ମନରେ କୌଣସି ଦିନ ଦେଖା ଦେଇ ପାରେ, ଏଇଟା ମୁଁ କଳ୍ପନା କରିପାରୁନି ।’’

 

‘‘ଆପଣଙ୍କର ଅନ୍ୟ ବନ୍ଧୁ ବା ବାନ୍ଧବୀଙ୍କ ବିଷୟରେ କଣ ସ୍ଥିର ନିଶ୍ଚିତ ଭାବରେ ଏ କଥା କହିପାରିବେ ?’’

 

–‘‘ନିଶ୍ଚୟ !’’

 

–‘‘ତାହେଲେ ମୋର ଆଉ କିଛି କହିବାର ନାହିଁ । ଦୟାକରି ଏଥର ମ୍ୟାନେଜରଙ୍କୁ ଟିକିଏ ଆସିବାକୁ କହନ୍ତୁ ।’’

 

କେଦାର ଉଠିଯାଇ ମ୍ୟାନେଜରଙ୍କୁ ଖବର ଦେଲା, ତାଙ୍କୁ ଦେଖିବା ମାତ୍ରେ ଅମୂଲ୍ୟବାବୁ ପଚାରିଲେ, “ହଁ, ଶତପଥୀ ବାବୁ, ଆପଣ କହୁଥିଲେ ନା, ଏମାନେ ଆଗରୁ କେତେଥର ଆସି ଆପଣଙ୍କ ହୋଟେଲରେ ଥିଲେ ! ଆଚ୍ଛା, ଏଥର ଏମାନଙ୍କ ବ୍ୟବହାରରେ କୌଣସି ବିଶେଷତ୍ୱ ଲକ୍ଷ୍ୟ କରିଥିଲେ ?’’

 

–‘‘ନା । ତେବେ ଏମାନେ ଏଥର ବେଶି ସମୟ ହୋଟେଲରେ ରହି ନ ଥିଲେ; ପ୍ରାୟ ବୁଲାବୁଲିରେ ଦିନର ଅଧିକାଂଶ ସମୟ କଟୋଉଥିଲେ ।’’

 

–‘‘ଝରକା ରେଲିଂ ଦେହରୁ ଯେଉଁ ତମ୍ବା ତାରଟିକକ ମିଳିଲା ସେଇଟା କଣ ଆଗରୁ ସେଠି ଥିଲା ବୋଲି ଆପଣଙ୍କର ଧାରଣା ହେଉଚି ?’’

 

–“ସେ ବିଷୟରେ ସଠିକ୍ କିଛି କହିବା ସମ୍ଭବ ନୁହେଁ, ତା ଛଡ଼ା ଏସବୁ ବଖରାଆଡ଼େ ମୁଁ ସେତେ ଯାତାୟତ କରେନି ।”

 

–ବୁଝିଲି, ଏଥର ଏମାନଙ୍କ ପାଇଁ ମୁକରିର ଥିବା ଚାକରକୁ ଟିକିଏ ଖବର ଦିଅନ୍ତୁ !’’

 

‘‘ଚାକର ଶମ୍ଭୁଆ ଆସିବାମାତ୍ରେ ଅମୂଲ୍ୟବାବୁ ତାକୁ ପଚାରିଲେ, ‘‘ଘଟଣା ଦିନ କୌଣସି ବିଶେଷ ଘଟଣା ଘଟିଥିଲା ବୋଲି ତୁମେ ଜାଣ ?’’

 

ଶମ୍ଭୁଆ ବିଗଳିତ ଭାବରେ କହିଲା, ‘‘ହଜୁର, ଯଦି କିଛି ମନେ ନକରିବେ କହିବି...’’

 

‘‘ବେଶ୍, ତୁମେ ନିଶ୍ଚିନ୍ତରେ କହିପାର, ଆମ ବ୍ୟତୀତ ଆଉ କେହିତ ତୁମ କଥା ଶୁଣୁନି–’’

 

ଶମ୍ଭୁଆ କହିବାକୁ ଲାଗିଲା, “ରାତି ସେତେବେଳକୁ ଦୁଇଟା ବାଜିବ, ହଠାତ୍ ମୋର ନିଦ ଭାଙ୍ଗିଗଲା । ମୁଁ ସେତେବେଳକୁ ବାହାରକୁ ଆସିଥାଏ ।

 

ହଠାତ୍ ସଞ୍ଜିବ ବାବୁଙ୍କ ଘରେ ବିଜୁଳିପରି କଣ ଗୋଟାଏ ଆଲୁଅ ଜଳିଉଠି ଧପ୍‍କରି ଲିଭିଗଲା ।’’

 

‘‘ଶମ୍ଭୁଆ ମୁହଁରୁ ଏକଥା ଶୁଣି ଅମୁଲ୍ୟବାବୁ ତା ମୁହଁଆଡ଼େ ତୀବ୍ରଦୃଷ୍ଟିରେ ଚାହିଁଲେ, ଯେମିତି ସେ ନିଜର ଚାହାଣିଦ୍ୱାରା ଶମ୍ଭୁଆ ମନ ଭିତରର ସବୁ କଥା ଜାଣିଯିବାକୁ ଚାହୁଁଚନ୍ତି ।

 

କିଛି ସମୟ ସ୍ଥିରଦୃଷ୍ଟିରେ ଚାହଁରହି ସେ ପୁଣି ପଚାରିଲେ, ‘‘ତାପରେ କଣ ହେଲା ?’’

 

“ମୁ ଡରିଗଲି ହଜୁର, ବଡ଼ ଠାକୁରଙ୍କ ରାଣ ଅଛି, ପିଲାଟି ଦିନରୁ ଭୂତ କଥା ଶୁଣିଲେ ମତେ ଭାରି ଡର ଲାଗେ । ମୁ ପଳାଇ ଯାଇ ମୋ ଘରର କବାଟ ଭିତରୁ ବନ୍ଦ କରିଦେଲି ।’’

 

”ଅମୂଲ୍ୟବାବୁ ମନୋଯୋଗଦେଇ ଶମ୍ଭୁଆର କଥା ଶୁଣୁଥିଲେ, ଏଥର ସେ ହଠାତ୍ ପଚାରି ଦେଲେ, ‘‘ସେତେବେଳେ ଆଉ କୌଣସି ଶବ୍ଦ ଶୁଣିବାକୁ ପାଇନ ?’’

 

–‘‘ହଁ ହଜୁର, କଣ ଗୋଟାଏ ଜିନିଷ ଧପ୍ କରି ପଡ଼ିଯିବାର ମତେ ଶୁଣାଗଲା ।’’

 

–“କାଲି ରାତିରେ ସଞ୍ଜିବ ବାବୁ କେତେଟା ବେଳେ ହୋଟେଲକୁ ଫେରିଥିଲେ ତୁମର ସେକଥା ମନେଅଛି ?’’

 

–‘‘ହିଁ ଆଜ୍ଞା, ରାତି ଦଶଟା କି ସାଢ଼େ ଦଶଟାବେଳକୁ ସେ ଫେରିଲେ ।’’

 

–“ଆଚ୍ଛା, କେତେବେଳେ ହୋଟେଲରୁ ବାହାରିଥିଲେ କହି ପାରିବ ?’’

 

–‘‘ଚାରିଟା କି ପାଞ୍ଚଟାବେଳେ ସେ ଯାଇଥିଲେ ।’’

 

–“ସେ ବାହାରକୁ ଯିବାପରେ କୌଣସି ଲୋକ ତାଙ୍କ ଘର ଭିତରକୁ ଯାଇଥିଲା କି ?’’

 

–“ନାଇଁ ଆଜ୍ଞା, ମୋର ବହୁତ କାମ, ବାରଆଡ଼େ ଧାଁ ଧପଡ଼ କରେ, ସେ କଥା ମୁଁ କିଛି ଦେଖିନି, ମିଛ କେମିତ କହିବି ।’’

 

“ଆଚ୍ଛା, ତମେ ଏଥର ଯାଅ, ଉଠନ୍ତୁ ମି: ରଣସିଂହ, ଯିବା, ଆଉ ବର୍ତ୍ତମାନ ପାଇଁ କିଛି ଜାଣିବାର ନାହିଁ ।’’

 

“ଅମୁଲ୍ୟବାବୁ ଆଉ ପୋଲିସ ସବ୍ଇନ୍‍ସପେକ୍ଟର ମି: ରଣ ସିଂହ ଉଠିଲେ ।

 

ଦୁଇ ଦିନପରେ ।

 

ଥାନାରେ ଅମୂଲ୍ୟବାବୁ, ମି: ରଣସିଂହ ଓ ଜଣେ ମେଡ଼ିକାଲ ଅଫିସର ବସିଥିଲେ, ଅମୁଲ୍ୟବାବୁଙ୍କୁ ଚାହିଁ ମେଡ଼ିକାଲ ଅଫିସର କହିଲେ, “ମୋର ମନେହୁଏ, ଏଇଟା ଗୋଟାଏ ବିରାଟ ଧକ୍‍କାରେ ମୃତ୍ୟୁ ହୋଇଚି, କୌଣସି ଗୋଟାଏ ଆକସ୍ମିକ ଧକ୍‍କାହିଁ ଏ ମୃତ୍ୟୁର କାରଣ ।’’

 

–“କି ପ୍ରକାରର ଧକ୍‍କା ବୋଲି ଆପଣଙ୍କର ମନେହେଉଚି ?’’

 

“ହୁଏତ ବିଦ୍ୟୁତର ଧକ୍‍କା ହେବ । କାରଣ ଇଲେକଟ୍ରିକ ଶକ୍‍ ରେ ମୃତହେଲେ ଶରୀରର ସବୁଠାରୁ ଉପରର ପତଳା ଚର୍ମସ୍ତରରେ ଯେଉଁ ପରିବର୍ତ୍ତନ ହୁଏ ସେଇଟା ମୃତ ଶରୀରରେ ବେଶ୍ ସ୍ପଷ୍ଟ ଜଣାପଡ଼ୁଛି ।’’

 

–‘‘ଧନ୍ୟବାଦ ! ଗୋଟାଏ କଥା ଆପଣଙ୍କର ମନେପଡ଼ୁଚି ମି: ରଣସିଂହ ?’’

 

“କୋଉ କଥା କହୁଚନ୍ତି ।’’

 

“ସଞ୍ଜିବ ବାବୁଙ୍କ କୋଠରୀର ଝରକା ରେଲିଂରେ ଲାଗିଥିବା ସେଇ ତମ୍ବା ତାର ଟିକକ-?’’

 

–“କିନ୍ତୁ ସେଇଟା ଯେ ହତ୍ୟାର ଏକମାତ୍ର ସୂତ୍ର...”

 

–‘‘ନା, ଆହୁରିବି ଅଛି । ଝରକା ପାଖରେ ମୃତଦେହ ପ୍ରାପ୍ତି !

 

‘‘ତାହେଲେ ଘଟଣାଟା କିଭଳି ଭାବରେ ଘଟିଥିଲା ବୋଲି ଆପଣଙ୍କର ମନେ ହେଉଚି-?’’

 

–ହିଁ, ଏଥର କେସ୍‍ଟାକୁ ମୋଟାମୋଟି ସଜଉଚି–ଭାବି ଦେଖନ୍ତୁ ଏଇଟା କେତେଦୂର ଉପଯୋଗୀ, ସେଦିନ ସଞ୍ଜିବ ବାବୁ ଚଞ୍ଚଳ ବାହାରି ଯାଇଥିଲେ । ହୋଟେଲର ଅନ୍ୟଘରେ ବି କେହି ନଥିଲେ । ଏଇ ତିନି ବନ୍ଧୁଙ୍କ ମଧ୍ୟରୁ କେହି ଜଣେ, ଅଥବା ଅନ୍ୟ କୌଣସି ଲୋକ ସାହାଯ୍ୟରେ ଇଲେକ୍ଟ୍ରିକ ପଏଣ୍ଟର ସଙ୍ଗେ ଝରକାର ଯୋଗାଯୋଗ ତମ୍ବାତାର ଦ୍ୱାରା ସ୍ଥାପନ କରାହୁଏ । ଝରକାର ରେଲିଂଗୁଡ଼ାକୁ ଇଲେକ୍‍ଟ୍ରୋ–ମିଡ଼ିୟମ କରାଯାଇଥିଲା । ସେଦିନ ଗଭୀର ରାତିରେ ଫେରି ସଞ୍ଜିବ ବାବୁ ସେଇ ମିଡ଼ିୟମ ଦେହରେ ହାତଦେଇ ଏ ଅବସ୍ଥାର ସମ୍ମୁଖୀନ ହୋଇଚନ୍ତି ।’’

 

ମି: ରଣସିଂହ କହିଲେ, ‘‘କିନ୍ତୁ ସେ ଅପରାଧୀଟି କିଏ ?’’

 

ଅମୂଲ୍ୟବାବୁ କହିଲେ, ‘‘କେତେକ ଅନୁଧ୍ୟାନ ନକରି କହିଦେଇ ପାରୁନି ମି: ରଣସିଂହ, ତେବେ ମୁଁ ନିଶ୍ଚିତ ଯେ ଆସାମୀ ଶୀଘ୍ର ଧରାପଡ଼ୁଚି ।

 

ସେଦିନ ସନ୍ଧ୍ୟାବେଳେ ଦେଖାଗଲା ଅମୂଲ୍ୟବାବୁ ଆଉ କେଦାର ସମୁଦ୍ରକୂଳରେ ବସି କଣ କଥାବାର୍ତ୍ତା ହେଉଛନ୍ତି । ଅମୁଲ୍ୟବାବୁ କେଦାର ପାଖକୁ ଗୋପନରେ ଖଣ୍ଡେ ଚିଠି ପଠାଇ ତାକୁ ସମୁଦ୍ରକୂଳକୁ ଡକାଇ ଥିଲେ ।

 

ଅମୂଲ୍ୟବାବୁ କହିଲେ, ‘‘ଆପଣମାନଙ୍କ ବିଷୟରେ ସୁବିସ୍ତୃତ ଜାଣିବା ପାଇଁ ଆପଣଙ୍କ ପୋଲିସ ଷ୍ଟେସନକୁ ଟେଲିଗ୍ରାମ କରିଚି । ବୋଧହୁଏ ରିପୋର୍ଟ ଖୁବ୍ ଶୀଘ୍ର ମିଳିଯିବ ।’’

 

–‘‘ଭଲ କରିଚନ୍ତି ।’’

 

–‘‘ଆଉ ଗୋଟାଏ କଥା, କାଲି ଆପଣଙ୍କ ହୋଟେଲର ଦୋମହଲା ଉପରେ ଗୋଟାଏ ନାଟକ ଅଭିନୟ ପୋଲିସ ପକ୍ଷରୁ କରାଯିବ । ଅବଶ୍ୟ ସେଥିରେ ଯେଉଁମାନେ ଅଂଶଗ୍ରହଣ କରିବେ ତାହା କାଲି ସକାଳୁ ଜଣାଇ ଦିଆଯିବ ।’’

 

–‘‘ଏହାର ମାନେ ?’’

 

–‘‘ମାନେ ବିଗତ ଘଟଣା ଗୁଡ଼ାକୁ ମୁଁ ଥରେ ପର୍ଯ୍ୟାଲୋଚନା କରି ଦେଖିବାକୁ ଭାବିଚି-।’’

 

–“ଆଉ କଣ କହୁଚନ୍ତି ?’’

 

–‘‘ନା, ଆଉ କିଛି କହିବାର ନାହିଁ, ଆପଣ ଏ ଅଭିନୟ କଥା ଆପଣଙ୍କର ବନ୍ଧୁ ଓ ବାନ୍ଧବୀଙ୍କୁ ଜଣାଇଦେବେ, ସେମାନଙ୍କର ଉପସ୍ଥିତ ସେତେବେଳେ ଏକାନ୍ତ ଆବଶ୍ୟକ ।’’

 

–‘‘ତାହେଲେ ମୁ ଫେରୁଚି, ନମସ୍କାର ।’’

 

–‘‘ଧନ୍ୟବାଦ୍ !’’

 

କେଦାର ଚାଲିଯିବା ପରେ ଅମୂଲ୍ୟବାବୁ ଥାନାକୁ ଆସି ଶୁଣିବାକୁ ପାଇଲେ ଯେ ସେମାନଙ୍କର ରିପୋର୍ଟ ଫାଇଲ ଆସିଯାଇଚି, ଅମୂଲ୍ୟବାବୁ କାଗଜ ଉପରେ ଆଖି ବୁଲାଇ ଆଣି ମି: ରଣସିଂହଙ୍କୁ କେଦାର ସଙ୍ଗେ ଯାହା କଥାବାର୍ତ୍ତା ହୋଇଥିଲେ ସେ ବିଷୟ କହିଲେ ଏବଂ ମୃତ ସଞ୍ଜିବ ଭୂମିକାରେ ଅଭିନୟ କରିବାକୁ ତାଙ୍କୁ ଅନୁରୋଧ କଲେ ।

 

ତାଙ୍କ କଥାଶୁଣି ମି: ରଣସିଂହ କହିଲେ, ‘‘ତାହେଲେ ତା’ର ବ୍ୟବସ୍ଥା କେମିତି କଣ ହେବ କହନ୍ତୁ ।’’

 

“ଆପଣ କେବଳ ହୋଟେଲର ମ୍ୟାନେଜରଙ୍କୁ ଖବର ଦିଅନ୍ତୁ । ସେ ଓ ତାଙ୍କର ଚାକର ଶମ୍ଭୁ ମଧ୍ୟ ପୋଲିସ ପକ୍ଷରୁ ଆୟୋଜନ କରାଯାଉଥିବା ଏ ଅଭିନୟରେ ଅଂଶଗ୍ରହଣ କରିବେ ।’’

ମି: ରଣସିଂହ ଫୋନ ଉଠାଇ ଅମୂଲ୍ୟବାବୁଙ୍କ କଥା ଅନୁସାରେ ହୋଟେଲର ମ୍ୟାନେଜରଙ୍କୁ ସମସ୍ତ ବିଷୟ ଜଣାଇ ଦେଲେ ।

ରାତି ସେତେବେଳକୁ ଠିକ୍ ଦଶଟା ।

ହାତ ଘଡ଼ିକୁ ଚାହିଁ ଅମୁଲ୍ୟବାବୁ କହିଲେ, ‘‘ଘଟଣାଟା ଯଦିଓ ଆଉ କେତେ ଘଣ୍ଟାପରେ ଘଟିଥିଲା, ତଥାପି ଏତେରାତି ପର୍ଯ୍ୟନ୍ତ ଚାହିଁ ବସି ରହିବାଟା ଆମମାନଙ୍କ ପକ୍ଷରେ ସମ୍ଭବ ନୁହେଁ, ତେଣୁ ମୁଁ ଯାହାକୁ ଯାହା ଶିଖାଇଚି ସେଇ ଅନୁସାରେ କାମ ଆରମ୍ଭ କରାଯାଉ, ଆମମାନଙ୍କ ଅଭିନୟର ପ୍ରଥମ ଦୃଶ୍ୟ ଆରମ୍ଭ ହେଉ ।

କୌଣସି ଜଣେ ଲୋକ ପ୍ରରୋଚନା ଦେଇ ଆଉଜଣେ ଲୋକକୁ ଏ ତାର ଗୁଡ଼ିକ ଲଗାଇ ଦେବା କାମରେ ନିଯୁକ୍ତ କରିଥିଲା, ଆଚ୍ଛା, ଶମ୍ଭୁକୁ ସେଇ କାମରେ ଶତପଥୀ ବାବୁ ନିଯୁକ୍ତ କରନ୍ତୁ ।’’

ହୋଟେଲର ମ୍ୟାନେଜର ଉପେନ୍ଦ୍ର ଶତପଥୀ ଉଠିଯାଇ ମେଞ୍ଚାଏ ନୋଟ ଶମ୍ଭୁଆ ହାତରେ ଗୁଞ୍ଜିଦେଇ ତା କାନରେ ଚୁପ୍ ଚୁପ୍ କଣ କହିଲେ ।

ଶମ୍ଭୁଆ ମୁଣ୍ଡ ଟୁଙ୍ଗାରି ଚାରିଆଡ଼କୁ ଭଲ ଭାବରେ ଚାହିଁ ଚାଲିଗଲା ।

ଅମୂଲ୍ୟବାବୁ କହିଲେ, ‘‘ଏଥର ଦ୍ୱିତୀୟ ଦୃଶ୍ୟ ଆରମ୍ଭ ହେଉ ।’’

ପାଦଚିପି ଚିପି ଶମ୍ଭୁଆ ସଞ୍ଚିବଙ୍କ ବଖରା ଭିତରକୁ ପଶି ଆସିଲା । ଚାରିଆଡ଼େ ଥରେ ସାବଧାନରେ ନଜର ବୁଲେଇ ଆଣି ତାରର ଗୋଟାଏ ପାଖ ସୁଇଚ ବୋର୍ଡ଼ରେ ଲଗାଇଲା । ଅନ୍ୟ ପାଖଟା ଝରକା ରେଲିଂ ଦେହରେ ବାନ୍ଧିଦେଲା ।

ଅବଶ୍ୟ ତାରଟାର ଯୋଗାଯୋଗ କରାଗଲାନି । କାରଣ ତା ହୋଇଥିଲେ ଅଭିନୟ ହିଁ ବାସ୍ତବ ମୃତ୍ୟୁର ରୂପନେଇ ଥାଆନ୍ତା ।

ଯାହାହେଉ, ଶମ୍ଭୁଆ ପାଦ ଚିପି ଚିପି ବାହାରି ଯିବା ପରେ କ୍ଳାନ୍ତ ଭାବରେ ମି: ରଣସିଂହ ଘର ଭିତରକୁ ପଶି ଆସିଲେ ।

ନିଶ୍ଚିନ୍ତ ମନରେ ବିଛଣା ପାଖକୁ ଯାଇ ନିଜର ସାର୍ଟ ଖଣ୍ଡିକ ଖୋଲି ରଖିଲେ । ତାପରେ ସେ ଝରକା ପାଖକୁ ଯାଇ ରେଲିଂରେ ହାତ ଦେଇ ଗୋଟାଏ ଅସ୍ଫୁଟ ଆର୍ତ୍ତନାଦ କରି ତଳେ ଲୋଟି ପଡ଼ିଲେ ।

ଏଥର ଶମ୍ଭୁଆ ଘର ଭିତରକୁ ଆସି ତାରଟା ଖୋଲିନେଇ ଦ୍ରୁତଗତିରେ ଚାଲିଗଲା ।

ଅମୂଲ୍ୟବାବୁ ଏଥର କହିଲେ, ‘‘ଏଇହେଉଚି ଆମର ତିନୋଟି ଦୃଶ୍ୟର ଛୋଟ ନାଟକ; କିନ୍ତୁ ବର୍ତ୍ତମାନ କଥା ହେଉଚି ନାଟକର ଅସଲ ନାୟକ ଏଇ ଦୁଇ ଜଣ ଲୋକ । ପ୍ରତିନିଧିକୁ ନିୟୋଗ କରିଲା କିଏ ? ଆଉ ସେଇ ପ୍ରତିନିଧିଟି କିଏ ?

କାହାର ମୁହଁରୁ କୌଣସି କଥା ବାହାରିଲାନି !

 

ଘର ମଧ୍ୟରେ ଅଖଣ୍ଡ ନୀରବତା ।

 

ଅମୂଲ୍ୟବାବୁ କହିଲେ, ‘‘ତାରଟା ଯେ ଶମ୍ଭୁ ଲଗେଇ ଥିଲା ଏ ବିଷୟରେ ମୁଁ ସ୍ଥିର ନିଶ୍ଚିତ-। ତେଣୁ ମୁଁ ତାକୁ ଏ ପାର୍ଟପାଇଁ ମନୋନୀତ କରିଚି । କଣ କହୁଚ ଶମ୍ଭୁ ?’’

 

କେତେଗୁଡ଼ିଏ ଅସ୍ପଷ୍ଟ ଶବ୍ଦ ଛଡ଼ା ଶମ୍ଭୁଆ ମୁହଁରୁ ଆଉ କିଛି ବାହାରିଲାନି ।

 

ଅମୂଲ୍ୟବାବୁ କହିଲେ, ‘‘ଏଥର ଶୁଣ, କେଉଁ କେଉଁ କାରଣରୁ ତୁମର ଅପରାଧ କଥା ମୁଁ ଜାଣି ପାରିଚି ।

 

ତୁମେ କହିଚ ସେଦିନ ରାତି ଦୁଇଟା ବେଳେ ନିଦରୁ ଉଠି ମୃତ ସଞ୍ଜିବ ବାବୁଙ୍କ ଘରେ ବିଜୁଳୀ ମାରିଲାପରି ଗୋଟାଏ ଆଲୁଅ ଦେଖିଚ ।

 

ଏ ଧରଣର ଆଲୋକ ଉଜ୍ଜ୍ୱଳତା ଯେ ଏ ଧରଣର ଇଲେକ୍‍ଟ୍ରିକ ଶକ୍‍ ରେ ହୁଏନି, ତାହା ସସସ୍ତେ ଜାଣନ୍ତି । ଏଇଟା ହେଉଚି ନିଜକୁ ଲୁଚେଇ ଅନ୍ୟ କାହା ଉପରେ ଅପରାଧଟାକୁ ଲଦି ଦେବାର କୌଶଳ ।

 

ଆଉ ଦ୍ୱିତୀୟ କଥା, ତୁମ ସମ୍ବନ୍ଧରେ ଖବର ନେବାର ଜଣାଯାଇଛି, ତୁମେ ସେଇଦିନ ଶହେଟଙ୍କା ତୁମ ଘର ଠିକଣାରେ ମନିଅର୍ଡ଼ର କରିଚି । ନୁହେଁ କି ? ପୋଷ୍ଟମାଷ୍ଟର ଆଦୌ ମିଛ କହି ନଥିବେ ନିଶ୍ଚୟ ?

 

ଏଥର କୁହ ଶମ୍ଭୁ, କିଏ ତୁମକୁ ଏ କାମରେ ନିଯୁକ୍ତ କରିଥିଲା ?’’

 

ଦୃଢ଼ଭାବରେ ଶମ୍ଭୁଆ କହିଲା, ‘‘ ମୁଁ ଏ ବିଷୟ କିଛି ଜାଣେନି !’’

 

ଅମୂଲ୍ୟବାବୁ କହିଲେ, ‘‘ଓ, ତୁମେ କହିବାକୁ ରାଜି ନୁହେଁ ? କିନ୍ତୁ ଅପରାଧୀକୁ ଖୋଜି ମୁଁ ବାହାର କରିଦେବି । ତୁମ କହିବା ଉପରେ ମୁଁ ତିଳେ ହେଲେ ନିର୍ଭର କରୁନି ଏକଥା ମନେରଖ-।’’

 

ଶମ୍ଭୁଆ ପ୍ରତିବାଦ ଭଙ୍ଗିରେ ହଠାତ୍ ଉଠି ଠିଆହୋଇ ପଡ଼ିଲା ।

 

ଅମୂଲ୍ୟବାବୁ ପକେଟ ଭିତରୁ ରିଭଲଭରଟା ବାହାର କରି ତା ଆଡ଼କୁ ଦେଖାଇ କହିଲେ, ‘‘ଏ ଚେଷ୍ଟା କରି ସଫଳ ହୋଇପାରିବନି ଶମ୍ଭୁ । ମିଛରେ ଆଉ ବ୍ୟସ୍ତ ନହୋଇ ଚୁପ୍‍ଚାପ୍‍ ବସିରୁହ ।’’

 

ଶମ୍ଭୁଆ ନିର୍ଜୀବ ଭାବରେ ବସିପଡ଼ିଲା ।

 

ଅମୂଲ୍ୟବାବୁ ମି:ରଣ ସିଂହଙ୍କୁ ଚାହିଁ କହିଲେ, ‘‘ଆପଣ ଏକୁ ଗିରଫ୍ କରନ୍ତୁ ମି:ରଣସିଂହ, ନହେଲେ ବିଚରା ଯେମିତି ବ୍ୟସ୍ତ ହେଉଚି...’’

 

ମି:ରଣସିଂହ ଶମ୍ଭୁଆ ହାତରେ ହାତକଡ଼ା ପିନ୍ଧେଇ ଦେଲେ । ତାପରେ ଅମୂଲ୍ୟବାବୁଙ୍କୁ ଚାହିଁ କହିଲେ ‘‘ଏଥର ଆପଣଙ୍କର ଆଉ ଯାହା କିଛି କହିବାର ଅଛି କୁହନ୍ତୁ ମି:ମହାନ୍ତି !’’

 

ଅମୂଲ୍ୟବାବୁ ଘରର ସମସ୍ତଙ୍କଆଡ଼େ ପର୍ଯ୍ୟାୟ କ୍ରମେ ଥରେ ଦୃଷ୍ଟି ଖେଳେଇ ଆଣି କହିଲେ, ଏଥର ମୁଁ ମୋର କହିବା ଆରମ୍ଭ କରୁଚି । ଆପଣମାନେ ଟିକିଏ ସ୍ଥିର ହୋଇ ବସନ୍ତୁ ।’’

ଏହାକହି ପକେଟ ମଧ୍ୟରୁ ଖଣ୍ଡେ ସିଗାରେଟ ବାହାର କରି ଲଗେଇଲେ ।

ଅମୂଲ୍ୟବାବୁ ସିଗାରେଟରେ ଗୋଟିଏ ସୁଦୀର୍ଘ ଟାଣ ଦେଇ କହିବାକୁ ଆରମ୍ଭ କଲେ, ‘‘ପ୍ରଥମେ କହିରଖେ, ଖୁଣୀ–ମାନେ ଅପରାଧୀ ନିଶ୍ଚୟ ସୁଚତୁର । ସେ ସମସ୍ତଙ୍କ ନଜରରୁ ନିଜକୁ ବେଶ୍‍ କିଛି ଦୂରରେ ରଖିବାକୁ ସକ୍ଷମ ହୋଇଥିଲା ।

ଅବଶ୍ୟ ତାର କାରଣ ବି ଅଛି ।

ସେ ନିଜେ ହୁଏତ ଅପରାଧ ସଙ୍ଗେ ଲିପ୍ତ ନଥିଲା । ତାଛଡ଼ା ନିଜ ହାତରେ କୌଣସି ଅପରାଧକୁ ପ୍ରଶୟ ଦେବା ହୁଏତ ତାପକ୍ଷେ ସମ୍ଭବ ବି ନୁହେଁ, ଅଥଚ ସମସ୍ତଙ୍କ ମଧ୍ୟରେ ତାର ସୁଚତୁର ମସ୍ତିଷ୍କ ନିପୁଣ କୌଶଳ ଥିଲା ।

ଏଥର ଆଲୋଚନାକୁ ଆସିବାର କଥା, କୋଉମାନେ ଏ ଅପରାଧ ସହିତ ଜଡ଼ିତ ହୋଇପାରନ୍ତି ।

ଆଉ ଗୋଟାଏ କଥା କହିରଖେ, କାଳେ ପ୍ରସଙ୍ଗ କ୍ରମେ ଭୁଲି ଯାଇପାରେ, ସେଇଟା ହେଉଚି ତିନିବନ୍ଧୁଙ୍କ ମଧ୍ୟରୁ ସଞ୍ଜିବ ବାବୁଙ୍କ ହେମାଙ୍ଗିନୀ ଦେବୀ ସବୁଠାରୁ ବେଶି ଭଲ ପାଆନ୍ତି । କିନ୍ତୁ ବାହ୍ୟିକ ଭାବରେ ସେ ସେଇଟା ପ୍ରକାଶ କରିପାରନ୍ତିନି, ପାରି ନାହାନ୍ତି ବି କୌଣସି ଦିନ ।

ତାଙ୍କ ମନର ଗୋଟାଏ ବିଚିତ୍ର ଅସ୍ୱାଭାବିକ ଅବସ୍ଥା ଥିଲା । ସେଇଟା ହେଉଚି ସମସ୍ତଙ୍କ ପାଖରେ ନିଜକୁ ସମାନ ଭାବରେ ପ୍ରକାଶ କରିବାର ଇଚ୍ଛା । ସେ ଯେମିତି ପ୍ରତ୍ୟେକଙ୍କୁ ଠିକ୍‍ ବନ୍ଧୁ ଭାବରେ ଭଲ ପାଆନ୍ତି; କିନ୍ତୁ କାହା ପ୍ରତି ବି ପକ୍ଷପାତ ନାହିଁ । ଏହାର ବ୍ୟତିକ୍ରମ ଘଟିଲେ ସେ ଯେମିତି ଗୋଟାଏ ଅତିବଡ଼ ଧରଣର ଅପରାଧ କରି ପକେଇବେ, ଏଇ ବିଶ୍ୱାସ ତାଙ୍କର ଥିଲା ।

ଯାହାହେଉ, ଦିନପରେ ଦିନ ଏ ବିଶ୍ୱାସଟା ତାଙ୍କ ମନରେ ଯେତିକି ବଦ୍ଧମୂଳ ହେବାକୁ ଲାଗିଲା, ସେତିକି ସେ ସଞ୍ଜିବ ବାବୁ ଏବଂ ଆପଣମାନଙ୍କ ସମସ୍ତଙ୍କ ପାଖରୁ ଯେମିତି ଗୋଟାଏ ଦୂରତ୍ୱର ଗଣ୍ଡିରେ ଯାଇ ଠିଆ ହେଲେ । ତାଙ୍କୁ ଯେମିତି କେହି ଆଉ ଭଲ ଲାଗୁ ନ ଥିଲେ ।

ସେ କଥା ଥାଉ, ଏଇଟା ହେଉଚି ମନୋବିଜ୍ଞାନର କଥା । ବର୍ତ୍ତମାନ ଅସଲ କଥା ହେଉଚି ସଞ୍ଜିବ ବାବୁଙ୍କୁ କିଏ ଖୁଣ୍‍ କରିପାରେ ?

ଧରାଯାଉ ବାରିଷ୍ଟର ରାୟ ବା ଡ଼ା: ଭଞ୍ଜ ।

ହେମାଙ୍ଗିନୀ ଦେବୀ ଯେ ସଞ୍ଜିବ ବାବୁଙ୍କ ପ୍ରତି ଟିକିଏ ବେଶି ଆକୃଷ୍ଟ ଥିଲେ ଏଇଟା ଜାଣିପାରି ଏମାନଙ୍କ ମଧ୍ୟରୁ କେହି.....

ଆଚ୍ଛା, ପ୍ରଥମେ ଧରାଯାଉ କେଦାର ବାବୁଙ୍କ କଥା । ସେଦିନ ମୂଳରୁ ଶେଷଯାଏ ହୋଟେଲରେ ଥିଲେ । ମଝିରେ ସମୁଦ୍ରକୂଳେ ପବନ ଖାଇବାକୁ ଥରେ ଯାଇଥିଲେ; କିନ୍ତୁ ଶମ୍ଭୁ ସାଙ୍ଗେ ଆଗରୁ ବନ୍ଦୋବସ୍ତ କରି ରଖିବା ସମ୍ଭବ ! ତେବେ କଣ ସେ.....

ତା’ପରେ ଡା: ଭଞ୍ଜ, ବୈଜ୍ଞାନିକ ଏବଂ ଚିକିତ୍ସାବିଦ୍‍ ଭାବରେ ତାଙ୍କ ପକ୍ଷେ ଅବଶ୍ୟ ଏ ଧରଣର ଅପରାଧର ଧାରଣା ବାହାରିବାଟା ବେଶି ସହଜ ।

 

ତେବେ ଏ ଦୁଇଜଣଙ୍କ ମଧ୍ୟରୁ କିଏ ?

 

କେଦାରବାବୁ ନା ନବୀନବାବୁ ?

 

କଥା ଶେଷ ହେଲାନି । କେଦାର ଯେମିତି ଗର୍ଜିଉଠିଲା, ‘‘ମି: ମହାନ୍ତି, ଏ ଅପ୍ରିୟ ଆଲୋଚନା ବନ୍ଦ କରନ୍ତୁ । ଏଇଠି ଏହାର ଶେଷ କରନ୍ତୁ, ମୁଁ ଆଉ ସହ୍ୟ କରିପାରୁନି ! ଆମେମାନେ ସଙ୍ଗିବର ଏତେଦିନର ଏଡ଼େ ଘନିଷ୍ଠ ବନ୍ଧୁ ହୋଇ ଯଦି ତାକୁ ଏଭଳି ହତ୍ୟା କରି ପାରୁ.....’’

 

ଅମୂଲ୍ୟବାବୁ କହିଲେ, ‘‘ଏତେଟା ଉତ୍ତେଜିତ ହୁଅନ୍ତୁନି କେଦାର ବାବୁ ! ମୁଁ କେବଳ ଗୋଟାଏ କାଳ୍ପନିକ ଚିନ୍ତାର କଥା କହୁଚି ।’’

 

‘‘କିନ୍ତୁ ସେ ଚିନ୍ତା ଏତେ ଭୟାବହ, ଏତେ ବୀଭତ୍ସ ଯେ ତାର ଆଲୋଚନା ବନ୍ଦ କରିବା ଉଚିତ । ମୁଁ କୌଣସିଟା ଶୁଣିବାକୁ ଆଉ ପ୍ରସ୍ତୁତ ନୁହେଁ !’’

 

ବାଧା ଦେଇ ଅମୂଲ୍ୟବାବୁ କହିଲେ, ‘‘କିନ୍ତୁ ଭାବି ଦେଖନ୍ତୁ ମୃତ୍ୟୁ ଜିନିଷଟା ବି ତ କମ୍‍ ଭୟାବହ, କମ୍‍ ବୀଭତ୍ସ ନୁହେଁ । ତା’ ଯଦି ଘଟିପାରେ ତେବେ ତାର ଆଲୋଚନା ତ ଅତି ସାମାନ୍ୟ......’’

 

ଉତ୍ତେଜିତ ଭାବରେ କେଦାର କହି ପକାଇଲା, ‘‘ତେବେ କିଏ ହତ୍ୟାକାରୀ ? କାହା ମୁଣ୍ଡରୁ ଏମିତି ଅଦ୍ଭୁତ ପ୍ଲାନ୍‍ ବାହାରିପାରେ ? ମୁଁ ଜାଣେ ମୁଁ ଅପରାଧୀ ନୁହେଁ–ତେବେ ଯଦି ନବୀନ ଏ କାମ କରିଥାଏ.....’’

 

ବାଧା ଦେଇ ନବୀନ କହିଲା, ‘‘କାହା ଉପରେ ଅଯଥା ଦୋଷାରୋପ କରନି କେଦାର-। ନିରପେକ୍ଷ ସମାଧାନ ଦରକାର ।

 

–‘‘କିନ୍ତୁ ତୁମ ଛଡ଼ା ଆଉ କିଏ ?’’

 

–‘‘ତୁମେ ଯେ ନୁହେଁ ଏ କଥାର କି ପ୍ରମାଣ ଅଛି ?’’

 

–‘‘କଣ ହେଲା ? ମୁଁ ସଞ୍ଜିବକୁ ହତ୍ୟା କରିଚି ! ଖୁବ୍‍ ଚମତ୍କାର ଧାରଣା ତ !’’

 

–‘‘ଦୁନିଆରେ ଏହା ଅପେକ୍ଷା ଚମତ୍କାର ଘଟଣା କଣ ଥାଇପାରେ କେଦାର !’’

 

–‘‘ତମର ଏ କଥା କହିବାର ଉଦ୍ଦେଶ୍ୟ ? ମୁଁ ଯଦି କହେ ଯେ, ତୁମେହିଁ ସଞ୍ଜିବକୁ ନିଜ ରାସ୍ତାର କଣ୍ଟା ଭାବି ଆଡ଼େଇ ଦେଇଚ ?’’

 

–‘‘କଣ ? କଣ କହିଲ ?’’

 

ଦୁହିଁଙ୍କ ମଧ୍ୟରେ ମରାମରି ହେବାର ଲକ୍ଷଣ ଫୁଟିଉଠିଲା ।

 

ଅମୂଲ୍ୟବାବୁ ବାଧାଦେଇ ଦୁହିଁଙ୍କ ମଝିରେ ଯାଇ ଠିଆ ହେଲେ । ତାପରେ କହିଲେ, ‘‘ଆପଣମାନେ ଏତେ ଉତ୍ତେଜିତ ହେଲେ ମୋର ସମସ୍ତ ଚେଷ୍ଟା ମାଟି ହୋଇଯିବ । ଆପଣମାନେ ଯେ ଅପରାଧୀ ସେ କଥା ତ ମୁଁ ଏପର୍ଯ୍ୟନ୍ତ ଆଦୌ କହିନି, ଏଇଟା କେବଳ ଗୋଟାଏ ଖାଲି ସମ୍ଭାବନା ମାତ୍ର ।’’

 

ଦୁଇବନ୍ଧୁ ଏ କଥାରେ ଲଜ୍ଜିତ ହୋଇ ପୁଣି ନିଜନଜର ଆସନ ଗ୍ରହଣ କଲେ ।

 

ଘର ଭିତରେ ଅଖଣ୍ଡ ନୀରବତା ଦେଖାଗଲା ।

 

ଅମୂଲ୍ୟବାବୁ ସିଗାରେଟଟାରେ ଶେଷଟାଣ ଦେଇ କହିଲେ, ‘‘ଆପଣମାନଙ୍କ ଆଗରେ ସବୁ ଘଟଣା ବିଷଦଭାବରେ ଆଲୋଚନା କରାହୋଇଚି । ଆପଣମାନଙ୍କର କୌଣସି ଘଟଣା ଜାଣିବାକୁ ବାକି ନାହିଁ, ଏଥର କହନ୍ତୁ ତ କିଏ ଖୁଣୀ ?’’

 

କଥା ଶେଷ ନ ହେଉଣୁ ହେମାଙ୍ଗିନୀ ଚଉକି ଛାଡ଼ି ଠିଆହେଲା । କହିଲା, ‘‘ମି: ମହାନ୍ତି, ମୁଁ ଆଉ ଏସବୁ ସହ୍ୟ କରିପାରୁନି ।’’

 

ଅମୂଲ୍ୟବାବୁ ହସି ହସି କହିଲେ, ‘‘ସହ୍ୟ ଯେ କରିପାରିବେନି ସେ କଥା ମୁଁ ଜାଣେ । କାରଣ ଆପଣ ସେଇ ନାରୀ ଯେ କି ଶମ୍ଭୁଆକୁ ଟଙ୍କା ଦେଇ ସଞ୍ଜିବ ବାବୁଙ୍କୁ ଖୁଣ୍‍ କରିବାର ବ୍ୟବସ୍ଥା କରିଚନ୍ତି !’’

 

ସମସ୍ତେ ସ୍ତମ୍ଭିତ !

 

ଏକଥା କେମିତି ସମ୍ଭବ ହେଲା ?

 

ଅମୂଲ୍ୟବାବୁ କହିଲେ, ‘‘ଆପଣଙ୍କର ଅଭିନୟ ଯେତେ ସୂକ୍ଷ୍ମ ହେଉନା କାହିଁକି; କିନ୍ତୁ ଏକଥା ଭୁଲନ୍ତୁନି ହେମାଙ୍ଗିନୀ ଦେବୀ, ଆଗରୁ ଅମୂଲ୍ୟ ମହାନ୍ତି ଆଖିକୁ ଫାଙ୍କିଦେବାର କୌଶଳ ଆପଣ ଆୟତ୍ତ କରି ନାହାନ୍ତି !’’

 

ହେମାଙ୍ଗିନୀର ସାରା ମୁଖମଣ୍ଡଳ ଯେମିତି ରକ୍ତାଭ ହୋଇଉଠିଲା । ମୁହୂର୍ତ୍ତେ ଓଠ କାମୁଡ଼ି ସେ କହିଲା, ‘‘ହଁ, ମୁଁଇ ଖୁଣ୍‍ କରିଚି । ମୋର ପ୍ରରୋଚନାରେ ଚାକର ଶମ୍ଭୁଆ....

 

ସେ କଥା ଶେଷ କଲାନି ।

 

ହାତଟା ମୁହଁ ଭିତରେ ପୂରେଇ ଦେଲା । ସେ ଯେମିତି କଣ ଖାଇଦେଲା ।

 

ଅମୂଲ୍ୟବାବୁ ଛପଟି ଆସି କହିଲେ, ‘‘ଏ କଣ ଆପଣ ଖାଇଦେଲେ ?’’

 

ହେମାଙ୍ଗିନୀ କ୍ଷୀଣ ହସ ହସି କହିଲା, ‘‘ଟିକିଡେରି ମି: ମହାନ୍ତି, ଏ ବିଷଟା ପେଟକୁ ଗଲା ପରେ ଆଉ ତାକୁ ବଞ୍ଚେଇ ପାରିବା କ୍ଷମତା କାହାରି ନ ଥାଏ । କାରଣ.....

 

କଥା ତାର ଶେଷ ହେଲାନି ।

 

ଉଦଗ୍ର ବିଷର ଆଲିଙ୍ଗନରେ ଧୀରେ ଧୀରେ ହେମାଙ୍ଗିନୀର ଦେହ ଢଳି ପଡ଼ିଲା, ସାରା ମୁହଁରେ ମୃତ୍ୟୁର ଛାୟା ସୁସ୍ପଷ୍ଟ ।

 

ଅମୂଲ୍ୟବାବୁ କହିଲେ, ‘‘ମୁଁ ଜାଣେ, ଝିଅ ପିଲାମାନେ ମନଭିତରେ ସବୁକିଛି ଲୁଚେଇ ରଖିପାରନ୍ତି–କେବଳ ପାରନ୍ତିନି ଈର୍ଷାକୁ ।’’

 

ହଁ, ହେମାଙ୍ଗିନୀ ଦେବୀ ଭଲ ପାଇବା, ପ୍ରେମ, ସବୁକିଛି ଆଢ଼ୁଆଳ କରି ରଖି ପାରିଥିଲେ । କେବଳ ଯେତେବେଳେ ସଞ୍ଜିବ ବାବୁ ଅନ୍ୟ ନାରୀ ପ୍ରତି ଆସକ୍ତ ହେଲେ, ସେତେବେଳେ ଆଉ ସହ୍ୟ କରି ପାରିଲେନି .

 

ଶେଷଥର ପାଇଁ ଏ ସଞ୍ଜିବ ବାବୁଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ; କିନ୍ତୁ ସେତେବେଳେ ସେ ଆଉ ଏବାଟକୁ ଫେରିବା ପାଇଁ ରାଜି ହେଲେନି । ସେ କହିଥିଲେ, ବନ୍ଧୁତ୍ୱକୁ ଆଉ ଛୋଟ କରି କିଛି ଲାଭ ନାହିଁ । ତା ଅପେକ୍ଷା କେଦାର ବାବୁ ଆଉ ନବୀନ ବାବୁଙ୍କୁ ଯେତେବେଳେ ଭଲପାଉଚନ୍ତି, ସେତେବେଳେ ସେ ଦୁହିଁଙ୍କ ମଧ୍ୟରୁ କାହାକୁ ଜଣେ ସ୍ୱାମୀଭାବରେ ଗ୍ରହଣ କରିବା ଖୁବ୍‍ ଭଲ ହେବ ।

 

କିନ୍ତୁ ଏଥିରେ ପ୍ରତିହିଂସା ଅଗ୍ନିରେ ଆହୂତି ଯେମିତି ପଡ଼ିଲା ମନମଧ୍ୟରେ ପ୍ରତିକ୍ରିୟା ଆରମ୍ଭ ହେଲା । ଏ ପ୍ରତିକ୍ରିୟା ଠିକ୍ ଏଙ୍କର ଇଚ୍ଛାରେ ହେଇନି–ଇଚ୍ଛା ବିରୁଦ୍ଧରେ ଏ ପ୍ରତିକ୍ରିୟା ଏଙ୍କର ମନ ଭିତରେ ବିଷାକ୍ତ ନିଶା ଘୂରି ବୁଲୁଥିଲା ।

 

ଧୀରେ ଧୀରେ ଏ ଉଦଗ୍ର ପ୍ରତିହିଂସାର ବଶବର୍ତ୍ତୀ ହୋଇ ପଡ଼ିଲେ; କେବଳ ଗୋଟାଏ ଚିନ୍ତା ଦେଖାଗଲା ଯେ, କେମିତି ସଞ୍ଜିବ ବାବୁଙ୍କ ନୂତନ ବିବାହିତ ଜୀବନରୁ ତାଙ୍କୁ ଦୂରରେ ରଖାଯିବ; କିନ୍ତୁ କୌଣସି ଉପାୟ ନପାଇ ଅବଶେଷରେ ସେଇଟା ଭୀଷଣ ପ୍ରତିହିଂସାରେ ରୂପାନ୍ତରିତ ହେଲା ।

 

ମୁଁ ଜାଣେ ମି: ରଣସିଂହ, ଆପଣ ହେମାଙ୍ଗିନୀ ଦେବୀଙ୍କୁ କୋଟ ଉପରେ ଠିଆ କରି ନପାରି ବିଶେଷ ଦୁଃଖିତ; ମାତ୍ର ଜାଣିଶୁଣି ମନର ଚିକିତ୍ସା କୋଟ ବିଚାରରେ ସୁସ୍ଥି ପାଏନି ।’’

 

କେଦାର ଆଉ ନବୀନ କାଠ ପରି ଚାହିଁ ରହିଥିଲେ ।

Image

 

ବେଗର୍‍ ର୍ଟ୍ରେଡ଼ର୍

 

ଗୋଟିଏ ପଇସା ଦିଅ ବାବୁ ! ପଇସାଟିଏ ଦିଅ ମାଆ !

 

ସକରୁଣ ପ୍ରାର୍ଥନା ।

 

ପଥଚାରୀମାନଙ୍କ ମଧ୍ୟରୁ କେହି କେହି ଗୋଟାଏ ଦୁଇଟା ପଇସା ପକେଇ ଦିଅନ୍ତି । କେହି ବା ମୁହଁ ବୁଲେଇ ଚାଲିଯାଏ । କେହିବି ବିଦ୍ରୂପର ହସ ହସେ ।

 

ଗୋଟିଏ ଅନ୍ଧ ଲୋକ ଆଉ ଗୋଟିଏ ଛୋଟ ପିଲା । ତଳ ବଜାର ପୋଲ ପାଖରେ ମଝିରେ ମଝିରେ ଏମାନେ ଏମିତି ଭିକ୍ଷା କରୁଥିବାର ଦେଖାଯାଏ ।

 

ଦିନ ପରେ ରାତି ଆସେ ।

 

ଏମାନେ ଧୀରେ ଧୀରେ ଫେରି ଯାଆନ୍ତି କୌଣସି ଏକ ଅଜ୍ଞାତ ବାସସ୍ଥାନକୁ ।

 

ଏଇଟିକକ ଏମାନଙ୍କର ଦୈନନ୍ଦିନ ସାଧାରଣ ଜୀବନ, ଧାରାବାହିକ ଭାବରେ ଏମିତି ଭିକ୍ଷାବୃତ୍ତି ଏମାନଙ୍କର ଚଳେ । କେତେବେଳେ ବନଖଣ୍ଡି, କେତେବେଳେ ଶୁଖୁଆହାଟ, କେତେବେଳେ ବି ଦନେଇବାବୁ ଗଳି ପାଖରେ ଏମାନଙ୍କୁ ଦେଖାଯାଏ ।

 

କିନ୍ତୁ ଜନସାଧାରଣ ଏମାନଙ୍କ ସମ୍ବନ୍ଧରେ କଣ ବା କିଏ ଜାଣେ ? ଜାଣିବାର ଅବକାଶ ବି ନଥାଏ ।

 

ରାତିନଅଟା ।

 

ପଥ ଜନହୀନ ହୋଇ ଆସୁଚି ।

 

ଧୀରେ ଧୀରେ ଏଦୁହେଁ ରାସ୍ତାଧରି ଆଗେଇ ଚାଲିଲେ, କିଛି ଦୂରରେ ଏମାନଙ୍କ ଉପରେ ଦୃଷ୍ଟିରଖି ଜଣେ ଦୀର୍ଘକାୟ ଲୋକ ଅପେକ୍ଷା କରୁଥିଲା ।

 

ଏଥର ଆଗେଇ ଆସି ପଚାରିଲା, ‘‘କେତେ ହେଲାରେ ନାଥିଆ ?

 

–‘‘ପାଞ୍ଚ ସୁଉକା ।’’

 

–‘‘ଦେଖି ।’’

 

ଅନ୍ଧ ଲୋକଟି ଏଥର ଅଣ୍ଟାରେ ଖୋସିଥିବା ପଇସାଗୁଡ଼ିକ ଦୀର୍ଘକାୟ ଲୋକଟା ହାତରେ ନେଇ ଦେଲା ।

 

କର୍କଶ ସ୍ୱରରେ ଦୀର୍ଘକାୟ ଲୋକଟା ପଚାରିଲା, ‘‘ଆଉ ନାହିଁ ?’’

 

–‘‘ନାଇଁ । ସେତିକି ମିଳିଥିଲା ।’’

 

ଲୋକଟା ଗର୍ଜିଉଠି କହିଲା, ‘‘ମିଛକଥା ! ଭଲରେ କହୁଚି ସବୁତକ ଦେଇ ପକା; ନହେଲେ ମୁଁ ସର୍ଦ୍ଦାରକୁ କହିଦେବି; ସର୍ଦ୍ଦାର ହାବୁଡ଼ରେ ପଡ଼ିଲେ ତୋ ଅବସ୍ଥା କଣ ହେବ ସେ କଥା ତତେ ଜଣାଥିବ !’’

 

କହୁ କହୁ ଲୋକଟା ଅନ୍ଧ ଗାଲରେ ଗୋଟାଏ ବଜ୍ର ଚାପୁଡ଼ା ବସେଇ ଦେଇ ପୁଣି ଗର୍ଜ୍ଜିଉଠି କହିଲା, ‘‘କାଢ଼, କଣ ଆଉ ରଖିଚୁ । ମତେ ମିଛ କହି ପୁଣି ଭଣ୍ଡେଇବାକୁ ଭାବିଚୁ !’’

 

ନାଥିଆ କାନ୍ଦି କାନ୍ଦି କହିଲା, ‘‘ମତେ ମାରନି କହୁଚି, ଆଉ ଏମିତି ମାରିଲେ ମୁଁ ଶେଷକୁ ଯାଇ ପୁଲିସି ଆଗରେ ସବୁ କଥା ଖୋଲି କହିଦେବି । ତମେମାନେ କେମିତି ସବୁ ଛୁଆପିଲାମାନଙ୍କୁ ଧରି ଆଣି ସେମାନଙ୍କର ଜୀବନକୁ ଅକାରଣ କରିଦିଅ । ସେମାନଙ୍କର ରୋଜଗାର ଉପରେ ବି ତମେମାନେ ଭାଗ ବସଉଚ–ସବୁ କଥା କହିଦେବି ।’’

 

ଦୀର୍ଘଦେହୀ ଲୋକଟା ନାଥିଆକୁ ଶକ୍ତ ଗୋଇଠାଏ ପକାଇ କହିଲା, ‘‘କଣ କହିଲୁ, ଆଜି ତୋର ଦିନେକୁ ମୋର ଦିନେ ! ରାତି ସାରା ଆଜି ଉପାସ ରଖେଇ ଦେବି ! ମୋଉପରେ ପୁଣି ଗରମ ଦେଖଉଚି !’’

 

ଏତିକିବେଳେ ଆଉ ଚାରି ଛଅଜଣ ଭିଖାରୀ ଆସି ପହଞ୍ଚିଲେ । ଏମାନେ ଏପର୍ଯ୍ୟନ୍ତ ବଡ଼ବଜାର ଅଞ୍ଚଳରେ ଭିକ ମାଗୁଥିଲେ । ମଜା ଦେଖିବା ପାଇଁ ସେମାନେ ଆସି ଘଟଣାର ଚାରିକରେ ଘେରିଗଲେ । ଏସବୁ ଯେମିତି ସେମାନଙ୍କ ପାଖରେ ନିତ୍ୟନୈମିତିକ ଗୋଟାଏ ଅତି ସାଧାରଣ କଥା ଛଡ଼ା ଆଉ କିଛି ନୁହେଁ !

 

ଲୋକଟା ନାଥିଆକୁ ନିର୍ଦ୍ଦେଶ କରି ସେମାନଙ୍କ ଆଡ଼କୁ ଚାହିଁ ରହିଲା, ‘‘ତୁମେମାନେ ପଇସା ଜମା ଦେଇ ଏକୁ ଧରି ନେଇ ଯା । ଆଜି ରାତିରେ ତାକୁ କିଛି ଖାଇବାକୁ ଦିଆଯିବନି । ବଦମାସ୍‍ କହୁଚି କଣ ନା ପୋଲିସରେ ଜଣେଇବ !’’

 

ଅନ୍ୟ ଭିକାରୀମାନେ ଖେଁ-ଖେଁ ହୋଇ ହସି ଉଠିଲେ । ବିଦ୍ରୂପର ହସ ! ନିଷ୍କରୁଣ ହସର ବିଷାକ୍ତ ପ୍ରବାହ ଯେମିତି ନାଥିଆର ସମସ୍ତ ଦେହକୁ କ୍ଷତ ବିକ୍ଷତ କରିଦେଲା ।

 

ସମସ୍ତେ ଆପଣା ଆପଣାର ପଇସା ଦୀର୍ଘକାୟ ଲୋକଟା ହାତରେ ଦେଲେ । ଏ ଲୋକଟା ହେଉଚି ଏ ଅଞ୍ଚଳର ଅର୍ଥ ସଂଗ୍ରାହକ । ସମସ୍ତ ଅର୍ଥ ସଂଗ୍ରହ କରି ଏ ଫେରିଯାଏ ବଡ଼ ଘାଟିକୁ । ରାତି ଦଶଟା ମଧ୍ୟରେ ସର୍ଦ୍ଦାର ପାଖରେ ସବୁ ପଇସା ଜମା ଦେବାକୁ ହୁଏ ।

 

ଅନ୍ୟ ଭିକାରୀମାନେ ନାଥିଆକୁ ଟାଣି ଟାଣି ନେଇ ଗଲେ । ନାଥିଆର ଆଖି ଦୁଇଟା ଅଶ୍ରୁ ଭାରାକ୍ରାନ୍ତ ହୋଇ ଉଠିଲା । ଆଖି ଲୁହରେ ଗାଲ ଦୁଇଟା ଓଦା ହୋଇଗଲା । ସୁଗଭୀର ବେଦନାର ତାର ସାରା ମନ ଯେମିତି ଟକ୍‍ ଟକ୍‍ କରୁଥିଲା । ନିଷ୍ପନ୍ଦ ବକ୍ଷ ଭେଦ କରି ବାହାରି ଆସିଲା ଝଲକାଏ ଦୀର୍ଘଶ୍ୱାସ । ଧୀରେ ଧୀରେ ତାର ମନ ଭିତରେ ଆସନ ପକେଇଲା ବହୁଦିନ ପୂର୍ବର ବିସ୍ତୃତ ଇତି କଥା ।

 

ଏ ସହରଠାରୁ ଅନେକ ଦୂର–ମଫସଲ ଅଞ୍ଚଳରେ ତାର ଘର । ସାତ ଆଠ ବର୍ଷରୁ ବେଶି ବୟସ ହୋଇ ନଥାଏ । ସାଙ୍ଗସାଥୀ ମେଳରେ ଖେଳିବୁଲି ତାର ସମୟ କଟି ଯାଉଥିଲା, ଘରେ ଖାଇବାର ଅଭାବ ନଥାଏ ।

 

ସେଦିନ ସନ୍ଧ୍ୟାବେଳେ ଖେଳିବୁଲି ଗାଁ ମୁଣ୍ଡର ପୋଖରୀହୁଡ଼ା ବାଟେ ଘରକୁ ଫେରୁଥିଲା; ହଠାତ୍‍ କିଏ ଯେମିତି ପଛରୁ ତା ମୁହଁ ଚାପି ଧରିଲା । ନାଥିଆ ଏଥିପାଇଁ ଆଦୌ ପ୍ରସ୍ତୁତ ନ ଥିଲା । ତାଛଡ଼ା ତାଭଳି ଗୋଟାଏ ଅଳ୍ପ ବୟସ ପିଲା ଦେହରେ ସେମିତି କିଛି ଶକ୍ତି ନ ଥିଲା ଯେ ଗୋଟାଏ ବଡ଼ ଲୋକକୁ ବାଧା ଦେବ ।

 

କାନ୍ଦିବାକୁ ଯାଇ ନାଥିଆ କାନ୍ଦି ପାରିଲାନି । ତା ମୁହଁଟା ଜୋର୍‍ କରି ବନ୍ଦ କରି ଦିଆଗଲା । ଗୋଟାଏ ଉତ୍କଟ ଗନ୍ଧ ତା ନାକ ଭିତରେ ପଶି ତାକୁ ଅଜ୍ଞାନ କରିଦେଲା ।

 

ତାପରେ ଏଇ ସହର, କେତେ ଦିନ ବା କେତେ ସମୟ ସେ ଅଜ୍ଞାନ ହୋଇ ପଡ଼ିଥିଲା ତାହା ତାର ମନେ ନାହିଁ । ଯେତେବେଳେ ତାର ଜ୍ଞାନ ଫେରିଲା, ସେ ଦେଖି ପାରିଲା ଗୋଟାଏ ବୃହତ୍‍ ଘର ମଧ୍ୟରେ ସେ ବନ୍ଦୀ ହୋଇଚି । ହାତ ଗୋଡ଼ ଶକ୍ତ ଭାବରେ ବାନ୍ଧି ତାକୁ ଗୋଟାଏ ଖଟ ଉପରେ ଶୁଆଇ ଦିଆଯାଇଚି । ମୁହଁ ବି ଖୁବ୍‍ ଟାଣରେ ବନ୍ଧା ହୋଇଥାଏ ।

 

ଜଣେ ବିରାଟକାୟ ବାବୁଧରଣର ଲୋକ ସିଗାରେଟ୍‍ ଟାଣୁ ଟାଣୁ ନାଥିଆ ଆଡ଼େ ଚାହିଁ ନିର୍ବିକାର ଭାବରେ ହୁକୁମ୍‍ ଦେଲା, ‘‘ଏ ଟୋକାର ଆଖି ଦୁଇଟା ନଷ୍ଟ କରି ଦିଅ !’’

 

କୌଣସି ମଣିଷ ଯେ ଏତେ ଭୟଙ୍କର ହୋଇପାରେ ସେ ସମ୍ବନ୍ଧରେ ନାଥିଆର ଏହା ଆଗରୁ କୌଣସି ଧାରଣା ନ ଥିଲା । ଓଃ, ତାପରେ ସେ କି ଭୀଷଣ ଯନ୍ତ୍ରଣା ! ଭଲ ଭାବରେ ମନେ ପଡ଼ିଲେ ଆଜି ବି ଯେମିତି ତାର ସାରା ଶରୀର ଭୟରେ ଅବଶ ହୋଇଆସେ ।

 

ଯନ୍ତ୍ରଣାରେ ଛଟପଟ ହୋଇ ତାର ଜ୍ଞାନ ହଜି ଯାଇଥିଲା ।

 

ଶେଷରେ ଯେତେବେଳେ ତାର ଜ୍ଞାନ ଫେରିଲା ସେତେବେଳେ ସେ ଆଉ କିଛି ଦେଖି ପାରୁନି । ପୃଥିବୀ ଯେମିତି ତା ପାଖରେ ସମ୍ପୂର୍ଣ୍ଣ ଅନ୍ଧକାର ହୋଇ ଯାଇଚି । ଯେଉଁଆଡ଼େ ଚାହୁଁଚି ସେଆଡ଼େ କେବଳ ଅସୀମ ଅଖଣ୍ଡ ଅନ୍ଧାର ।

 

ତା ପରଠାରୁ ନାଥିଆ ଏମିତି ଭିକମାଗି ବୁଲେ । ସେଇ ପିଲାଟିଦିନୁ ତାର ଭିଖାରୀ ଜୀବନ ଆରମ୍ଭ ହୋଇଚି । ଯାହା ପାଏ ସବୁ ଏମାନଙ୍କ ହାତରେ ଦିଏ, ବିନିମୟରେ ରହିବା ଆଉ ମୁଠାଏ ଖାଇବାର ସୁବିଧା ମିଳେ ।

 

ସେ ଶୁଣିଚି ଏମାନଙ୍କ ଦଳରେ ଏମିତି ଆହୁରି ଅନେକ ଭିଖାରୀ ଅଛନ୍ତି । ଯେଉଁ ଛୋଟ ପିଲାଟି ତାକୁ ବାଟ କଢ଼ାଏ ତାକୁ ନୂଆ ଧରା ଯାଇଚି । କୋଉ ମାଆର କୋଳଛଡ଼ା ଧନ ତା କିଏ ଜାଣେ ? ଶିଶୁ ନାଥିଆ ଆଜି ତିରିଶ ପାର ହୋଇଗଲାଣି । ଏମିତି ଭାବରେ ଭିକ୍ଷା କରି କରି ତାର ସଙ୍ଗୀ ଛୋଟ ପିଲାଟା ବି କେଉଁଦିନ ବାର୍ଦ୍ଧକ୍ୟରେ ଯାଇ ପହଞ୍ଚିବ; କିନ୍ତୁ ତେବେ ବି ଅପ୍ରତିହତ ଗତିରେ ଏମାନଙ୍କ ବ୍ୟବସାୟ ଚାଲିଥିବ ।

 

ଗୋଟାଏ ଚୋରାକୋଠରି ମଧ୍ୟରେ ସାଙ୍ଗ ଭିଖାରୀମାନେ ନାଥିଆକୁ ଆଣି ପୂରାଇ ଦେଇ ବାହାରୁ କବାଟ ବନ୍ଦ କରିଦେଲେ । ଆଜି ରାତିକ ପାଇଁ ସେ ଚୋରାକୋଠରିରେ ବନ୍ଦୀ ହୋଇ ରହିବ । ତାକୁ କିଛି ଖାଇବାକୁ ଦିଆ ଯିବନି ।

 

ଧୀରେ ଧୀରେ ନାଥିଆ ତଳେ ବସି ପଡ଼ିଲା ।

 

ତାର ସାରା ଶରୀର ପ୍ରବଳ କ୍ଳାନ୍ତିରେ କେମିତି ଝିମ୍‍ଝିମ୍‍ କରୁଥାଏ, ଉପବାସକ୍ଳିଷ୍ଟ ଦେହକୁ ଅସୀମ ଅବସାଦ ଘେରି ଆସୁଥାଏ ।

 

ସାରାମନ ସେମିତି ଗୋଳେଇ ଘାଣ୍ଟି ହେଉଚି !

 

ଏତିକିବେଳେ ବାହାରେ ଠିଆ ହୋଇଥିବା ଭିଖାରୀମାନଙ୍କୁ କହିବାର ଶୁଣାଗଲା, ‘‘ଆରେ ତୁମେମାନେ ବର୍ତ୍ତମାନ ଏଠାରୁ ଚାଲି ଯା ! କାହିଁକି ଏମିତି ମେଞ୍ଚା ମେଞ୍ଚା ହଉଚ !’’

 

ଭିଖାରୀଙ୍କ ମଧ୍ୟରୁ କିଏ ଜଣେ ଜବାବ୍‍ ଦେଲା, ‘‘ନାଥିଆକୁ ଦିନସାରା ଖାଇବାକୁ ଦିଆ ନ ଯାଇ ବନ୍ଦ କରି ରଖାଯାଇଚି ।’’

 

–‘‘ହଉ, ମୁଁ ସେ ଖବର ବୁଝୁଚି, ତମେମାନେ ସବୁ ଏଠାରୁ ଚାଲି ଯା ।’’

 

ଏଥର ସବୁ ଚୁପ୍‍ଚାପ । ବୋଧହୁଏ ଭିଖାରୀମାନେ ଚାଲିଗଲେ ।

 

ନାଥିଆ ମନରେ ଆଶାର ସଞ୍ଚାର ହେଲା ।

 

ଟିକିଏ ପରେ ଦ୍ୱାର ଫିଟିଗଲା ।

 

–‘‘କିଏ ?’’ ନାଥିଆ ପଚାରିଲା ।

 

–‘‘ଆରେ ମୁଁ, ଘନଶ୍ୟାମ ।’’

 

–‘‘ଓ, ତମେ ଆସିଚ ?’’

 

–‘‘ହଁ, କିନ୍ତୁ ଘଟଣାଟା କଣ କହିଲୁ । ତତେ କାହିଁକି ବନ୍ଦ କରି ରଖାଯାଇଚି ? କଣ ପାଇଁ ତତେ ଆଜି ଦିନସାରା ଉପାସ ରଖା ହୋଇଚି ? ତୁ କଣ କିଛି ଅନ୍ୟାୟ କାମ କରିଥିଲୁ ନା କଣ ?’’

 

ଅଭିମାନ କରି ନାଥିଆ କହିଲା, ‘‘କିଛି ଜାଣିନି ?’’

 

–‘‘ଆରେ କହ, ମିଛରେ ସମୟ ନଷ୍ଟ କରନି ।’’

 

–‘‘ଭାବିଥିଲେ ମୁଁ ପଇସା ଲୁଚେଇ ରଖିଚି, ସେଇଥିପାଇଁ ମତେ ମାଇଲେ । ମୁଁ ଟିକିଏ ରାଗିଯାଇ କହିଲି ଯେ ପୁଲିସରେ–’’

 

–‘‘ଚୁପ୍, ଏମିତି କଥା ଆଉ ଦିନେ କହିବୁନି ।’’

 

–‘‘କିନ୍ତୁ ମତେ ମାରିବେ କାହିଁକି ? ମୁଁ କୋଉଦିନ ପଇସା ଲୁଚେଇ ରଖିଚି ନା କଣ ? ବରଂ ସେଇ ମଝିରେ ମଝିରେ ପଇସା ମାରି ଦିଅନ୍ତି । ଲୁଚେଇ ରଖନ୍ତି । ସର୍ଦ୍ଦାରକୁ ସବୁ ପଇସା ଦିଅନ୍ତିନି !’’

 

‘‘ଆଚ୍ଛା, ମୁଁ ସର୍ଦ୍ଦାରକୁ କହି ସବୁ ବ୍ୟବସ୍ଥା କରିଦେବି । ଏଥର ବାହାରକୁ ଚାଲ, ତୋର ଖାଇବା ବ୍ୟବସ୍ଥା କରିଦେଇ ଯାଉଚି, ତୋର କିଛି ଭୟ ନାହିଁ ।’’

 

ତାପରେ ଘନଶ୍ୟାମ ଚାଲିଗଲା; ବୋଧହୁଏ ଖାଇବାର ବ୍ୟବସ୍ଥା କରିବାକୁ ଗଲା ।

 

ନାଥିଆର ଚକ୍ଷୁ ଅଶ୍ରୁ ଭାରାକ୍ରାନ୍ତ ହୋଇ ଉଠିଲା । ତା’ ଭଳି ସାମାନ୍ୟ ଭିଖାରୀ ପ୍ରତି ଏତେ ଅସୀମ ମମତା ଯେ କାହାରି ଥାଇପାରେ ଏ ଧାରଣା ତାର ନଥିଲା ।

 

ଘନଶ୍ୟାମ କଣ ମଣିଷ ନା ଦେବତା ! ପ୍ରକୃତରେ ଏ ଦଳ ଭିତରେ ରହିବା ଲୋକ ଯେମିତି ସେ ନୁହେଁ, ଅଜାଣତରେ କେମିତି ଭୁଲି ଚାଲି ଆସିଚି ।

 

ନାଥିଆର ବକ୍ଷ ଭେଦକରି ଗୋଟାଏ ଦୀର୍ଘନିଃଶ୍ୱାସ ବାହାରି ଆସିଲା ।

 

ଘନଶ୍ୟାମ ଏ ଦଳର ସି.ଆଇ.ଡ଼ି, କେଉଁଠାରୁ କିପରି ଭାବରେ ଭିଖାରୀ ସଂଗ୍ରହ କରାଯିବ । ଦଳଦ୍ୱାରା ପ୍ରସ୍ତୁତ ଭିଖାରୀମାନଙ୍କର ଗତିବିଧି ସବୁ ସେ ଲକ୍ଷ୍ୟ କରେ । ତା ଛଡ଼ା ଦଳ ପରିଚାଳନାରେ ସେ ଅନେକଟା ଦାୟିତ୍ୱ ନେଇଚି । ସେଥିପାଇଁ ଦଳରେ ସମସ୍ତେ ପ୍ରାୟେ ତାକୁ ମାନନ୍ତି ।

 

ଆଜି ସେ କାର୍ଯ୍ୟବଶତଃ ଅନ୍ୟତ୍ର ଚାଲିଯାଇ ଥିବାରୁ ହଠାତ୍ ଏ ବିଭ୍ରାଟ ଦେଖାଯାଇଚି । ନାଥିଆ ଠାରୁ ସବୁକଥା ଶୁଣି ସେ ଅର୍ଥ ସଂଗ୍ରହକାରୀ ସେଇ ଦୀର୍ଘକାୟ ଲୋକ; ଅର୍ଥାତ୍‍ ଭଜନି ଦାସକୁ ଗୁଡ଼ାଏ ବିରକ୍ତ ହେଲା । ତାପରେ ଅନ୍ୟଭିଖାରୀମାନଙ୍କଠାରୁ ସେଦିନର ଆୟ ହିସାବ ବୁଝି ତାର ସମସ୍ତ ଅଂଶ ସର୍ଦ୍ଦାର ପାଖରେ ଦାଖଲ ହେଉଚି କି ନାହିଁ ବୁଝିବା ପାଇଁ ଭଜନି ଦାସକୁ ସର୍ଦ୍ଦାର ପାଖରୁ ପାଇଥିବା ରସିଦ ଦେଖାଇବାକୁ କହିଲା ।

 

ଭଜନି ଦାସ ଯେଉଁ ରସିଦ ଦେଖାଇଲା, ସେଥିରୁ ଜଣାଗଲା ସେଦିନର ଆୟରୁ ସେ କୋଡ଼ିଏ ଟଙ୍କା ଆତ୍ମାସାତ୍ କରିଦେଇଚି । ରାଗରେ ଜଳିଉଠି ଘନଶ୍ୟାମ କହିଲା, ‘‘ସର୍ଦ୍ଦାର ସାଙ୍ଗେ ଖେଳିବା ବୁଦ୍ଧି କେବେଠୁ ତୁମ ମୁଣ୍ଡରେ ଦେଖା ଦେଇଚି ଭଜନ ! ତୁମେ ପରା ନାଥିଆକୁ ମାର୍‍ଧର କରୁଥିଲ ! କାଇଁ ତୁମେ ତ ଆଜିକା ଆୟରୁ କୋଡ଼ିଏ ଟଙ୍କା ମାରି ନେଇଚ ! ଏକଥା ସର୍ଦ୍ଦାର କାନକୁ ନିଶ୍ଚୟ ଯିବ, ଆଉ ସେଥିରେ ତୁମ ଅବସ୍ଥା କଣ ହେବ ମନେକର ।’’

 

ଭଜନିର ମୁହଁ ରାଗ ଓ ଭୟରେ ଜାମୁଆ ପଡ଼ିଗଲା । ତା’ ମନ ଭିତରେ ଯେମିତି ଶଇତାନ୍ ଗୁମୁରି ଉଠୁଥିଲା, କିଛି ଜବାବ ନଦେଇ ସେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ବଡ଼ଘାଟି, ଅର୍ଥାତ ଦଳର ମୁଖ୍ୟ କାର୍ଯ୍ୟାଳୟ ।

 

ସକାଳ ହୋଇଗଲାଣି ।

 

ହଠାତ୍‍ ଜଣେ ଭିଖାରୀ ଧଇଁସଇଁ ହୋଇ ଆସି ସର୍ଦ୍ଦାରକୁ କହିଲା, ‘‘ସର୍ବନାଶ ହେଇଚି ସର୍ଦ୍ଦାର ! ଘନଶ୍ୟାମ ପୋଲିସ ହାତରେ ଧରାପଡ଼ିଚି ।

 

ସର୍ଦ୍ଦାରର ମୁହଁ ଯେମିତି ଫିକା ପଡ଼ିଗଲା, ତା ମୁହଁରୁ ହଠାତ୍ ବାହାରିପଡ଼ିଲା, ‘‘ଧରା ପଡ଼ିଚି ? ଆରେ ତୁ କଣ କହୁଚୁ ?’’

 

–‘‘ଠିକ୍‍ କହୁଚି ସର୍ଦ୍ଦାର । ଜଣେ ଜାଣିବା ଶୁଣିବା ଲୋକ ବଦମାସି କରି ପୋଲିସରେ ଖବର ଦେଇ ତାକୁ ଧରେଇ ଦେଇଚି ।’’

 

–‘‘ଜାଣିବା ଶୁଣିବା ଲୋକ ? ସେ ଲୋକଟା କଣ ଆମ ଦଳର ?

 

–‘‘ହଁ, ଆମରି ଦଳରେ କାମ କରେ, କାଲି ଆଦାୟ ପଇସାରୁ କେଉଁଠି କୋଡ଼ିଏ ଟଙ୍କା ମାରି ନେଇଥିବାରୁ ଘନଶ୍ୟାମ ତାକୁ ଧମକା ଚମକା କରି କହିଲା ଯେ ଏକଥା ଆପଣଙ୍କ କାନରେ ପକେଇବ, ତାପରେ ସେ ଲୋକଟା ଗୋପନରେ ପୋଲିସରେ ଖବର ଦେଇ–।’’

 

ବାଧାଦେଇ ସର୍ଦ୍ଦାର କହିଲା, ‘‘ବୁଝିଲି ! ତା ନାଆଁଟା କଣ ଆଗେ କହିଲୁ, ତାପରେ ତାର କେତେ କରାମତି ମୁଁ ଦେଖୁଚି ।’’

 

–‘‘ତାର ନାଆଁ ଭଜନି ଦାସ, ଚାରି ନମ୍ବର ଦଫାରେ ସେ ପଇସା ସଂଗ୍ରହ କରେ ଆଉ ପିଲା ସଂଗ୍ରହ କରିବା ଭାର ମଧ୍ୟ ତା ଉପରେ ଅଛି ।’’

 

–‘‘ହଁ, ସେ ବଦମାସ୍‍ କଥା ମନେପଡ଼ିଲା; କିନ୍ତୁ ହଠାତ୍ ତାର ଏତେ ସାହସ କେମିତି ହେଲା ମୁଁ କିଛି ବୁଝିପାରୁନି ।’’

 

–‘‘କେବଳ ଘନଶ୍ୟାମ କଥା ଯେ ସେ ପୋଲିସରେ ଜଣେଇଚି ତା ନୁହେଁ, ଆହୁରି ଗୋଟାଏ ଦୁଇଟା ଏମିତି ମାରାତ୍ମକ କାମ ସେ କରିଥିବାର ଶୁଣିଲି । ନାଥିଆ ବୋଲି ଯେଉଁ ପୁରୁଣା ଲୋକଟା ଆମ ଦଳରେ ଅଛି, ବିନାଦୋଷରେ ତାକୁ ମାରଧର କରି ରାତିସାରା ଖାଇବାକୁ ଦେଲାନି ।

 

ଏହି ସମୟରେ ଘନଶ୍ୟାମ ଯାଇ ସେଠାରେ ପହଞ୍ଚି ସବୁ ବିଷୟ ଜାଣିପାରି ନାଥିଆକୁ ସେଦିନ ମୁକ୍ତ କରିଦେଇ ତାର ଖାଇବାର ବ୍ୟବସ୍ଥା କରିଦେଲା । ଏକଥା ଭଜନି ଦାସ ଶୁଣି ଭାରି ରାଗିଗଲା । ଘନଶ୍ୟାମ ଆଉ ଭଜନି ମଧ୍ୟରେ ଏସବୁ ବିଷୟ ନେଇ ଗଣ୍ଡଗୋଳ ଲାଗିଲା । ସେଇ ରାଗରେ ଭଜନି ପୋଲିସରେ ଖବର ଦେଇଦେଲା । ଏମିତି କି ପୋଲିସ ଆଗରେ ଗୋଟାଏ ଦୁଇଟା ତଥ୍ୟ ମଧ୍ୟ ପ୍ରକାଶ କରି ଦେଇଚି । ଦରକାର ହେଲେ ସେ କେଉଁଠି ଦଳ ବିରୁଦ୍ଧରେ ପୋଲିସ ପାଖରେ ସାକ୍ଷୀ ଦେବାକୁ ବି ରାଜି ହେଇଚି ବୋଲି ଶୁଣିଲି ।’’

 

–ଆଚ୍ଛା, ତୁ ବାହାରକୁ ଯା । ମୁଁ ଟିକିଏ ଭାବି ଯାହା ବ୍ୟବସ୍ଥା କରିବା କଥା କରିବି ।’’

 

ଭିଖାରୀଟି ଚାଲିଗଲାପରେ ସର୍ଦ୍ଦାରକୁ ଚିନ୍ତିତ ଦେଖାଗଲା ।

 

କେବଳ ଘନଶ୍ୟାମ ପାଇଁ ତାର ଏ ଚିନ୍ତା ନୁହେଁ–ଭଜନି ପାଇଁ ବି ତାର ମସ୍ତଚିନ୍ତା । ତାକୁ କୈାଣସି ପ୍ରକାର ଉପଯୁକ୍ତ ଶିକ୍ଷା ଦେଇ ନପାରିଲେ ଦଳର ଅବସ୍ଥା ଯେ କି ଦୁର୍ଦ୍ଦଶା ଆଡ଼କୁ ଆଗେଇଯିବ ଏକଥା ଭାବି ଭାବି ସେ ଗୃହମଧ୍ୟରେ ଦ୍ରୁତ ପଦଚାରଣ କରିବାକୁ ଲାଗିଲା । କିଛିସମୟ ପଦଚାରଣ କରିବା ପରେ ପାଖରେ ପଡ଼ିଥିବା ଟେବୁଲ ଉପରେ ଖଣ୍ଡେ କାଗଜ ଉଠାଇ ଆଣି ସେଥିରେ କଣ ଗୁଡ଼ିଏ ଲେଖିଲା । ତାପରେ ଗୋଟିଏ ପିସ୍ତଲ ପକେଟ ଭିତରେ ପକେଇ ଘର ଭିତରୁ ବାହାରିଗଲା ।

 

ସମ୍ୱାଦପତ୍ର ମାନଙ୍କରେ ଘନ ଘନ ପିଲାଚୋରି ଖବର ଆଉ କଟୁ ଆଲୋଚନାରେ ବ୍ୟସ୍ତ ହୋଇ ପୋଲିସ କମିଶନର ପ୍ରାଇଭେଟ୍‍ ଡିଟେକଟିଭ୍ ଅମୂଲ୍ୟକୁମାର ମହାନ୍ତିଙ୍କଠାରୁ ସାହାଯ୍ୟ ପାଇବା ଆଶାରେ ଫୋନ୍‍ ଧରିଲେ; ମାତ୍ର ଏକ୍‍ସଚେଞ୍ଚରୁ ଖବର ମିଳିଲା ଏନ୍‍ ଗେଜଡ଼ ।

 

ଅବଶ୍ୟ ତାର କାରଣ ଥିଲା ।

 

ଅମୂଲ୍ୟବାବୁ ସେତେବେଳେ ପୋଲିସ ଅଫିସର ମି:କାଶୀନାଥ ସାହୁଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଫୋନ୍‍ ଧରିଥିଲେ ।

 

ମି:ସାହୁ ଅମୂଲ୍ୟବାବୁଙ୍କର ପୂର୍ବପରିଚିତ ପୋଲିସ ଅଫିସର । ଗୋଟାଏ ଜଟିଳ କେସ୍‍ ର ଘନଶ୍ୟାମକୁ ଗିରଫ କରି ସେ ସେଇ କେସ୍‍ଟାର ପଛରେ ଗୋଟାଏ ଚକ୍ରାନ୍ତ ଜାଲର ସୁରାକ ପାଇଲେ । ସେଥିପାଇଁ ସେ ବାଧ୍ୟହୋଇ ଅମୁଲ୍ୟ ବାବୁଙ୍କୁ ଫୋନ୍‍ ରେ ଡାକୁଥିଲେ ।

 

ଅମୂଲ୍ୟବାବୁ ରିସିଭର ଟେକି ନେଇ ପଚାରିଲେ, ‘‘ହ୍ୟାଲୋ, କିଏ ?’’

 

–‘‘ମୁଁ ପୋଲିସ ଷ୍ଟେସନରୁ ମି: ସାହୁ କହୁଚି ।’’

 

–‘‘ଓ, ଆପଣ ? ହଠାତ୍‍ କଣ କିଛି ଜରୁରୀ କେସ୍‍ ନା କଣ ?’’

 

–‘‘ଜରୁରୀ ନ ହେଲେ ବି ରହସ୍ୟପୂର୍ଣ୍ଣ ।’’

 

–‘‘କେମିତି ?’’

 

–‘‘ଘନଶ୍ୟାମ ପରମାଣିକ ନାମରେ ଗୋଟାଏ ଲୋକଙ୍କୁ ଗିରଫ କରିଚି । ତାପାଖରୁ ଯେଉଁ ଇତିହାସ ମିଳୁଚି ତା ପ୍ରକୃତରେ ଅଦ୍ଭୁତ କଳ୍ପନାତୀତ ! ତେଣୁ ଏ ଜଟିଳ କେସ୍‍ ରେ ମୁଁ ଆପଣଙ୍କୁ ପ୍ରବେଶ ପାଇଁ ଅନୁରୋଧ କରୁଚି ।’’

 

–‘‘ଧନ୍ୟବାଦ !’’

 

–‘‘ହଁ, କାଳେ ମୁଁ ଭଲଭାବରେ ଅନୁସନ୍ଧାନ କରି ନ ପାରିବି କି କୈାଣସି ସୁବିଧା ହରେଇ ଦେବି, ସେଇଥିପାଇଁ ଆପଣଙ୍କୁ ଜଣାଉଚି ।’’

 

–‘‘ଭଲହେଲା । ଆପଣଙ୍କ ଦୟାରେ ମୁଁ ଖୁବ୍ ଆନନ୍ଦିତ ।’’

 

–‘‘ତାହେଲେ ବର୍ତ୍ତମାନ ଆସୁଚନ୍ତି ତ ?’’

 

–‘‘ହଁ, ହଁ ବର୍ତ୍ତମାନ ।’’

 

ରିସିଭରଟା ଥୋଇଦେଇ ଅମୂଲ୍ୟବାବୁ ପୋଷାକପତ୍ର ପିନ୍ଧି ବାହାରିଲା ବେଳକୁ ପୁଣି ଫୋନ୍‍ ଝଣ୍ ଝଣ୍‍ କରିଉଠିଲା ।

 

ପୋଲିସ କମିଶନର ତାଙ୍କୁ ଫୋନ୍‍ କଲେ ।

 

ତାଙ୍କଠାରୁ ଖବର ପାଇ ଅମୁଲ୍ୟବାବୁଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ସେ ମନେ ମନେ ଭାବିଲେ ଏହା ସହିତ ମି: ସାହୁଙ୍କ ଫୋନ୍‍ର କୈାଣସି ସମ୍ୱନ୍ଧ ନାହିଁ ତ ?

 

ପୋଲିସ କମିଶନରଙ୍କୁ ସମୟ ଧାର୍ଯ୍ୟ କରିଦେଇ ଅମୁଲ୍ୟ ବାବୁ ମି: ସାହୁଙ୍କ ସାଙ୍ଗେ ଦେଖା କରିବା ପାଇଁ ବାହାରି ପଡ଼ିଲେ ।

 

କିନ୍ତୁ ଗେଟ୍ ପାଖରେ ଜୀବନ ସାଙ୍ଗେ ଦେଖା ହେଲା ।

 

–‘‘କିରେ, ଏକା ଏକା କୁଆଡ଼େ ଚାଲିଚୁ ?’’

 

–‘‘ଗୋଟାଏ ଜରୁରୀ କେସ୍‍ ବିଷୟରେ ମି: ସାହୁଙ୍କ ସଙ୍ଗେ ଦେଖା କରିବାକୁ ବାହାରିଚି-। ସେଠାରୁ ପୋଲିସ କମିଶନରଙ୍କ ସଙ୍ଗେ ଦେଖା କରି ଆସିବି ।’’

 

–‘‘ଅନେକ ଗୁଡ଼ାଏ କେସ୍ ଏକାଥରେ ବୋଧହୁଏ ଆସି ଜୁଟିଚି ?’’

 

–‘‘ହଁ । ତେବେ ମି: ସାହୁ ଫୋନ କରିଚନ୍ତି, ଗୋଟାଏ କେଉଁଠି ଅଦ୍ଭୁତ ରହସ୍ୟପୂର୍ଣ୍ଣ କେସ୍ ତାଙ୍କ ହାତରେ ପଡ଼ିଚି । ସେ ଏକୁଟିଆ ସେଇଟାକୁ ଘାଣ୍ଟଚକଟା ନକରି ମୋର ସାହାଯ୍ୟ ଚାହିଚନ୍ତି । ସେଥିପାଇଁ ତାଙ୍କ ସଙ୍ଗେ ଦେଖା କରିବାକୁ ଯାଉଚି । ଘନଶ୍ୟାମ ପରମାଣିକ ନାମରେ ଗୋଟାଏ ଲୋକଙ୍କୁ ଆରେଷ୍ଟ କରି ସେ ଏ ରହସ୍ୟର ସନ୍ଧାନ ପାଇଚନ୍ତି । ଘନଶ୍ୟାମ ପରମାଣିକ କଥା ତୋର ନିଶ୍ଚୟ ମନେଥିବ ?’’

 

–‘‘ହଁ ଅନେକ ଦିନ ଆଗେ କଣ ଗୋଟାଏ ବିଷୟରେ ଆମେ ଯେମିତି ତା’ ପିଛା ଧରିଥିଲେ ।’’

 

–‘‘ସେଇଦିନୁ ଆଜିପର୍ଯ୍ୟନ୍ତ ଆଉ ତାର ଦେଖା ମିଳି ନଥିଲା । ଦେଖାଯାଉ ଏଥର ତା ମାଧ୍ୟମରେ କଣ କିଛି ସେମିତି ମିଳୁଚି କି ନାହିଁ ।’’

 

–‘‘ରହ ଭାଇ,ମୁଁ ପୋଷାକ ବଦଳେଇ ଆସେ । ଦୁହେଁଯାକ ଯିବା ।’’

 

–‘‘ହଉ, ଶୀଘ୍ର ଆସ !’’

 

ମି: ସାହୁଙ୍କର ଜରୁରୀ ଫୋନ୍‍ପାଇ ଅମୂଲ୍ୟବାବୁ ତାଙ୍କର ସହକାରୀ ଜୀବନ୍‍ ଦାସକୁ ସଙ୍ଗରେ ଧରି ପୋଲିସ ଷ୍ଟେସନ୍‍ ରେ ଆସି ପହଞ୍ଚିଲେ । ଏପର୍ଯ୍ୟନ୍ତ ମି:ସାହୁ ଅମୂଲ୍ୟବାବୁଙ୍କୁ ଉଦ୍‍ଗ୍ରୀବ ଭାବରେ ଅପେକ୍ଷା କରିଥିଲେ । ସେ ଅଭିବାଦନ ଜଣେଇ କହିଲେ, ‘‘ଆସନ୍ତୁ ମି: ମହାନ୍ତି-!’’

 

–‘‘ଧନ୍ୟବାଦ ! ଏଥର ବିଷୟଟା କଣ କହନ୍ତୁ !’’

 

–‘‘ସେକଥା କହିବାକୁ ଗଲେ ଆଗେ ଲୋକଟାକୁ ଆଣିବାକୁ ହେବ । ଆପଣ ତାକୁଇ କ୍ରଶ କରିଲେ ସବୁ ଜାଣିପାରିବେ ।’’

 

–‘‘ତାହେଲେ ତାକୁ ଅଣାନ୍ତୁ !’’

 

–‘‘ହଁ ରଙ୍ଗାଧର ଅଛ କି ?’’

 

–‘‘କହନ୍ତୁ ଆଜ୍ଞା !’’

 

–‘‘ହାଜତ୍‍ରୁ ସେ ଲୋକଟିକୁ ନେଇ ଆସିଲ !’’

 

–‘‘ଆଣୁଚି ଆଜ୍ଞା ।’’

 

ଟିକକ ପରେ ଦୁଇଜଣ ସଶସ୍ତ୍ର କନେଷ୍ଟବଳଙ୍କ ତତ୍ୱାବଧାନରେ ଜଣେ ଲୋକଙ୍କୁ ଆଣି ଘରଭିତରେ ହାଜର କରାଗଲା ।

 

ଲୋକଟି ଦେଖିବାକୁ ବେଶ୍ ଲମ୍ୱା ଚଉଡ଼ା । ମୁହଁରେ ଟାଆଁସା ଦାଢ଼ି । ପ୍ରଥମ ଦେଖାରେ ଲୋକଟା ଟିକିଏ ନିରୀହ ବୋଲି ମନେହୁଏ; କିନ୍ତୁ ଭଲଭାବରେ ପରୀକ୍ଷା କରି ଦେଖିଲେ ଲୋକଟା ଯଥେଷ୍ଟ ଚତୁର ଓ ତୀକ୍ଷ୍ମଧୀ ବୋଲି ମନେ ହୁଏ ।

 

–‘‘ତମ ନାଆଁ କଣ ?’’

 

–‘‘ଘନଶ୍ୟାମ ପରମାଣିକ, ହଜୁର !’’

 

–‘‘ଘର କେଉଁଠି ?’’

 

ଉତ୍ତର ନାହିଁ ।

 

–‘‘କୋଉଠି କାମ କର ?’’

 

–‘‘ଗାନ୍ଧି ନଗରରେ ।’’

 

–‘‘କି କାମ ?’’

 

–‘‘ବାଉଁଶ କମ୍ପାନୀରେ ଚାକିରି କରେ ।’’

 

–‘‘ବାଉଁଶ କମ୍ପାନୀ କୋଉଠି ?’’

 

–‘‘ଗାନ୍ଧିନଗର ଶେଷକୁ ଯେଉଁ ଖୋଲାଟାଙ୍ଗିଟା–’’

 

କଥା ଶେଷ ହେବା ଆଗରୁ ଅମୂଲ୍ୟବାବୁ ହୋ ହୋ ହୋଇ ହସିଉଠି କହିଲେ, ‘‘ମିଛକଥା କହି ଏଭଳି ଧରାପଡ଼ିବାରେ କୌଣସି ମୂଲ୍ୟ ନାହିଁ ଘନଶ୍ୟାମ । ଗାନ୍ଧି ନଗର ବୋଲି ତ କୌଣସି ସ୍ଥାନ ନାହିଁ, ଯାହା ଅଛି ମହାତ୍ମା ନଗର; ମାତ୍ର ସେଠାରେ ବାଉଁଶ କମ୍ପାନୀ ଆଦୌ ନାହିଁ । ଯେଉଁ କେତେଟା ଛୋଟ ଛୋଟ ବ୍ୟବସାୟ ଅନୁଷ୍ଠାନ ଅଛି ତାର ମାଲିକମାନେ ମତେ ଭଲଭାବେ ଜାଣନ୍ତି । ତାଛଡ଼ା ମୁଁ ସେଠାକୁ ପ୍ରାୟ ଆଠଦଶ ଥର ଯାଇଛି, କୌଣସି ଥର ତ ସେଠାରେ ତୁମକୁ ଦେଖିନି ।’’

 

ଘନଶ୍ୟାମ କୌଣସି ଉତ୍ତର ଦେଲାନି ।

 

ଅମୂଲ୍ୟବାବୁ କହିଲେ, ‘‘ସତକଥା କୁହ ଘନଶ୍ୟାମ, ତୁମର ବୋଧହୁଏ ମନେନାହିଁ, ଆଜିକି ପ୍ରାୟ ଚାରି ପାଞ୍ଚ ବର୍ଷ ପୂର୍ବେ ଗୋଟାଏ ପିଲାଚୋରି ବିଷୟରେ ତୁମକୁ ଗିରଫ୍‍ କରିଥିଲି । ଅବଶ୍ୟ ପ୍ରମାଣ ଅଭାବରୁ ସେଥର ତୁମେ ଛାଡ଼ ପାଇ ଯାଇଥିଲ; କିନ୍ତୁ ସେଇଠୁ ତୁମ ପ୍ରତି ମୋର ମୂଳରୁ ଶେଷ ଯାଏ ଗୋଟାଏ ସନ୍ଦେହ ଥିଲା । ତେଣୁ ତୁମେ ଯେକୌଣସିଠାରେ ଚାକିରୀ କରନି ତାହା ମୁଁ ବୁଝିପାରିଚି । ତେବେ ତୁମେ ଯଦି ସତକଥା କୁହ, କିମ୍ବା ଯେଉଁ ଦଳରେ କାମ କରୁଚ ସେମାନଙ୍କୁ ଧରେଇ ଦେବାରେ ସାହାଯ୍ୟ କର, ତେବେ ମୁଁ ଚେଷ୍ଟାକରିବି ଯେଉଁଥିରେକି ତୁମକୁ ବେଶି ସଜା ନ ହେବ । ଏମିତିକି ତୁମକୁ ରାଜସାକ୍ଷୀ କରି ଯେଉଁଥିରେ ତୁମର କୌଣସି କ୍ଷତି ନହେବ ସେ ଚେଷ୍ଟା ମଧ୍ୟ ମୁଁ କରିବି । ତୁମେ ନିଶ୍ଚୟ ବିଶ୍ୱାସ କର ଘନଶ୍ୟାମ ମୋ କଥାର କେତେବେଳେ କୌଣସି ବ୍ୟତିକ୍ରମ ହୁଏନି । ଆଉ କାହାକୁ ବିଶ୍ୱାସ ନକଲେ ବି ଅନ୍ତତଃ ମୋତେ ତୁମେ ନିଶ୍ଚିନ୍ତରେ ବିଶ୍ୱାସ କରିପାର ।’’

 

ଟିକିଏ ରହି ଘନଶ୍ୟାମ କହିଲା, ‘‘ସତ କଥା କହିଲେ, ଆପଣ ମୋ ଜୀବନର ଦାୟିତ୍ୱ ନେବାକୁ ରାଜି ଅଛନ୍ତି ତ ?’’

 

–‘‘ନିଶ୍ଚୟ, ତୁମର କୌଣସି ଭୟ ନାହିଁ ଘନଶ୍ୟାମ ।’’

 

–‘‘ବେଶ୍, ତାହାହେଲେ ଶୁଣନ୍ତୁ; କିନ୍ତୁ ମନେରଖନ୍ତୁ ଏଦଳ ଏମିତି ଗୋଟିଏ ସଂଘବଦ୍ଧ ଦଳ ଯେ ଆପଣମାନେ ଏତେଟିକିଏ ଅସାବଧାନ ହେଲେ ମୋର ଜୀବନ ଚାଲିଯିବ ।’’

 

–‘‘ବୁଝୁଚି, ତେବେ ବି ମୁଁ ତୁମକୁ କଥା ଦେଉଚି ଯେତେଟା ସମ୍ଭବ ଆମେମାନେ ସାବଧାନ ହେବୁ ।’’

 

–‘‘ବେଶ୍, ତାହେଲେ ଶୁଣନ୍ତୁ ।’’

 

ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇ କିଛିସମୟ ଘନଶ୍ୟାମ କଣ ଭାବିଲା । ତା’ପରେ ଧୀରେ ଧୀରେ ଆରମ୍ଭ କଲା, ‘‘ସାରା ରାଜ୍ୟବ୍ୟାପୀ ଆଜି ଯେଉଁ ପିଲାଚୋରି ଆଉ ଭିଖାରୀ ସଂଖ୍ୟା ବଢ଼ିଚାଲିଚି ଠିକ୍‍ ତାର କେନ୍ଦ୍ରସ୍ଥଳରେ ରହିଚି ଗୋଟାଏ ଲୋକର ହାତ । ଦୀର୍ଘଦିନ ଧରି ସେ ଏଭଳି ଭାବେ ଛୋଟ ପିଲାମାନଙ୍କୁ ଚୋରି କରି ଆଣି ସେମାନଙ୍କୁ ବିକଳାଙ୍ଗ କରି ଭିଖାରୀରେ ପରିଣତ କରୁଚି । ସେଇ ଭିଖାରୀମାନଙ୍କ ଉପାର୍ଜନ ଧନରେ ସେ ଆଜି ବିରାଟ ପୁଞ୍ଜିପତି–’’

 

ଗୁଡ଼ୁମ୍ !

 

ଗୋଟାଏ ପ୍ରଚଣ୍ଡ ଶବ୍ଦ ଧ୍ୱନିତ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

 

ଉଃ.............

 

ବିକଟ କରୁଣ ଆର୍ତ୍ତନାଦ !

 

ଘନଶ୍ୟାମ ଜ୍ଞାନଶୂନ୍ୟ ହୋଇ ଚଟାଣ ଉପରେ ଲୋଟି ପଡ଼ିଲା । ସାଙ୍ଗେ ସାଙ୍ଗେ ଗୋଟାଏ ଗୁରୁନିଃଶ୍ୱାସ ପଡ଼ିବାର ଶୁଣାଗଲା ।

 

ସମସ୍ତେ ଝରକା ପାଖକୁ ଛପଟିଗଲେ, ଦେଖାଗଲା ଗୋଟାଏ ଲୋକ ବାରଣ୍ଡା ତଳକୁ ଡ଼େଇଁପଡ଼ି ରାସ୍ତାଉପରେ ଥିବା ଶାଗୁଆ ରଙ୍ଗର ମୋଟର ଗାଡ଼ିରେ ଯାଇ ବସିଲା ।

 

ଏ ସେଇ ଅଦୃଶ୍ୟ ଆତତାୟୀ ! କିନ୍ତୁ ସେ କିଏ ?

 

ମି: ସାହୁ ତାଙ୍କ ହୁଇସିଲ୍‍ ଜୋର୍‍ ରେ ଫୁଙ୍କିଲେ, କନେଷ୍ଟବଳମାନେ ଦ୍ରୁତଗତିରେ ଧାଁ ଧପଡ଼ ଆରମ୍ଭ କରିଦେଲେ, କେତେଜଣ କନେଷ୍ଟବଳ ଗାଡ଼ିଟାକୁ ଅନୁସରଣ କରିବାକୁ ଧାଇଁଲେ ।

 

ଅମୂଲ୍ୟବାବୁ ଆଉ ମି: ସିଂହ ଘନଶ୍ୟାମ ପାଖକୁ ଫେରି ଆସିଲେ, ସେତେବେଳକୁ ସେ ଅନ୍ତିମ ନିଃଶ୍ୱାସ ପକେଇବା ପାଇଁ ଛଟପଟ ହେଉଚି, ମୃତ୍ୟୁର ପାଣ୍ଡୁର ଛାୟା ତାର ସମଗ୍ର ମୁହଁ ଉପରେ ଦେଖା ଦେଇଥିଲା ।

 

ଅନେକ କଷ୍ଟରେ ସେ ଧୀରେ ଧୀରେ କେବଳ କହିଲା, ‘‘ବନଖଣ୍ଡି......ପ୍ରଧାନ ଘାଟି.....ବି: ଟି......’’

 

ତା’ପରେ ସେ ମୁଣ୍ଡଟାକୁ ଗୋଟାଏ କଡ଼ରେ ସ୍ଥିର କରିଦେଲା । ପଞ୍ଜରା ଥରେଇ ବାହାରି ଆସିଲା ଅନ୍ତିମ ଅଣଚାଶ ।

 

ମି; ସାହୁଙ୍କୁ ସାଙ୍ଗରେ ଧରି ଅମୂଲ୍ୟବାବୁ ବାହାରକୁ ଆସିଲେ, ସେଠାରେ ଓଦାମାଟି ଉପରେ ଅସ୍ପଷ୍ଟ ଜୋତା ଚିହ୍ନ ଥିଲା । ଝରକା ରେଲିଂରେ କୌଣସି ଦାଗ ନାହିଁ; ଅଥଚ ଆତତାୟୀ ଝରକା ବାଟେ ଗୁଳି ଚଳେଇଚି ।

 

ଅମୂଲ୍ୟବାବୁ କହିଲେ, ‘‘ମି: ସାହୁ, ଲୋକଟା ହାତରେ ବୋଧହୁଏ କୌଣସି ଆବରଣ ନିଶ୍ଚୟ ଥିଲା ।

 

ମି: ସାହୁ କହିଲେ, ‘‘ମୋର ବି ସେଇୟା ଧାରଣା ହେଉଚି ମି: ମହାନ୍ତି !’’

 

ଦୁଇଜଣଯାକ ବୁଲାବୁଲି କରି ଦେଖି ଚାଲି ଯାଉଥିଲେ, ହଠାତ୍‍ ଖଣ୍ଡେ ଚଉଡ଼ା କାଗଜ ଝରକାର ଅଳ୍ପ ଦୂରରେ ପଡ଼ିଥିବାର ଦେଖାଗଲା ।

 

ଅମୂଲ୍ୟବାବୁ କହିଲେ, ‘‘ବୋଧହୁଏ ଆତତାୟୀ ପାଖରୁ ଅଜାଣତରେ କାଗଜ ଖଣ୍ଡିକ ଖସିପଡ଼ିଚି ଅଥବା ସେ ପକେଇ ଦେଇ ଯାଇଚି ।

 

ଉଠେଇ ଆଣି ଦେଖିବାରେ ଜଣାଗଲା ସେଇଟା ଗୋଟାଏ ନିର୍ଦ୍ଦେଶପତ୍ର ।

 

ସେଥିରେ ଲେଖାଅଛି :–

 

ପ୍ରିୟ ବଂଶୀଧର,

 

ତୁମେ ସନ୍ଧ୍ୟା ମଧ୍ୟରେ କେନାଲ ଭିତରକୁ ପଡ଼ିଥିବା ଛୋଟ ବନ୍ଧ ଉପରେ ମୋ ସାଙ୍ଗେ ଲୁଚି ଦେଖାକର । ଘନଶ୍ୟାମକୁ ଶେଷ କରି ଭଜନୀ ବିଷୟରେ ତୁରନ୍ତ ବ୍ୟବସ୍ଥା କରାଯିବ । ତାହେଲେ ଦଳ ଉପରକୁ ଆଞ୍ଚ ଆସିଲା ଭଳି ଆଉ କିଛି ନଥିବ ।

 

ସେ ସବୁର ଆଲୋଚନା ବନ୍ଧ ଉପରେ କରିବା ନିରାପଦ । ସନ୍ଧ୍ୟାବେଳେ ଭୟରେ ସେ ବନ୍ଧ ଉପରକୁ କେହି ଯାଆନ୍ତି ନାହିଁ । ବେଶ୍‍ ନିରୋଳା ଜାଗା । ତା ଛଡ଼ା ସେପଟେ ଲାଇଟ୍ ବ୍ୟବସ୍ଥା ମଧ୍ୟ ନାହିଁ ।

‘ଇତି–’

ତୁମର ବି:ଟି:

 

ଆମୂଳଚୂଳ ଚିଠିଟାକୁ ପଢ଼ି ଅମୂଲ୍ୟବାବୁ କହିଲେ, ‘‘ଏଇ ବି.ଟି. ହେଉଚି ଏ ଦଳର ମୂଳନାୟକ । ମୋର ଧାରଣା ଏ ବି.ଟି. ହେଉଚି ବେଗର ଟ୍ରେଡ଼ର; ଅର୍ଥାତ୍‍ ଭିଖାରୀ ବ୍ୟବସାୟୀ; ଆଉ ବଂଶୀଧର ନିଶ୍ଚୟ କୌଣସି ଡାହାଣ ହାତର କାମ କରୁଚି; କିନ୍ତୁ ଲୋକଟା କେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଚି ଜାଣେନି । ଯାହାହେଉ, ଯଥାଶୀଘ୍ର ବ୍ୟବସ୍ଥା କରିବାକୁ ହେବ ।’’

ମି: ସାହୁ କହିଲେ, ‘‘ଆଉ ଆପଣଙ୍କ ବ୍ୟତୀତ କାହାଦ୍ୱାରା କାର୍ଯ୍ୟ ସାଧନର ବ୍ୟବସ୍ଥା କଥା କହୁଚନ୍ତି ?’’

ଅମୂଲ୍ୟବାବୁ କହିଲେ, ‘‘ଏମିତି ସବୁ କାମକୁ ଯେ ସବୁଠୁ ଭଲ ପାଏ ତାକୁଇ ସେଠାକୁ ପଠେଇବାକୁ ହେବ ।’’

ମି: ସାହୁ ପଚାରିଲେ, ‘‘କିଏ ?’’

ଅମୂଲ୍ୟବାବୁ କହିଲେ, ‘‘ସେପଟେ ମୋର ସହକର୍ମୀ ଜୀବନ୍‍ ଦାସ ବସି ଖବରକାଗଜ ପଢ଼ୁଚି, ତାକୁ ପଚାରନ୍ତୁ ।’’

–‘‘ଆପଣ ତାଙ୍କୁ ପଠେଇବାକୁ ଭାବୁଚନ୍ତି ?’’

–‘‘ତା’ ଛଡ଼ା ଉପାୟ କଣ ଅଛି ? ମତେ ତ ପୁଣି ବର୍ତ୍ତମାନ ପୋଲିସ କମିଶନରଙ୍କ ସଙ୍ଗେ ଦେଖା କରିବାପାଇଁ ଯିବାକୁ ପଡ଼ିବ ।’’

–‘‘ସତେ ?’’

–‘‘ହଁ, ବିଶେଷ କଣ ଗୋଟାଏ ଜରୁରୀ କେସ୍ ରେ ସେ ମୋ ସଙ୍ଗେ ଦେଖା କରିବାକୁ ଫୋନ୍‍ କରିଥିଲେ ।’’

–‘‘ହଉ ହେଲା, ଆପଣଙ୍କର ସହକର୍ମୀଙ୍କ ଯୋଗ୍ୟତା ଉପରେ ବି ମୋର ଯଥେଷ୍ଟ ଭଲ ଧାରଣା ଅଛି ।’’

‘‘ଅନ୍ୟମନସ୍କ ହୋଇ ଅମୂଲ୍ୟବାବୁ କହିଲେ, ଅବଶ୍ୟ ମୁଁ ବେଶି ଦୂରରେ ରହିଲେ ଚଳିବନି, ଦେଖାଯାଉ ।’’

ମି: ସାହୁଙ୍କୁ ସାଙ୍ଗରେ ଧରି ଜୀବନ୍‍ ପାଖକୁ ଆସି ଅମୂଲ୍ୟବାବୁ କହିଲେ, ‘‘ତୋର ଆସିବା ଖୁବ୍‍ କାମ ଦେଲା ଜୀବନ୍, ତା ନ ହୋଇଥିଲେ ମତେ ବିଶେଷ ଧନ୍ଦି ହେବାକୁ ପଡ଼ିଥାଆନ୍ତା-।’’

–‘‘କଣ ହେଇଚି ?’’

ଅମୂଲ୍ୟବାବୁ ଚିଠିଖଣ୍ଡିକ ଜୀବନ୍‍ ହାତକୁ ବଢ଼ାଇ ଦେଲେ । ଜୀବନ୍‍ ମନକୁ ମନ କହିଲା,‘‘କେନାଲ ଉପରେ ଛୋଟ ବନ୍ଧ ! ଦେଖାଯାଉ ଏ କେସ୍‍ ରେ ମୁଁ କେତେଦୂର ସଫଳତା ଲାଭ କରିବି ।’’

 

ଅମୂଲ୍ୟବାବୁ କୌଣସି ଉତ୍ତର ଦେଲେନି ।

 

ସନ୍ଧ୍ୟା କେତେବେଳୁ ହେଇଗଲାଣି ।

 

ହଠାତ୍‍ କେନାଲ ଭିତରକୁ ପଡ଼ିଥିବା ଛୋଟ ବନ୍ଧ ପାଖରେ ଦେଖାଗଲା ଗୋଟାଏ ଲୋକ ମାତାଲ୍ ଅବସ୍ଥାରେ ସେ ଆଡ଼କୁ ଆଗେଇ ଆସୁଚି । ସେ ଯେପରି ଭାବରେ ଟଳିଟଳି ଚାଲିଚି ଆଉ ଯେମିତି ପ୍ରଳାପ କଲା ଭଳି ହିନ୍ଦି ଗୀତର ଗୋଟାଏ ଦୁଇଟା ଅଂଶ ଗାଇ ଚାଲିଚି, ସେଥିରେ ତାକୁ ମାତାଲ ବୋଲି ସ୍ପଷ୍ଟ ଜଣା ପଡ଼ୁଥାଏ ।

 

ବନ୍ଧ ପାଖ ରାସ୍ତାରେ ଜଣେ ବିଟ୍ କନେଷ୍ଟବଳ ପହରା ଦେଉଥିଲା । ସେ ତାକୁ ଦେଖିପାରି ତା ହାତଟାକୁ ଜୋରରେ ଧରି କହିଲା, ‘‘ଏଇ, ମଦଖାଇ ରାସ୍ତା ଉପରେ ଏମିତି ପାଟିତୁଣ୍ଡ କରୁଚୁ କାହିଁକି ? ତତେ ଥାନାକୁ ଯିବାକୁ ହେବ । ଅଲବତ୍ ।’’

 

ମାତାଲ ଲୋକଟି ମୁଣ୍ଡ ହଲେଇ ହଲେଇ କହିଲା, ‘‘ଆରେ ଭାଇ ଏମିତି ଚାନ୍ଦିନୀ ରାତି ମଉଜ କରିବା ଦରକାର । ଏମିତି ଦିନ ଛାଡ଼ିବାର ନୁହେଁ ।’’

 

କଥା ଶେଷରେ ଗୋଟାଏ ହିନ୍ଦି ଗୀତର ମୂଳ ଅଂଶ ଦୁଇଥର ଖନଖନ ହୋଇ ବୋଲି ସେ ମୁଣ୍ଡ ହଲେଇବାକୁ ଲାଗିଲା ।

 

କନେଷ୍ଟବଳଟି କହିଲା, ‘‘ସେ ବକ୍‍ବାଜି ବନ୍ଦ କର୍‍ ବଦମାସ ! ଅଲବତ୍‍ ଥାନାକୁ ଯିବାକୁ ହେବ ।’’

 

ଲୋକଟା ବିରକ୍ତପୂର୍ଣ୍ଣ ସ୍ୱରରେ କହିଲା, ‘‘ଆରେ କିଛି ଟଙ୍କାମାଗୁଛୁ ନା ନାହିଁ ? ନେ ଟଙ୍କା, ତୋ ଭଳି ଏମିତି ବେରସିକ ଲୋକ–’’

 

ପୋଲିସ କନେଷ୍ଟବଳ ଦେଖିଲା ଲୋକଟା ହାତରେ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ ଧରିଚି-

 

ଖୁସିରେ କନେଷ୍ଟବଳର ମୁହଁ ଉଜ୍ୱଳ ହୋଇଉଠିଲା । ସେ ନୋଟଖଣ୍ଡିକ ପକେଟରେ ପୁରାଇ, ଖଣ୍ଡେ ବିଡ଼ି ଲଗେଇ ଲଗେଇ ସେଠାରୁ ଚାଲିଗଲା ।

 

ଲୋକଟି ଏଥର ଧୀରେ ଧୀରେ ବନ୍ଧ ଆଡ଼େ ଆଗେଇ ଆସିଲା । ସେଠାରେ ଏହା ପୂର୍ବରୁ ଅନ୍ଧାରିଆ ଅଂଶରେ ଜଣେ ଲୋକ ବସି ଅପେକ୍ଷା କରିଥିଲା ।

 

ମାତାଲ ଲୋକଟିକୁ ଦେଖିପାରି ପୂର୍ବୋକ୍ତ ଲୋକଟି ଧୀରେ ଧୀରେ ଆସି ତା’ ଆଗରେ ଠିଆହେଲା ।

 

ଏଥର ମାତାଲ ଲୋକଟା ଯଥେଷ୍ଟ ସ୍ପଷ୍ଟ ଭାଷାରେ କହିଉଠିଲା, ‘‘ଯାଃ, ଶେଷକୁ ପୁଣି ଗୋଟାଏ ଅଡ଼ୁଆରେ ପଡ଼ି ଅଯଥା କେତେଗୁଡ଼ାଏ ସମୟ ନଷ୍ଟ ହୋଇଗଲା ।’’

ପୂର୍ବୋକ୍ତ ଲୋକଟି ପଚାରିଲା, ‘‘କଣ ହେଲା କି ?’’

–‘‘ପାଞ୍ଚଟା ଟଙ୍କା ଅକାରଣ ହୋଇଗଲା । ଛାଡ଼, ହଁ, କାହିଁକି ଡାକରା ପଡ଼ିଲା ଏଥର କହିବଟି ?

–‘‘ଡାକିବାର ଯଥେଷ୍ଟ କାରଣ ରହିଚି । ଘନଶ୍ୟାମ ପୋଲିସ ହାତରେ ପଡ଼ିଥିଲା, ଆଉ ଟିକିଏ ଡେରି ହୋଇଥିଲେ ଦଳର ସବୁକଥା ପଦାରେ ପଡ଼ିଯାଇ ଥାଆନ୍ତା ।’’

–‘‘ଏବେ କଣ ହେଲା ?’’

–‘‘ପୋଲିସ ଆଗରେ ଘଟଣାଟା କହିବା ଆଗରୁ ମୁଁ ତାକୁ ଶେଷ କରିଦେଇଚି । ଦେଖୁଚି ପୋଲିସ ଆମର ପିଛା ଧରିଲାଣି ।’’

–‘‘ଆମର ଯେଉଁ ବ୍ୟବସ୍ଥା ସବୁ ଅଛି ସେଥିରେ ପୋଲିସକୁ ଭୟ କରିବାକୁ କଣ ଅଛି-?’’

–‘‘ବୁଝିଚି; କିନ୍ତୁ ଏସବୁ ବ୍ୟବସ୍ଥାରେ ଗଣ୍ଡଗୋଳ ବଢ଼େଇ କୌଣସି ଲାଭ ନାହିଁ । ତମେ ଜାଣ ବଂଶୀଧର, ଆମେ ଯାହା କରିବାକୁ ଯାଉଚେ ସେଥିରେ ପ୍ରତି ପଦକ୍ଷେପରେ ସାବଧାନ ହେବା ଦରକାର ।’’

–‘‘ତା ଅବଶ୍ୟ ସତ; କିନ୍ତୁ ଏତେ ଛାନିଆ ହେବାର ଅର୍ଥ ?’’

 

–‘‘ସେଇ ଭଜନୀ ଦାସଟା ପାଇଁ ମୁଁ ଛାନିଆ ହେଉଚି ।’’

 

–‘‘ସେ ପୁଣି କଣ କରିବ ?’’

 

–‘‘ଦଳରେ ଯେଉଁ ବିଭ୍ରାଟ ଦେଖାଯାଇଚି, ତା’ରି ମୂଳରେ ରହିଚି ଭଜନୀ ଦାସ । ଟଙ୍କା ଆତ୍ମସାତ୍‍ କରିବା, ଅଯଥାରେ ଲୋକଗୁଡ଼ାଙ୍କୁ ମାରଧର କରିବାରେ ଲାଗିଚି । ସେଇ ଘନଶ୍ୟାମକୁ ପୋଲିସ ହାତରେ ଧରେଇ ଦେଇଥିଲା ।

 

–‘‘ଘନଶ୍ୟାମ ତ ଗଲା ଆଉ ଚିନ୍ତା କଣ ?’’

 

–‘‘ତୁମେ ବୁଝିପାରୁନ ବଂଶୀଧର । ଭଜନୀ ଗୋଟାଏ ମାରାତ୍ମକ ଲୋକ ! ଧମକ ଦେଇଚି ଯେ, ଦରକାର ହେଲେ ରାଜସାକ୍ଷୀରୂପେ ସେ କୋର୍ଟରେ ଏ ସମସ୍ତ କଥା କହିବ ।’’

 

–‘‘ତାହେଲେ କଣ ଆଉ ବ୍ୟବସ୍ଥା ।’’

 

–‘‘ଭଜନୀକୁ ସିଧା ଡାକରା ଦେବା କି ତା’ ବିଷୟରେ ସିଧା କିଛି ବ୍ୟବସ୍ଥା କରିବା ମୋ ପକ୍ଷେ ସୁବିଧା ନୁହେ; ତେଣୁ ମୁଁ ତିନି ନମ୍ବର ଦଫା ପରିଚାଳକ ହାଡ଼ିବନ୍ଧୁ ସଙ୍ଗେ ଏ ବିଷୟରେ ପରାମର୍ଶ କରିଚି । ସେ ଆଉ ତୁମେ ମିଶି ଭଜନୀକୁ ଶେଷ କରିଦେବ । ପୋଲିସ ହାତରେ ପଡ଼ିବା ଆଗରୁ ଏ ବ୍ୟବସ୍ଥା କରିବା ନିହାତି ଦରକାର ।’’

 

–‘‘ହାଡ଼ିବନ୍ଧୁ କଣ ଏ ଖବର ଜାଣେ ?’’

 

–‘‘ନା, ମୁଁ ଆଜି ରାତିରେ ପ୍ରଧାନ ଘାଟିକୁ ଡ଼କେଇଚି । ତା ସହିତ ଏ ବିଷୟରେ ଆଉ ଟିକିଏ ସଫା କଥାବାର୍ତ୍ତା କରିବି । ତୁମେ କାଲି ପ୍ରଧାନ ଘାଟିକି ଗଲେ ସେଇଠି ସବୁ ବ୍ୟବସ୍ଥା ଠିକ୍‍ କରାଯିବ ।’’

 

କିନ୍ତୁ ଏମାନେ ଏପର୍ଯ୍ୟନ୍ତ କେହି ଲକ୍ଷ୍ୟ କରି ନାହାନ୍ତି ଯେ ବନ୍ଧର ଅଦୂରରେ ଗୋଟାଏ ପାଗଳ ବସି ମନକୁମନ ବିଡ଼୍‍ ବିଡ଼୍‍ ହୋଇ କଣ ଯେମିତି କହିବାକୁ ଲାଗିଚି ।

 

ସେ ଲୋକଟାକୁ ଦେଖି ପୂର୍ବୋକ୍ତ ଲୋକଟି ମନରେ କେମିତି ସନ୍ଦେହ ହେଲା, ସେ ‘‘ଏ ବଦମାସ, ତୁ କିଏ ? ଏଠି ଲୁଚି ରହି କାହିଁକି ଆମ କଥା ଶୁଣୁଥିଲୁ ?’’

 

ପାଗଳଟା କଣ ଭାବି ହୋ ହୋ ହୋଇ ହସି ଉଠିଲା । ତା ପରେ ବିଡ଼୍‍ ବିଡ଼୍‍ ହୋଇ ମନକୁମନ ପୁଣି କଣ କହିବାକୁ ଲାଗିଲା ।

 

ଏତେ ସମୟ ଧରି ବଂଶୀଧର ନାମକ ଲୋକଟା ପୂର୍ବୋକ୍ତ ଲୋକର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲା । ଏଥର ସେ କହିଲା, ‘‘ତୁମେ ବି ମିଛଟାରେ ପାଗଳାମି କରୁଚ ଦେଖୁଛି । ସେ ଗୋଟାଏ ପାଗଳ ଛଡ଼ା ଆଉ କିଛି ନୁହେ ।’’

 

–‘‘ତୁମେ କେମିତି ଜାଣିଲ ?’’

 

–‘‘ଏଥିରେ ଆଉ ଜାଣିବାର କଣ ଅଛି ? ତାକୁ ଦେଖିଲେ ଯେ କେହି ଲୋକ ତ କହିବ ସେଇଟା ଗୋଟାଏ ପୂରା ପାଗଳ ।’’

–‘‘ତା ଅପେକ୍ଷା ଗୋଟାଏ କାମ କଲେ ତ ହେବ !’’

–‘‘କି କାମ ?’’

–‘‘ଏଇଟା କାଳେ ପ୍ରକୃତ ପାଗଳ ହେଇ ନଥିବ ! ତା ଅପେକ୍ଷା ଏଇଟାକୁ ଏକାବେଳେତ ଶେଷ କରିଦେଲେ ଚଳିବ !’’

–‘‘କି ଦରକାର ?’’

–‘‘ହଁ, ହଁ, ସର୍ଦ୍ଦାର କେବେହେଲେ ସେମିତି କଞ୍ଚା କାମ କରି ଜାଣେନି ।’’

ଏହା କହି ଲୋକଟା କଣ ଯେମିତି କରିବାକୁ ଯାଉଥିଲା । ଏତିକିବେଳେ ହଠାତ୍‍ ପାଗଳଟା ପ୍ରାଣପଣେ ସେ ଲୋକଟାର ତଳପେଟରେ ଖୁବ୍‍ ଶକ୍ତ ଗୋଇଠା ମାରିଲା । ଗୋଇଠାର ପ୍ରଚଣ୍ଡତା ସହ୍ୟ କରି ନ ପାରି ସର୍ଦ୍ଦାର ତଳେ ପଡ଼ିଗଲା । ସଂଗେ ସଂଗେ ସେ ପାଗଳ ଲୋକଟା ବନ୍ଧେ ବନ୍ଧେ ଧାଇଁ ଯାଇ କେନାଲ ଭିତରକୁ ଡେଇଁ ପଡ଼ିଲା ।

ସର୍ଦ୍ଦାର କାଳ ବିଳମ୍ବ ନ କରି ଯେଉଁଠି ପାଗଳଟା ଡେଇଁ ପଡ଼ିଲା ସେହି ସ୍ଥାନକୁ ଯାଇ ପାଣି ଭିତରକୁ ଗୁଳି କରିବାକୁ ବସିଚି, ଏତିକିବେଳେ ପଛପାଖରୁ କିଏ ଯେମିତି ଧମକ ଦେଇ କହିଲା, ‘‘ଖବରଦାର ।’’

ସର୍ଦ୍ଦାର ଚମକି ପଡ଼ି ପଛକୁ ଫେରି ଚାହିଁଲା, ବଂଶୀଧର ତା ପଛରେ ତା’ରି ଆଡ଼କୁ ଗୋଟାଏ ରିଭଲଭର ଦେଖାଇ ଠିଆ ହୋଇଚି ।

–‘‘ଏକଣ କରୁଚ ତୁମେ ବଂଶୀଧର ?’’

ବଂଶୀଧର ଅକସ୍ମାତ୍‍ ତାର ଛଦ୍ମ ବେଶଟାକୁ ଖୋଲିପକେଇବାରୁ ଦେଖାଗଲା ସେ ଆଉ କେହି ନୁହେଁ–ସ୍ୱୟଂ ଡିଟେକ୍‍ଟିଭ ଅମୂଲ୍ୟ ମହାନ୍ତି ।

–‘‘ଏ କଣ, ତୁମେ ?’’

ହସି ହସି ଅମୂଲ୍ୟବାବୁ କହିଲେ, ‘‘କାହିଁକି, ନିରାଶ ହେଲ ନା କଣ ? କିନ୍ତୁ କଣ କରାଯାଏ, ବଂଶୀଧରକୁ–ମାନେ ପ୍ରକୃତ ବଂଶୀଧରକୁ ଏହା ପୂର୍ବରୁ ଥାନାରେ ଅଟକ କରାଯାଇଚି । ବର୍ତ୍ତମାନ ସେ ଥାନା ହାଜତ୍‍ ରେ ବସି ତାର ଭବିଷ୍ୟତ କଳ୍ପନା କରୁଥିବ । ଆଉ ନକଲି ବଂଶୀଧରମାନେ ମୁଁ ତୁମସଙ୍ଗେ କଥାବାର୍ତ୍ତା କରୁଥିଲି । ଆଉ ସେ ପାଗଳଟା ହେଉଚି ମୋର ସହକାରୀ ଜୀବନ୍‍ ଦାସ ।’’

ସମ୍ମୁଖରେ ବଜ୍ରପାତ୍‍ ହୋଇଥିଲେ ବି ସର୍ଦ୍ଦାର ଏତେଟା ବିସ୍ମୟ ହୋଇ ନଥାନ୍ତା । ତାର ମୁହଁ ନିଷ୍ପ୍ରଭ ଆକାର ଧାରଣ କଲା ।

ଅମୂଲ୍ୟବାବୁ କହିଲେ, ‘‘ମିଛଟାରେ ଆଉ ଚିନ୍ତା କରି କୌଣସି ଲାଭ ନାହିଁ ଧନଞ୍ଜୟ ବାବୁ, ସବୁ ପରିଚୟ ବଂଶୀଧର ପଦାରେ ପକେଇ ଦେଇଚି । ଏଥର ଚୁପ୍‍ଚାପ ଆତ୍ମସମର୍ପଣ କର-।’’

କିନ୍ତୁ ମାତ୍ର ଗୋଟିଏ ମୁହୂର୍ତ୍ତପରେ ହଠାତ୍ ଅମୁଲ୍ୟବାବୁଙ୍କର ସାମାନ୍ୟ ଅନ୍ୟମନସ୍କତାର ସୁଯୋଗ ପାଇ ସର୍ଦ୍ଦାର ଧରିଥିବା ଠେଙ୍ଗାରେ ଖୁବ୍‍ ଜୋର୍‍ ରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପାହାର ବସେଇଲା ।

 

ଅମୂଲ୍ୟବାବୁ ଘୁଞ୍ଚିଗଲେ । ମାଡ଼ଟା ମୁଣ୍ଡରେ ନ ବସି କାନ୍ଧରେ ବସିଲା ।

 

ଭୀଷଣ ଯନ୍ତ୍ରଣା ସହିନପାରି ବସିପଡ଼ିଲେ । ଏଣେ ସେଇ ସୁଯୋଗରେ ସର୍ଦ୍ଦାର ସେଠାରୁ ଦ୍ରୁତ ଗତିରେ ପଳାଇ ଗଲା । ଡ଼ାହାଣ କାନ୍ଧରେ ଆଘାତ ଲାଗିଥିବାରୁ ଅମୂଲ୍ୟବାବୁଙ୍କ ହାତଟା ପ୍ରାୟ ଅବଶ ହୋଇଯାଇଥିଲା । ଅନେକ କଷ୍ଟରେ ହାତ ଟେକି ସେ ରିଭଲଭରର ଟ୍ରିଗର ଚାପିଲେ; କିନ୍ତୁ ଗୁଳିଟା ଯାଇ ଅଦୂରବର୍ତ୍ତୀ ଗୋଟାଏ ଗଛ ଦେହରେ ବସିଲା !

 

ସର୍ଦ୍ଦାର ସେତେବେଳକୁ ଅନେକ ଦୂରରେ ଅଦୃଶ୍ୟ ହୋଇଗଲାଣି ।

 

ଭିଖାରୀ ବ୍ୟବସାୟର ପ୍ରଧାନ କାର୍ଯ୍ୟାଳୟ, ତିନିନମ୍ବର ଦଫା ପରିଚାଳକ ହାଡ଼ିବନ୍ଧୁ କାର୍ଯ୍ୟାଳୟ ବାରଣ୍ଡାରେ ପଦଚାରଣା କରୁଚି । ସେ ବୋଧହୁଏ ସର୍ଦ୍ଦାରର ଚିଠିପାଇ ଦେଖା କରିବାକୁ ଆସିଚି ।

 

କିଛି ସମୟ ପରେ ସର୍ଦ୍ଦାର ଧଇଁ ସଇଁ ହୋଇ ଆସି ପହଞ୍ଚିଲା । ତାର ମୁହଁରେ କେମିତି ଗୋଟାଏ ସଚକିତ ଭାବ, ଶଙ୍କିତ ।

ସର୍ଦ୍ଦାରକୁ ଦେଖି ହାଡ଼ିବନ୍ଧୁ ଆସି ପଚାରିଲା, ‘‘ହଠାତ୍ ଏମିତି କଣ ହେଲା କି ?’’

–‘‘ଓ, ତୁମେ ଆସିଚ ହାଡ଼ିବନ୍ଧୁ ! ଧନ୍ୟବାଦ, ବର୍ତ୍ତମାନ ଗ୍ୟାରେଜରୁ ଗାଡ଼ି ବାହାର କର, ଆଉ କୌଣସି କଥାର ଆଲୋଚନା ଏଠାରେ କରିବାର ନୁହେଁ । ଶୀଘ୍ର, ଖୁବ୍‍ ଶୀଘ୍ର ।’’

–‘‘କିଛି ବୁଝିପାରୁନି ସର୍ଦ୍ଦାର !’’

–‘‘ଏ ଦଳ ବିଷୟରେ ପୋଲିସ ଯଥେଷ୍ଟ ଖୋରାକ ପାଇସାରିଚି । ଆଉ ସାମାନ୍ୟ ଡେରିହେବା ମାନେ ପୋଲିସ ଆମକୁ ବି ଶିକାର କରିବ ।’’

–‘‘ଏକଥା କେମିତି ସମ୍ଭବ ହେଲା ?’’

–‘‘ଯେଉଁମାନଙ୍କୁ ଦଳର ବିଶ୍ୱସ୍ତ ଅନୁଚର ବୋଲି ବିଶ୍ୱାସ କରି ଆସିଥିଲି, ସେଇମାନେହିଁ ଆଜି ପୋଲିସ ଆଗରେ ମୋର ସ୍ୱରୂପ ଖୋଲି ଧରିଚନ୍ତି । ଆଉ କଥା ବଢ଼େଇ କୌଣସି ଲାଭ ନାହିଁ ହାଡ଼ିବନ୍ଧୁ, ଯେତେ ଶୀଘ୍ର ପାର ଷ୍ଟେସନ୍ ଓ୍ୱାଗନ୍‍ଟା ବାହାର କର । ସବୁ କିଛି ଛାଡ଼ି କେବଳ ପୁଞ୍ଜିତକଧରି ତୁମେ ଆଉ ମୁଁ ଏଠାରୁ ଖୁବ୍‍ ଦୂରକୁ ଚାଲିଯିବା ।’’

ପ୍ରତିପଦରେ ସର୍ଦ୍ଦାରର ଇତସ୍ତତା ଫୁଟି ଉଠୁଥିଲା । ମନେ ହେଉଥିଲା ଇଗଲ୍‍ ପରି ତାର ଯଦି ଦୁଇଟା ଡ଼େଣା ଥାଆନ୍ତା ତାହେଲେ ସେ କେତେବେଳୁ ଉଡ଼ି ଯାଆନ୍ତାଣି ।

ସେଇ ଗଭୀର ନିଶିଥର ବକ୍ଷ ଭେଦ କରି ଜଙ୍ଗଲିଆ ରାସ୍ତାଧରି ଆଗେଇ ଚାଲିଚି ବି:ଟି:ର ଷ୍ଟେସନ ଓ୍ୱାଗନ୍ । ଗୋଟାଏ ମୋଡ଼ ବୁଲି ଗଲା ବେଳକୁ ମେଞ୍ଚାଏ ତୀବ୍ର ଆଲୋକ ଆରେହୀଙ୍କୁ ଝାପସା କରିଦେଲା ।

ଗୁଡ଼ୁମ୍‍–ଗୁଡ଼ୁମ୍, ସରର୍ର–ଘସ୍... !

ଷ୍ଟେସନ ଓ୍ୱାଗନ୍ ସମ୍ମୁଖ ଟାୟାର ଦୁଇଟି ଅକାମୀ ହୋଇଯିବା ସଙ୍ଗେ ସଙ୍ଗେ ଦେଖାଗଲା କେତୋଟି ସଙ୍ଗିନ୍‍ ମୁନ ଗାଡ଼ିଟିକୁ ଘେରି ଯାଇଚି । ଅମୂଲ୍ୟବାବୁଙ୍କ ଗଳାରୁ ହଠାତ୍‍ ଶୁଣାଗଲା, ‘ଚୁପ୍‍ ଚାପ୍ କୌଣସି ବ୍ୟର୍ଥ ଉଦ୍ୟମ ନକରି ବେଗର ଟ୍ରେଡ଼ର ମି: ଧନଞ୍ଜୟ ରାୟ ଏଥର ପୋଲିସ ପାଖରେ ଆତ୍ମସମର୍ପଣ କର । ତୁମ ବିରୁଦ୍ଧରେ ପ୍ରମାଣ ଦେବାପାଇଁ ତୁମର ସଂଗୃହୀତ ଭିଖାରୀମାନେହିଁ ଯଥେଷ୍ଟ । ଏଥର ଆପଣଙ୍କ କର୍ତ୍ତବ୍ୟ କରନ୍ତୁ ମି: ସାହୁ !’’

ପୋଲିସ ଅଫିସର ମି: ସାହୁ ଆଗେଇ ଆସି ସର୍ଦ୍ଦାର ଓରଫ ଧନଞ୍ଜୟ ରାୟ ହାତରେ ହାତକଡ଼ି ଲଗେଇ ଦେଉ ଦେଉ ପଚାରିଲେ, ‘‘ଆଉ ଏ ଡ୍ରାଇଭରଟା ?’’

ହସି ହସି ‘ଅମୂଲ୍ୟବାବୁ କହିଲେ, ‘‘ତା ବିରୁଦ୍ଧରେ ସେମିତି କିଛି ପ୍ରମାଣ ନାହିଁ । ବିଚରା କେତେ ଘଣ୍ଟା ଆଗରୁ ପାଗଳାମି ଛାଡ଼ି ହାଡ଼ିବନ୍ଧୁ ଅବତାର ହେଇଚି ।’’

ମି: ସାହୁ ଟର୍ଚ୍ଚପକେଇ ପାଦେ ପଛକୁ ଘୁଞ୍ଚି କହିଲେ, ‘‘ଆରେ ଜୀବନ୍‍ ବାବୁ ଯେ !’’

–‘‘ଆବଶ୍ୟକ ଥିଲେ ହାତକଡ଼ି ଲଗାନ୍ତୁ ନା ।’’ ଷ୍ଟେସନ ଓ୍ୱାଗନ୍‍ରୁ ଓହ୍ଲାଇ ହସି ହସି ଜୀବନ୍‍ ଦାସ ଓରଫ୍ ହାଡ଼ିବନ୍ଧୁ କହିଲା ।

Image

 

Unknown

ଅପରାଧୀ କିଏ ?

 

ବାହାରେ ଅଦିନିଆ ବର୍ଷା ମୁଣ୍ଡ କଚାଡ଼ୁଚି ।

 

ବୈଠକଘରେ ବସିଚନ୍ତି ପ୍ରାଇଭେଟ୍ ଡିଟେକ୍‍ଟିଭ୍ ଅମୂଲ୍ୟ କୁମାର ମହାନ୍ତି ଓ ତାଙ୍କର ସହକାରୀ ଜୀବନ୍‍ ଦାସ । ଦୀର୍ଘଦିନ ହେଲା କାମଦାମ ହାତରେ କିଛି ନାହିଁ, ତେଣୁ ସେଦିନ ସନ୍ଧ୍ୟାଟା ଅମୂଲ୍ୟବାବୁଙ୍କ ପାଖେ ବେଶି ଦାମ୍‍ ନେଇପାରୁ ନଥିଲା । ଅଳସ ଭାବରେ ସେ ସିଗାରେଟରେ ଗୋଟାଏ ଗୋଟାଏ ମୋଟା ଟାଣ ଦେଉ ଥାଆନ୍ତି ।

 

ହଠାତ୍‍ ଫୋନ୍‍ଟା ଝଣ୍‍ ଝଣ୍‍ ହୋଇ ଉଠିଲା ।

 

ଅମୂଲ୍ୟବାବୁ ଆଗ୍ରହର ସହିତ ଉଠିଯାଇ ରିସିଭର୍‍ଟା ଉଠାଇ ପଚାରିଲେ ‘ହ୍ୟାଲୋ, କିଏ ?’’

 

ଅପର ପଟୁ ଉତ୍ତର ଶୁଣାଗଲା, ‘‘ମୁଁ ଆପଣଙ୍କୁ କଣ୍ଟାଗଡ଼ ଷ୍ଟେଟ୍‍ଠାରୁ ଗୋଟାଏ କାମପାଇଁ ନିଯୁକ୍ତ କରୁଚି ।’’

 

–‘‘କଣ୍ଟାଗଡ଼ ଷ୍ଟେଟ୍ ? ସେଇଟା ପୁଣି କେଉଁଠି ?’’

 

–‘‘ସହରଠାରୁ ବତିଶ ମାଇଲ ଦୂରରେ । ଭାସ୍କର ପେଣ୍ଟର ଠିକ୍‍ ପଶ୍ଚିମରେ ।’’

 

‘‘ସେଠାରେ କଣ କୌଣସି ଜଟିଳ ନୂଆ କେସ୍... !’’

 

–‘‘ହଁ, ମୁଁ ଗୋଟାଏ ନାରୀହତ୍ୟାର ତଦନ୍ତ ବିଷୟରେ ଆପଣଙ୍କୁ ନିଯୁକ୍ତ କରିବାପାଇଁ ଭାବିଚି ।’’

 

–‘‘ନାରୀହତ୍ୟା ? କୋଉଠି ?’’

 

–‘‘ଆମରି ଷ୍ଟେଟ୍‍ ରେ ।’’

 

–‘‘କଣ ଆପଣଙ୍କ ଘରେ ?’’

 

–‘‘ହଁ ।’’

 

–‘‘ତା’ହେଲେ ତ ମୋତେ ସେଠାକୁ ଯାଇ ତଦନ୍ତ କରିବାକୁ ହେବ ।’’

 

–‘‘ନିଶ୍ଚୟ !’’

 

–‘‘ଆପଣଙ୍କ ନାଆଁ ?’’

 

–‘‘ମୋ ନାଆଁ ଅକ୍ଷୟକୁମାର ମର୍ଦ୍ଦରାଜ । ମୋର ଭାଇ ବାସୁଦେବ ମର୍ଦ୍ଦରାଜ ବର୍ତ୍ତମାନ ଷ୍ଟେଟ୍‍ର ମାଲିକ ।’’

 

–‘‘ବୁଝିଲି; କିନ୍ତୁ କେସ୍‍ଟା କି ଧରଣର କହନ୍ତୁ ।’’

–‘‘ଆମଘରର ଜଣେ ପୁରୁଣା ଚାକରାଣୀକୁ ହଠାତ୍‍ କିଏ ହତ୍ୟା କରିଚି, କିମ୍ବା ଆତ୍ମହତ୍ୟା ବି ହେଇପାରେ ।’’

–‘‘ବୁଝିଲି । ଆପଣ କଣ ମୋତେ ସେଇ କେସ୍‍ ରେ ନିଯୁକ୍ତ କରିବାକୁ ଚାହୁଁଚନ୍ତି ?’’

–‘‘ଠିକ୍ ସେଇୟା । ଆପଣଙ୍କ ଫି’ଟା କଣ ଅଗ୍ରୀମ ଦେବାକୁ ହେବ ?’’

–‘‘ନା, ପରେ ହେଲେ ବି ଚଳିବ ।’’

–‘‘ଧନ୍ୟବାଦ୍, କେବେ ଆସିବେ ?’’

–‘‘କାଲି ସକାଳୁ ।’’

‘‘ବେଶ୍, ମୁଁ ତାହେଲେ ଆପଣଙ୍କୁ ଆଣିବା ପାଇଁ ଷ୍ଟେସନକୁ ଲୋକ ପଠେଇଥିବି ।’’

–‘‘ଧନ୍ୟବାଦ । ହଁ, ଆଉ ଗୋଟାଏ କଥା ପୋଲିସରେ ଖବରଟା ଜଣେଇଚନ୍ତି ?’’

–‘‘ନା, ଆପଣ ଯଦି ଘଟଣାଟାର ବ୍ୟବସ୍ଥା କରି ନ ପାରନ୍ତି ତାହେଲେ ସେତେବେଳେ ବରଂ ସେ ବ୍ୟବସ୍ଥା କରାଯିବ ।’’

–‘‘ସେକଥା ହେବନି; ଆପଣ ପୋଲିସକୁ ଜଣାନ୍ତୁ । ମୁଁ ତା ବ୍ୟତୀତ ପୃଥକ୍‍ ତଦନ୍ତ କରିବି ।’’

–‘‘ହଉ, ଆପଣ ଯେତେବେଳେ କହୁଚନ୍ତି, ସେଇୟା କରାଯିବ, ମୁଁ ଆଜି ପୋଲିସକୁ ଘଟଣାଟା ଜଣଉଚି ।’’

ସମୟ ସାଢ଼େ ସାତଟା ।

ନିଃସୀମ ନିର୍ମେଘ ଆକାଶ, ଅଦୂର ପାହାଡ଼ କର ଦେଇ ବହି ଆସୁଚି ସୁଲୁସୁଲୁଆ ପବନ ।

ଭସ୍‍ଭସ୍‍ ଧୂଆଁ ବାନ୍ତି କରି ଆଗେଇ ଚାଲିଚି ରେଲ ଇଞ୍ଜିନ୍‍ଟା । ଗୋଟାଏ ନିରୋଳା ପ୍ରଥମ ଶ୍ରେଣୀ ଡବାରେ ବସିଚନ୍ତି ଅମୂଲ୍ୟବାବୁ ଆଉ ତାଙ୍କର ସହକାରୀ ଜୀବନଦାସ ।

ଜୀବନ ହଠାତ୍‍ ପଚାରିଲା, ‘‘ଆଚ୍ଛା, ଏ କେସ୍‍ଟାରେ ତୋର କଣ ମନେ ହୁଏ ?’’

ଅମୂଲ୍ୟବାବୁ କହିଲେ, ‘‘ଅବଶ୍ୟ ରହସ୍ୟପୂର୍ଣ୍ଣ, ତା ନହେଲେ ଗୋଟାଏ ସାମାନ୍ୟ ଚାକରାଣୀର ମୃତ୍ୟୁରେ କୌଣସି ଷ୍ଟେଟ୍‍ର ମାଲିକର ଭାଇ ହଠାତ୍ ଏତେ ଫି ଦେଇ ଆମମାନଙ୍କ ପରି ଡିଟେକ୍‍ଟିଭ୍‍କୁ ନିଯୁକ୍ତ କରନ୍ତା କାହିଁକି ? ତା ଛଡ଼ା ଆହୁରି ଦେଖ, ପ୍ରଥମେ ପୋଲିସକୁ ସେମାନେ ଖବରଟା ଜଣେଇ ନାହାଁନ୍ତି । ମୋ କହିବା ପରେ ସେ ତାହା କରିବାକୁ ରାଜି ହୋଇଚନ୍ତି-। ଏଥିରୁ ଜଣାପଡ଼ୁଚି ଏ ଘଟଣା ସହିତ ଷ୍ଟେଟର କୌଣସି ଘଟଣା ପୁରା ଜଡ଼ି ରହିଚି-।’’

କଥା ଶେଷ ବେଳକୁ ଟ୍ରେନ୍‍ର ଗତି ଶିଥିଳ ହୋଇଆସିଲା । ଆଗରେ ଭାସ୍କର ପେଣ୍ଠ ଷ୍ଟେସନ୍ । ଗାଡ଼ି ଠିଆ ହେବା ମାତ୍ରେ ଅମୂଲ୍ୟବାବୁ ଆଉ ଜୀବନ୍‍ ଓହ୍ଲାଇ ପଡ଼ିଲେ । ଷ୍ଟେସନ୍‍ ଗେଟ୍‍ ପାର ହେଲାମାତ୍ରେ ଜଣେ ଦୀର୍ଘଦେହୀ ଭଦ୍ରଲୋକଙ୍କ ସଙ୍ଗେ ଦେଖା ହେଲା ।

–‘‘ଆପଣ କୁଆଡ଼େ ଯିବେ ?’’

–‘‘କଣ୍ଟାଗଡ଼ ।’’

–‘‘ଓ, ଆପଣ ତାହେଲେ ଡିଟେକ୍‍ଟିଭ୍ ଅମୂଲ୍ୟ କୁମାର ମହାନ୍ତି ?’’

–‘‘ହଁ । ଏସବୁରେ ଆପଣଙ୍କର ଦରକାର ?’’

–‘‘ଆପଣଙ୍କୁ ନେଇଯିବା ପାଇଁ ମୁଁ ଆସିଚି ।’’

–‘‘ଧନ୍ୟବାଦ । ଯିବାର କି ବ୍ୟବସ୍ଥା କରାଯାଇଚି ?’’

–‘‘ଷ୍ଟେଟ୍‍ର ଗାଡ଼ି ଆସିଚି, ଆପଣମାନେ ଆସନ୍ତୁ ।’’

–‘‘ଆପଣ କ’ଣ ସେଠିକାର କର୍ମଚାରୀ ?’’

–‘‘ହଁ, ମୁଁ ସେଠାରେ ଜଣେ ଗୁମାସ୍ତା ।’’

–‘‘ଆପଣଙ୍କ ନାଆଁ ।’’

–‘‘ନରସିଂହ ବଡ଼ପଣ୍ଡା ।’’

କଥାବାର୍ତ୍ତା ହେଉ ହେଉ ସମସ୍ତେ ଷ୍ଟେଟ୍‍ରୁ ଆସିଥିବା ଗାଡ଼ିରେ ଯାଇ ବସିଲେ । ଅଧଘଣ୍ଟା ପରେ ଗାଡ଼ିଆସି କଣ୍ଟାଗଡ଼ ଜମିଦାରଙ୍କ ପ୍ରାସାଦ ସମ୍ମୁଖରେ ଠିଆ ହେଲା । ଭିତର ଘରେ ଅକ୍ଷୟକୁମାର ମର୍ଦ୍ଦରାଜ ଅପେକ୍ଷା କରିଥିଲେ । ବଡ଼ପଣ୍ଡା ମହାଶୟ ତାଙ୍କ ସହିତ ପରିଚୟ କରେଇ ଦେଲେ ।

ଅକ୍ଷୟ ମର୍ଦ୍ଦରାଜଙ୍କ ବୟସ ତିରିଶ ପାଖାପାଖି । ବେଶ୍ ସଉକିଆ ଲୋକ ବୋଲି ତାଙ୍କର ବେଶ ପୋଷାକରୁ ଜଣାପଡ଼ୁଥାଏ ।

ସେ ଅମୂଲ୍ୟବାବୁଙ୍କ ସଙ୍ଗେ ପରିଚିତ ହୋଇ ଅତି ଅଳ୍ପ ସମୟ ଭିତରେ ସବୁ ଘଟଣା ଖୋଲି କହିଲେ । ତାଙ୍କର ଭାଇ ଭାଉଜ ବର୍ତ୍ତମାନ କଲିକତା ବୁଲି ଯାଇଚନ୍ତି । ଘରେ ଏପରି ଘଟଣା ଘଟିବା ବିଷୟ ଟେଲିଗ୍ରାମ କରି ତାଙ୍କୁ ଜଣେଇ ଦିଆଯାଇଚି ।

ଅମୂଲ୍ୟବାବୁ ପଚାରିଲେ, ‘‘ପୋଲିସକୁ ଜଣେଇଚନ୍ତି ତ ?’’

–‘‘ହଁ ସେମାନେ ପ୍ରାଥମିକ ତଦନ୍ତ ଶେଷ କରି ଚାଲିଯାଇଚନ୍ତି ।’’

–‘‘ତାଙ୍କର ଧାରଣା କ’ଣ ?’’

–‘‘ସେମାନେ କହନ୍ତି, ଏଇଟା ଗୋଟାଏ ସାଧାରଣ ଆତ୍ମହତ୍ୟା କେସ ।’’

ଅମୂଲ୍ୟବାବୁ ଆଉ କୌଣସି ମନ୍ତବ୍ୟ ନ କରି କହିଲେ, ‘‘ଚାଲନ୍ତୁ, ମୁଁ ଥରେ ମୃତ ଦେହଟା ଦେଖିବାକୁ ଚାହୁଁଚି । ଯେଉଁଠି ସେ ସ୍ତ୍ରୀ ଲୋକଟି ନିହତ ହୋଇଛି ସେଇ ଘରେ ସେ ଅଛି ତ ?’’

 

‘‘ହଁ ଅନ୍ୟ କୌଣସି ଆଡ଼େ ନିଆ ଯାଇନି ।’’

 

ଅମୂଲ୍ୟବାବୁ ବେଶି କିଛି ନ କହି ଅକ୍ଷୟ ବାବୁଙ୍କ ସଙ୍ଗେ ଘଟଣା ଘଟିଥିବା ଘର ଆଡ଼େ ଆଗେଇ ଗଲେ !

 

ତଳମହଲାକୁ ଲାଗି ବଖରାଏ ଛୋଟ ଛୋଟ ସନ୍ତସନ୍ତିଆ ଘର । ବାହାରୁ ତାଲାବନ୍ଦ ଥିଲା । ତାଲାଟା ଫିଟାଇବାରେ ଦେଖାଗଲା, ଘର ମଝିରେ ଗୋଟିଏ ବୃଦ୍ଧା ସ୍ତ୍ରୀ ଲୋକର ମୃତ ଦେହ ପଡ଼ିଚି । ତାର ବୟସ ପ୍ରାୟ ପଞ୍ଚାବନ ଉପରେ ହେବ । ଗଳାର ଡାହାଣ ପଟେ ଗୋଟାଏ ଗଭୀର କ୍ଷତ ।

 

–‘‘ୟାର ନାଆଁ କଣ ?’’

 

–‘‘ଇନ୍ଦୁମତୀ । ଆଜିକି ପ୍ରାୟ ପଚିଶି ବର୍ଷ ହେଲା ଏଠାରେ କାମ କରୁଥିଲା । ଶେଷ ପର୍ଯ୍ୟନ୍ତ ସେ ଖୁବ୍ ବିଶ୍ୱାସୀ ଥିଲା ।’’

 

ଅମୂଲ୍ୟବାବୁ ଘରଭିତରେ ଥରେ ନଜର ବୁଲେଇ ଆଣିଲେ । ଦେଖିଲାଭଳି କିଛି ନଥିଲା । ତେବେ ସେ ଦେଖିଲେ ମୃତଦେହର ଗୋଟାଏ ମୁଠା ବନ୍ଦ ଅଛି । ବୋଧହୁଏ କିଛି ଧରିଛି-

 

ଖଣ୍ଡେ ସିଗାରେଟ ଲଗାଇ ଅମୂଲ୍ୟବାବୁ କହିଲେ, ‘‘ଆଉ ବିଶେଷ କିଛି ଦେଖିବାର ଜିନିଷ ନାହିଁ, ଚାଲନ୍ତୁ ।’’

 

ସମସ୍ତେ ବାହାରି ଆସିବାପରେ ଘରେ ତାଲା ବନ୍ଦ କରି ଦିଆଗଲା । କିଛିଦୂର ଆଗେଇ ଆସି ଅମୂଲ୍ୟବାବୁ କହିଲେ, ‘‘ଆରେ, ଚାବିଟା ଦିଅନ୍ତୁ ତ; ସିଗାରେଟ୍ ଡବାଟା ସେ ଘରେ ଛାଡ଼ି ଆସିଲି ବୋଧହୁଏ ।’’

ତାପରେ ଅକ୍ଷୟ ବାବୁଙ୍କଠାରୁ ଚାବିଟା ନେଇ ସେ ଘର ଖୋଲିଲେ । ଖୁବ୍ ସତର୍କ ଦୃଷ୍ଟି ଖେଳାଇ ବୃଦ୍ଧାର ବନ୍ଦଥିବା ହାତଟାକୁ ଜୋର୍‍ ରେ ଟାଣି ଖୋଲିଦେଲେ, ମୁଠା ଭିତରେ ଥିଲା ଗୋଟିଏ ସୁନାର ନିକେଲକରା ବୋତାମ । ବୋତାମ ମଝିରେ ଲେଖା ଅଛି ଇଂରେଜୀର ‘ବି’ ଅକ୍ଷର । ଅମୂଲ୍ୟବାବୁ ସେଇଟା ପକେଟସ୍ଥ କରି ଘରୁ ବାହାରି ଆସିଲେ ।

କଣ୍ଟାଗଡ଼ ଷ୍ଟେଟରୁ ଫେରି ସେଦିନ ଅମୂଲ୍ୟବାବୁ ଆଉ ଜୀବନ୍‍ ଦାସ ବୈଠକଖାନାରେ ବସି କଥାବାର୍ତ୍ତା ହେଉଥିଲେ । ଅମୂଲ୍ୟବାବୁ କହିଲେ ଅପରାଧୀ, ‘‘ଜଣକ ପୁରୁଷ ଆଉ ଖୁବ୍ ଥିଲାବାଲା ଲୋକ ।’’

–‘‘ଏକଥା ତୁ କେମିତି ଅନୁମାନ କରୁଚୁ ?’’

–‘‘ତୋର ମନେଥିବ, କଣ୍ଟାଗଡ଼ରୁ ଫେରିଲାବେଳେ ମୃତଦେହ ହାତରୁ ଯେଉଁ ବୋତାମ ମିଳିବା କଥା କହୁଥିଲି ! ବୋତାମ ତ ସାଧାରଣ ପୁରୁଷଲୋକର । ତାପରେ ସୁନାର ବୋତାମ ନିଶ୍ଚୟ କୌଣସି ଅଭାବଗ୍ରସ୍ତ ଲୋକ ଲଗେଇବା ସମ୍ଭବପର ନୁହେଁ ।’’

କଥା ଶେଷ ହେଲାବେଳକୁ ଚାକର ଟୋକା ଖଣ୍ଡେ ଚିଠି ଆଣି ଦେଇଗଲା । ଅମୂଲ୍ୟବାବୁ ଦେଖିଲେ ଲଫାପା ଉପରେ କଣ୍ଟାଗଡ଼ର ମୋହର ବସିଚି । ଲଫାପା ଚିରି ଚିଠି ପଢ଼ିଲେ ।

ଲେଖାଥିଲା :–

 

ପ୍ରିୟ ଡିଟେକ୍‍ଟିଭ ମହାନ୍ତି,

 

ମୁଁ ବିଶ୍ୱସ୍ତସୂତ୍ରରୁ ଜାଣିପାରିଲି ଯେ ଆପଣ କଣ୍ଟାଗଡ଼ ଷ୍ଟେଟ୍‍ ରେ ଘଟିଥିବା କେସ୍‍ ରେ ହାତ ଦେଇଚନ୍ତି, ଭଲକଥା । କିନ୍ତୁ ଏ କେସ୍‍ର ସମାଧାନ ଉପରକୁ ଆସିବାକୁ ହେଲେ ଏମିତି କିଛି ଜାଣିବା ଦରକାର ଯାହାକି ଆପଣ ଆଦୌ ଜାଣନ୍ତିନି ।

 

ମୁଁ କଣ୍ଟାଗଡ଼ ଜମିଦାର ବଂଶର ଜଣେ ଶୁଭାକାଙ୍‍କ୍ଷୀ । ତେଣୁ ଆପଣଙ୍କୁ ସେ ସବୁ କଥା ଜଣୋଉଚି ।

 

ବାସୁଦେବ ମର୍ଦ୍ଦରାଜ ବର୍ତ୍ତମାନ କଣ୍ଟାଗଡ଼ର ଷ୍ଟେଟ୍‍ର ସତ୍ତ୍ୱାଧିକାରି । ସେ ସ୍ୱର୍ଗତ ଅଭିରାମ ମର୍ଦ୍ଦରାଜଙ୍କର ଏକମାତ୍ର ପୁତ୍ର । ଅକ୍ଷୟ କୁମାର ମର୍ଦ୍ଦରାଜ ବାସୁଦେବ ମର୍ଦ୍ଦରାଜଙ୍କର ଖୁଡ଼ୁତାପୁଅ ଭାଇ । ତେଣୁ ବାସୁଦେବ ଓ ଅକ୍ଷୟ ଏକାବାପର ପୁଅ ନୁହଁନ୍ତି ।

 

ସେକଥା ଛାଡ଼ନ୍ତୁ ସ୍ୱର୍ଗତ ଅଭିରାମ ମର୍ଦ୍ଦରାଜ ତାଙ୍କର ମୃତ୍ୟୁପୂର୍ବରୁ ଉଇଲ କରି ରଖି ଯାଇଚନ୍ତି ଯେ ତାଙ୍କର ପୁତ୍ର ବାସୁଦେବ ଏହି ସର୍ତ୍ତରେ ଷ୍ଟେଟ୍‍ର ମାଲିକ ହେବେ ଯେ ତାଙ୍କର ମୃତ୍ୟୁପରେ ଯଦି କୌଣସି ପୁତ୍ର ସନ୍ତାନ ଥାଏ ତେବେ ସେଇ ହେବ ଷ୍ଟେଟ୍‍ର ମାଲିକ । ତା ନ ହୋଇ ଯଦି ବାସୁଦେବଙ୍କର କନ୍ୟା ହୁଏ ତେବେ ସେଇ କନ୍ୟା ଅର୍ଦ୍ଧେକ ସମ୍ଫତ୍ତିର ମାଲିକ ହେବ । ବାକି ଅର୍ଦ୍ଧେକ ପାଇବେ ଖୁଡ଼ୁତା ପୁଅ ଭାଇ ଅକ୍ଷୟ କୁମାର ।

 

ଆଜିଠାରୁ ଅଠର ବର୍ଷପୂର୍ବେ ଦିନେ ରାତିରେ ପ୍ରକୃତରେ ବାସୁଦେବଙ୍କର ଗୋଟିଏ ପୁଅ ହୋଇଥିଲା; କିନ୍ତୁ ଦୁଃଖର ବିଷୟ ଜନ୍ମ ହେବାପରେ ସେ ପିଲା ଚୋରି ହୋଇଗଲା । ତା’ ପରିବର୍ତ୍ତେ ସେଠାରେ ସ୍ଥାନ ପାଇଲା ଗୋଟିଏ କନ୍ୟା । କିଏ ଏଭଳି ଭାବରେ ପିଲା ବଦଳି କରି ନେଲା ସେକଥା ଜଣେଇ ପାରୁନି । ତେବେ ଏ ପିଲାଟି ଦୀର୍ଘଦିନ ମାଧବପୁରର ଗୋଟିଏ ଅନାଥଆଶ୍ରମରେ ପ୍ରତିପାଳିତ ହେଉଥିଲା ।

 

ପୁଅଟି ପାଞ୍ଚବର୍ଷ କାଳ ସେଠାରେ ଥିବା ଖବର ପାଇଚି । କିନ୍ତୁ ତା’ ପରଠାରୁ ଆଶ୍ଚର୍ଯ୍ୟଭାବେ ସେ ସେଠାରୁ ଅଦୃଶ୍ୟ ହେଲା । ସେତେବେଳେ ତାର ନାମ ଥିଲା ‘କିଶୋର’ ।

 

ଆପଣ ଯଦି ସେଇ କିଶୋରକୁ ଖୋଜି ଦେଇପାରିବେ, ତେବେ ମୁଁ ଆପଣଙ୍କୁ ଯଥେଷ୍ଟ ପୁରସ୍କୃତ କରିବି । ଆଉ ଗୋଟାଏ କଥା, ତା ସଙ୍ଗେ ସଙ୍ଗେ କଣ୍ଟାଗଡ଼ ଷ୍ଟେଟ୍‍ରେ ଘଟିଥିବା ସମସ୍ୟାର ବି ଅର୍ଦ୍ଧେକ ସମାଧାନ ହେବ ।

 

ଏ କେସ୍ ଯଦି ଆପଣ ହାତକୁ ନେବାକୁ ସମ୍ମତ ହୁଅନ୍ତି, ତେବେ ଆଜି ରାତିରେ ଆପଣଙ୍କ ଦ୍ୱାରେ ଲାଗି ଲାଗି ଦୁଇଥର ଟର୍ଚ୍ଚ ଜଳାନ୍ତୁ । ଏ ସଙ୍କେତ ପାଇଲେ ମୁଁ ଜାଣିବି ଆପଣ ମୋର ଅନୁରୋଧ ରଖୁଚନ୍ତି । ତାହେଲେ ଅଗ୍ରୀମ ଫିସ୍ ବାବଦ ଦୁଇ ହଜାର ଟଙ୍କା ପଠାଇବି । ମନେରଖିବେ, ସେ ପିଲାଟିର ବାମ ଆଣ୍ଠୁ ଉପରେ ଗୋଟାଏ ବିରାଟ କଳା ଚିହ୍ନ ଅଛି ।

 

ଇତି–

ଜଣେ ଅପରିଚିତ

 

ଚିଠିଟିକୁ ପଢ଼ି ଅମୂଲ୍ୟବାବୁ ଜୀବନ୍‍କୁ କହିଲେ, ‘‘ପତ୍ର ଲେଖକ ଠିକ୍‍ କରିଚି; କିନ୍ତୁ ଗୋଟାଏ ଜାଗାରେ କଞ୍ଚା ରହିଗଲା ।’’

ଜୀବନ୍‍ ଆମୂଳଚୂଳ ଚିଠିଟାପଢ଼ି ପଚାରିଲା, ‘‘କଞ୍ଚା ଆଉ କଣ ?’’

–‘‘ସେ ଯେ କେବଳ ଅଣ୍ଟାଗଡ଼ ଜମିଦାର ପରିବାରର ଶୁଭାକାଙ୍‍କ୍ଷୀ ନୁହନ୍ତି, ତା ସହିତ ଯେ ଜଡ଼ିତ ଏକଥା ପ୍ରମାଣ ହୋଇ ଯାଉଚି । ଯାହା ହେଉ କେତେକ ସୂତ୍ର ମିଳିଲା ।’’

–‘‘ତୁ ପୁଣି ସେଠାକୁ ଯିବୁ ନା କ’ଣ ?’’

–‘‘ହଁ, ଯେତେବେଳେ ଏମିତି ଗୋଟାଏ କେସ୍‍ ହାତରେ ପଡ଼ିଲାଣି ସେତେବେଳେ ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ ଅନେକଥର ଯିବାକୁ ପଡ଼ିବ । ତୁ’ବି ଆଜି ମୋ ସଙ୍ଗେ ଯିବୁ-।’’

–‘‘ମୁଁ ବି ଯିବି ?’’

–‘‘ହଁ, ମୁଁ ଯିବି ପଛପାଖ ଦ୍ଵାର ବାଟେ, ଆଉ ସଦର ବାଟେ ତୁ ଯିବୁ ।’’

–‘‘ଏ କି ବ୍ୟବସ୍ଥା ରେ ?’’

–‘‘ହଁ, ମୁଁ ଛଦ୍ମ ବେଶର ବ୍ୟବସ୍ଥା କରୁଚି । କିଭଳି କାମହେବ ସେକଥା କହିବି । ଆଉ ତତେ ଗୋଟାଏ ଚିଠି ଦେଉଚି, ସେଇଟା ନେଇ ତୁ ଷ୍ଟେଟ୍‍ରେ ରହିବୁ ଦରକାର ବେଳେ ସାହାଯ୍ୟ କରିବାକୁ ।’’

–‘‘ତାହେଲେ କାଲି ବାହାରି ପଡ଼ିବା ଭଲ ।

 

ସମୟ ସାଢ଼େ ଆଠଟା ହେବ ।

 

କଣ୍ଟାଗଡ଼ ଷ୍ଟେଟର ମାଲିକ ବାସୁଦେବ ମର୍ଦ୍ଦରାଜ ଗୁମାସ୍ତା ନରସିଂହ ବଡ଼ପଣ୍ଡାଙ୍କ ସଙ୍ଗେ ବିଗତ ଘଟଣାର ଆଲୋଚନା କରୁଚନ୍ତି, ଏତିକିବେଳେ ଜଣେ ଦୀର୍ଘ ବପୁ ବ୍ୟକ୍ତି ଘର ଭିତରକୁ ପଶିଆସିଲା । ନମସ୍କାର ଜଣେଇ କହିଲା, ‘‘କେତେକ ବିଶେଷ ଗୋପନୀୟ କଥାବାର୍ତ୍ତା ଆପଣଙ୍କ ସହିତ ଅଛି । ଟିକେ ନିରୋଳାଜାଗାରେ....’’

 

ବାସୁଦେବ ମର୍ଦ୍ଦରାଜ ପଚାରିଲେ, ‘‘ଆପଣ କେଉଁଠୁ ଆସିଚନ୍ତି ?’’

 

–‘‘ମୁଁ ଗୋଏନ୍ଦା ବିଭାଗର ଲୋକ । ବିଶେଷ ଜରୁରୀ ଦରକାର ହେତୁ ଆପଣଙ୍କୁ ବିରକ୍ତ କରିବାକୁ ବାଧ୍ୟ ହେଲି ଜମିଦାର ସାହେବ ।’’

 

ବାସୁଦେବ ମର୍ଦ୍ଦରାଜ ଲୋକଟି ଆଡ଼େ ଚାହିଁଲେ । ମୁହଁରେ ଟାଆଁସା ଦାଢ଼ି ଓ ଲାମ୍ବାନିଶ-। ଆଖିରେ କଳା ଚଷମା । ଖୁବ୍‍ ଦାମୀ ସୁଟ୍ ପିନ୍ଧିଚନ୍ତି, ମୁହଁରେ ସିଗାରେଟ ।

 

–‘‘ତାହେଲେ ଆସନ୍ତୁ । ସ୍ଵତନ୍ତ୍ର ବୈଠକଖାନାରେ ବସି କଥାବାର୍ତ୍ତା ହେବା ।’’

 

–‘‘ବେଶ୍, ଚାଲନ୍ତୁ ।’’

 

ଦୁହେଁ ଯାଇ ଗୋଟିଏ ନିରୋଳା ଘରେ ବସିବା ପରେ ବାସୁଦେବ ମର୍ଦ୍ଦରାଜ କହିଲେ, ‘‘ଏଥର ଆପଣଙ୍କର କଣ କହିବାର ଅଛି କୁହନ୍ତୁ ।’’

 

ଲୋକଟି କହିଲା, ‘‘ଶୁଣନ୍ତୁ, ଧରନ୍ତୁ ଆଜିଠାରୁ ଅଠର ବର୍ଷ ଆଗର ଗୋଟିଏ ରାତିର କଥା, ସୁଦୀର୍ଘ ଅଠର ବର୍ଷ ପଛକୁ ଆପଣଙ୍କ ମନକୁ ଫେରାଇ ନିଅନ୍ତୁ ।’’

 

ବାସୁଦେବ ମର୍ଦ୍ଦରାଜ ଟିକିଏ ଚମକି ପଡ଼ିଲେ । ତାପରେ କଷ୍ଟରେ ନିଜକୁ ସମ୍ଭାଳି ନେଇ କହିଲେ, ‘‘ଆପଣ ଏ କଣ କହୁଚନ୍ତି ?’’

 

–‘‘ବାଧା ଦେବେନି । ଆପଣ ଜାଣନ୍ତି, ମୁଁ ଏମିତି ଗୋଟାଏ ବିଭାଗରେ ଚାକିରି କରେ ଯେଉଁମାନଙ୍କର ଅସାଧ୍ୟ କାମ ପୃଥିବୀରେ କିଛି ନାହିଁ । ହଁ, ଶୁଣନ୍ତୁ, ମୁଁ ଜାଣେ ଆପଣଙ୍କର କନ୍ୟା ତନୁଜା ଆପଣଙ୍କର ଝିଅ ନୁହେଁ, ପ୍ରକୃତରେ ପୁଅଟି ଆପଣଙ୍କର କେଉଁଠି ସେକଥା ମୁଁ ଜାଣେନି । ଅବଶ୍ୟ ଖୋଜିଲେ ହୁଏତ ବାହାର କରିପାରିବି । କିନ୍ତୁ କିଏ ବା କେଉଁ ଲୋକ ଆପଣଙ୍କ ପୁଅ ବଦଳରେ ଏଈ କନ୍ୟାକୁ ଏଠାରେ ରଖି ଯାଇଚି ଜଣା ଅଛି । କିନ୍ତୁ ସେ ତଥ୍ୟରେ ଦରକାର ନାହିଁ । ମୁଁ ଜାଣିବାକୁ ଚାହୁଁଚି ଆପଣଙ୍କର ସେ ପୁଅଟି ବର୍ତ୍ତମାନ କେଉଁଠି ?’’

ବାସୁଦେବ ମର୍ଦ୍ଦରାଜ ମନୋବଳ ହରାଇ ଯେମିତି ଭାଙ୍ଗିପଡ଼ିଲେ । ସେ କହିଲେ, ‘‘ରୁହନ୍ତୁ ! ବନ୍ଦ କରନ୍ତୁ ! ମୁଁ ଜାଣେନି । ଯଦି ତାକୁ ଖୋଜି ଆଣି ଦେଇପାରନ୍ତି ମୁଁ ଆଉ ମୋର ସ୍ତ୍ରୀ ଆଜୀବନ ଆପଣଙ୍କ ପାଖରେ କୃତଜ୍ଞ ରହିବୁ ?’’

–‘‘କିନ୍ତୁ ତା’ସମ୍ବନ୍ଧରେ କେତେ ଦୂର ଜାଣନ୍ତି ?’’

–‘‘ମୁଁ ଜାଣେ ସେ ମାଧବପୁର ଅନାଥଆଶ୍ରମରେ ପାଞ୍ଚ ବର୍ଷ ଥିଲା ! ତା’ ପରେ କିଏ ତାକୁ କୁଆଡ଼େ ଅପହରଣ କରି ନେଲା ସେକଥା ଜାଣେନି ।’’

–‘‘ସେ ଅପହୃତ ହେବା ପରେ ତା ସମ୍ବନ୍ଧରେ ଆଉ କୌଣସି ଖବର ଜାଣିବାର ଚେଷ୍ଟା କରିଲେନି କାହିଁକି ? ଖବରକାଗଜରେ ଘୋଷଣା କରିଥିଲେ ତ ଭଲ ହୋଇଥାଆନ୍ତା ।’’

–‘‘ତାର ପ୍ରଧାନ କାରଣ ହେଲା, ଯଦି ସେ ବଞ୍ଚିଥାଏ ତେବେ ଘୋଷଣା କଲେ ତା ଜୀବନ ଉପରେ ବିପଦ ଘନେଇ ଆସିବ ।’’

–‘‘ବୁଝିଲି, ଆଉକିଛି ପଚାରି ଆପଣଙ୍କୁ ବିରକ୍ତ କରୁନି । ଆସୁଚି; ନମସ୍କାର ।’’

ସେଇଦିନ ଉପର ବେଳା ଜଣେ ଲୋକ ଖଣ୍ଡେ ଚିଠିଧରି ବାସୁଦେବ ମର୍ଦ୍ଦରାଜଙ୍କ ସଙ୍ଗେ ଦେଖା କଲା । ସେ ଦେଖିଲେ ସେଇଟା ବିଖ୍ୟାତ ଡିଟେକ୍‍ଟିଭ ଅମୂଲ୍ୟ ମହାନ୍ତି ଲେଖିଚନ୍ତି । କଣ୍ଟାଗଡ଼ ରାଜଭବନରେ ତାଙ୍କର ସହକାରୀ ଜୀବନ୍‍ ଦାସ ମୃତଚାକରାଣୀର ହତ୍ୟା ସଂକ୍ରାନ୍ତରେ ତଦନ୍ତ ପାଇଁ କିଛି ଦିନ ଗୋପନରେ ରହିବ ।

ବାସୁଦେବ ମର୍ଦ୍ଦରାଜ ସବୁ ବ୍ୟବସ୍ଥା କରିଦେଲେ ।

ରାମଗଡ଼ରେ ମାଧବ ମହାପାତ୍ରଙ୍କର ବିରାଟ ବ୍ୟବସାୟ ଅଛି । ମାତ୍ର ସେ ଅପୁତ୍ରକ । ଗୋଟିଏ ବୋଲି ବିଧବା କନ୍ୟା ମାଧୁରୀ ଆଉ ତାର ଅଠର ବର୍ଷର ପୁଅ ପ୍ରଶାନ୍ତ ଏତିକି ତାଙ୍କର ସଂସାର ।

ପ୍ରଶାନ୍ତ ତାଙ୍କର ଏକମାତ୍ର ଜୀବନର ଅବଲମ୍ବନ । ବର୍ତ୍ତମାନ କଲେଜରେ ବି:ଏ: ପଢ଼ୁଚି-। ଯେମିତି ତୀକ୍ଷ୍ମଧୀ ସେମିତି ମେଧାବୀ । ସେ ଏକ ବିଚିତ୍ର ଧରଣର ପିଲା । ଦିନରାତି ଚୁପ୍‍ ହୋଇ ବସିବାକୁ ଭଲପାଏ । ସଦାବେଳେ କଣ ଯେମିତି ଭାବୁଚି । ତା’ ଜୀବନରେ ଗୋଟାଏ ମସ୍ତବଡ଼ ଦରଜ ଯେମିତି କେଉଁଠି ଲୁଚିରହିଚି ।

ମାଧୁରୀ ପୁଅକୁ ଜୀବନଠାରୁ ବି ଅଧିକ ଭଲ ପାଏ । ପୁଅ ମୁହଁରେ ହସଟିକିଏ ଦେଖିବା ପାଇଁ ସେ ସଦାବେଳେ ଚେଷ୍ଟାକରେ । ମାଧବ ବାବୁ ମଧ୍ୟ ପ୍ରଶାନ୍ତକୁ ଖୁବ୍‍ ଭଲପାଆନ୍ତି ।

କିନ୍ତୁ ପ୍ରଶାନ୍ତ ଅଦ୍ଭୁତ ପିଲା । ପୃଥିବୀରେ କୌଣସି ଆଡ଼ମ୍ବର ପ୍ରତି ତାର ତିଳେହେଲେ ଆକର୍ଷଣ ନାହିଁ । କଥା ମଧ୍ୟ ଖୁବ୍‍ କମ୍‍ କହେ ।

ମାଧୁରୀ ଦିନେ ଦିନେ ପଚାରେ, ‘‘ତୁ ଦିନରାତି କଣ ଏମିତି ଭାବୁଚୁ ?’’

ମ୍ଳାନ ହସି ହସି ପ୍ରଶାନ୍ତ କହେ, ‘‘କିଛି ନାଇଁ । କେବଳ ଭାବୁଚି, ଅଜା କେମିତି ତିଳତିଳକରି ଅସହ୍ୟ ପରିଶ୍ରମ କରି ଏ ସମ୍ପଦ ସଞ୍ଚୟ କରିଚନ୍ତି ।’’

–‘‘ସେଥିରେ ତୋର ଭାବିବାର କଣ ଅଛି ?’’

–‘‘ଭାବୁଚି ଯେ, ସେ ସବୁକୁ ମଉଜ ମଜଲିସରେ ଉଡ଼େଇ ଦେବା ମୋ ପକ୍ଷେ ବିରାଟ ଅପରାଧ ହେବ ।’’

–‘‘କ’ଣ ଗୁଡ଼ାଏ ଏମିତି ବାୟାଙ୍କପରି କହୁଚୁ ?’’

–‘‘ଯାହା କହୁଚି–ଠିକ୍‍ କଥା । ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଭାବୁଚି । ନିଜ ଚେଷ୍ଟାରେ ମୁଁ ଯାହା କରିବି ତା’ଉପରେ ମୋର ପ୍ରକୃତ ଅଧିକାର ରହିବ ।’’

–‘‘ଏସବୁ ଖାପ ଛଡ଼ା କଥା ତୋ ମୁଣ୍ଡରେ କିଏ ପୂରେଇଲା କହିଲୁ !’’

–‘‘କେହି ପୁରେଇନି । ମୁଁ ନିଜେ ଏସବୁ ଭାବୁଚି । ଜୀବନ ପ୍ରତି ମୋର କେମିତି ଗୋଟାଏ ଅନ୍ୟ ପ୍ରକାରର ଦୃଷ୍ଟି । ମୁଁ ନିଜ ଚେଷ୍ଟାରେ ମହାନ୍‍ ହେବାକୁ ଭାବୁଚି ।’’

ପୁଅକୁ ଚାହିଁ ଦରଦ ଭରା କଣ୍ଠରେ ମାଧୁରୀ ପଚାରିଲା, ‘‘ଆଉ ମୁଁ ତାହେଲେ ତୋର ଆପଣାର କେହି ନୁହେଁ ।’’

–‘‘ଏକଥା କାହିଁକି କହୁଚୁ ! ତୋର ସ୍ନେହ ଶ୍ରଦ୍ଧାର ମୂଲ୍ୟ ଦେବା କଣ ମୋ ପକ୍ଷେ ଉଚିତ ନୁହେଁ ? ମୋର ନିଜର ସ୍ଵାବଲମ୍ବନଶୀଳତା କଣ ତୋର ଗର୍ବ ନୁହେଁ ।’’

ଏତିକି ବେଳେ ମାଧବବାବୁ ଘର ଭିତରକୁ ପଶି ଆସି ପଚାରନ୍ତି, ‘‘ମାଆ ପୁଅଙ୍କ ଭିତରେ କଣ ଟଣାଟଣି ଲାଗିଚି ?’’

ମାଧୁରୀ ହସି ହସି କହେ, ‘‘କିଛି ନାଇଁ, । ପ୍ରଶାନ୍ତ କହୁଚି ଅଜାଙ୍କର ଏତେକଷ୍ଟରେ ଅର୍ଜ୍ଜିତ ଧନ ମଉଜ ମଜଲିସ୍‍ ରେ ଉଡ଼େଇବା ଉଚିତ ନୁହେଁ । ନିଜ ଗୋଡ଼ରେ ଠିଆ ହୋଇ ଜୀବନରେ ଉନ୍ନତି କରିବା ତାର ଲକ୍ଷ୍ୟ ।’’

–‘‘ମୁଁ ସେ ଲକ୍ଷ୍ୟକୁ ସ୍ଵାଗତ ଜଣାଉଚି ମାଧୁରୀ । ପ୍ରଶାନ୍ତର ଲକ୍ଷ୍ୟ ଯଦି ସେ ଦିଗକୁ ଢଳି ପଡ଼ିଥାଏ ତାହେଲେ ସମସ୍ତଙ୍କ ଅପେକ୍ଷା ମୁଁ ବେଶି ଖୁସି ହେବି । ମୁଁ ମୋର ଆନ୍ତରିକ ଆଶୀର୍ବାଦ ଜଣୋଉଚି । ଏଭଳି ସନ୍ତାନ ପାଇଁ ଜଣାଇ ଜନନୀ ଜନ୍ମଭୂମି ଧନ୍ୟ ହେବ । ଦେଶର ପ୍ରଗତି ପାଇଁ ସେଇ ମାନେତ ଭବିଷ୍ୟତ ବଂଶଧର ।’’

 

ପ୍ରଶାନ୍ତ ମୁହଁରେ ଉଜ୍ଜ୍ଵଳ ହସରେଖା ଫୁଟିଉଠେ; ମାତ୍ର ମାଧୁରୀ ସେ ସବୁ ବୁଝେନି । ବାହାର ବାରଣ୍ଡାକୁ ଆସି ସେ ଶୂନ୍ୟକୁ ଚାହିଁ ରହେ ।

 

ରାତି ସେତେବେଳକୁ ସାଢ଼େ ଦଶଟା ।

 

କଣ୍ଟାଗଡ଼ ଷ୍ଟେଟ ମାଲିକଙ୍କ ଘରର ପଛପଟେ ଜଣେ ଲୋକକୁ ଶଙ୍କିତଭାବରେ ଆସୁଥିବାର ଦେଖାଗଲା । ସର୍ବାଙ୍ଗ ତାର କଳା ପୋଷାକରେ ଆବୃତ । ମୁହଁରେ କଳାକନାର ଢାଙ୍କୁଣୀ ।

 

ଲୋକଟି ଧୀରେ ଧୀରେ ଆସି ଦୋମହଲାର ତଳ ବାରଣ୍ଡାରେ ଠିଆ ହେଲା । ଘରର ସବୁଦ୍ଵାର ବନ୍ଦ; ଅନ୍ୟ ଉପାୟ ନ ଦେଖି ଲୋକଟି ପକେଟ ଭିତରୁ ହୁକ୍‍ ଲଗା ଶକ୍ତ ଦଉଡ଼ି ବାହାର କରି ଉପର ମହଲା ବାରଣ୍ଡାରେ ଥିବା ଲୁହା ରେଲିଂକୁ ଲକ୍ଷ୍ୟ କରି ନିକ୍ଷେପ କଲା ।

 

ଠୁକ୍ !

 

ସାମାନ୍ୟ ଶବ୍ଦ କରି ବାରଣ୍ଡା ରେଲିଂ ଦେହରେ ହୁକ୍‍ ଦୁଇଟି ଲାଗିଗଲା । ଲୋକଟି ଆଉ କାଳ ବିଳମ୍ବ କଲାନି; ଚାରିଆଡ଼କୁ ଚାହିଁ ଦେଖିଲା ତାର ଗତିବିଧି କେହି ଲକ୍ଷ୍ୟ କରୁଚି କି ନାହିଁ । ନା, କେହି ନାହିଁ । ଲୋକଟି ଦଉଡ଼ିରେ ଗୋଡ଼ ଲଗେଇ ଉଠିବାକୁ ଲାଗିଲା । ଝୁଲି ଝୁଲି କୌଣସି ପ୍ରକାର ଉପରକୁ ଯାଇ ରେଲିଂ ଧରିପକେଇଲା ।

 

ତା’ପରେ ମିନିଟିଏ ଅପେକ୍ଷା କରି ଜାଣିପାରିଲା ଚାରିପଟେ କେହି କୌଣସିଠାରେ ନାହିଁ ।

 

ଧୀରେ ଧୀରେ ଲୋକଟି ବାରଣ୍ଡା ଉପରେ ଆଗେଇ ଗଲା । ଦୁଇ ବଖରା ଘର ଅତିକ୍ରମ କରି ତୃତୀୟ ବଖରା ଆଗରେ ଆସି ଲୋକଟି ଠିଆ ହେଲା । ଏ ବଖରାଟା ହେଉଚି ବାସୁଦେବ ମର୍ଦ୍ଦରାଜଙ୍କର । ଲୋକଟି ଦେଖିଲା ବାହାରୁ ତାଲା ପଡ଼ିଚି ।

 

ପକେଟରୁ ଗୋଟାଏ ଚାବି କାଢ଼ି ସେ ତାଲାଟା ଖୋଲି ପକେଇଲା, ସେଥିରୁ ଜଣାପଡ଼ିଲା ଏ ତାଲାର ଉପଯୁକ୍ତ ଚାବି ସେ ଆଗରୁ ସଂଗ୍ରହ କରି ଆଣିଥିଲା । ଏ ବଖରାରେ କି ଧରଣର ତାଲା ପଡ଼େ ସେକଥା ବି ତାକୁ ଜଣାଥିଲା ।

 

ଘର ଭିତରେ ପଶି କିଛି ସମୟ ଗୋଟାଏ ସେଫ୍ ଆଗରେ ଠିଆ ହୋଇ କଣ ଯେମିତି କେତେଗୁଡ଼ିଏ ଜିନିଷପତ୍ର ସେ ଏପଟ ସେପଟ କରିବାକୁ ଲାଗିଲା । ତାପରେ ଯେତେବେଳେ ବାହାରକୁ ଆସିଲା, ସେତେବେଳେ ଦେଖାଗଲା ଯେ ହାତରେ କେତେଗୁଡ଼ିଏ କାଗଜପତ୍ର ଧରିଚି ।

 

ଶୀଘ୍ର ଶୀଘ୍ର ତାଲା ବନ୍ଦ କରି ଚାଲିଯିବାକୁ ଭାବିଛି, ଏତିକିବେଳେ ହଠାତ୍‍ ପଛଆଡ଼ୁ କିଏ ତା ମୁଣ୍ଡକୁ ଯେମିତି ଜୋର୍‍ ରେ ଆଘାତ କଲା ।

 

ଲୋକଟା ସଂଜ୍ଞାଶୂନ୍ୟ ହୋଇ ତଳେ ପଡ଼ିଗଲା; କିନ୍ତୁ ଦୁଇମିନିଟ ପରେ ଲୋକଟାର ଚେତା ଫେରି ଆସିଲା ।

 

ସେ ଉଠି ବସିଲା, ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ।

 

ହଠାତ୍‍ କିଏ ପଛଆଡ଼ୁ ଏଭଳି ଆଘାତ କଲା ? ଆଶ୍ଚର୍ଯ୍ୟ !

 

ଲୋକଟି କାଗଜପତ୍ରଗୁଡ଼ିକ ଖୋଜି ଦେଖିଲାବେଳକୁ ତାହା କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଚି ।

 

ତେବେ କଣ ଅନ୍ୟ କେହି କାଗଜପତ୍ରଗୁଡ଼ାକ ନେଇଯିବା ଚେଷ୍ଟାରେ ଏଠାକୁ ଆଗରୁ ଆସି ଲୁଚି ରହିଥିଲା ? ତା ନ ହେଲେ ହଠାତ୍ ଏମିତି ପଛଆଡ଼ୁ ତାକୁ ଆକ୍ରମଣ କରି କାଗଜପତ୍ର ଧରି ପଳାଇ ଥାଆନ୍ତା କାହିଁକି !

 

ବାସୁଦେବ ମର୍ଦ୍ଦରାଜ ଜୀବନ୍‍ ଦାସ ସଙ୍ଗେ ଦେଖା କରିବାକୁ ଯାଉଥିଲେ; କିନ୍ତୁ ସେ ଅତିଥିଶାଳାରେ ଚାବି ପକେଇ କେଉଁଆଡ଼େ ଯାଇଥିଲା, ତେଣୁ ନିରାଶ ହୋଇ ଜମିଦାର ସାହେବ ଘରକୁ ଫେରି ଆସିଲେ ଉପରକୁ ପଡ଼ିଥିବା ସିଡ଼ିରେ ତାଙ୍କ ଜୋତାର ମଚ୍‍ମଚ୍‍ ଶବ୍ଦ ଶୁଣାଗଲା ।

 

ଲୋକଟି କାଳ ବିଳମ୍ବ ନକରି ଅଦୃଶ୍ୟ ହୋଇଗଲା ।

 

ସୁଦୀର୍ଘ ଅଠର ବର୍ଷ ତଳର କଥା ।

 

ଜମିଦାର ବାସୁଦେବ ମର୍ଦ୍ଦରାଜ ନିଜ କୋଠରି ମଧ୍ୟରେ ଦ୍ରୁତ ପଦଚାରଣ କରୁଥିଲେ, ମନରେ ବିରାଟ ଚିନ୍ତା, ମୁହଁର ପ୍ରତିଟି ରେଖାରେ ଫୁଟିଉଠୁଥାଏ ଉଦ୍‍ ବେଗ ଆଉ ଦୁଶ୍ଚିନ୍ତାର ଲକ୍ଷଣ-

 

ରାତିଆଠଟା ହେବ ।

 

ପ୍ରତିଟି ମୁହୂର୍ତ୍ତ ବାସୁଦେବଙ୍କ ପକ୍ଷେ ଅସହ୍ୟ ବୋଲି ମନେ ହେଉଚି । ସେ ବାରମ୍ବାର ଦ୍ଵାରଆଡ଼େ ଚାହୁଁଥାଆନ୍ତି ।

 

ତାଙ୍କର ଏଇ ଦୁଶ୍ଚିନ୍ତା ହେଉଚି ତାଙ୍କର ଭାବି ବଂଶଧରକୁ କେନ୍ଦ୍ରକରି । ଅଥଚ ସେ ଏତେଦିନ ହେଲା ଏ ଦୁଶ୍ଚିନ୍ତା ମୋଟେ କରି ନ ଥିଲେ ।

 

ବହୁଦିନ ଧରି ତାଙ୍କ ସ୍ତ୍ରୀଙ୍କର ସନ୍ତାନ ସନ୍ତତି ହେବାର କୌଣସି ଆଶା ନଥିଲା । ବୟସ ଗଡ଼ିଯିବାରୁ ସେ ଭାବିଲେ, ସନ୍ତାନ ଭାଗ୍ୟ ତାଙ୍କର ନାହି; କିନ୍ତୁ ଏତେବଡ଼ ବିଶାଳ ସମ୍ପତ୍ତିର ଅଧିକାରୀ ହେବ କିଏ ?

 

ଏଇ ଚିନ୍ତାରେ ତାଙ୍କର ଅନେକ ସମୟ କଟିଯାଏ । ତେବେ ଆପଣା ଭାଇ ନ ହେଲେ ବି ଅକ୍ଷୟଙ୍କୁ ସେ ଭାତୃବତ୍‍ ତ୍ସ୍ନେହରେ ପାଳନ କରିଥିଲେ; ତେଣୁ ତାଙ୍କର ଅନ୍ୟ ଆଶା ଥିଲା ସେ ସମସ୍ତ ସମ୍ପତ୍ତି ଅକ୍ଷୟଙ୍କୁ ଦେଇଯିବେ । କେହି ପଚାରିଲେ ସେ ଏଇ କଥା କହନ୍ତି ।

 

କିନ୍ତୁ ତେବେବି କେମିତି ଗୋଟାଏ ଅନ୍ତର୍ଦ୍ଵନ୍ଦ ଯେମିତି ତାଙ୍କ ମନରେ ଆସନ ବାନ୍ଧେ । ଦିନକୁ ଦିନ କୁସଂସର୍ଗରେ ମିଶି ଅକ୍ଷୟ ଯେମିତି ପରିବର୍ତ୍ତିତ ହୋଇଯାଉଚି । ଆଜିକାଲି ଏକାଠି ବସାଉଠା କରିବା ତ ଦୂରର କଥା କଥାପଦେ କହିବାକୁ ବି ସେ ଅବକାଶ ପାଆନ୍ତିନି । ବର୍ଷକେ ଛଅମାସ ତାର ସହରରେ କଟିଯାଏ । ଅଖାଦ୍ୟ ଭକ୍ଷଣ ଆଉ ଅନାଚାର ତାର ଜୀବନର ପ୍ରଧାନ ସଙ୍ଗୀ ହୋଇଥାଏ ।

 

ଏମିତି ଅନେକ କାରଣରୁ ଧୀରେ ଧୀରେ ଭାଇ ପ୍ରତି ଭଲପାଇବା ଆଉ ଆକର୍ଷଣ କମି ଆସିଲା ବେଳକୁ ବାସୁଦେବ ମର୍ଦ୍ଦରାଜଙ୍କ ସ୍ତ୍ରୀ ଅନ୍ତଃସତ୍ତ୍ଵା ହେଲେ ।

 

ଏ ସମ୍ବାଦରେ ସମଗ୍ର ଷ୍ଟେଟ୍‍ର ଲୋକେ ଖୁସି ହୋଇଗଲେ; କିନ୍ତୁ କେତେଜଣ ଲୋକ ଆଦୌ ଖୁସି ହୋଇ ପାରିଲେନି । ସେଇ କେତେଜଣଙ୍କ ମଧ୍ୟରେ ଅକ୍ଷୟ ଆଉ ତାର ବନ୍ଧୁମାନେ ଥାଆନ୍ତି ।

 

ସମସ୍ତେ ଆଶା କରିଥାନ୍ତି ଜମିଦାରଙ୍କର ପୁଅ ହେବେ । କିନ୍ତୁ ଅକ୍ଷୟ କେବଳ ଲୋକମାନଙ୍କ ଆଗରେ ପ୍ରଚାର କରେ, ‘‘ପୁଅ ହେବନା ଆଉ କିଛି ! ଦେଖ ତାଙ୍କର ନିଶ୍ଚୟ ଝିଅ ହେବ ।

 

ଅକ୍ଷୟ ଜାଣେ, ଝିଅ ହେଲେ ଉଇଲ ଅନୁସାରେ ଅର୍ଦ୍ଧେକ ସମ୍ପତ୍ତି ପାଇବ, ଆଉ ତା ନହେଲେ ସେ ସମ୍ପତ୍ତିରୁ ପୂରାମାତ୍ରାରେ ବଞ୍ଚିତ ହେବ ।

 

ଆଜି ସେହି ବହୁ ଆକାଙ୍‍କ୍ଷିତ ରାତ୍ରି; ତେଣୁ ଜମିଦାର ବାସୁଦେବ ମର୍ଦ୍ଦରାଜ ଚିନ୍ତିତ ମନ ନେଇ ପଦଚାରଣ କରୁଚନ୍ତି ।

 

ଏତିକିବେଳକୁ ଭିତର ଆଡ଼ୁ ଉତ୍ସାହ ଧ୍ଵନି ଶୁଣାଗଲା ।

 

ପ୍ରସ୍ତୂତିଶାଳାରେ ତାଙ୍କର ପୁରାତନ ଚାକରାଣୀ ଇନ୍ଦୁମତି ଥିଲା । ବାସୁଦେବ ମର୍ଦ୍ଦରାଜ ତା’ଠାରୁ ଖବର ଜାଣିବା ପାଇଁ ଆଗେଇଲେ; କିନ୍ତୁ ତାଙ୍କୁ ବେଶି ଦୂର ଯିବାକୁ ପଡ଼ିଲାନି । ମଝିରେ ଅକ୍ଷୟ ସଙ୍ଗେ ତାଙ୍କର ଦେଖା ହେଲା ।

 

ସେ ପଚାରିଲେ, ‘‘କଣ ଖବର, ପୁଅ ହେଇଚି ?’’

 

‘‘–ଝିଅ ହୋଇଛି ଭାଇ, ଭାରି ସୁନ୍ଦର ଝିଅ ।’’

 

କୌଣସି ଉତ୍ତର ନଦେଇ ବାସୁଦେବ ମର୍ଦ୍ଦରାଜ ଫେରିଗଲେ ।

 

ସେଇଦିନ ରାତି ତିନିଟା, ପ୍ରସ୍ତୂତିଶାଳାରେ ବାସୁଦେବ ମର୍ଦ୍ଦରାଜଙ୍କ ସ୍ତ୍ରୀ ଶୋଇ ପଡ଼ିଚନ୍ତି-। କେବଳ ଚାହିଁରହିଚି ସେଇ ପୁରୁଣା ଚାକରାଣୀ ଇନ୍ଦୁମତି । ଜମିଦାର ଘରର ଧାଈ ମୋଟା ଟଙ୍କାର ପୁରସ୍କାର ନେଇ ବିଦା ହୋଇଯାଇଚି ।

 

ପ୍ରସ୍ତୂତିଶାଳାର କବାଟ ଠକ୍‍ ଠକ୍‍ ହେବାର ଶୁଣାଗଲା ।

 

–‘‘କିଏ’’ ? ବୋଲି ଇନ୍ଦୁମତୀ ଦ୍ଵାରପାଖକୁ ଉଠିଆସିଲା ।

 

–‘‘ମୁଁ ଡାକୁଚି, ଦ୍ଵାର ଖୋଲ ।’’

 

ଇନ୍ଦୁମତୀ ଦ୍ଵାର ଖୋଲି ଦେଲା । ଦ୍ଵାର ପାଖରେ ଠିଆ ହୋଇଚି ଗୋଟାଏ ଛାୟାମୂର୍ତ୍ତି, ହାତରେ ତାର ଗୋଟିଏ ସଦ୍ୟଜାତ କନ୍ୟା ।

 

ଲୋକଟି ଦୃଢ଼କଣ୍ଠରେ ହୁକୁମ ଦେଲା, ‘‘ଏକୁ ସେଠାରେ ରଖିଦେଇ ତାକୁ ଆଣି ଦେ ।

 

ଇନ୍ଦୁମତି ବିନା ବାକ୍ୟବ୍ୟୟରେ ସେ ହୁକୁମ ପାଳନ କଲା ।

 

କନ୍ୟାଟିକୁ ରଖିଦେଇ ସଦ୍ୟଜାତ ପୁଅଟିକୁ ନେଇ ଛାୟାମୂର୍ତ୍ତି ଘରଛାଡ଼ି ଚାଲିଗଲା ।

 

ଅନ୍ୟ କେହି ଏ ବିଷୟ ଜାଣି ପାରିଲେନି ।

 

ସେ ତ ଅଠର ବର୍ଷ ତଳର କାହାଣୀ । ଆଜି ବାସୁଦେବ ମର୍ଦ୍ଦରାଜ ଠିକ୍‍ ଘର ଭିତରେ ସେଦିନ ପରି ପଦଚାରଣ କରୁଛନ୍ତି । ଚିନ୍ତାକ୍ଳିଷ୍ଟ ମୁଖ ଗଭୀର ଭାବରେ ବିଷର୍ଣ୍ଣ ।

 

କିଛି ସମୟ ଏପଟ ସେପଟ ହୋଇ ମନେମନେ କଣ ଗୋଟାଏ ଯେମିତି ସ୍ଥିର କରି ସେ ଗୁମାସ୍ତା ବଡ଼ପଣ୍ଡାଙ୍କୁ ଡକେଇ ପଠେଇଲେ ।

 

ଗୁମାସ୍ତା ଆସିବାରୁ ପଚାରିଲେ, ‘‘ଇନ୍ଦୁମତୀ ହତ୍ୟା ତଦନ୍ତ ବିଷୟରେ କୌଣସି ଖବର ତୁମେ ପାଇଚ ?

 

‘‘–ହଁ ଆଜ୍ଞା, ପୋଲିସ କହୁଚି ଆତ୍ମହତ୍ୟା ।’’

 

‘‘–ପୋଲିସ କଥା ମୁଁ ତୁମକୁ ପଚାରୁନି, ଆମପକ୍ଷରୁ ଯେଉଁ ପ୍ରାଇଭେଟ ଡିଟେକ୍‍ଟିଭ୍‍ ନିଯୁକ୍ତ କରାଯାଇଥିଲା, ସେମାନେ କଣ ଖବର ଦେଇଚନ୍ତି ?’’

 

–‘‘ସେ ଖବର କିଛି ପାଇନି ।’’

 

–‘‘ଆଚ୍ଛା ତୁମର କଣ ଏ ବିଶ୍ୱାସ ଅଛି, ସେମାନେ ଏ ହତ୍ୟା ତଦନ୍ତର ସଠିକ୍‍ ସମାଧାନ କରିପାରିବେ ?’’

 

–‘‘ନିଶ୍ଚୟ ! ଆଜି ପର୍ଯ୍ୟନ୍ତ ସେମାନେ କୌଣସି କେସ୍‍ ରେ ବ୍ୟର୍ଥ ହୋଇ ନାହାନ୍ତି । ଏ ବିଷୟ ମୁଁ ଭଲ ଭାବରେ ଜାଣେ ।’’

 

–‘‘ମୁଁ ମଧ୍ୟ ସେଇ ଆଶା କରୁଚି ଯେ, ସେମାନେ ଏ କେସ୍‍ ରେ ସଫଳ ହୁଅନ୍ତୁ । ଇନ୍ଦୁମତୀ ଯଦିଓ ଗୋଟାଏ ସାମାନ୍ୟ ଚାକରାଣୀ, ତେବେ ସେ ଏଘରର ଜଣେ ଅତି ଆପଣାର ଲୋକ ଥିଲା । ଏ ଘରର ପ୍ରତ୍ୟେକଙ୍କୁ ସେ ଯେମିତି ସ୍ନେହ କରେ, ସମସ୍ତେ ବି ତାକୁ ସେମିତି ଭଲ ପାଆନ୍ତି; ତେଣୁ ଯିଏ ତାକୁ ଏମିତି ନିର୍ମମଭାବରେ ହତ୍ୟା କରିଚି ତାର ଶାସ୍ତି ପାଇବା ଦରକାର ।’’

 

–‘‘ତା ତ ହେବାର ଉଚିତ ଆଜ୍ଞା ।’’

 

–‘‘ଆଚ୍ଛା, ଆମର ଅତିଥିଶାଳାରେ ଯେଉଁ ସହକାରୀ ଡିଟେକ୍‍ଟିଭ୍‍ ଜଣଙ୍କ ଅଛନ୍ତି ତାଙ୍କୁ ଟିକିଏ ଡାକି ଆଣ, ତାଙ୍କ ସହିତ ମୋର କଥାବାର୍ତ୍ତା ଅଛି ।’’

ବଡ଼ପଣ୍ଡା ଜମିଦାରଙ୍କ ହୁକୁମ ମାନି ଅତିଥିଶାଳା ଆଡ଼େ ଆଗେଇ ଗଲେ ।

ଗୁମାସ୍ତା ଯିବା ପରେ ବାସୁଦେବ ମର୍ଦ୍ଦରାଜ ଘରର ସମସ୍ତ କବାଟ ଝରକା ଭଲଭାବେ ବନ୍ଦକରି ସେଫ୍ ଆଡ଼େ ଆଗେଇ ଗଲେ । ତାଲା ଫିଟାଇ କଣ ଗୋଟାଏ ଜିନିଷ ଖୋଜିବାକୁ ଲାଗିଲେ; କିନ୍ତୁ ଆଶ୍ଚର୍ଯ୍ୟର କଥା କିଛି ମିଳୁନି ।

ଉଇଲ ପ୍ରଭୃତି ତା ମଧ୍ୟରୁ ଗଲା କୁଆଡ଼େ !

ବାସୁଦେବ ମର୍ଦ୍ଦରାଜ ପୁଣି ସନ୍ଦେହ ଦୂର କରିବା ପାଇଁ ସେଫ୍ ଭିତରେ ହାତ ବୁଲାଇ ଆଣିଲେ; ନା, ସେ ଜିନିଷ ଆଦୌ ନାହିଁ ।

ଏତିକିବେଳେ ବାହାରେ କବାଟ ଠକ୍‍ ଠକ୍‍ ହେବା ସଙ୍ଗେ ସଙ୍ଗେ ଶୁଣାଗଲା, ‘‘ଆପଣ ମୋତେ ଗୁମାସ୍ତାଙ୍କ ହାତରେ ଡକେଇ ଥିଲେ ଆଜ୍ଞା ?’’

ବାସୁଦେବ ମର୍ଦ୍ଦରାଜ ଜାଣିପାରିଲେ ସହକାରୀ ଡିଟେକ୍‍ଟିଭ୍‍ ଜୀବନ୍‍ ଦାସ ଏହା ମଧ୍ୟରେ ଆସି ଯାଇଚି । ସେ ସଙ୍ଗେ ସଙ୍ଗେ ସେଫ୍‍ଟାକୁ ବନ୍ଦ କରି ଦେଇ ଘରର କବାଟ ଫିଟାଇଲେ ।

–‘‘ନମସ୍କାର ଆଜ୍ଞା’’

–‘‘ନମସ୍କାର, ଆଉ ଆପଣ କେଉଁ ଦିଗରୁ କେତେ ଆଗେଇଲେ ? ସେଇ କଥା ଜାଣିବା ପାଇଁ ଆପଣଙ୍କୁ ଡକେଇଚି ।’’

–‘‘ସେମିତି କିଛି ସମାଧାନ ଉପରକୁ ଆସିବା ସମ୍ଭବ ହେଇନି ।’’

–‘‘ମୋର ଅପହୃତ ସନ୍ତାନ ବିଷୟରେ ଆପଣ କି କି ବ୍ୟବସ୍ଥା ଗ୍ରହଣ କରିଲେଣି ଜାଣିପାରେ କି ?

–‘‘ସେମିତି କିଛି କହି ପାରୁନି, ତେବେ ଯେତେଟା ଚେଷ୍ଟା କରିବାର କଥା କରାଯାଉଚି-। କୌଣସି ଇଙ୍ଗିତ ମିଳିଲେ ଯାହା କରିବାର କଥା କରାଯିବ ।’’

–‘‘କିନ୍ତୁ ଜୀବନ୍‍ ବାବୁ ମୋର ସର୍ବନାଶ ହୋଇଯାଇଚି । ପୁଅକୁ ପାଇବାର ଆସ୍ଥା ରଖିଲା ବେଳକୁ ତା’ପାଇଁ ସମ୍ପତ୍ତିର ଯେଉଁ ଉଇଲ ମୋ ପାଖରେ ଥିଲା ତାହା ଅପହରଣ ହୋଇଯାଇଚି ।’’

–‘‘ଅପହରଣ ହୋଇଯାଇଚି ?’’

–ହଁ । ସେଇଟା ସେଫ୍‍ଭିତରେ ଥିଲା । ଗୋଟିକ ପରେ ଗୋଟିଏ କି ଜଟିଳ ଚକ୍ରାନ୍ତ ଜାଲର ଖେଳ ଚାଲିଚି ମୁଁ କିଛି ବୁଝିପାରୁନି । ଆପଣଙ୍କ ପକ୍ଷରୁ ଆପଣ ମୋତେ କେଉଁ ଦିଗରୁ ସାହାଯ୍ୟ କରିବେ ମୁଁ ଠିକ୍‍ କରି ପାରୁନି ।’’

–‘‘ଏସବୁ ବିଷୟରେ କଣ କରାଯାଇପାରେ ସେଇଟା ଅବଶ୍ୟ ବର୍ତ୍ତମାନ କହିପାରୁନି, ତେବେ ଆସ୍ଥା ହରେଇବେନି ଜମିଦାର ସାହେବ !’’

 

–‘‘ହୁଁ,’’

 

ଗୋଟାଏ ବିରାଟ ଦୀର୍ଘଶ୍ୱାସ ବାସୁଦେବ ମର୍ଦ୍ଦରାଜଙ୍କ ବକ୍ଷ ଦୋହଲାଇ ବାହାରି ଆସିଲା ।

 

ରାମଗଡ଼ର ପ୍ରଧାନ ବ୍ୟବସାୟୀ ମାଧବ ମହାପାତ୍ର ନିଜର ବୈଠକଘରେ ବସି ଖବରକାଗଜ ପଢ଼ୁଥାଆନ୍ତି । ହଠାତ୍‍ ଗୋଟାଏ ବିଜ୍ଞାପନ ଉପରେ ତାଙ୍କର ନଜର ପଡ଼ିଲା । ସେଥିରେ ଲେଖାଥିଲା :–

 

ଆଜିର ଠିକ୍‍ ତେରବର୍ଷ ଆଗେ ଗୋଟିଏ ପିଲା ଅପହୃତ ହୋଇଥିଲା । ସେତେବେଳେ ତାର ବୟସ ମାତ୍ର ପାଞ୍ଚବର୍ଷ । ବିରାଟ ଏକ ଜମିଦାର ବଂଶର ପିଲା ହୋଇ ବି ସେ ତେଣୁ ସମସ୍ତ ସମ୍ପଦରୁ ବଞ୍ଚିତ ହେଲା ।

 

ଦୁର୍ଭାଗ୍ୟକ୍ରମେ ପିଲାଟି ମାଧବପୁର ଅନାଥ ଆଶ୍ରମରେ ପ୍ରତିପାଳିତ ହେଉଥିଲା । ସେହିଠାରୁ ସେ ଅପହୃତ ହୋଇଚି । କିଏ ତାକୁ ଏଭଳି ଅପହରଣ କଲା ତାହାର କିଛି ଖବର ନାହିଁ-

 

ଅପହୃତ ହେବାର ପୂର୍ବ ପର୍ଯ୍ୟନ୍ତ ମାଧବପୁର ଅନାଥ ଆଶ୍ରମର କର୍ତ୍ତୃପକ୍ଷ କୌଣସି ଏକ ଅଜ୍ଞାତ ସ୍ଥାନରୁ ମୋଟା ଟଙ୍କା ପିଲାଟିକୁ ମଣିଷ କରିବା ପାଇଁ ପାଉଥିଲେ; କିନ୍ତୁ କିଏ ସେ ଟଙ୍କା ପଠାଉଥିଲା ତାହା ମଧ୍ୟ ରହସ୍ୟାବୃତ । ଅନାଥ ଆଶ୍ରମରେ ଥିଲାବେଳେ ପିଲାଟିର ନାଁ ଥିଲା କିଶୋର । ତା’ର ବାମ ଆଣ୍ଠୁରେ ଗୋଟିଏ ବଡ଼ ଧରଣର କଳାଜାଇ ଚିହ୍ନ ଥିଲା ।

 

କେହି ଯଦି ପିଲାଟିକୁ ଖୋଜି ଆଣି ଦେଇପାରେ ତା’ହେଲେ ତାଙ୍କୁ ହଜାର ଟଙ୍କା ପୁରସ୍କାର ଦେବୁଁ । ଆମର ନିଶ୍ଚିତ ଧାରଣା ପିଲାଟି ଏବେ ମଧ୍ୟ ବଞ୍ଚିଚି ।

 

ଜେ, ଦାସ

କଣ୍ଟାଗଡ଼ ଷ୍ଟେଟ୍ ଅତିଥିଶାଳା

 

ବିଜ୍ଞାପନଟି ପଢ଼ି ମାଧବ ମହାପାତ୍ର ଚମକି ଉଠିଲେ । ତାଙ୍କରି ପ୍ରତିଷ୍ଠିତ ଆଶ୍ରମରୁ ପିଲାଟି ଅପହୃତ ହୋଇଚି । ଆଉ ସେ ପିଲାଟି....

 

ମାଧବ ବାବୁ ଝିଅକୁ ଡକେଇ ଖବରକାଗଜ ଖଣ୍ଡିକ ବଢ଼େଇ ଦେଇ କହିଲେ, ‘‘ଦେଖ୍‍ ମାଧୁରୀ, ସେଦିନ ଯେଉଁ ଅର୍ଦ୍ଧମୃତ ଅବସ୍ଥାରେ ପିଲାଟିକୁ ପାଇଥିଲି ଆଜି ତାର ଖବର ଜାଣିବା ପାଇଁ ବିଜ୍ଞାପନ ବାହାରିଚି ।

 

ମାଧୁରୀ ବିଜ୍ଞାପନଟି ପଢ଼ିସାରି କହିଲା, ‘‘ତମେ କଣ ଠିକ୍‍ କହୁଚ ବାପା ଏ ସେଇ କିଶୋର ?’’

 

–‘‘ଏଥିରେ କୌଣସି ସନ୍ଦେହ ନାହିଁ ! ସେଦିନ ମୁଁ କେମିତି ଅବସ୍ଥାରେ କେଉଁଠାରୁ ତାକୁ ଆଣିଥିଲି ତୋର ନିଶ୍ଚୟ ମନେ ଥିବ !’’

 

ମାଧୁରୀ ନୀରବ ରହିଲା ।

 

ମାଧବବାବୁ କହିବାକୁ ଲାଗିଲେ, ‘‘ବର୍ତ୍ତମାନ ଯାହାର ପିଲା ତାକୁ ନେଇ ଫେରାଇଦେଇ ଆସିବା ଭଲ ହେବ ।’’

 

–‘‘କିନ୍ତୁ ମୁଁ କେଉଁ ଆଶାଧରି ବଞ୍ଚିବି ବାପା ?’’

 

–‘‘ତା’ ବୋଲି ପରର ଜିନିଷ ଜାଣିବା ପରେ କଣ ଚୋରିକରି ତା’କୁ ଅଟକେଇ ରଖିବା-? ତୁ କିଛି ଚିନ୍ତା କରନା ମାଆ, ତୋର ସ୍ନେହର ମୂଲ୍ୟ ଠିକ୍‍ ଥିଲେ ସେ ତୋରି ହୋଇ ରହିବ ।’’

 

–‘‘କିନ୍ତୁ ସମ୍ପଦ ପ୍ରତି ତ ତାର କୌଣସି ଦିନ ଲୋଭ ନାହିଁ ବାପା ।’’

 

–‘‘ଏତେ ବଡ଼ଘରର ପିଲା ବୋଲି ନାହିଁ ! ସମ୍ପଦ ସେ ହୁଏତ ଚାହେନି; କିନ୍ତୁ ନିଜର ଅଧିକାରରୁ ମୁଁ ତାକୁ କୌଣସି ପ୍ରକାର ବଞ୍ଚିତ କରିପାରିବିନି । ତା ଛଡ଼ା ଯେଉଁମାନଙ୍କ ଚକ୍ରାନ୍ତରେ ସେ ଏପରି ଗୃହଛଡ଼ା ପଥହରା ହୋଇଚି, ଯାହାଦ୍ୱାରା ସେମାନଙ୍କର ଉପଯୁକ୍ତ ଶାସ୍ତି ହୁଏ, ସେ ବ୍ୟବସ୍ଥା ବି ଆମମାନଙ୍କୁ କରିବାକୁ ପଡ଼ିବ ।’’

 

–‘‘ତା’ହେଲେ ସେଇୟା କର ବାପା ।’’

 

–‘‘ହଁ–ନିଶ୍ଚୟ, ତୁ ଠିକ୍‍ ଜାଣୁ ମାଧୁରୀ, ତତେ ସେ କୌଣସିଦିନ ବି ଭୁଲି ପାରିବନି । ତାର ଅନ୍ତର ଖୁବ୍‍ ମହାନ୍ । ଏ କେବଳ ଦୁଇଦିନ ପାଇଁ ବିଦେଶରେ ବୁଲି ଆସିଲା ଭଳି ହେବ ।’’

 

ମାଧବ ବାବୁ ମାଧୁରୀର ମୁଣ୍ଡ ସାଉଁଳି ସାନ୍ତ୍ୱନା ଦେଲେ । ମାଧୁରୀ କୌଣସି କଥା କହିଲାନି । କେବଳ ଗୋଟାଏ ଦୀର୍ଘନିଶ୍ୱାସ ପକାଇଲେ, ଆଉ ଅଜାଣତରେ ଟପ୍‍ଟପ୍‍ ହୋଇ ଦୁଇଧାର ଲୁହ ଗଣ୍ଡ ଉପରକୁ ଗଡ଼ି ଆସିଲା ।

 

ସହରର ଗୋଟାଏ ଅଜଣାଗଳି ।

 

ରାତି ସେତେବେଳକୁ ଅନେକ ହୋଇଗଲାଣି । କୌଣସି ଲୋକ ଚାହିଁଥିବ ବୋଲି ଧାରଣା କରି ହୁଏନି ।

 

ଏଇ ଗଳି ମୋଡ଼ରେ ମଝିରେ ମଝିରେ ଗୋଟାଏ ଦାମିକା ମୋଟର କାର୍‍ ଆସି ଠିଆହେବାର ଦେଖାଯାଏ । କଣ୍ଟାଗଡ଼ ନାମକ କୌଣସି ଗୋଟିଏ ବିଖ୍ୟାତ ଷ୍ଟେଟ୍‍ର କୌଣସି ଏକ ଜମିଦାର ସେ ଗାଡ଼ିଧରି ସେଠାକୁ ଆସନ୍ତି ।

 

ଗଳି ଆଗରେ ଗୋଟିଏ ଭିଖାରୀ କରୁଣ ଗଳାରେ ଭିକ୍ଷା ମାଗି ଚାଲିଚି । ଗୋଡ଼ହାତ ଧରି କନ୍ଦାକଟା କରି ପଥଚାରିମାନଙ୍କର ଦୃଷ୍ଟି ଆକର୍ଷଣ କରେ ।

 

କିନ୍ତୁ ତା’ର ନଜର ଭିକ୍ଷା ଉପରେ ଆଦୌ ନଥିଲା, ମଝିରେ ମଝିରେ ଉତ୍ସୁକ ନୟନରେ କାହାପାଇଁ ସେ ଅପେକ୍ଷା କରି ରହିଥାଏ ।

 

ଘର୍ର...ର୍ର...ର...

 

ମୋଟର ଆସୁଥିବାର ଶବ୍ଦ । ଗୋଟାଏ ଉଚ୍ଚଦାମର ବାଦାମୀ ରଙ୍ଗର ମୋଟର କାର ଆସି ଗଳି ମୋଡ଼ରେ ଠିଆହେଲା ।

 

ଗାଡ଼ିର ଦରଜା ଖୋଲି ଜଣେ ବାବୁ ଓହ୍ଲାଇ ଆସିଲେ, ଖୁବ୍ ଦାମିକା ପୋଷାକ ପିନ୍ଧିଚନ୍ତି-। ମୁହଁରେ ଜଳନ୍ତା ସିଗାରେଟ୍ ।

 

–‘‘ଗୋଟିଏ ପଇସା ଦିଅ ବାବୁ ।’’

 

ଭିଖାରୀଟି ହାତପତେଇଲା ।

 

–‘‘ପଇସା ଫଇସା ନାହିଁ ପଳା ।’’

 

କହି ଦେଇ ବାବୁ ଗଳି ଭିତରକୁ ଚାଲିଗଲେ ।

 

ଭିଖାରୀଟି ଯେମିତି ଏତେ ସମୟ ଧରି ବାବୁଙ୍କ ପାଇଁ ଅପେକ୍ଷା କରିଥିଲା, ସେ ମଧ୍ୟ ଟିକିଏ ଦୂରତ୍ୱ ବଜାୟ ରଖି ବାବୁଙ୍କୁ ଅନୁସରଣ କଲା ।

 

ଗଳିର ଶେଷଆଡ଼କୁ ଗୋଟାଏ ଦୋମହଲା କୋଠା ଭିତରେ ବାବୁ ପଶିଲେ । ସିଧା ଉପର ମହଲାରେ ଥିବା ଗୋଟାଏ କୋଠରିକୁ ଚାଲିଗଲେ ।

 

ଭିଖାରୀଟିର ବେଶଭୂଷା ମଧ୍ୟ ଦେଖୁ ଦେଖୁ ବଦଳି ଗଲା । ସେବି ସିଧା ଘର ଭିତରକୁ ପଶିଗଲା ।

 

ଲୋକଟି ଭଲ ଭାବରେ ଜାଣେ ଯେ ଏ କୋଠାମଧ୍ୟରେ ସାମାଜିକ ପରିବେଶର କୈାଣସି ମଣିଷ ବାସ କରେନି ।

 

ଅସାମାଜିକ ପରିବେଶର କୈାଣସି ଗୃହରେ ଜଣେ ବେଶ୍ ବେଶପୋଷାକର ବାବୁ ଯେ କେଉଁ ଉଦ୍ଦେଶ୍ୟରେ ପ୍ରବେଶ କରିପାରନ୍ତି ତା ମଧ୍ୟ ଲୋକଟିକୁ ଅଜଣା ନୁହେଁ ।

 

ଏଇ କୋଠାଟିରେ ବାସ କରନ୍ତି ଅସାମାଜିକ ଜୀବନଯାପନରେ ଅଭ୍ୟସ୍ତ କେତୋଟି ତରୁଣୀ । ବାବୁ ଜଣକ ଯେ ଏଇ ପ୍ରଥମ ଥର ଏଠାରେ ପଦାର୍ପଣ କରିଛନ୍ତି ତା ନୁହେଁ । ଆଗରୁ ସେ ଏଠିକି ଅନେକ ଥର ଆସିଚନ୍ତି । ଆସିବାର କାରଣ ଓ ଉଦ୍ଦେଶ୍ୟ ଉଭୟ ନିଶ୍ଚୟ ଥିଲା ।

 

ଦୋମହଲାର ଗୋଟାଏ ଛୋଟ କୋଠରିରେ ବାବୁ ବସିଚନ୍ତି । ପାଖରେ ଦୁଇଜଣ ବିଖ୍ୟାତ ଗୁଣ୍ଡା ଆଉ ଗୋଟିଏ ତରୁଣୀ ।

 

ବାବୁ ପଚାରିଲେ, ‘‘କଣ କହୁଚୁ ସପନା, ତାକୁ ଶେଷ କରି ଦେଇ ପାରିବୁ ତ ?’’

 

–‘‘ଜରୁର୍ ଆଜ୍ଞା ।’’

 

–‘‘କାଲି ଠିକ୍ ରାତି ବାରଟାବେଳେ, ମନେ ରହିବଟି ।’’

 

–‘‘ନିଶ୍ଚୟ ଆଜ୍ଞା ।’’

 

–‘‘ଆଚ୍ଛା, ଏଇ ପଚାଶ ଟଙ୍କା ଆଗତୁରା ନେଇଥା’’

 

–‘‘ଏତେ କମ୍ ବହିନା ଦେଲେ କେମିତି ଚଳିବ ବାବୁ ?’’

 

–‘‘ନହେଲେ ଶହେ ଟଙ୍କା ଦଉଚି ।’’

 

–‘‘ନାଇଁ ବାବୁ, ଅତି କମ୍‍ ରେ ଦୁଇଶ ଟଙ୍କା ନହେଲେ ଚଳିବନି ।’’

 

–‘‘ହଉ, ନେ ଦଉଚି ଧର !’’

 

–ଆଉ ବାକି ଚାରିଶ ଟଙ୍କା ?’’

 

–‘‘ଠିକ୍‍ ପରଦିନ ଏତିକି ବେଳକୁ ପାଇବୁ । ପଚାରୁଚି, ଏହା ଆଗରୁ ଟଙ୍କାରେ କିଛି ଗୋଳମାଳ କେବେ ହେଇଚି ?’’

 

–‘‘ନାଇ ବାବୁ, ଯେତେ ଶତ୍ରୁ ହେଲେବି ଆପଣଙ୍କୁ ଏକଥା କହି ପାରିବନି ।’’

 

–‘‘ଆଚ୍ଛା, ମୁଁ ତା’ହେଲେ ଯାଉଚି, ଚାଲ ସୁନନ୍ଦା ଆମେ ଆର ଘରକୁ ଯିବା ।’’

 

ତରୁଣୀଟି ସାଙ୍ଗେ କଥାବାର୍ତ୍ତା କରି କରି ବାବୁ ସେ ଘରୁ ଚାଲିଗଲେ ।

 

ଗୁଣ୍ଡା ସପନି ଭୂୟାଁ ତାର ସାଙ୍ଗକୁ କହିଲା, ‘‘ବୁଝିଲୁ ମାଧିଆ, ଲୋକଟା ଖୁବ୍‍ ବଢ଼ିଆ । ଖେଳେଇ ପାରିଲେ ଅନେକ ଟଙ୍କା ତା’ଠୁ ମାରି ହେବ । ଆରେ ସେ କଣ୍ଠିଆଟା ଏ ଯାଏଁ ଗଲା କୁଆଡ଼େ ?’’

 

ମାଧିଆ କହିଲା, ‘‘ଏଇ କାମଟା କଣ ବଳେଇ ଯାଉଚି । ତାକୁ ମିଛଟାରେ ଖାଲି ଭାଗ ଦିଆଯାଉଚି । ଏଥର ଟଙ୍କାଟା ଆମେ ଦୁହେଁ ଭାଗ କରିନେବା ।’’

 

ତାପରେ ଘରଭିତରଟା ଅନ୍ଧାର ହୋଇଗଲା, ବୋଧହୁଏ ଗୁଣ୍ଡା ଦୁହେଁ ଘର ଛାଡ଼ି ଅନ୍ୟ ଆଡ଼େ ଚାଲିଗଲେ ।

 

ଠିକ୍‍ ସେଇଦିନ ଉପରବେଳା ଏଣେ କଣ୍ଟାଗଡ଼ ଷ୍ଟେଟ ଅତିଥିଶାଳାରେ ଜୀବନ୍‍ ଦାସ ସଙ୍ଗେ ଦେଖା କରିବାକୁ ଦୁଇଜଣ ଲୋକ ଆସିଥିଲେ ।

 

ଏମାନଙ୍କ ମଧ୍ୟରୁ ଜଣେ ହେଉଚନ୍ତି ରାମଗଡ଼ର ପ୍ରଧାନ ବ୍ୟବସାୟୀ ମାଧବ ମହାପାତ୍ର–ଅନ୍ୟ ଜଣକ ପ୍ରଶାନ୍ତ ।

 

ଜୀବନ୍‍ ପଚାରିଲା, ‘‘ଆପଣମାନେ କେଉଁଠୁ ଆସିଚନ୍ତି ?’’

 

–‘‘ରାମଗଡ଼ରେ ଆମର ଘର, ମୋ ନାମ ମାଧବ ମହାପାତ୍ର, ଆଉ ଏ ହେଉଚି ମୋର ନାତି ପ୍ରଶାନ୍ତ, ଅବଶ୍ୟ ନାତିମାନେ, ମୁଁ ଏକୁ ମୋର ନାତି ଭଳି ପାଳନ କରିଚି । ମୋର ବିଧବା ଝିଅ ଏକୁ ପୁଅଠାରୁ ଅଧିକ କରି ପାଳନ କରିଚି, ତେର ବର୍ଷ ପୂର୍ବେ ମୋର ପ୍ରତିଷ୍ଠିତ ମାଧବପୁର ଅନାଥ ଆଶ୍ରମ ପାଖରେ ଥିବା ନଈକୂଳରୁ ଅର୍ଦ୍ଧମୃତ ଅବସ୍ଥାରେ ପାଇଥିଲି । ସେଦିନ ଏ ତାର କୌଣସି ପରିଚୟ ଦେଇ ପାରିବା ଅବସ୍ଥାରେ ନଥଲା । ବହୁ କଷ୍ଟରେ ଏହାକୁ ମୋ ଝିଅ ବଞ୍ଚେଇଚି, ଆପଣଙ୍କ ବିଜ୍ଞାପନ ଶୁଣି......’’

 

–‘‘ଓ–ବୁଝିଲି, ଚାଲନ୍ତୁ ଜମିଦାର ସାହେବଙ୍କ ସଙ୍ଗେ ଦେଖା କରେଇ ଦିଏ । ହଁ, ଯେଉଁ ଚିହ୍ନ କଥା ବିଜ୍ଞାପନରେ ଉଲ୍ଲେଖ କରାଯାଇଥିଲା ସେଇଟା ଅଛି ତ ?’’

 

–‘‘ହଁ, ସେଇଥିପାଇଁ ତ ତାକୁ ନେଇ ଆସିଚି ।’’

 

ଜୀବନ୍‍ ଏ ଦୁହିଙ୍କୁ ସାଙ୍ଗରେ ଧରି ବାସୁଦେବ ମର୍ଦ୍ଦରାଜଙ୍କ ସଙ୍ଗେ ଦେଖାକଲା । ରକ୍ତର ଟାଣରେ ଜମିଦାର ସାହେବ ଯେତେବେଳେ ପ୍ରଶାନ୍ତକୁ ବକ୍ଷଉପରକୁ ଆଉଜାଇ ନିଅନ୍ତି ଠିକ୍ ସେତିକିବେଳକୁ ଅକ୍ଷୟ ଆସି ପଚାରିଲା, ‘‘ଏ ପିଲାଟି କିଏ ଭାଇ ?’’

 

–‘‘ମୋ ପୁଅ ।’’

 

–‘‘ତମେ କଣ କହୁଚ ଭାଇ ? ତୁମର ମୁଣ୍ଡ ଖରାପ ହୋଇ ଗଲାନା କଣ ?’’

 

–‘‘ନା, ମୁଁ ଠିକ୍ ଅଛି ଅକ୍ଷୟ । ମୁଁ ଜାଣେ ମୋର ପୁଅ ହୋଇଥିଲା । ଜନ୍ମ ହେଲାଦିନ କେହି ଏକୁ ନେଇଯାଇ ଏହା ଜାଗାରେ ଝିଅଟିଏ ରଖିଦେଇ ଯାଇଥିଲା । ସୁମି ମୋର ଜନ୍ମିତ କନ୍ୟା ନୁହେଁ ।’’

 

–‘‘ଏ ବିଚାର ଆଉ କାହିଁକି ! ମୁଁ ତୁମର ଅନେକ ଅତ୍ୟାଚାର ଚୁପ୍‍ଚାପ୍‍ ସହି ଯାଇଚି; କିନ୍ତୁ ଏଇଟା ମୁଁ ବରଦାସ୍ତ କରିପାରୁନି । ଭଲଭାବରେ ମୁଁ ବୁଝିପାରିଚି, ମତେ ସମ୍ପତ୍ତିରୁ ଅଧେ ଭାଗ ଦେବାକୁ ପଡ଼ିବ ବୋଲି କେଉଁଠୁ କାହାକୁ ଆଣି ପୁଅ ବୋଲି ଭଣ୍ଡି ଦେଉଚ ?’’

 

ବିସ୍ମିତ ହୋଇ ବାସୁଦେବ ମର୍ଦ୍ଦରାଜ କହିଲେ, ‘‘ତୁ ଏ କଣ କହୁଚୁ ଅକ୍ଷୟ ?’’

 

–‘‘ଯାହା କହୁଚି, ତା’ ତମେ ବୁଝିପାରୁଚ, ଆଉ ମୁଁ ବି ବୁଝିଚି । ତମେ ଭାବନି ଯେ ମୁଁ ଛୋଟ ପିଲା ହେଇଚି ଯେ ଯାହା ବୁଝେଇ ଦେବ ସେଇୟା ବୁଝିଯିବି ।’’

 

ଏହା କହି ଅକ୍ଷୟ ସେଠାରେ ଆଉ ମୁହୂର୍ତ୍ତେ ଅପେକ୍ଷା ନକରି କେଉଁଆଡ଼େ ବାହାରି ଚାଲିଗଲା ।

 

ଜୀବନ୍‍ ଜାଣେ ଗତିଟା କୁଆଡ଼େ; ତେଣୁ ଅତିଥିଶାଳାରୁ ଫୋନ ଉଠେଇ ଖବରଟା ଅମୂଲ୍ୟବାବୁଙ୍କୁ ସେ ଜଣେଇ ଦେଇଥିଲା ।

 

ପ୍ରଶାନ୍ତକୁ ପାଇ କଣ୍ଟାଗଡ଼ ଜମିଦାର ପରିବାରର ସମସ୍ତେ ଖୁସି । ଏପରିକି ଜମିଦାରଙ୍କ ପାଳିତ କନ୍ୟା ସୁମି ନିଜକୁ ଜମିଦାରଙ୍କର ଜନ୍ମିତ କନ୍ୟା ନୁହେଁ ବୋଲି ଜାଣିଲେ ମଧ୍ୟ ଖୁସିଅଛି ।

 

ସେଦିନ ରାତି ଦଶଟା ।

 

ପ୍ରଶାନ୍ତ ସୁମିର ପଢ଼ାଘରେ ବସି ତା’ ସହିତ ପାଠ୍ୟପୁସ୍ତକର କେତେଗୁଡ଼ିଏ ବିଷୟରେ ଆଲୋଚନା କରୁଥିଲା ।

 

ସୁମିକୁ ପ୍ରଶାନ୍ତ କବିତା ପ୍ରବେଶର ଗୋଟାଏ କବିତା ବୁଝେଇ ଦେଉଥିଲା, ଗୋଟାଏ ସାମାନ୍ୟ ଶବ୍ଦ ମଧ୍ୟରେ ବି କି ଅସୀମ ଗଭୀରତା ଥାଇପାରେ ଏକଥା ସେ ତାକୁ ନାନା ଭାବରେ ବ୍ୟାଖ୍ୟା କରି ବୁଝାଉଥିଲା ।

 

କିନ୍ତୁ ସେମାନେ କେହି ଲକ୍ଷ୍ୟ କରି ନାହାଁନ୍ତି ଯେ ଠିକ୍‍ ସେତିକିବେଳେ ସେ ବସିଥିବା ଘରର ଝରକା ପାଖରେ ଗୋଟିଏ ଛାୟାମୂର୍ତ୍ତି ଠିଆ ହୋଇ ଗଭୀର ମନୋଯୋଗର ସହିତ ସେମାନଙ୍କର ପ୍ରତିଟି କାମ ଲକ୍ଷ୍ୟ କରୁଥିଲା ।

 

ଧୀରେ ଧୀରେ ଛାୟାମୂର୍ତ୍ତିଟି ପକେଟ ମଧ୍ୟରୁ ଗୋଟିଏ ରିଭଲଭର ବାହାର କରି ଆଣିଲା, ତାପରେ ଏ ଦୁହିଙ୍କ ଆଡ଼କୁ ଲକ୍ଷ୍ୟ ଠିକ୍‍ କରି ଟ୍ରିଗର ଟିପିବାକୁ ଉଦ୍ୟତ ହେଲା ।

 

ହଠାତ୍‍ ପଛ ପାଖରୁ ହୋ ହୋ ହୋଇ କିଏ ଯେମିତି ହସି ଉଠିଲା ।

 

ଚମକି ପଡ଼ି ଛାୟାମୂର୍ତ୍ତିଟି ପଛକୁ ଚାହିଁଲା ।

 

ପଛପାଖେ ଥିବା ଲୋକଟି କହିଲା, ‘‘ମିଛରେ ରିଭଲଭର ଟ୍ରିଗର ଟିପି କୈାଣସି ଲାଭ ହେବନି । ମୁଁ ତୁମ ଆଡ଼୍ଡ଼ାକୁ ଏହା ପୂର୍ବରୁ ଯାଇ ରିଭଲଭର ବଦଳ କରି ଦେଇଚି, ସେ ପିଲାଙ୍କ ଖେଳନାରେ କେବଳ ଶବ୍ଦ ହେବା ଛଡ଼ା କାହାରି କିଛି କ୍ଷତି ହେବନି ।’’

 

ଛାୟାମୂର୍ତ୍ତି ପଳାଇ ଯିବାର ଚେଷ୍ଟା କରୁଥିଲା; କିନ୍ତୁ ସେ ଦେଖି ପାରିଲା ଡ଼ିଟେକ୍‍ଟିଭ୍‍ ଅମୁଲ୍ୟ ମହାନ୍ତିଙ୍କ ହାତରେ ଗୋଟାଏ ସ୍ୱୟଂ ଚାଳିତ ରିଭଲଭର ଚକ୍‍ ଚକ୍‍ କରୁଚି ।

 

–‘‘ଉପରକୁ ହାତଉଠାଅ ସପନି !’’

 

ଅମୁଲ୍ୟବାବୁଙ୍କର ତୀକ୍ଷ୍‍ଣ ଆଦେଶ ।

 

ଜମିଦାର ବାସୁଦେବ ମର୍ଦ୍ଦରାଜ ଓ ପରିବାରର ଅନ୍ୟଲୋକମାନେ ଘଟଣା ସ୍ଥଳରେ ଆସି ପହଞ୍ଚିଗଲେ ।

 

ଅମୂଲ୍ୟବାବୁ ସମସ୍ତଙ୍କଆଡ଼କୁ ଚାହିଁ କହିଲେ, ‘‘ଏହାରି ସାହାଯ୍ୟରେ ଆପଣଙ୍କ ଖୁଡ଼ୁତା ପୁଅ ଭାଇ ଅକ୍ଷୟ ମର୍ଦ୍ଦରାଜ ଆପଣଙ୍କ ପୁଅକୁ ମାଧବପୁର ଅନାଥ ଆଶ୍ରମରୁ ଅପହରଣ କରିନେଇ ଅର୍ଦ୍ଧମୃତ ଅବସ୍ଥାରେ ନଈକୂଳେ ପକେଇ ଦେଇଥିଲେ । ଆଉ ଏହାରି ସାହାଯ୍ୟରେ ଆଜି ଆପଣଙ୍କ ପୁଅ ଆଉ ଝିଅଙ୍କୁ ହତ୍ୟା କରିବାର ଚେଷ୍ଟା ବି କରିଥିଲେ ।’’

 

ବାସୁଦେବ ମର୍ଦ୍ଦରାଜ ପଚାରିଲେ, ‘‘ଆଉ ଇନ୍ଦୁମତୀର ହତ୍ୟାମୂଳରେ କିଏ ଅଛି ?’’

 

ଅମୂଲ୍ୟବାବୁ ସାମାନ୍ୟ ହସି କହିଲେ, ‘‘ମୃତା ଇନ୍ଦୁମତୀ ହାତରୁ ଗୋଟାଏ ସୁନା ବୋତମ ମିଳିଚି । ଆତତାୟୀ ଯେଉଁ ସାର୍ଟ ପିନ୍ଧି ତାକୁ ଖୁଣ୍ କରିଥିଲା ସେଥିରେ ସେଇ ବୋତାମଟି ଲାଗିଥିଲା । ମୁଁ ସନ୍ଧାନ ନେଇ ଜାଣିଲି, ଆପଣ ସେ ବୋତାମ ବ୍ୟବହାର କରନ୍ତି ।’’

 

ଘରର ସମସ୍ତେ ବିସ୍ମିତ, ବାସୁଦେବ ମର୍ଦ୍ଦରାଜ ବିସ୍ମିତ ଭାବରେ କହିଲେ, ‘‘ମୁଁ ଇନ୍ଦୁମତୀକୁ ହତ୍ୟା କରିଚି !’’

 

–‘‘ନା, ଆପଣ ସେ କଥା କରି ନାହାନ୍ତି ତାହା ମୁଁ ଜାଣେ । ଆପଣ ସେତେବେଳେ କଲିକତାରେ ଥିବା ଖବର ମୁଁ ପାଇଚି । ତେବେ ଯେଉଁ ଲୋକ ଖୁଣ୍ କରିଚି ସେ ଯେ ଆପଣଙ୍କର ସାର୍ଟ ପିନ୍ଧି ଖୁଣ୍ କରିବାକୁ ଯାଇଥିଲା ଏଥିରେ ମୁଁ ନିଃସନ୍ଦେହ ।’’

 

ଠିକ୍ ଏତିକିବେଳେ ନରସିଂହ ବଡ଼ପଣ୍ଡା ଆସି ଖବର ଦେଲେ, ତଳମହଲାରେ ଅକ୍ଷୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଚି ।

 

ସମସ୍ତେ ସେ କଥା ଶୁଣି ଅବାକ୍‍ ହୋଇ ରହିଗଲେ ।

 

କଣ୍ଟାଗଡ଼ ଷ୍ଟେଟ୍‍ ଛାଡ଼ି ଅମୂଲ୍ୟବାବୁ ଓ ଜୀବନ୍‍ ଦାସ ଚାଲିଯିବାର ପୂର୍ବଦିନ । ସମସ୍ତେ ଡ୍ରଇଁରୁମ୍‍ ରେ ଏକତ୍ରିତ ହୋଇ ତାଙ୍କଠାରୁ ଅସଲ ଘଟଣା ଶୁଣିବାକୁ ଅନୁରୋଧ କଲେ ।

 

ଅମୂଲ୍ୟବାବୁ ଆରମ୍ଭ କଲେ,–

 

ଜମିଦାର ସାହେବଙ୍କର ପୁଅ ଆଗରୁ ଦିନେ ଅକ୍ଷୟ ବାବୁ ଜଣେ ଲୋକ ସହିତ କଣ ଗୋଟାଏ ଷଡ଼ଯନ୍ତ୍ର ଚଳେଇ ଥିଲେ । ଏକଥା ଇନ୍ଦୁମତୀ କାନକୁ ଗଲା ଏବଂ ସେ ସେ ବିଷୟ ଆସି ଜମିଦାର ସାହେବଙ୍କୁ ଜଣେଇଲା । ସେଥିପାଇଁ ଜମିଦାର ସାହେବ ଗୋଟାଏ ଅଭିନବ ଉପାୟ ସ୍ଥିର କଲେ । ଠିକ୍‍ ଯେଉଁଦିନ ତାଙ୍କର ପୁଅ ହେଲା, ସେଦିନ ସେ ନିଜେ ସେ ପୁଅକୁ ସ୍ଥାନାନ୍ତରିତ କରି ତା ସ୍ଥାନରେ ଗୋଟିଏ ଝିଅକୁ ଆଣି ରଖିଦେଲେ । ଗୋଟିଏ ଗରିବ ପଡ଼ୋଶୀର ସଦ୍ୟମାତୃହୀନା କନ୍ୟାକୁ ସେ ଏ ଉଦ୍ଦେଶ୍ୟରେ ସଂଗ୍ରହ କରିଥିଲେ । ସେଇ କନ୍ୟା ସୁମିତ୍ରା ଦେବୀ-

 

ଏଣେ ସେଇ ପୁଅକୁ ସେ ଯତ୍ନର ସହିତ ଗୋପନରେ ପାଳନ କରୁଥିଲେ । ଅକ୍ଷୟ ବାବୁ ଯେ ତାଙ୍କର ଏ କାଣ୍ଡକାରଖାନା ଜାଣିପାରିଚନ୍ତି ସେ ଖବର ବି ଜମିଦାର ସାହେବ ପାଇଲେ, ତେଣୁ ସେ ସେଇ ପୁଅକୁ ମାଧବପୁର ଅନାଥଆଶ୍ରମରେ ରଖି ଅଜ୍ଞାତ ନାମରେ ଟଙ୍କା ପଠାଇଲେ ।

 

କିନ୍ତୁ ସେ ଖବର ବି ବେଶିଦିନ ଲୁଚି ରହିଲାନି । ଅକ୍ଷୟ ବାବୁ ଏ ଖବର ପାଇ ସପନି ସାହାଯ୍ୟରେ ସେ ପିଲାକୁ ଆଶ୍ରମରୁ ଚୋରାଇ ନେଲେ । ତା’ ପରେ ତା’ ତଣ୍ଟିରେ ଗୋଡ଼ପକେଇ ଦିଆଗଲା । ସେମାନେ ଭାବିଲେ ପିଲାଟି ମରିଗଲା; ତେଣୁ ନଈକୂଳରେ ତାକୁ ପକେଇ ଦେଇ ଆସିଲେ ।

 

ସୌଭାଗ୍ୟର କଥା ପିଲାଟି ମରିନଥିଲା ଏବଂ ରାମଗଡ଼ର ପ୍ରଧାନ ବ୍ୟବସାୟୀ ମାଧବ ମହାପାତ୍ର ତାକୁ ନଈକୂଳରୁ ପାଇଲେ । ଡ଼ାକ୍ତର ଲଗାଇ ସେ ପିଲାଟିକୁ ସୁସ୍ଥକରି ନିଜର ଅପୁତ୍ରକ ବିଧବା କନ୍ୟା ମାଧୁରୀ ହାତରେ ପିଲାଟିକୁ ନିଜର ପୁଅପରି ପାଳିଆସିଚନ୍ତି ।

 

ଏଣେ ଅକ୍ଷୟ ବାବୁ ଜାଣିପାରନ୍ତି ତାଙ୍କ ଉଦ୍ଦେଶ୍ୟ ପଥରେ ଦୁଇଟି କଣ୍ଟା ଅଛି । ଗୋଟିଏ ହେଲା ଇନ୍ଦୁମତୀ ଆଉ ଅନ୍ୟଟି ହେଲା କେତୋଟି ଫଟୋ । ଇନ୍ଦୁମତୀ ଜମିଦାରଙ୍କ ପୁଅ ହବାର ଏକମାତ୍ର ସାକ୍ଷୀ । ଆଉ ସେଇ ଫଟୋରେ ଜମିଦାର ସାହେବ ପୁଅ ଜନ୍ମ ରେକର୍ଡ଼ କରି ରଖିଥିଲେ ।

 

ତେଣେ ଅକ୍ଷୟ ବାବୁ ଇନ୍ଦୁମତୀକୁ ହତ୍ୟାକରି ତାର ତଦନ୍ତ ପାଇଁ ମତେ ନିଯୁକ୍ତ କରିଥିଲେ । ତା’ପରେ ସେଦିନ ଜମିଦାର ସାହେବଙ୍କ ଘରେ ପଶି ଫଟୋ ଓ ଉଇଲଗୁଡ଼ିକ ନେଇଯିବାର ଉଦ୍ୟମ କରିଥିଲେ; କିନ୍ତୁ ସଫଳ ହେଇ ପାରିଲେନି । ଠିକ୍ ସେତିକିବେଳେ ମୋର ସହକାରୀ ତାଙ୍କୁ ପଛଆଡ଼ୁ ଆଘାତ କରି ସମସ୍ତ ଜିନିଷ ନେଇଗଲା । ସେଗୁଡ଼ିକ ଆମପାଖେ ଅଛି-

 

ଏତେ ଉଦ୍ୟମ କରି ମଧ୍ୟ ଅକ୍ଷୟ ବାବୁ ଯେତେବେଳେ ପାରିଲେନି, ସେତେବେଳେ ସେ ଶେଷ ଚେଷ୍ଟା କଲେ ସପନି ସାହାଯ୍ୟରେ ପୁଅ ଓ ଝିଅକୁ ଜୀବନରେ ମାରିଦେବା ପାଇଁ; କିନ୍ତୁ ସେଥିରେ ବ୍ୟର୍ଥ ହେବାରୁ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଚନ୍ତି ।

 

ବାସୁଦେବ ମର୍ଦ୍ଦରାଜ ଅମୂଲ୍ୟବାବୁଙ୍କ ହାତକୁ ଗୋଟିଏ ବନ୍ଦ ଲଫାପା ବଢ଼େଇ ଦେଲେ, ତା’ ମଧ୍ୟରେ ଥିଲା ଦଶହଜାର ଟଙ୍କାର ଖଣ୍ଡେ ଚେକ୍ ।

Image

 

କଳାକୋଠି

 

ସମୁଦ୍ର ମଝିରେ ଗୋଟାଏ ଦ୍ୱୀପ, ବୋଧହୁଏ କାହାରି ଦ୍ୱାରା ଆବିଷ୍କୃତ ହୋଇ ନାମକରଣ ହୋଇପାରିନି । ଖୁବ୍‍ ଛୋଟ ଦ୍ୱୀପ । ଏବେ କେତେଦିନ ହେଲା ସେଠାରେ ମୁଣ୍ଡଟେକି ଠିଆ ହେଇଚି ଗୋଟାଏ ବିରାଟ ଦୋମହଲା କୋଠା । କିଏ ତିଆରି କରେଇଚି ସେ କଥା କେହି ଜାଣନ୍ତିନି, ଦୂରସମୁଦ୍ରର ଜାହାଜ ଉପରୁ ଦେଖିଲେ ଜଣାପଡ଼େ ଗୋଟାଏ ବିଶାଳକାୟ କୃଷ୍ଣଦାନବ ଯେମିତି ନିଶ୍ଚଳ ହେଇଯାଇଚି । ପ୍ରକୃତରେ କୋଠାଟିରେ କଳାରଙ୍ଗ କଲେଇ କରାଯାଇଚି ।

 

ହଠାତ୍‍ ସେଇ କଳାକୋଠିର ଆମନ୍ତ୍ରଣରେ ଦଶଜଣ ଯାତ୍ରୀ ଧରି ଖଣ୍ଡେ ମୋଟର ଲଞ୍ଚ ଆଗେଇ ଚାଲିଚି । ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ଅବସର ପ୍ରାପ୍ତ ବିଚାରପତି । ଜଣେ ଅବସର ପ୍ରାପ୍ତ ପୋଲିସ ଅଫିସର, ଦୁଇଜଣ ଯୁଦ୍ଧ ଫେରନ୍ତା ସୈନିକ । ଅବଶ୍ୟ ସୈନିକମାନେ ଦରୁଆନ୍‍ କାମ ପାଇଁ ନିଯୁକ୍ତି ପାଇଥିଲେ ।

 

ତାଛଡ଼ା ଜଣେ ଖାନସମା, ଆଉ ତାର ସ୍ତ୍ରୀ । ଦୁଇ ଜଣ ପରିଚାରିକା । ଜଣେ ଜମିଦାର ଯୁବକ, ଯେ କି ଉଗ୍ର ମୋଟର ଦଉଡ଼ରେ ସିଦ୍ଧହସ୍ତ, ଆଉ ଜଣେ ହେଉଚନ୍ତି ବିଖ୍ୟାତ୍‍ ପ୍ରାଇଭେଟ୍‍ ଡିଟେକ୍‍ଟିଭ୍‍ ଅମୂଲ୍ୟ କୁମାର ମହାନ୍ତି ।

 

କେହି ଜଣେ ଅପରିଚିତ ବନ୍ଧୁର ନିମନ୍ତ୍ରଣରେ ଅମୂଲ୍ୟବାବୁ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ତାଙ୍କର ରହସ୍ୟ ଭେଦି ମନ ଥୟ ଧରିପାରିଲାନି; ତେଣୁ ସେ ସହକାରୀ ଜୀବନ୍‍ ଦାସକୁ ନ ଜଣାଇ ନିମନ୍ତ୍ରଣ ରକ୍ଷା କରିବାକୁ ବାହାରିଚନ୍ତି ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା ମୋଟର ଲଞ୍ଚ ଦ୍ୱୀପରେ ଲାଗିଲେ ମଧ୍ୟ ନିମନ୍ତ୍ରଣକର୍ତ୍ତା ପାଛୋଟି ନେବା ପାଇଁ ଆସିଲେନି । କେବଳ ଲଞ୍ଚଚାଳକ ଖଣ୍ଡେ ଚିଠି ଅବସର ପ୍ରାପ୍ତ ବିଚାରପତିଙ୍କ ହାତକୁ ଦେଇ ଫେରିଗଲା ।

 

ଚିଠିରେ ଲେଖାଥିଲା;–

 

ଭଦ୍ରବୃନ୍ଦ,

 

କେତେକ ଅସୁବିଧାରୁ ଯାଇ ପାରିଲିନି ସେଥିପାଇଁ କ୍ଷମା ଦେବେ, ତେବେ ଆପଣମାନଙ୍କର କୌଣସି ଅସୁବିଧା ହେବନି । କୋଠିରେ ସମସ୍ତ ଜିନିଷ ରଖାଯାଇଚି । ଆଉ ସାଙ୍ଗରେ ଖାନସାମା, ପରିଚାରିକା ଏବଂ ଦରୁଆନ୍ ଅଛନ୍ତି । ସେମାନେ ଆପଣମାନଙ୍କର ସମସ୍ତ ସୁବିଧା ଦେଖିବେ । ଖୁବ୍‍ ଶୀଘ୍ର କାମସାରି ମୁଁ ଆପଣମାନଙ୍କ ସାଙ୍ଗେ ଯାଇ ଦେଖା କରିବି । ଆପଣମାନେ ମାତ୍ର ଦଶଦିନ ଅପେକ୍ଷା କରିବେ ।

 

। ଇତି ।

ଆପଣମାନଙ୍କର

ସୁରଥ ସାମନ୍ତ

 

କିଏ ଏ ସୁରଥ ସାମନ୍ତ ? ଏମିତି ଅଜଣା ଭାବରେ ନିମନ୍ତ୍ରଣ କରିଆଣି ନିଜେ ଅନୁପସ୍ଥିତ ରହିବାର କାରଣ କଣ ? ସମସ୍ତଙ୍କ ମନରେ ଏଇ ପ୍ରଶ୍ନ ଉଠୁଚି । ଶେଷରେ ଅବସର ପ୍ରାପ୍ତ ବିଚାରପତି ବୀରେନ୍ଦ୍ର ବର୍ମା କହିଲେ, ‘‘ଆସିଚେ ଯେତେବେଳେ ଆଉ ଭାବିବାର କଣ ଅଛି ? ଏଇଟା ହୁଏତ ଆସିବା ପୂର୍ବରୁ ଭାବିବାର ଥିଲା ।’’

 

ଦରୁଆନ କାମରେ ନିଯୁକ୍ତି ପାଇଥିବା କିରଣ ସିଂ ଆଉ ଅରୁଣ ସିଂ ନିଜର ବନ୍ଧୁକଟିମାନ ସାଙ୍ଗରେ ଆଣିଥାଆନ୍ତି । ସେଇ ସାହସ ଧରି ସେମାନେ କହିଲେ, ‘‘କିଛି ଭାବିବାର ନାହିଁ, ଆମ ହାତରେ ବନ୍ଧୁକ ଅଛି ।

 

ସମସ୍ତେ ଆଗେଇ ଗଲେ କଳାକୋଠି ଭିତରକୁ । ଖୁବ୍‍ ସୁନ୍ଦର ସାଜସଜ୍ଜା । ମାଲିକ ବୋଧହୁଏ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ସୁବିଧା ପାଇଁ ସବୁପ୍ରକାର ବ୍ୟବସ୍ଥା କରି ରଖିଚନ୍ତି । ବୈଠକ ଘରେ ସମସ୍ତ ବସି ବିଚାର କରୁଚନ୍ତି, ନିଶ୍ଚୟ ମାଲିକଙ୍କର କୌଣସି ଅସୁବିଧାରୁ ଉପସ୍ଥିତ ହେବା ସମ୍ଭବ ହୋଇନି ।

 

ବିଚାର ଶେଷ ହେବା ଆଗରୁ କିଏ ସେମିତ ଦୃଢ଼ ସ୍ୱରରେ କହିଉଠିଲା;–

 

ବିଚାର ଦରକାର ! ହତ୍ୟାକାରୀର ବିଚାର ଦରକାର !

 

ବିଶେଷ କାରଣରୁ ଆଜି ତୁମମାନଙ୍କୁ କଳାକୋଠିକୁ ନିମନ୍ତ୍ରଣ କରି ଆଣି ଏଭଳି ଦଶଦିନ ରହିବାକୁ ବାଧ୍ୟ କରାଯାଇଚି । ପଳାଇଯିବାର ଉପାୟ ନାହିଁ, ଚାରିପଟେ ସମୁଦ୍ର ।

 

ପ୍ରତିଦିନ ତୁମମାନଙ୍କ ମଧ୍ୟରୁ ଜଣ ଜଣଙ୍କର ବିଚାର କରାଯିବ । ଦଶମଦିନ ପ୍ରାଇଭେଟ୍‍ ଡିଟେକ୍‍ଟିଭ୍‍ ଅମୂଲ୍ୟ କୁମାର ମହାନ୍ତି ନଅଟି ଶବ ଧରି ପୁଣି ମୋଟର ଲଞ୍ଚରେ ଫେରିବେ ।

 

ଏଥର ଶୁଣ, ତୁମମାନଙ୍କୁ ଏଭଳି ଶାସ୍ତି କାହିଁକି ଦିଆଯିବ !

 

ଶୁଣ ଯୁବକ ଜମିଦାର ଶୈଳ କୁମାର, ତୁମର ମୋଟର ଚଳାଇବାର ଉନ୍ମାଦ ନିଶାର ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି, ତୁମେ ଟଙ୍କା ଜୋର୍‍ ରେ ସେ ସବୁ ଚାପିଦେଇ ପାରିଚ । କିନ୍ତୁ ମୋ ବିଚାରରେ ଏତେଗୁଡ଼ିଏ ପ୍ରାଣବିନିମୟରେ ତୁମକୁ ମୃତ୍ୟୁବରଣ କରିବାକୁ ପଡ଼ିବ ।

 

ବିଚାରପତି ବୀରେନ୍ଦ୍ର ବର୍ମା, ତୁମର ନିଶ୍ଚୟ ମନେଥିବ, ସେଦିନ ତୁମେ ଗୋଟିଏ ନିରପରାଧ ଯୁବକକୁ ଫାଶୀ ଦେଇଚ । ତାର ଏକମାତ୍ର କାରଣ ସେ ତୁମର କନ୍ୟା ବନଜାକୁ ଭଲ ପାଉଥିଲା ।

 

ପରିଚାରିକା ଉର୍ବଶୀ, ତୁମେ ତୁମର ଜଣେ ପ୍ରେମିକକୁ ଚା’ ସଙ୍ଗେ ବିଷ ମିଶାଇ ହତ୍ୟା କରିଥିବା ଅବଶ୍ୟ ଭୁଲି ନଥିବ ।

 

ଆଉ କଳ୍ପନା ଦେବୀ ତୁମେ ନିଜକୁ ବଜାରରେ ନିଷ୍ପାପ ଭାବେ ବିକିବା ପାଇଁ ଅନେକ ଭୃଣ ହତ୍ୟା କରିଚ ।

 

ବନ୍ଧୁ ପୋଲିସ ଇନସ୍‍ପେକ୍ଟର, ତୁମେ ତୁମର ସ୍ତ୍ରୀକୁ ଭଲ ପାଇଥିବା ଗୋପାଳ ଦାସକୁ ଶିକାର କରିବା ଛଳରେ ଜଙ୍ଗଲ ଭିତରକୁ ନେଇ ନିଜେ ଗୁଳି କରି ମାରିଚ ।

 

କିରଣ ଆଉ ଅରୁଣ ସିଂ, ତୁମେମାନେ ତୁମର ସହକର୍ମୀ ବିରୁଦ୍ଧରେ ମିଥ୍ୟା ସାକ୍ଷଦେଇ ତାକୁ ମାର୍ଶାଲ ନିୟମାନୁଯାୟୀ ଶାସ୍ତି ଦିଆଇଥିଲ ।

 

ଖାନାସାମା ମହମ୍ମଦ ଅଲ୍ଲି, ରହିମା ବିବି, ତୁମେ ଦୁହେଁ ଟଙ୍କା ଲୋଭରେ ପୂର୍ବର ମାଲିକଙ୍କୁ ବିଷ ଖୁଆଇ ମାରିଚ ।

 

ଆଇନ ବଳରେ ତୁମେ ଫାଙ୍କିଦେଲେ ମଧ୍ୟ ନିୟତିକୁ ଫାଙ୍କି ପାରୁନ, ସେଥିପାଇଁ ଏ କଳାକୋଠିରେ ତୁମମାନଙ୍କର ଶେଷ ବିଚାର ହେବ ।

 

ହଠାତ୍‍ ଶବ୍ଦ ବନ୍ଦ ହୋଇଗଲା ।

 

ସମସ୍ତେ ଆଶ୍ଚର୍ଯ୍ୟ, କାହାରି ମୁହଁରୁ କଥା ବାହାରୁନି । ଏମାନେ କଣ ଶୁଣୁଚନ୍ତି ? କୋଉଠୁ ଏ ଶବ୍ଦ ଆସୁଚି ? ଏମାନେ ଆସି କଣ କୌଣସି ଉନ୍ମାଦ ହାତରେ ପଡ଼ିଚନ୍ତି ନା କଣ ?

 

ଅବସରପ୍ରାପ୍ତ ବିଚାରପତି ବୀରେନ୍ଦ୍ର ବର୍ମା କହିଲେ, ‘‘ମୋର ମନେହେଉଚି ପାଖ ଘରୁ ଏ ଶବ୍ଦଟା ଶୁଣାଯାଉଚି ।’’

 

–‘‘ହଁ, ମି: ବର୍ମା, ପାଖଘରେ ଥିବା ଗ୍ରାମଫୋନଟା ମୁଁ ବଜାଉଥିଲି ।’’ କହି କହି ପାଖ ଘର ଭିତରୁ ଯୁବକ ଜମିଦାର ଶୈଳକୁମାର ବାହାରି ଆସିଲେ ।

 

–‘‘ତମେ ? ଆଉ ଗ୍ରାମଫୋନ ?’’

 

ବିସ୍ମିତ ଭାବରେ ସମସ୍ତେ ପଚାରିଲେ ।

 

ଶୈଳକୁମାର କହିଲେ, ‘‘ମୋତେ ନିମନ୍ତ୍ରଣ କରାଯାଇଥିବା କାର୍ଡ଼ରେ ନିର୍ଦ୍ଦେଶ ଥିଲା–କୋଠରି ପହଞ୍ଚିବା ମାତ୍ରେ ଦୟାକରି ପାଖ ଘରେ ରଖାଯାଇଥିବା ଗ୍ରାମଫୋନଟି ବଜାଇବେ । ମୁଁ କଣ ଜାଣେ ୟା ମଧ୍ୟରେ ଏମିତି ଗୋଟାଏ କିଛି ଅଛି ବୋଲି !

 

ଅମୂଲ୍ୟବାବୁ କହିଲେ, ‘‘ଆପଣଙ୍କ କାର୍ଡ଼ଟା ଦୟାକରି ଦେଖାଇବେ କି ?

 

ଶୈଳବାବୁ ପକେଟ ଭିତରୁ କାର୍ଡ଼ଟା କାଢ଼ି ଅମୂଲ୍ୟବାବୁଙ୍କ ହାତରେ ଦେଲେ ।

 

ସମସ୍ତେ କାର୍ଡ଼ ପଢ଼ିବାରେ ବ୍ୟସ୍ତ ହେଲେ । ଶେଷରେ ମି: ବର୍ମା କହିଲେ, ‘‘ଚାଲନ୍ତୁ ପାଖ ଘରଟା ଟିକିଏ ଦେଖିନେବା ।’’

 

ଅତିଥିମାନେ ପାଖ ଘରକୁ ଆଗେଇ ଗଲେ ଏବଂ ଘର ଭିତରେ ଥିବା ଗ୍ରାମଫୋନ ପୁଣି ଥରେ ବଜାଇ ଦିଆଗଲା ।

 

ସଙ୍ଗେ ସଙ୍ଗେ ଶୁଣାଗଲା–ବିଚାର ଦରକାର ! ହତ୍ୟାକାରୀର ବିଚାର ଦରକାର !

 

କଳ୍ପନା ଦେବୀ ଚିତ୍କାର କରି ଉଠିଲେ, ‘‘ବନ୍ଦ କରନ୍ତୁ ! ବନ୍ଦ କରନ୍ତୁ ଗ୍ରାମଫୋନଟା !’’

 

ସଙ୍ଗେ ସଙ୍ଗେ ଗ୍ରାମଫୋନ ବଜାଇବା ବନ୍ଦ କରି ଦିଆଗଲା । ସମସ୍ତଙ୍କ ମୁହଁରେ ଫୁଟି ଉଠିଲା କେମିତି ଗୋଟାଏ ଉଦ୍‍ ବେଗର ଛାୟା ।

 

ପୃଥିବୀ ବକ୍ଷରେ ଗୋଧୂଳିର ଛାୟା ।

 

ଅତିଥିମାନଙ୍କୁ ଚା’ ଦିଆଗଲା । ଉର୍ବଶୀ ପଟରୁ ଚା’ ଢାଳି ସମସ୍ତଙ୍କୁ ପରିବେଷଣ କଲା-। ତା’ପରେ ନିଜେ ଚା’ ନେଇ ପିଇବାକୁ ଆରମ୍ଭ କଲା ।

 

ହଠାତ୍‍ ଯୁବକ ଜମିଦାର ଶୈଳ କୁମାର ଚେୟାର ଉପରେ ଲୋଟି ପଡ଼ିଲେ । ସମସ୍ତେ ବ୍ୟସ୍ତ ହୋଇ ତାଙ୍କ ଚେୟାର ପାଖକୁ ଉଠିଗଲେ । ସେତେବେଳକୁ ଶୈଳ କୁମାରଙ୍କ ପ୍ରାଣ ଅନନ୍ତ ଶୂନ୍ୟରେ ମିଶିଯାଇ ସାରିଥିଲା ।

 

ଶୈଳ କୁମାରଙ୍କର ମୃତ୍ୟୁ–ସମସ୍ତଙ୍କ ବକ୍ଷରେ ଆତଙ୍କର ମଳିନଛାୟା ଯେମିତି ଘନୀଭୂତ ହୋଇଗଲା, ଦେଖୁ ଦେଖୁ କଞ୍ଚା ମଣିଷଟା ଆଖି ଆଗରେ ମରିଗଲା !

 

କିନ୍ତୁ କେମିତି ? ତେବେ କଣ ଚା’ ସଙ୍ଗେ ବିଷ ମିଶା ଯାଇଥିଲା ? କିନ୍ତୁ ତା କେମିତି ସମ୍ଭବ ହେବ ! ଗୋଟାଏ ପଟ୍‍ରୁ ସମସ୍ତଙ୍କୁ ତ ପୁଣି ଚା’ ଢାଳି ଦିଆଯାଇଥିଲା ।

 

ମହମ୍ମଦ୍‍କୁ ଡକା ଗଲା ।

 

ମି: ବର୍ମା ପଚାରିଲେ, ‘‘ତୁମେ ନିଶ୍ଚୟ ଜାଣ ବିଷ କେଉଁଠୁ ଆସିଲା, କପ୍‍ ରେ ନିଶ୍ଚୟ ବିଷ ଥିଲା !’’

 

–‘‘ଖୋଦାଙ୍କ କସମ୍‍ ହଜୁର, ମୁଁ ଏ ବିଷୟ କିଛି ଜାଣେନି !’’

 

ମହମ୍ମଦ୍‍ର ନିର୍ଦ୍ଦୋଷତା ସ୍ପଷ୍ଟ ଜଣା ପଡ଼ୁଥିଲା ।

 

ତେବେ କିଏ ସେ ଅଦୃଶ୍ୟ ଆତତାୟୀ ? ତାର ଦେଖା ନାହିଁ; ଅଥଚ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରେଇଲା ।

 

ଗୋଟାଏ ଅଜଣାର ଭୟରେ ସମସ୍ତେ ଆଚ୍ଛନ୍ନ ହୋଇ ପଡ଼ିଲେ ।

 

ଅମୂଲ୍ୟବାବୁ କହିଲେ, ‘‘ଦେଖନ୍ତୁ, ଏ ଶବ ଏଣିକି ମୋ ତତ୍ତ୍ୱାବଧାନରେ ରଖାଯିବ, ହୁଏତ କିଛି ଯଦି ଜଣା ପଡ଼େ–ତାଛଡ଼ା ଏଠାରେ ଶବର କୌଣସି ଉପଯୁକ୍ତ ବ୍ୟବସ୍ଥା କରାଯାଇପାରୁନି । ଗୋଟାଏ ବଖରାରେ ଶବ ରଖାଯାଉ ଏବଂ ସେ ବଖରା ମୋ ବ୍ୟତୀତ ଅନ୍ୟମାନଙ୍କ ପାଇଁ ବନ୍ଦ ରହିବ, ଅବଶ୍ୟ ଏଥିରେ ଆପଣମାନେ ଏକମତ ହେବେ ।’’

 

ଅମୂଲ୍ୟବାବୁଙ୍କ ପ୍ରସ୍ତାବରେ କେହି ପ୍ରତିବାଦ କଲେନି, ସମସ୍ତେ ମିଶି ଶୈଳ କୁମାରଙ୍କ ଶବକୁ ଗୋଟାଏ ନିର୍ଜନ ବଡ଼ କୋଠରି ମଧ୍ୟରେ ରଖିଦେଲେ ।

 

କଳ୍ପନା ଦେବୀ କହିଲେ, ‘‘ତାହେଲେ ଆମମାନଙ୍କ ମଧ୍ୟରୁ ଜଣକର ସଂଖ୍ୟା କମିଲା !

 

ସମସ୍ତେ ନିଜ ନିଜ ଭିତରେ କଳରବ କରି ଉଠିଲେ । ପ୍ରତ୍ୟେକେ ଗୋଟାଏ ଗୋଟାଏ କଥା କହିବାକୁ ଇଚ୍ଛା କରୁଚନ୍ତି; କିନ୍ତୁ କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହଁ ।

 

ଜୀବନରାଜ୍ୟରେ ମୃତ୍ୟୁର ଛାୟା ଦେଖା ଦେଇଚି; ତେଣୁ ଏଇ ରହସ୍ୟମୟ ପରିବେଶ ସହିତ ମୃତ୍ୟୁର ସଂସ୍ପର୍ଶ ଦେ୍ଖି ସମସ୍ତେ ବିମୂଢ଼ ହୋଇ ପଡ଼ିଚନ୍ତି ।

 

ହଠାତ୍‍ ବାହାରେ ଗୋଟାଏ ଅସ୍ଫୁଟଶବ୍ଦ ଶୁଣାଗଲା । ସମସ୍ତେ ବାହାରକୁ ଛପଟି ଆସିଲେ । ଅବସରପ୍ରାପ୍ତ ପୋଲିସ ଇନସ୍‍ପେକ୍ଟର ଅଚେତ ହୋଇ ପଡ଼ିଚନ୍ତି ।

 

ଶୀତଳ ଉପଚାର କରିବା ପରେ ତାଙ୍କର ଜ୍ଞାନ ଫେରି ଆସିଲା । ଉର୍ବଶୀ ପଚାରିଲା, ‘‘ହଠାତ୍ ଆପଣଙ୍କର କଣ ହେଲା ସାର୍ ?’’

 

ଅବସରପ୍ରାପ୍ତ ପୋଲିସ ଇନସ୍‍ପେକ୍ଟର କହିଲେ, ‘‘ଶୈଳ ବାବୁଙ୍କ ମୃତ୍ୟୁ ପରେ ମୁଁ ଘଟଣାଟାକୁ ବିଚାର କରିବା ପାଇଁ ବାହାରକୁ ଆସିଥିଲି, କିଛି ସିଦ୍ଧାନ୍ତ କରିବା ଆଗରୁ ହଠାତ୍‍ ମୁଣ୍ଡଟା ଚକର୍‍ ମାରିନେଲା ପରି ଜଣାଗଲା, ତାପରେ କଣ ହେଇଚି ମୁଁ ଜାଣେନି ।’’

 

ଅମୂଲ୍ୟବାବୁଙ୍କ ପରାମର୍ଶରେ ତାଙ୍କୁ ଧରାଧରି କରି ନେଇ ଗୋଟାଏ ଖଟ ଉପରେ ଶୁଆଇ ଦିଆଗଲା ।

 

ବୀରେନ୍ଦ୍ର ବର୍ମା କହିଲେ, ‘‘ସେ କିଛି ନୁହେଁ, ଭାବନା ଜୋର୍‍ ହେଲେ ଏମିତି ହୋଇଥାଏ-। ପୂରା ବିଶ୍ରାମ ପାଇଲେ ସୁସ୍ଥ ହୋଇଯିବେ, ଆରେ–କଳ୍ପନା ଦେବୀ ! ଆପଣ ଏତେ ଭାଙ୍ଗି ପଡ଼ୁଚନ୍ତି କାହିଁକି–ନା, ନା ଆମର ଭୟ କରିବାର କଣ ଅଛି ? ବିଖ୍ୟାତ ପ୍ରାଇଭେଟ ଡିଟେକ୍‍ଟିଭ୍‍ ଅମୂଲ୍ୟବାବୁ ଯେତେବେଳେ ଅଛନ୍ତି....’’

 

–‘‘କିନ୍ତୁ ଶୈଳ ବାବୁ ଯେ ଚାଲିଗଲେ, ୟା ପଛରେ ଯେ କଳାକୋଠିର ରହସ୍ୟ ନାହିଁ–ଏକଥା କେମିତି ବିଶ୍ୱାସ କରାଯାଇପାରେ ?’’

କଳ୍ପନା ଦେବୀ ମି: ବର୍ମାଙ୍କୁ ପଚାରିଲେ ।

ମି: ବର୍ମା କହିଲେ, ‘‘ଗୋଟାଏ ଆକସ୍ମିକ କିଛି ହେଇଯାଇଚି, ହୁଏତ ଶୈଳବାବୁ ବିବ୍ରତ ହୋଇ ହାର୍ଟଫେଲ କରି ପାରି ଥାଆନ୍ତି–ଏଥିରେ ଭାବିବାର ବା ଭୟ କରିବାର କଣ ଅଛି ? ଧୈର୍ଯ୍ୟର ସହିତ ଏଠି କେତେଟା ଦିନ କଟେଇ ଯିବାକୁ ହେବ; ଆସି ଯାଇଚେ ଯେତେବେଳେ ସେତେବେଳେ ଏତେ ଦୁର୍ବଳ ହୋଇ ପଡ଼ିବା ଉଚିତ ନୁହେଁ ।’’

ସମସ୍ତେ ନିର୍ବାକ । ବର୍ତ୍ତମାନ ସେମାନଙ୍କୁ ନୈଶ ଭୋଜନ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ-। ରହିମା ବିବି ସାଙ୍ଗରେ ମହମ୍ମଦ ରୋଷେଇ ବଖରାଆଡ଼େ ଆଗେଇଗଲା ।

ପରଦିନ ନିତ୍ୟକର୍ମ ଶେଷ କରି ସମସ୍ତେ ଯେତେବେଳେ ଚା’ ଟେବୁଲରେ ଏକାଠି ହେଲେ, ସେତେବେଳେ ଦେଖାଗଲା ଅବସରପ୍ରାପ୍ତ ପୋଲିସ ଇନସ୍‍ପେକ୍ଟର ଦେଖା ନାହାନ୍ତି ।

ପୂର୍ବଦିନ ସେ ଯେ ଅସୁସ୍ଥ ହୋଇ ପଡ଼ିଥିଲେ ଏକଥା ମନେପଡ଼ିବାମାତ୍ରେ ସେ ଶୋଇଥିବା ବଖରା ଆଡ଼େ ସମସ୍ତେ ଆଗେଇ ଗଲେ । ଘରର ଦ୍ୱାର ଖୋଲା ଥିଲା । ବିଛଣା ଉପରେ ଅବସରପ୍ରାପ୍ତ ପୋଲିସ ଇନସ୍‍ପେକ୍ଟର ଶୋଇ ରହିଛନ୍ତି ।

ମି: ବର୍ମା ତାଙ୍କୁ ଉଠାଇ ଦେବା ପାଇଁ ଯେମିତି ତାଙ୍କ ଦେହରେ କର ସ୍ପର୍ଶ କରିଚନ୍ତି–ସେମିତି ଚମକି ଉଠିଲେ । ଅକସ୍ମାତ୍‍ ତାଙ୍କ ମୁହଁରୁ ବାହାରି ପଡ଼ିଲା ‘‘ହ୍ୱାଟ୍ !’’

ସମସ୍ତେ ବିଛଣା ଆଡ଼େ ଆଗେଇ ଆସିଲେ, ଅବସରପ୍ରାପ୍ତ ପୋଲିସ ଇନସ୍‍ପେକ୍ଟର ସେତେବେଳକୁ ସଂସାରରୁ ସବୁଦିନ ପାଇଁ ବିଶ୍ରାମ ନେଇ ସାରିଥିଲେ ।

ତାହାହେଲେ ଅଦୃଶ୍ୟ ଆତତାୟୀ ତାର ପ୍ରସ୍ତାବିତ ପନ୍ଥାର ଆଉ ଗୋଟିଏ ସୋପାନ ନିଶ୍ଚୟ ଅତିକ୍ରମ କରି ସାରିଚି !

ବିଷାଦର ଘନଛାୟା ଯେମିତି କଳାକୋଠିକୁ ଆହୁରି ବିଭୀଷିକାମୟ କରି ଦେଲା, ଅମୂଲ୍ୟବାବୁ ଆଗକୁ ଆସି ଦେଖିଲେ କାନ୍ଥ ଦେହରୁ ଖଣ୍ଡେ ତାର ଖଟ ଉପରକୁ ଝୁଲି ପଡ଼ିଚି । ସେ କହିଲେ, ‘‘ଆତତାୟୀ ନିଶ୍ଚୟ ବିଦ୍ୟୁତ ଧକ୍‍କା ଦେଇ ବନ୍ଧୁଙ୍କୁ ହତ୍ୟା କରିଚି ।’’

ସମସ୍ତଙ୍କ ମୁହଁରୁ ଏକସଙ୍ଗେ ବାହାରି ଆସିଲା, ‘‘କିଏ ସେ ଆତତାୟୀ ?’’

ମି: ବର୍ମା ଅମୂଲ୍ୟବାବୁଙ୍କ ଆଡେ ଚାହିଁ କହିଲେ, ‘‘ମି: ମହାନ୍ତି, ଆମେ ଭରସା କରିଥିଲୁ ଆପଣଙ୍କ ପରି ଜଣେ ବିଖ୍ୟାତ ଡିଟେକ୍‍ଟିଭ୍‍ ଥାଉ ଥାଉ ଆମର କୌଣସି ଅସୁବିଧା ହେବନାହିଁ; ମାତ୍ର ଯାହା ଦେଖା ଗଲାଣି.....’’

–‘‘କ୍ଷମା କରିବେ ମି: ବର୍ମା, ଆପଣ ଯେତେଟା ମୋଠାରୁ ଆଶା କରୁଚନ୍ତି ସେତେଟା ସାହାଯ୍ୟ କଲାଭଳି ସମ୍ବଳ ମୋର ନାହିଁ । ତେବେ ମୋର ବିଶ୍ଵାସ ଯଦି କେହି ଆତତାୟୀ ଥାଏ ତେବେ ନିଶ୍ଚୟ ମୁଁ ତାକୁ ଧରିବି । ତା ନ ହୋଇ ଯଦି କୌଣସି ଆକସ୍ମିକ କିମ୍ବା ପ୍ରାକୃତିକ ମୃତ୍ୟୁବରଣ କରିବାକୁ ପଡ଼ୁଥାଏ...’’

–‘‘ଆପଣ କଣ କହୁଚନ୍ତି ଦୁଇଜଣଯାକଙ୍କର ମୃତ୍ୟୁ ମୂଳରେ କୌଣସି ଆକସ୍ମିକ ବା ପ୍ରାକୃତିକ ସମ୍ବନ୍ଧ ରହିଚି ?’’

 

–‘‘ନହେବାର ବା କୋଉ ଦୃଢ଼ ପ୍ରମାଣ ଅଛି ଯେ ? ଏଇ ଧରନ୍ତୁ ଆପଣ ଯେ କହିଲେ–ଶୈଳବାବୁ ବିବ୍ରତ ହୋଇ ହାର୍ଟଫେଲ୍‍ କରି ପାରି ଥାଆନ୍ତି–ସେମିତି ମୁଁ ଯଦି କହେ–ଏ ଘରେ ୱାରିଙ୍ଗ କଲାବେଳେ ହୁଏତ ଏଠାରେ ଯୋଡ଼େଇ ଦରଜ ଥିଲା ଏବଂ ସେଇ ଯୋଡ଼େଇ ଛିଣ୍ଡିଯିବା ଫଳରେ ସଟ୍‍ଲାଗି ଏ ମୃତ୍ୟୁ ହେଇଚି ?’’

 

କିଛି ସମୟ ଚୁପ୍‍ ରହିବା ପରେ ମି: ବର୍ମା କହିଲେ, ‘‘ହଁ ତା ବି ହୋଇପାରେ; କାରଣ ଅନ୍ୟମାନଙ୍କ ବ୍ୟତୀତ ଏଠାରେ ଅନ୍ୟ ଲୋକ ନଥିବାବେଳେ କଣ ବା ସନ୍ଦେହ କରାଯାଇପାରେ-?’’

 

ଉର୍ବଶୀ ଆଗକୁ ଆସି କହିଲା, ‘‘ମୋ ଛୋଟ ବୁଦ୍ଧିକୁ ଯାହା ଦେଖାଯାଉଚି ଆଉ ଏ ନିର୍ଜ୍ଜନ ଦ୍ଵୀପଟାରେ ରହିବାଟା ଭଲ ହେବନି । ଯେତେ ଶୀଘ୍ର ଏଠାରୁ ଫେରି ହେବ ସେତିକି ମଙ୍ଗଳ-।’’

 

ଉର୍ବଶୀ କଥା ଶୁଣି ଅମୂଲ୍ୟବାବୁ ହୋ–ହୋ ହୋଇ ହସିଉଠି କହିଲେ; ‘‘କିନ୍ତୁ ଦଶଦିନ ଆଗରୁ ଆମେ ଏଠାରୁ ଫେରି ପାରୁନେ । ତ ଆଗରୁ କୌଣସି ଯାନ ଆମକୁ ନେବାକୁ ଆସୁନି ଯେ–’’

 

–‘‘ତା’ହେଲେ ଆମେ ଅଦୃଶ୍ୟ ଆତତାୟୀର ନିର୍ଦ୍ଦେଶତ ଦଣ୍ଡଗ୍ରହଣ ପାଇଁ ବାଧ୍ୟ ।’’

 

ଉଦ୍‍ଗ୍ରୀବ ହୋଇ କଳ୍ପନାଦେବୀ ପଚାରିଲେ ।

 

ମି: ବର୍ମା କହିଲେ, ‘‘ତା ଯଦି ହେବାର ଥାଏ ନିଶ୍ଚୟ ହେବ କଳ୍ପନାଦେବୀ । ଭୁଲ ଯେତେବେଳେ କରି ସାରିଚେ ସେତେବେଳେ ଆଉ ଭାବିବାର କଣ ଅଛି ? ତେବେ ଆମେ ଏତେଟା ଦୁର୍ବଳ ହେବାର କିଛି ମାନେ ନାହିଁ, ପ୍ରତ୍ୟେକେ ପ୍ରତ୍ୟେକର ସମୟ ଅପେକ୍ଷାରେ ବରଂ ଦୃଢ଼ ରହିବା ଉଚିତ ।’’

 

‘‘ଆପଣ ବି ଏଇୟା କହୁଛନ୍ତି ଅମୂଲ୍ୟବାବୁ ?’’

 

‘‘ଦେଖନ୍ତୁ କଳ୍ପନାଦେବୀ, ଏପର୍ଯ୍ୟନ୍ତ ମୁଁ କିଛି ସ୍ଥିର କରି ପାରିନି । ତେବେ ଶବଟା ଶୈଳବାବୁଙ୍କ ଶବ ଥିବା ଘରେ ରଖି ଦିଆଯାଉ । ମୋର ବିଶ୍ୱାସ ଏଇଟା ଯଦି ପ୍ରାକୃତିକ ନହୋଇ କୌଣସି ଆତତାୟୀର କାମ ହୋଇଥାଏ ତାହାଲେ ମୁଁ ନିଶ୍ଚୟ ତାକୁ ଧରିବି । ଦୁଇଥର ଏକଥା ମୋର କହିବାର ଅର୍ଥ ହେଲା, ଆପଣମାନେ ଏ ବିଷୟରେ ମୋଠାରୁ ଅଧିକା କିଛି ଆଶା କରନ୍ତୁନି; କାରଣ ଆପଣମାନଙ୍କ ପରି ମୁଁ ମଧ୍ୟ ଜଣେ ଅତିଥି ।’’

 

ମି: ବର୍ମା କହିଲେ, ‘‘ମି: ମହାନ୍ତିଙ୍କୁ ଆଉ ବିରକ୍ତ କରିବା ଉଚିତ ନୁହେଁ, ହୁଏତ ସେ ଏ ବିଷୟରେ ବିଶେଷ କିଛି କହିବାକୁ ରାଜି ନୁହନ୍ତି ।’’

 

‘‘ନା, ନା, ମି: ବର୍ମା, ଆପଣ ମୋତେ ଅନ୍ୟ ଅର୍ଥରେ ନିଅନ୍ତୁନି । ମୁଁ ବିରକ୍ତ ଆଦୌ ହେବିନି । ଆପଣ ଜାଣନ୍ତି ମୁଁ ଏଠାକୁ ଗୋଇନ୍ଦାଗିରି କରିବାକୁ ଆସିନି, ସମସ୍ତଙ୍କ ପରି ମୁଁ ମଧ୍ୟ ଗୋଟାଏ ଭୁଲ୍‍ ବିଶ୍ଵାସରେ ଏଠାକୁ ଚାଲି ଆସିଚି–ସେ ଭୁଲ ପାଇଁ ମୋତେ ବି ବ୍ୟର୍ଥ ଅନୁତାପ କରିବାକୁ ପଡ଼ୁଚି ।’’

ଉର୍ବଶୀ କହିଲା, ‘‘ଏ କୋଠିଟା ସର୍ଚ୍ଚ କଲେ କେମିତି ହୁଅନ୍ତା ?’’

ସାମାନ୍ୟ ହସି ଅମୂଲ୍ୟବାବୁ କହିଲେ, ‘‘ସେ କାମ ମୁଁ ଶେଷ କରିସାରିଚି, ମାତ୍ର ସନ୍ଦେହ କଲାଭଳି କୌଣସି ବିନ୍ଦୁ ମଧ୍ୟ ମୋ ବିଚାର ବା ଦୃଷ୍ଟିରେ ପଡ଼ିଲାନି ।’’

ସିଗାରେଟରେ ନିଆଁ ଧରୋଉ ଧରୋଉ ମି: ବର୍ମା କହିଲେ, ‘‘ଓ–ଆପଣ ତେବେ ସେଥିପାଇଁ କହୁଚନ୍ତି କେଶ ଗୁଡ଼ା ଆକସ୍ମିକ ?’’

–‘‘ଠିକ୍‍ ତ ସେଇୟା, ତେବେ ଏ ବିଷୟରେ ଅଧିକା ଚର୍ଚ୍ଚା କରି କିଛି ମୂଲ୍ୟ ନାହିଁ, ଶବଟାକୁ ଶୈଳବାବୁଙ୍କ ଶବ ଥିବା ଘରକୁ ଉଠାଇ ନେଲେ ଭଲ ହେବ । ଧରନ୍ତୁ, ମୁଁ ବି ସାହାଯ୍ୟ କରୁଚି ।’’

ସାହାଯ୍ୟ କରିବା ଦରକାର ପଡ଼ିଲାନି; କିରଣ ଆଉ ଅରୁଣ ସିଂ ଶବଟାକୁ ଉଠାଇ ନେଇ ଶୈଳବାବୁଙ୍କ ଶବଥିବା ଘରେ ରଖିଦେଇ ଆସିଲେ ।

ସେଇଦିନ ରାତି ଗୋଟାଏ । ଖଣ୍ଡେ ଧୂସର ବାଦଲ ଉଠି ଆକାଶଟାକୁ ଏକାବେଳେ କଳା କରିଦେଇଚି–ରାତିଟା ହେଇ ଉଠିଚି ଗାଢ଼ । କଳାକୋଠିର ରୂପ ଯେମିତି ତାରି ଭିତରେ ହଜି ଯାଇଚି । ପାଖରେ ଯେ ବାଲୁକା ଶେଯ ଆଉ ଅଦୂରରେ ସମୁଦ୍ର ସେ ସବୁ ବର୍ତ୍ତମାନ କଳନା କରିବା ସମ୍ଭବ ନୁହେଁ ।

ଚିକ୍‍କଣ ବାଲି ଶେଯ ଚକଟି ଆଗେଇ ଚାଲିଚି ଗୋଟାଏ ଛାୟା । ସେ ଛାୟା ଚାହୁଁଚି ସମଗ୍ର ଦ୍ଵୀପଟାର ବାଲିଶେଯକୁ ଦଳି ଚକଟି କଣ ଯେମିତି ଗୋଟାଏ ବାହାର କରିଦେବାକୁ । କାନ୍ଧରେ ନିଶ୍ଚୟ ସେଇଟା ବନ୍ଧୁକ–ପ୍ରସ୍ତୁତ ବି ରହିଚି । ଆବଶ୍ୟକ ହେଲେ ସେଇଟା ଛାୟା ମୂର୍ତ୍ତି ସଙ୍ଗେ ସଙ୍ଗେ କାମରେ ଲଗେଇଦେବ ।

କେତେ ସମୟ ଧରି ଛାୟାମୂର୍ତ୍ତିଟା ଘୁରି ବୁଲିଚି ତାର କିଛି ଠିକଣା ନାହିଁ । କୌଣସି ସହର ବଜାର ହୋଇଥିଲେ ପିଟା ଘଣ୍ଟାର ଧ୍ୱନି ଜଣେଇ ଦିଅନ୍ତାଣି ଯେ ଦିନ ହେବାକୁ ମାତ୍ର ଆଉ ଘଣ୍ଟାଏ ବା ଦେଢ଼ ଘଣ୍ଟା ବାକି ରହିଚି ।

ହଠାତ୍‍ କଳାକୋଠିର କାନ୍ଥରେ ମୁଣ୍ଡପିଟି ଉଠିଲା ଗୋଟାଏ ବିରାଟ ଧ୍ୱନି ।

ଗୁଡ଼ୁମ୍......

ବାହାରେ ଉଷାର ଆଗମନୀର ରଙ୍ଗ ଦେଖା ଦେଇ ସାରିଚି । ପତଳା ହେଇ ଆସିଥିବା ନିଦକୁ ଫିଙ୍ଗି ଦେଇ କଳାକୋଠିର ଅତିଥିମାନେ ଏକତ୍ରିତ ହେଲେ । ଅସ୍ଵାଭାବିକ ଗୋଟାଏ କିଛି ଘଟିଚି ।

ସମସ୍ତେ ଏକତ୍ରିତ ହେଲେ ସତ; କିନ୍ତୁ ଅରୁଣ ସିଂ କାହିଁ, ହଠାତ୍‍ କେମିତି ଗୋଟାଏ ଶବ୍ଦ ଆଉ ଅରୁଣ ସିଂର ଅନୁପସ୍ଥିତିରେ ସମସ୍ତେ ବିଚଳିତ ହୋଇ ଉଠିଲେ । କିଛି ସମୟ ବିବ୍ରତ ହେବାପରେ ସୂର୍ଯ୍ୟ ସମୁଦ୍ର କାନ୍ଥିରେ ମୁଣ୍ଡଟେକିଲେ । କେବଳ କଳାକୋଠି ନୁହେଁ ଯେତେଦୂର ଆଖିପାଏ ସେ ପର୍ଯ୍ୟନ୍ତ ସମସ୍ତେ ଖୋଜିବାକୁ ଲାଗିଲେ । ଆପଣଙ୍କର ଗୋଟାଏ ବିରାଟ ଛାୟା ଅତିଥିମାନଙ୍କ ମୁହଁରେ ଯେମିତି ଆସନ ପାତି ସାରିଚି ।

ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅମୂଲ୍ୟବାବୁ ଦେଖିଲେ କଳାକୋଠିର ପଛପଟେ ପ୍ରାୟ ଦୁଇଶହ ଗଜ ଦୂରରେ ବାଲିଉପରେ କିଏ ଜଣେ ଯେମିତି ଶୋଇଚି । ସଙ୍ଗେ ସଙ୍ଗେ ସଦଳ ବଳ ଧରି ସେଠାକୁ ଛୁଟିଗଲେ ।

ଏ କଣ...... !

 

ଅରୁଣସିଂ ମୁଣ୍ଡରେ ରକ୍ତର ଛିଟା–ଦେହଟା ବରଫା ପରି ଥଣ୍ଡା । ପ୍ରାଣ ହୁଏତ ଟିକିଏ ଆଗରୁ ଚାଲି ଯାଇଚି । ପାଖରେ ବନ୍ଧୁକଟା ପଡ଼ିଚି ।

 

ଅମୂଲ୍ୟବାବୁ ହଠାତ୍‍ କହିଉଠିଲେ, ‘‘ଆରେ ଲୋକଟା ଏଠାକୁ ଆସି ଆତ୍ମହତ୍ୟା କରି ବସିଲା କାହିଁକି ?’’

 

କିରଣ ସିଂ ପଚାରିଲା, ‘‘ସାହେବ ଜୀ, ଆପଣ କେମିତି ଜାଣିଲେ ଦୋସ୍ତ ଆତ୍ମହତ୍ୟା କରିଚି ବୋଲି–ନା, ନା, ଏଇଟା ନିଶ୍ଚୟ ଖୁଣ୍ !’’

 

ଅମୂଲ୍ୟବାବୁ ଗମ୍ଭୀର ହୋଇ କହିଲେ, ‘‘ମୁଁ ଜାଣେ କିରଣ ସିଂ ! ଏଇଟା ଯଦି ଖୁଣ୍‍ ହୋଇଥାଏ ତାହେଲେ ତାର ଖୁଣୀ ତୁମ ବ୍ୟତୀତ ଅନ୍ୟ କେହି ନୁହେଁ, କାରଣ ଗୋଟାଏ ଘରେ ତୁମେ ଦୁହେଁ ଶୋଇଥିଲ, ଅରୁଣ ସିଂ କାହିଁକି ବାହାରକୁ ଆସିଥିଲା ଆଉ ତା’ ହତ୍ୟା ପଛରେ ନିଶ୍ଚୟ ତୁମର ଉଦେଶ୍ୟ ରହିଚି ।’’

 

ଅମୂଲ୍ୟବାବୁଙ୍କ କଥା ଶୁଣି କିରଣ ସିଂର ମୁହଁ ପାଣ୍ଡୁର ହୋଇଗଲା । ନିଜକୁ ସେ ଯେ ଅନୁଭବ କରିପାରୁଥିଲା ଏକଥା ତାର ଚେହେରା ଆଦୌ ସୂଚନା ଦେଉନଥାଏ । କିଛି ସମୟ ପରେ ସେ କହିଲା, ‘‘ନାଇଁ ସାହେବ–ମୋତେ ଅଯଥା ଆପଣ ସନ୍ଦେହ କରୁଚନ୍ତି, ଦୋସ୍ତ ପ୍ରତି ମୁଁ କେବେ ଏଭଳି ଅନ୍ୟାୟ ଆଚରଣ କରି ପାରେନା, ତାଛଡ଼ା ମୋ ସହିତ ତା’ର ତ କୌଣସି ମତାନ୍ତର ନଥିଲା । ମିଲିଟାରୀ ପିରିଅଡ଼ରୁ ଆମେ ଦୁହେଁ ପ୍ରାୟ ଏକ ଆତ୍ମାଭଳି ଚଳିଆସିଚୁ ।’’

 

ସିଗାରେଟରେ ନିଆଁ ଧରୋଉ ଧରୋଉ ମି: ବର୍ମା କହିଲେ, ‘‘ଓ କେତେଟା ସାମିଲ୍ ଦେଖାଇ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିଦେଲେ ଚଳିବନି । ମି: ମହାନ୍ତିଙ୍କ ସନ୍ଦେହଟା ଏମିତି ଉଡ଼େଇ ଦିଆଯାଇ ପାରେନା, ମୋର ଯେତେଦୂର ମନେହୁଏ.....’’

 

–ଦୟାକରି ଆପଣ ଚୁପ୍‍ କରନ୍ତୁ ମି: ବର୍ମା ! ହଁ କିରଣ ସିଂ ହତ୍ୟାକାରୀ ତୁମେ ହୋଇ ନପାର; କିନ୍ତୁ ଅସଲ କଥା ତୁମକୁ ନିଶ୍ଚୟ ଜଣାଅଛି । ସେଇଟାକୁ ଲୁଚେଇ ରଖି ଅଯଥା ନିଜ ଉପରକୁ ଦୋଷ ଟାଣି ଆଣିବା ଉଚିତ ନୁହେଁ ତୁମେ ଯାହା ଜାଣ କହିବାକୁ ହେବ !’’

 

ଟିକିଏ ରୁକ୍ଷକଣ୍ଠରେ ଅମୂଲ୍ୟବାବୁ ଆଦେଶ ଦେଲେ ।

 

କିରଣ ସିଂ ବନ୍ଧୁ ବିଚ୍ଛେଦ ଅନୁଭବ କରୁଥିଲା, କଣ କହିବାକୁ ଯାଇ ସେ ଯେମିତି କହି ପାରୁନି, ଶେଷରେ କୌଣସି ପ୍ରକାର ନିଜକୁ ସମ୍ଭାଳି କହିଲା, ‘‘ଶୁଣନ୍ତୁ ତାହେଲେ, ରାତିଖାଇବା ପରେ ଆମେ ବିଛଣାକୁ ଗଲୁ । ଦୋସ୍ତର ଝୁଙ୍କି ଉଠିଲା ଅନ୍ଧାର ରାତିରେ ସେ କୋଠିର ଆଖପାଖ ତନଖି କରିବ । ମୁଁ ଅନେକ ମନା କଲି; କିନ୍ତୁ ଦୋସ୍ତର ସେଇ ଗୋଟାଏ ଜିଦ୍ ‘ସେ ଆତତାୟୀକୁ ଖୋଜି ବାହାର କରିବ, ତା ଜିଦ୍‍ ରେ ମୁଁ କୌଣସି ପ୍ରକାର ରାଜି ହେଲିନି ।’’

 

କିରଣ ସିଂ ଯେମିତି ଦମ୍ ନେବାପାଇଁ ଅଟକି ଗଲା ।

 

ଅମୂଲ୍ୟବାବୁ ପଚାରିଲେ, ‘‘ତାପରେ ?’’

 

–ରାତି ପ୍ରାୟ ଗୋଟାଏ ଉପରେ ହେବ । ଦୋସ୍ତ ସେଯାଏ ବିଛଣାରେ ପଡ଼ିଥିଲେ ମଧ୍ୟ ଶୋଇ ପାରି ନଥିଲା । ଶେଷଥର ପାଇଁ ସେ ମୋତେ ତାର ଝୁଙ୍କି କଥା କହିଲା । ଶେଷରେ ମୋର ଅରାଜି ଦେଖି ଏକା ସେ ବାହାରକୁ ତାର ବନ୍ଧୁକଟା ଧରି ବାହାରି ପଡ଼ିଲା । ସେ ଯିବାବେଳେ ମୁଁ ତାକୁ ମନା କରିଥିଲି । ସେ ସଫା ଶୁଣେଇ ଦେଲା ‘ମୋ କଥାରେ ତୁ ଯଦି ରାଜି ନୁହଁ ତାହେଲେ ମୁଁ କାହିଁକି ତୋ କଥା ଶୁଣିବି ।’ କାହିଁକି ସେ ଶୁଣନ୍ତା ? କାଳର ଡାକରା ତାକୁ ଅଥୟ କରୁଥିଲା......

 

କହୁ କହୁ କିରଣ ସିଂ କୋହରେ ଫାଟି ପଡ଼ିଲା । ନିଜକୁ ସମ୍ଭାଳି ନେବାକୁ ଉଦ୍ୟମ କରିବାକୁ ଯାଇ ଅଜାଣତରେ ତା’ ଆଖିରୁ ଗଡ଼ିପଡ଼ିଲା ଦି’ଟୋପା ଗରମ ଲୁହ ।

 

କିଛି ସମୟ ନୀରବ ରହିବା ପରେ ଅମୂଲ୍ୟବାବୁ କିରଣ ସିଂଙ୍କୁ ଚାହିଁ ଗମ୍ଭୀର ଭାବରେ ପଚାରିଲେ, ‘‘ଆଚ୍ଛା କିରଣ ସିଂ, ଠିକ୍ ମନେ ପକାଅ ଅରୁଣ ସିଂ ଯିବା ଆଗରୁ ଆଉ କିଛି କହିଥିଲେ-?’’

 

ସାମାନ୍ୟ ଚିନ୍ତା କରିବା ପରେ କିରଣ ସିଂ କହିଲା, ‘‘ଜୀ ହଜୁର, ଦୋସ୍ତ ଗଲାବେଳେ ମତେ କହିଲା, ‘ରାତି ଭିତରେ ଆସାମୀର ଖୋଜ କରିବି, ଯଦି ନପାଏ ତାହଲେ ନିଜେ ଆତ୍ମହତ୍ୟା କରିବି ।’’

 

ଅମୂଲ୍ୟବାବୁ ଏଥର ସାଧାରଣ ଭାବରେ କହିଲେ, ‘‘ଦେଖନ୍ତୁ ମି: ବର୍ମା, ଟିକିଏ ଆଗରୁ ମୁଁ କହୁଥିଲି ନା–ଏଇଟା ଆତ୍ମହତ୍ୟା ବୋଲି ! ଅରୁଣ ସିଂ ବ୍ୟର୍ଥ ଉଦ୍ୟମର ପ୍ରାୟଶ୍ଚିତ କରିବାକୁ ଯାଇ ଆତ୍ମହତ୍ୟା କରିଚନ୍ତି । ନିଜେ ନିଜେ ଭୁଲ୍ କରି ବସିଲେ ପରିଣତି ଶେଷକୁ ନିଶ୍ଚୟ ଏଇଆ ହୁଏ, ଆତତାୟୀ ବୋଲି ଏଥିରେ କଣ ବା କାହାକୁ ସନ୍ଦେହ କରାଯାଇ ପାରେ କୁହନ୍ତୁ ତ ?’’

 

ମି: ବର୍ମା ସିଗାରେଟ୍‍ ରେ ନିଆଁ ଧରଉ ଧରଉ କହିଲେ, ‘‘ନିଶ୍ଚୟ, ଏଥିରେ ସନ୍ଦେହ କରିବାର କଣ ଅଛି ? ତେବେ ଲାସ୍ ବିଷୟରେ ଆପଣ କଣ କହୁଚନ୍ତି ?’’

 

ଅମୂଲ୍ୟବାବୁ କହିଲେ, ‘‘ଅନ୍ୟମାନଙ୍କ ପରି ଏ ଶବଟାକୁ ମଧ୍ୟ ଉଠାଇ ନେଇ ସେଇ ଘରେ ବନ୍ଦ କରି ଦେବାକୁ ହେବ ।’’

 

ଉର୍ବଶୀ ଆଗକୁ ଆସି କହିଲା, ‘‘ସାର୍, ଶବଗୁଡ଼ାକ ପଚି ଦୁର୍ଗନ୍ଧ ସମ୍ଭାବନା ଅଛି, ଯିଏ ଗଲା–ତାକୁ ଆଉ ସାଇତି ରଖି ଲାଭ କଣ ?’’

 

–‘‘ଏ ପ୍ରଶ୍ନର ଉତ୍ତର ଆପଣ ଟିକିଏ ଡେରିରେ ପାଇବେ ଉର୍ବଶୀ ଦେବୀ; ଯାହା କିଛି ହେଉନା କାହିଁକି ଶବଗୁଡ଼ାକୁ ବାରମ୍ବାର ଦେଖି ସେ ବିଷୟରେ ମତେ ମୁଣ୍ଡ ଖେଳେଇବାକୁ ପଡ଼ିବ-। ଆପଣ ସମସ୍ତେ ଜାଣନ୍ତି ଆମେ ସଦାବେଳେ ସନ୍ଦେହୀ, ତେଣୁ ଶେଷ ପର୍ଯ୍ୟନ୍ତ ମୁଁ ଶବଗୁଡ଼ାକୁ ରଖିବାକୁ ଇଚ୍ଛା କରୁଚି । ଯେଉଁଦିନ ଆପଣମାନେ ଦୁର୍ଗନ୍ଧରେ ବିବ୍ରତ ହେବେ ଅବଶ୍ୟ ସେଦିନ ଶବଗୁଡ଼ାକୁ ବାହାର କରିଦେବା ବ୍ୟବସ୍ଥା କରିବି । କିରଣ ସିଂ ! ତୁମେ ନିଶ୍ଚୟ ମୋ ସାଙ୍ଗର ଶବଟାକୁ ଉଠାଇ ନେବାରେ କୌଣସି ଆପତ୍ତି କରିବନି !’’

 

ଅମୂଲ୍ୟବାବୁଙ୍କ ମୁହଁରୁ କଥା ଶେଷ ହେବା ଆଗରୁ କିରଣ ସିଂ ମୃତ ଶବଟାକୁ ଗୋଟାଏ ଝୁଙ୍କରେ କାନ୍ଧ ଉପରକୁ ଉଠାଇ ନେଇ ଧପ୍ ଧପ୍ କରି କଳାକୋଠି ଆଡ଼େ ଆଗେଇ ଗଲା । ତା’ ଚାଲିବା ଭଙ୍ଗୀରୁ ବେଶ୍ ଜଣା ପଡ଼ୁଥାଏ ସାଙ୍ଗର ଏ ଆକସ୍ମିତ ମୃତ୍ୟୁରେ ସେ ଯେମିତି ପ୍ରାୟ ଭାଙ୍ଗି ପଡ଼ିଚି ।

 

ଅନ୍ୟମାନେ ପଛେ ପଛେ ଆଗେଇଲେ । ସମସ୍ତଙ୍କ ମୁହଁରେ ବିଷାଦ ଘନଛାୟା ଘେରି ରହିଥିଲା ।

 

ସେଇଦିନ ।

 

ରାତି କେତେ ହେବ କିଛି ଠିକଣା ନାହିଁ, ଅମୂଲ୍ୟବାବୁଙ୍କ ଶୋଇବା ବଖରାର କବାଟ ଖଡ଼୍ ଖଡ଼୍ ହେବାର ଶୁଣାଗଲା ।

 

ବିଛଣା ଛାଡ଼ି ଲାଣ୍ଠିନ୍‍ଟା ଲଗୋଉ ଲଗୋଉ ଅମୂଲ୍ୟବାବୁ ପଚାରିଲେ, ‘‘କିଏ ?’’

 

–‘‘ମୁଁ ବର୍ମା ଡାକୁଚି ।’’

 

ଅମୂଲ୍ୟବାବୁ ଦ୍ୱାର ଫିଟାଇ ଦେଖିଲେ ମି: ବର୍ମା ହାତରେ ଖଣ୍ଡେ କାଗଜ ଧରି ଠିଆ ହୋଇଚନ୍ତି । ମୁହଁରେ ଭୟର ଛାପ ଲାଗି ରହିଚି ।

 

–‘‘କଣହେଲା ମି: ବର୍ମା, ଏତେ ରାତିରେ ହଠାତ୍ କଣ ଦରକାର ପଡ଼ିଲା ?’’

 

କିଛି ନ କହି ମି: ବର୍ମା କାଗଜ ଖଣ୍ଡିକ ଅମୂଲ୍ୟବାବୁଙ୍କ ହାତକୁ ବଢ଼ାଇ ଦେଲେ ।

 

ଖଣ୍ଡେ ଚିଠି–

 

ଅମୂଲ୍ୟବାବୁ ଚିଠି ଖଣ୍ଡକ ନେଇ ଲାଣ୍ଠିନ୍ ଆଗରେ ଖୋଲି ଧରିଲେ ।

 

ଲେଖାଥିଲା :–

 

ମି: ମହାନ୍ତି ଏବଂ ମି: ବର୍ମା,

 

ମୋର ବିଚାରର ଶାସ୍ତି ମୋ ପକ୍ଷରୁ ଦିଆଯିବାର ବ୍ୟବସ୍ଥା ଥିଲା; କିନ୍ତୁ ମୁଁ ବି ଆଶ୍ଚର୍ଯ୍ୟ ହେଲି ଯେ ମୋର ଶାସ୍ତିଗ୍ରହଣ କରିବା ଆଗରୁ ଅନେକ ଅପରାଧୀ ଶାସ୍ତି ଗ୍ରହଣ କଲେ କେମିତି !

 

ଠିକ୍ କରିଥିଲି ପ୍ରତିଦିନ ଜଣେ କରି ଅପରାଧୀଙ୍କୁ ଶେଷ କରିବି । ଯେତେବେଳେ ଦେଖାଗଲା ସେ ସବୁ ଓଲଟି ପଡ଼ିଚି, ସେତେବେଳେ ଆଉ ଅପେକ୍ଷା କଲା ଭଳି ଅବସ୍ଥାରେ ରହିପାରିଲିନି । ଆପଣ ଦୁହିଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଶାସ୍ତି ଦେଇଚି ।

 

ଏଠି କହି ରଖୁଚି, କାଲି ସକାଳୁ ଷ୍ଟିମାର ଆସି ଅପେକ୍ଷା କରିଥିବ । ମି: ବର୍ମା–ଆପଣ ଫେରିଯିବାର ଶେଷ ଆଶାଧରି ଆଗେଇବା ପଥରେ ଆପଣଙ୍କୁ ଶେଷ କରିଦେବି.....

 

ଚିଠିଖଣ୍ଡି ଦୁଇ ଚାରି ଥର ଏପଟ ସେପଟ କରି ଅମୂଲ୍ୟବାବୁ ପଚାରିଲେ, ଆପଣ ଏ ଚିଠି କେଉଁଠୁ ପାଇଲେ ମି: ବର୍ମା ?

 

ଗୋଟାଏ ଚେୟାର ଉପରେ ଲଥ୍‍କରି ବସିପଡ଼ି ମି: ବର୍ମା କହିଲେ, ‘‘ଦୟାକରି ଫ୍ୟାନ୍‍ଟା ଟିକିଏ ଖୋଲନ୍ତୁ ମି: ମହାନ୍ତି ।’’

 

–‘‘କ୍ଷମା କରିବେ ମି: ବର୍ମା, ମୋ କୋଠରିରୁ ବିଦ୍ୟୁତ ସଂଯୋଗ ନଷ୍ଟ କରି ଦେଇଚି । ତା’ ଛଡ଼ା ଏ ଘରେ କୌଣସି ଦିନ ବଲ୍‍ବ ଜଳିବା କିମ୍ବା ଫ୍ୟାନ୍‍ ବୁଲିବା ବ୍ୟବସ୍ଥା ନଥିଲା ।’’

 

–‘‘ଅର୍ଥାତ୍ ?’’

 

–‘‘ଆଉ ଅର୍ଥାତ୍‍ କଣ ? ଏ କୋଠି ପାଇଁ ଯେଉଁ ସ୍ୱତନ୍ତ୍ର ପାୱାର ଷ୍ଟେସନ୍‍ ବ୍ୟବସ୍ଥା ଅଛି ତାହା କୌଣସି ଦିନ କାମ କରିନି ।’’

 

–‘‘ଆଚ୍ଛା, ଗ୍ଲାସେ ପାଣି ଦେବେ ।’’

 

ଅମୂଲ୍ୟବାବୁ ଖଟତଳେ ଥିବା ସୁରେଇରୁ ଗ୍ଲାସେ ପାଣି ଢାଳି ମି: ବର୍ମାଙ୍କ ହାତକୁ ବଢ଼େଇ ଦେଲେ ।

 

ମି: ବର୍ମା ଏକା ନିଃଶ୍ୱାସରେ ସେତକ ପିଇ ଦେଇ ଗ୍ଲାସଟି ତଳେ ଥୋଇ ଦେଇ କହିଲେ, ‘‘ମୋର ଧୈର୍ଯ୍ୟ ଆଜି ଭାଙ୍ଗିଗଲା ମି: ମହାନ୍ତି, ଆକସ୍ମିକ ହେଉ ବା ଆତତାୟୀର ଆକ୍ରମଣରେ ହେଉ, ସମସ୍ତଙ୍କୁ ଯେ ଏଠି ସବୁଦିନ ପାଇଁ ରହିଯିବାକୁ ପଡ଼ିବ ଏକଥା ମୁଁ ବିଶ୍ୱାସ କରିପାରୁ ନଥିଲି, ଆଜି ଲାଇଟ୍‍ ଲିଭାଇ ବିଛଣା ଧରିବାର ଅଳ୍ପ ସମୟ ହେବ–ନିଦହୋଇ ନଥିଲା, ହଠାତ୍ ଆମ ମଧ୍ୟରୁ ମୃତ ବ୍ୟକ୍ତିମାନଙ୍କୁ ଖୋଲା ଝରକା ପାଖେ ଦେଖିବାକୁ ପାଇଲି, ସେମାନେ କଣ ଯେ କେତେ କହିଗଲେ ମୋର ଆଦୌ କିଛି ମନେ ରହିଲାନି । ଟର୍ଚ୍ଚ ଜାଳି ଦେଖେତ ଝରକା ପାଖେ କେହି ନାହିଁ । ମୋ ଘର ଭିତରେ ଏ ଚିଠି ଖଣ୍ଡିକ ପଡ଼ିଚି । ଚିଠିରେ ଯାହା ଯାହା ଲେଖା ହେଇଚି ଆପଣତ ଦେଖିଲେ, ମୁଁ କିନ୍ତୁ ପଢ଼ିବା ପରେ ବିଶ୍ୱାସ କରି ପାରିଲିନି–ମୋ ପାଖ ବଖରାରେ ଥିବା କିରଣ ସିଂଙ୍କୁ ଉଠାଇବାକୁ ଯାଇ ଦେଖିଲି....

 

କହୁ କହୁ ମି: ବର୍ମା ଅଟକିଗଲେ ।

 

ସିଗାରେଟରେ ନିଆଁ ଧରେଇ ଅମୂଲ୍ୟବାବୁ ପଚାରିଲେ, ‘‘କଣ ଦେଖିଲେ ?’’

 

–‘‘ସେ ଆଉ ଏ ଜଗତରେ ନାହିଁ । ଶବଟା ତାର ବରଫ ପରି ଥଣ୍ଡା ।’’

 

–‘‘ତା ପରେ ?’’

 

–‘‘ଚିଠି ଅନୁସାରେ ସମସ୍ତେ ଶେଷ ହୋଇ ଯାଇଚନ୍ତି ।’’

 

ଅମୂଲ୍ୟବାବୁ ପାଗଳଙ୍କ ପରି ହସି ଉଠି କହିଲେ, ‘‘ଆଉ ବାକି ରହିଯାଇଚନ୍ତି ଆପଣ ଆଉ ମୁଁ, ପ୍ରୋଗ୍ରାମଟା ଫେଲ୍‍ କଲାନି ଦେଖୁଚି–ଯାହା ଟିକିଏ ଖାଲି ଏପଟ ସେପଟ ହୋଇଯାଇଚି-।’’

 

–‘‘ବର୍ତ୍ତମାନ କଣ କରାଯିବ ମି: ମହାନ୍ତି ?’’

 

–‘‘ଆଉ କରିବାର କିଛି ନାହିଁ, ସେଇ ନିର୍ଦ୍ଦେଶମତେ ଶବଗୁଡ଼ିକୁ ନେଇ ଏଠାରୁ ମୁଁ ଫେରିବି–ହୁଏତ ମୋ ଶବବି ତା ସଙ୍ଗେ ସଙ୍ଗେ ଯାଇପାରେ ।

 

–‘‘ଆପଣ ବି ଭାଙ୍ଗି ପଡ଼ିଲେ ମି: ମହାନ୍ତି ?’’

 

ଟିଣା ଭିତରୁ ଖଣ୍ଡେ ସିଗାରେଟ କାଢ଼ି ମି: ବର୍ମାଙ୍କ ଆଡ଼କୁ ବଢ଼େଇ ଦେଇ ଅମୂଲ୍ୟବାବୁ କହିଲେ, ‘‘ଆଉ କଣ ଅଛି କୁହନ୍ତୁ ! ଆପଣଙ୍କ ଭଳି ଲୋକ ଯେଉଁଠି ଭାଙ୍ଗି ପଡ଼ିଲେ ସେଠାରେ ମୁଁ କଣ ସମ୍ବଳ କରି ଟାଣ ହେଇ ପାରେ କହନ୍ତୁ ତ ?’’

 

ସିଗାରେଟରେ ଗୋଟାଏ ଦୀର୍ଘ ଟାଣ ଦେଉ ଦେଉ ମି: ବର୍ମା କହିଲେ, ‘‘ମି: ମହାନ୍ତି, ମୋ ମୁଣ୍ଡଟା ବୁଲେଇ ଯାଉଚି–ମତେ ଧରନ୍ତୁ ମତେ ଧରନ୍ତୁ...’’

 

ଅମୂଲ୍ୟବାବୁ ମି:ବର୍ମାଙ୍କର ଅବଶ ଦେହଟାକୁ ତାଙ୍କର ଖଟିଆ ଉପରେ ଆଣି ଅଜାଡ଼ି ଦେଲେ । ଖୁବ୍‍ ଧୀରେ ତାଙ୍କ ମୁହଁରୁ ବାହାରି ପଡ଼ିଲା, ‘‘କଳାକୋଠରି ବିଭୀଷିକା ଉପରେ କଳାପର୍ଦ୍ଦା ପଡ଼ିଲା ତାହେଲେ !’’

 

ତା’ପରେ ଲାଣ୍ଠିନ୍‍ଟା ଧରି ଅମୂଲ୍ୟବାବୁ ଘର ଭିତରୁ ବାହାରି ଆସିଲେ ।

 

ଷ୍ଟିମାର ଚାଲିଚି ।

 

ସକାଳ କେତେବେଳୁ ହୋଇଗଲାଣି ।

 

କଳାକୋଠି ରହିଗଲାଣି ବହୁତ ପଛରେ, ଦେଖାବି ଯାଉନି, ସକାଳର ଥଣ୍ଡା ପବନ ଲାଗି ମି: ବର୍ମାଙ୍କର ଆଖିପତା ଖୋଲିଲା । ପାଖରେ ତାଙ୍କର ଅମୂଲ୍ୟବାବୁ ।

 

–‘‘ମି: ମହାନ୍ତି ?’’

 

–‘‘ଭୟ କରିବାର କିଛି ନାହିଁ, ଆପଣ ବର୍ତ୍ତମାନ ଷ୍ଟିମାରରେ–ଗୋଟାଏ ମାତ୍ର ପ୍ରୋଗ୍ରାମ ମିଶ୍ ହୋଇଗଲା–ଆପଣଙ୍କ ପ୍ରତି ଯେଉଁ ନିର୍ଦ୍ଦେଶ ଥିଲା ତାହା ପୂରଣ ହୋଇପାରିନି ।’’

 

ମି: ବର୍ମା ଯେମିତି ବ୍ୟସ୍ତ ହୋଇ ଉଠିଲେ ।

 

ଅମୂଲ୍ୟବାବୁ କହିଲେ, ‘‘ବ୍ୟସ୍ତ ହେବାର କିଛି କାରଣ ନାହିଁ, ଆପଣଙ୍କୁ ଏ ଚଳନ୍ତା ଷ୍ଟିମାର୍‍ ରେ କିରଣ ସିଂ ଆଉ ଅରୁଣ ସିଂ ଠିକ୍‍ ଭାବେ ଜଗିଚନ୍ତି । ଦେଖନ୍ତୁ, ଶୈଳବାବୁ, କଳ୍ପନାଦେବୀ, ଉର୍ବଶୀ ଦେବୀ ପ୍ରଭୃତି ସେଥିପାଇଁ ଖବ୍‍ ନିଶ୍ଚିନ୍ତରେ ବସିଚନ୍ତି । ଅବସରପ୍ରାପ୍ତ ପୋଲିସ ଇନିସ୍‍ ପେକ୍ଟର ମହୋଦୟ ମହମ୍ମଦ ଆଉ ରହିମା ପାଖରେ ରହି ଆପଣଙ୍କ ପାଇଁ ପ୍ରାତଃଚା’ର ବ୍ୟବସ୍ଥା କରୁଚନ୍ତି ।’’

 

ମି: ବର୍ମା ଖୁବ୍ ଜୋରରେ କହି ଉଠିଲେ, ‘‘ମୁଁ କଣ ସ୍ୱପ୍ନ ଦେଖୁଚି ?’’

 

–‘‘ନା, ଆପଣଙ୍କର ସ୍ୱପ୍ନ ଭାଙ୍ଗିଯାଇଚି । ଯେତିକି ସ୍ୱପ୍ନ ଆପଣ ଦେଖିଥିଲେ ତାହା ବେଶ୍ ଚମତ୍କାର ନିଶ୍ଚୟ, ତେବେ ଆପଣ ସେ ସ୍ୱପ୍ନର ଭେଳିକିରେ ମତେ ଟାଣିଆଣି ବଡ଼ ଭୁଲ୍‍କଲେ ମି: ବର୍ମା; ତେଣୁ ଆପଣଙ୍କର କଳ୍ପନା ବିରୁଦ୍ଧରେ ମତେ କଳାକୋଠିର ରହସ୍ୟ ଭେଦ କରିବାକୁ ନିଜେ ସୁଯୋଗ ଦେଲେ ।’’

 

ବିଛଣା ଉପରେ ବସିପଡ଼ି ମି: ବର୍ମା କହିଲେ, ‘‘ନା, ନା, ଏ ନିଶ୍ଚୟ ସ୍ୱପ୍ନ ।’’

 

–‘‘କିନ୍ତୁ ଏଇଟା କଳାକୋଠି ନୁହେଁ, ଚଳନ୍ତା ଷ୍ଟିମର, ଆପଣ ସେଇ ସ୍ୱପ୍ନ ଭାବି ନିଶ୍ଚିନ୍ତ ହୋଇଯାଇ ପାରନ୍ତି । ମନେରଖନ୍ତୁ, ଆପଣ ପୂରା ଫେଲ୍ ମାରି ଯାଇଚନ୍ତି । ପୋଲିସ ଆପଣଙ୍କୁ କଣ କରିବ ସେ କଥା କହି ପାରୁନି, ତେବେ ବିଚାରାଳୟର ସେଇ କାଠ ଅଡ଼ା ଭିତରକୁ ନିଶ୍ଚୟ ନେଉଚି ।’’

 

–‘ମି. ମହାନ୍ତି, ଆପଣ ଏ ସବୁ କଣ କହୁଚନ୍ତି ? ‘’

 

–‘‘ଆପଣଙ୍କ ପ୍ରପୋଜାଲ ଯେତେବେଳେ ଫେଲ୍ କରିଚି, ସେତେବେଳେ ଆଉ ଭାବିବାର କିଛି ନାହିଁ, ଶୁଣନ୍ତୁ–ହଠାତ୍ ଆପଣଙ୍କ ମନରେ କି ଧାରଣା ଦେଖାଦେଲା ସେଇଟା ଠିକ୍ କହିପାରୁନି । ତେବେ ଏକଥା ଠିକ୍ ଜାଣେ ଆପଣ ହେଉଚନ୍ତି ସେଇ ନିମନ୍ତ୍ରଣକାରୀ ସୁରଥ ସାମନ୍ତ-!’’

 

–‘‘ମୁଁ–ମୁଁ ସୁରଥ ସାମନ୍ତ ?’’

 

–‘‘ଏଥିରେ କୌଣସି ସନ୍ଦେହ ନାହିଁ । ବିଚାରପତିପଦରୁ ବିଶ୍ରାମ ଗ୍ରହଣ କଲାବେଳକୁ ଆପଣଙ୍କ ହାତରେ ଖୁବ୍‍ ମୋଟା ଅଙ୍କର ଟଙ୍କା ଥିଲା ଏବଂ ସେ ଧନ ଭୋଗ କରିବା ପାଇଁ କୌଣସି ଉତ୍ତରାଧିକାରୀ ନ ଥିଲେ । ଯିଏ ବା ଥିଲେ ତାକୁ ଆପଣ ନିଜର ସମ୍ମାନ ଦୃଷ୍ଟିରୁ ନିଜ ହାତରେ ଅନେକ ଆଗରୁ ଶେଷ କରିଦେଇଥିଲେ...ସେ ଆଉ କେହି ନୁହେଁ–ଆପଣଙ୍କର କନ୍ୟା ସମୀରା । ସେ ଭଲ ପାଉଥିଲେ ଜଣେ ଯୁବକଙ୍କୁ ଯେଉଁ ଯୁବକଙ୍କୁ ଆପଣ ଗୋଟାଏ ମିଥ୍ୟା ହତ୍ୟାପରାଧୀ ଅଭିଯୋଗରେ ବିଚାରପତି ଆସନରେ ଥିଲାବେଳେ ଫାଶୀ ହୁକୁମ ଦେଇଥିଲେ, ତାପରେ ଆପଣ ନିଜେ ପୋଟାସିୟମ୍ ଦେଇ କନ୍ୟା ସମୀରାଙ୍କୁ ଶେଷ କରି ଦେଇଥିଲେ ।’’

 

ବିଚାରପତି ଆସନରୁ ଓହ୍ଲାଇ ଆସିବା ପରେ ଆପଣ ନିଜକୁ ଅପରାଧୀ ବୋଲି ମନେ କରିଥିଲେ–ତେଣୁ ନିଜର ବିଚାର ନିଜେ କରିବାକୁ ଠିକ୍‍ କଲେ; କେବଳ ସେତିକି ନୁହେଁ ଆପଣଙ୍କର ଜ୍ଞାତ ସବୁ ଅପରାଧୀମାନଙ୍କର ବିଚାର କରିବାକୁ ମନସ୍ଥ କଲେ ।

 

ଅଜସ୍ର ଟଙ୍କା ଦେଇ ଆପଣ ନିର୍ଜ୍ଜନ ଦ୍ୱୀପରେ ଥିବା ଏଇ କଳାକୋଠିଟିକୁ ଜଣେ ଫ୍ରାନ୍‍ସ ଅଧିବାସୀ ଭଦ୍ରଲୋକଙ୍କଠାରୁ କିଣିଲେ । ତାପରେ କେଉଁ ଅପରାଧୀକୁ କେଉଁ ଦିନ କିଭଳି ଭାବରେ ଶେଷ କରିବେ ତାର ଗୋଟାଏ ହିସାବ ଚିଠା କରିଥିଲେ । ସେ ଚିଠାଟା ଆପଣଙ୍କ ଅଜ୍ଞାତରେ ମୁଁ କରଗତ କରି ନେଇଥିଲି । ସେଇ ଚିଠା ବଳରେ ମୁଁ କହୁଚି ସୁରଥ ସାମନ୍ତ ଆପଣ ନିଜେ ।

 

ଆପଣ ଯେଉଁମାନଙ୍କୁ ନିମନ୍ତ୍ରଣ ଜଣେଇ ଥିଲେ ସମସ୍ତେ ନିଜନିଜର ନିମନ୍ତ୍ରଣପତ୍ର ଧରି ମୋ ପାଖକୁ ପରାମର୍ଶ କରିବାକୁ ଆସିଥିଲେ । ଆପଣ କେଉଁ କେଉଁ ଲୋକମାନଙ୍କୁ ନିମନ୍ତ୍ରଣ ଏବଂ ନିୟୋଗ କରୁଚନ୍ତି ସେ ସମସ୍ତ ନିମନ୍ତ୍ରଣପତ୍ରରେ ଉଲ୍ଲେଖ ଥିଲା । ସେଥିରୁ ଜଣାଗଲା ମି: ବର୍ମାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏ ନିମନ୍ତ୍ରଣ ବିଷୟ ନେଇ ସନ୍ଦେହ କରୁଚନ୍ତି । ଆପଣଙ୍କ ମତାମତ ଜାଣିବା ପାଇଁ ମୁଁ ନିଜେ ଆପଣଙ୍କ ବସାକୁ ଯାଇଥିଲି । ସେଇଠି ମତେ ସୁବିଧା ମିଳିଲା ।

 

ଶୁଣିଲି ଆପଣ ବାହାରକୁ ଯାଇଚନ୍ତି । କିଛି ସମୟ ଅପେକ୍ଷା କଲାପରେ ହଠାତ୍‍ କାହିଁକି ଆପଣଙ୍କ ପ୍ୟାଡ଼୍‍ ପ୍ରତି ମୋର ଆକର୍ଷଣ ବଢ଼ିଲା । ସେଉଟି ଟେବୁଲ ଉପରୁ ଉଠାଇ ଆଣି ଦେଖେତ ଶେଷ କାଗଜ ଉପରେ ଆପଣ ଚିଠା ପ୍ରସ୍ତୁତ କରିଚନ୍ତି । ଚିଠାର ସତ୍ୟାସତ୍ୟ ଜାଣିବା ପାଇଁ ମୁଁ ଓଲଟା ଅଭିନୟ ଆରମ୍ଭ କରିଦେଲି । ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ସାଦୃଶ୍ୟ ଥିବା କେତେଜଣ ପୋଲିସ ଅଫିସରଙ୍କୁ ଠିକ୍‍ କଲି, ସେଇମାନେ ହେଉଚନ୍ତି ଆମର ଶୈଳବାବୁ, ଅବସରପ୍ରାପ୍ତ ପୋଲିସ ଅଫିସର ଗୋପାଳବାବୁ, ଦରୁଆନ ଆଉ ଖାନସାମା ପ୍ରଭୃତି ।

 

ଆଗରୁ ଆପଣ ଆପଣଙ୍କର ମନକଥା ରେକର୍ଡ଼ିଂ କରେଇ ନେଇଥିଲେ ଏବଂ ତାହା କଳାକୋଠି ବୈଠକଖାନା ଘର ପାଖ ଘରେ ରଖେଇ ଥିଲେ, ଯେଉଁ ରେକର୍ଡ଼ଟାକି କଳାକୋଠିରେ ପହଞ୍ଚିବା ମାତ୍ରେ ଆପଣ ଶୈଳବାବୁଙ୍କ କାର୍ଡ଼ରେ ଅନୁରୋଧ ଜଣାଇଥିଲେ ଯେ ବଜେଇବେ ବୋଲି-

 

ଆପଣ ପ୍ରଥମଦିନ ଶୈଳବାବୁଙ୍କୁ ଶେଷ କରିବା ପାଇଁ ଠିକ୍ କରିଥିଲେ ତାଙ୍କର ଚା’କପ୍ ରେ ବିଷ ଦେବେ; ମାତ୍ର ମୋ ଦୃଷ୍ଟିରେ ଧୂଳି ଦେଇ ଆପଣ ଆଗେଇ ପାରିଲେନି, ଅଥଚ କଳାକୋଠିର ପ୍ରଥମ ରହସ୍ୟ ରୂପେ ଶୈଳବାବୁ ମରିବାର ଅଭିନୟ କଲେ ଆମର ପୋଲିସ ଅଫିସର ବିନୟ ବାବୁ ।

 

ଦ୍ୱିତୀୟଦିନ ଅବସର ପ୍ରାପ୍ତ ପୋଲିସ ଇନିସ୍‍ପେକ୍ଟରଙ୍କୁ ଆପଣ ଇଲେକ୍‍ଟ୍ରିକ ସଟ୍‍ ଦେଇ ମାରିବାର ଚିଠା କରିଥିଲେ, କିନ୍ତୁ ପ୍ରଥମ ଦିନ ମୁଁ ମେନ୍‍ ପଏଣ୍ଟ ଖରାପ କରିଦେଇଥିଲି । ତଥାପି ଆପଣଙ୍କୁ ଦେଖାଇ ଦିଆଗଲା ବୈଦ୍ୟୁତିକ ଆଘାତରେ ମରି ପଡ଼ିଚନ୍ତି ଅବସରପ୍ରାପ୍ତ ପୋଲିସ ଇନିସ୍‍ ପେକ୍ଟର ଓରଫ ହାବିଲଦାର କମଳ କୁମାର ଶାସ୍ତ୍ରି ।

 

ତା ପରଦିନ ରାତି କଥା ଆପଣଙ୍କର ନିଶ୍ଚୟ ମନେଥିବ । ଆପଣ ନିଜେ ଅରୁଣ ସିଂଙ୍କୁ ଏକାନ୍ତରେ ପରାମର୍ଶ ଦେଇଥିଲେ ଯେ ‘କୌଣସି ଆତତାୟୀ ନିଶ୍ଚୟ ଅଛି ଏବଂ ତାକୁ ଖୋଜି ବାହାର କରିପାରିଲେ ମୂର୍ଖ ଗୋଏନ୍ଦାଟାକୁ ଲଜ୍ଜା ଦେଇ ହେବ, ଏ ପରାମର୍ଶ ପଛରେ ଆପଣଙ୍କର ଅସଲ ଉଦ୍ଦେଶ୍ୟ ଥିଲା ଅରୁଣ ସିଂକୁ ଗୁଳି କରି ମାରିବା । ମୁଁ ସେଦିନ ରାତି ଖାଇବା ସମୟରେ ଆପଣଙ୍କ ପିସ୍ତଲଟିକୁ ଅଚଳ କରି ଦେଇଥିଲି ମି: ବର୍ମା । ଆପଣ ସେଦିନ ବିଫଳହେବା ପରେ ଶୁଣିବାକୁ ପାଇଲେ ବନ୍ଧୁକର ଆୱାଜ । ମୁଁ ବି ଆତ୍ମହତ୍ୟା ବୋଲି କଥାଟା ଉପରେ ଜୋର୍‍ ଦେଲି ।

 

ଅବଶିଷ୍ଟ ଅଭିନୟ କ୍ରମେ କ୍ରମେ ଚାଲି ଥାଆନ୍ତା; ମାତ୍ର ପୋଲିସ କମିଶନ ଗୋଟାଏ ଜରୁରୀ ମେସେଜ୍‍ ରେ ମୋତେ ଡକେଇ ପଠେଇବାରୁ ଅଭିନୟଟା ସଂକ୍ଷିପ୍ତରେ ଶେଷ କରିଦେବାକୁ ବାଧ୍ୟ ହେଲି । ଆପଣ ଦେଖିଲେ ନା ଗଲା ରାତିରେ ସମସ୍ତେ ମରିଗଲେ । ଯାହାହେଉ ଆପଣଙ୍କ ବିଚାର ପାଇଁ ଅବସର ଥିଲା ଏବଂ ଆପଣଙ୍କର ଶେଷଚିଠା ଥିଲା ଯେ ସର୍ବଶେଷରେ ଆପଣ ବିଷ ଖାଇ ଆତ୍ମହତ୍ୟା କରିବେ, କିନ୍ତୁ ସିଗାରେଟରେ ଉତ୍କଟ ଗ୍ୟାସ ଦେଇ ମୁଁ ସେ ଚେଷ୍ଟା ବିଫଳ କରି ଦେଇଚି ।

 

ମୋତେ ନିମନ୍ତ୍ରଣ କରିବା ଆପଣଙ୍କର ଆଦୌ ଇଚ୍ଛା ନଥିଲା । ଥିଲା କେବଳ ଦୁଇଟା ଉଦ୍ଦେଶ୍ୟ–ପ୍ରଥମଟା ହେଲା ମୁଁ ଅସମର୍ଥ, ଏଇଟା ପ୍ରତିପାଦନ କରିବା । ଦ୍ୱିତୀୟଟା ହେଲା ମୋ ଭରସା ଦେଇ ଆପଣ ବିବ୍ରତ ହୋଇ ଉଠୁଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ସାନ୍ତ୍ୱନା ଦେବେ ।’’

 

ଏତିକିବେଳେ ଅବସରପ୍ରାପ୍ତ ପୋଲିସ ଇନିସ୍‍ପେକ୍ଟର ଓରଫ୍ ହାବିଲଦାର କମଳକୁମାର ଶାସ୍ତ୍ରି କପେ ଚା’ ଆଣି ମି: ବର୍ମାଙ୍କ ହାତକୁ ବଢ଼େଇ ଦେଲେ ।

 

ଚା’କପ୍ ରେ ପ୍ରଥମ ଚୁମ୍ବନ ଦେଇ ମି: ବର୍ମା କହିଲେ, ‘‘ମି: ମହାନ୍ତି, ଏ ଅପରାଧରେ ମୋତେ କୋର୍ଟ ଫାଶି ଦେଇପାରିବ ତ ?’’

 

–‘‘ଆପଣ ଦିନେ ବିଚାରପତି ଥିଲେ; ତେଣୁ ସେ ବିଷୟରେ ମୋତେ ପଚାରି ଲଜ୍ଜା ଦେବେନି ।’’

 

କହୁ କହୁ ଅମୂଲ୍ୟବାବୁ ଟିଣା ଭିତରୁ ଖଣ୍ଡେ ସିଗାରେଟ କାଢ଼ି ମି: ବର୍ମାଙ୍କ ଆଗରେ ଟେକି ଧରିଲେ ।

 

ସାମାନ୍ୟ ହସି ମି: ବର୍ମା କହିଲେ, ‘‘ମୁଁ ପଳେଇ ଯିବିନି ମି: ମହାନ୍ତି । ମୋତେ ଆଉ ଗ୍ୟାସଭରା ସିଗାରେଟ ଅଫର କରିବା ଦରକାର ନାହିଁ ।’’

 

ଅମୂଲ୍ୟବାବୁ କହିଲେ, ‘‘ବିଶ୍ୱାସ କରନ୍ତୁ ଏଥିରେ ଗ୍ୟାସ୍‍ ନାହିଁ । ପ୍ରାତଃଚା’ଟାକୁ ଟେଷ୍ଟ୍‍ଫୁଲ କରିବାପାଇଁ ଏଇଟା ଆପଣଙ୍କର ନିହାତି ଦରକାର ।’’

 

–‘‘ଧନ୍ୟବାଦ ମି: ମହାନ୍ତି, ଆପଣଙ୍କ ପରି ଜଣେ ଡିଟେକ୍‍ଟିଭ୍‍ ପାଇ ଆମେ ମଧ୍ୟ ଧନ୍ୟ ହେଇଚୁ । କଳାକୋଠି ରହସ୍ୟଟା ପୋଲିସ ପକ୍ଷରୁ ଆୟୋଜିତ ଗୋଟାଏ ସ୍ୱତନ୍ତ୍ର ଅଭିନୟ, ଏଥିରେ ଗୁରୁତ୍ୱ କିଛି ନାହିଁ ।’’

 

ଷ୍ଟିମାର ଆଉ ଟିକିଏ ପରେ ନଙ୍ଗର କରିବ ।

 

ମି: ବର୍ମା ନିଜ ଦାଢ଼ି ଧରି ଉପରକୁ ଉଠାଇ ଦେଲେ, ନାକତଳର ଘନ ନିଶ ସମେତ ମୁଣ୍ଡ ଉପରର ପାଚି ଆସିଥିବା ବାଳଗୁଡ଼ିକୁ ଧରି ଦାଢ଼ି ଗୋଛାକ ଉଠିଗଲା ।

 

ଏ କଣ ?

 

ଏତ ମି: ବର୍ମା ନୁହନ୍ତି ! ପୋଲିସ ଅପିସର ମି: କାଶୀନାଥ ସାହୁ ।

 

ଅମୂଲ୍ୟବାବୁ ବିସ୍ମୟାନନ୍ଦରେ ପଚାରିଲେ, ‘‘ସାର୍‍ ଆପଣ ?’’

 

–‘‘ସୁରଥ ସାମନ୍ତ କିମ୍ବା ମି: ବର୍ମା ନହେଲେ ଆପଣଙ୍କଠାରେ ଋଣୀଥିବା ମି: ସାହୁ ଯାହା ଠିକ୍ କରି ପାରନ୍ତି ।’’

 

କହୁ କହୁ ମି: ସାହୁ ହୋ ହୋ ହୋଇ ହସିଉଠି କହିଲେ, ‘‘ଏହାପରେ ଆପଣ ଆଉ ରିଟାର୍ଡ଼ ମି: ବର୍ମାଙ୍କ କୋଠିକୁ ଯାଇ ତାଙ୍କୁ ଗିରଫ କରିବେନି, ଏ ଅନୁରୋଧ ରହିଲା ।’’

 

ଷ୍ଟାଫ୍ ସମେତ ଅମୂଲ୍ୟବାବୁ ଅଗତ୍ୟା ସେ ହସରେ ଯୋଗଦେଲେ । ମି : ସାହୁ କରମର୍ଦ୍ଦନ କରିବା ପାଇଁ ଅମୂଲ୍ୟବାବୁଙ୍କ ଆଡ଼େ ହାତ ବଢ଼େଇଲେ ।

Image